ଥରେ ଆସନ୍ତନି କାନ୍ତକବି!
ଥରେ ଆସନ୍ତନି କାନ୍ତକବି!
ଭୂମିରୁ ଭୂମା ଯାଏ
ଗଗନ ପବନରେ ପ୍ରକମ୍ପିତ
ଜାତୀୟତାର ମନ୍ତ୍ର।
ନାହିଁ କ୍ଳେଶ, ନାହିଁ ଗ୍ଳାନି, ନାହିଁ କ୍ଷୋଭ
ନାହିଁ ପୁଣି ରୋଗ ଯନ୍ତ୍ରଣାର ଡର
ନିନାଦିତ ସବୁରି କଣ୍ଠରେ ତୁମ
'ବନ୍ଦେ ଉତ୍କଳ ଜନନୀ'ର ସ୍ବର।
ଚଷା ଗାଏ, ପଣ୍ଡିତ ବି ଗାଏ
ହୃଦୟର ଝଙ୍କାରରେ
ଝଙ୍କୃତ ହେଉଥାଏ
ବାର ବାର ସେ ସ୍ବର
କାଲିର-ଆଜିର-ଆସନ୍ତାକାଲିର।
ଅଭିମାନୀ ଅଭିମାନରେ
ଦୋଷ ଲଦୁଥାଏ ଶ୍ରୀପୟରେ
ବାର ବାର ଯନ୍ତ୍ରଣାର ସ୍ବରରେ
'ସବୁଥିରୁ ବଞ୍ଚିତ କରି
କେଉଁ ଯଶ ବାନା ଉଡ଼ାଇବ ହେ'।
ମର୍ମଭେଦୀ ଜୀବନ ସଂଗୀତରେ
ଉଦବେଳିତ ହୃଦୟର ସତ୍ତା
ମୂହୁର୍ମୂହୁ ଉଦଗୀରିତ
ଆଗ୍ନେୟଗିରିର ଲାଭା ପରି।
ସେ ସ୍ବର, ସେ ସଂଗୀତ
ସେ ହୃଦୟର କଥା
କାହାର-
କାହାର ସେ ଜାତୀୟତା ଭାବରେ
ଅନୁରଣିତ ଜାତୀୟ ସଂଗୀତ??
କାନ୍ତକବି-
ଅପହଞ୍ଚ ଇଲାକାର ଆତ୍ମା
ଅବର୍ତ୍ତମାନରେ ତୁମ
ପୂଜ୍ଯପୂଜାର ଜୟନ୍ତୀ।
ତମେ କେଉଁଠି?
ଥରେ ଆସନ୍ତନି!!
ଥରେ ଦେଖନ୍ତନି
ତୁମ ଉତ୍କଳ ଜନନୀର ଭାଗ୍ୟ ।
