ଶ୍ରାବଣ ମାସ
ଶ୍ରାବଣ ମାସ
ଭାରି ଭଲ ଲାଗେ ଶ୍ରାବଣ ମାସ,
ଯୁଆଡେ ଚାହିଁଲେ ସାଗୁଆ ଦୃଶ୍ୟ ।
ଆକାଶରେ ଘନ କଳା ବାଦଲ,
ବିଜୁଳି ତହିଁରେ ରଚଇ ଖେଳ ।
ଚାରିଆଡେ ଗଛ ଧାଡିକିଧାଡି,
ପିନ୍ଧିଛିକି ଧରା ସାଗୁଆ ଶାଢୀ ।
ଯୁଇ,ଯାଇ,ଚମ୍ପା,ଟଗର ଫୁଟି,
ସାଗୁଆଶାଢୀରେ ଉଠେ ଉକୁଟି ।
ହରଗଉରାକୁ ଈଶ୍ୱରଜଟା,
ଲାଗିଛିକି ସତେ ପ୍ରତିଯୋଗୀତା ।
କେବେଝରଝର କେବେ ଟୁପୁରୁ,
ପାଣି ଝରି ଆସୁଥାଏ ଉପୁରୁ ।
କାଗଜଡଙ୍ଗାକୁ ଧରି ହାତରେ,
କୁନାଯାଏ ଭସାଇବ ପାଣିରେ ।
ଓଳିପାଣି ପଡି ଉଠେ ଫୋଟକା,
ଭାସିଯାଉଛିକି ସତେ ମୁକୁତା ।
ନଈନାଳ ବିଲ ପାଣିରେ ଭରା,
ସବୁଜ ପଡିଆ ଆହା କି ତୋରା ।
ଘାସପଡିଆରେ ସାଧବପୋକ,
ନୀଳଗାଲିଚାରେ ନାଲିଆ ଛିଟ ।
ଥିରିଥିରି ଚାଲେ ସାଧବବୋହୂ,
ଚାଲିରୁ ତାରକି ଝରଇ ମହୁ ।
ସାରୁଗଛ ମୂଳେ ବେଙ୍ଗୁଲି ନାନୀ,
ବେଦିକୁ ଯିବାକୁ ସଜାଡେ କାନି ।
ବେଙ୍ଗତ ବିଜୁଳି ରୋଷଣୀ ଜାଳି,
ବରଯାତ୍ରୀ ଧରି ଆସୁଛି ମାଡି ।
ଆକାଶରେ ଇନ୍ଦ୍ରଧନୁ ଉଜଳି,
କୁଆଁରୀ ଲାଜକୁ ଯାଏସେ ବଳି ।
ରିମ୍ ଝିମ୍ ଶୁଭେ ବରଷା ସୁର,
ପ୍ରିୟାପାଦେ ଅବା ବାଜେ ନୁପୂର ।
ଭାରିମିଠା ସେତ ଶ୍ରାବଣ ଛୁଆଁ,
ବିରହୀମନରେ ଜାଳେସେ ନିଆଁ ।
ସବୁଜକ୍ଷେତରେ ପବନ ଦୋଳି,
ସବୁଜଢେଉକି ପଡେ ଉଛୁଳି ।
ରୁଆ ବେଉଷଣ କୃଷକକରେ,
କ୍ଷେତରେ ବେସୁରା ଗୀତ ଲହରେ ।
ଆହାକି ସୁନ୍ଦର ଶ୍ରାବଣ ମାସ,
ଉଷରଜମିରେ ଫଳାଏ ଶସ୍ୟ ।
ବରଷା ପଡଇ ଟପରଟପ,
ବାଟଘାଟ ହୁଏ ଚପରଚପ ।
ବାରିଆଡେ ଜହ୍ନିକାକୁଡିଲତା,
କଖାରୁ ଚାଳରେ ଟେକିଛିମଥା ।
ଦୁଇକୂଳ ଲଙ୍ଘି ବହୁଛି ନଈ,
ଖାଲଖମା,କ୍ଷେତ,ପଡିଆ ଡେଇଁ ।
କ୍ଷେତବାଡି ବୁଡି ମାଡିଲେ ବନ୍ୟା,
ଆଖିଓଦାକରେ କୃଷକକନ୍ୟା ।
ଶ୍ରବଣଟା ଲାଗେ ଭାରି ବଢିଆ,
ପାଖେଥାଏ ଯଦି ମୁଢିନଡିଆ ।
ଜମିଗଲେ ଲୁଡୁ,ତାସ୍ ଆସର,
ଶ୍ରାବଣମାସର ବଢେ ଆଦର ।
ଶ୍ରାବଣ ଆସିଛି ରାକ୍ଷୀକୁ ଧରି,
ଭାଇଭଉଣୀର ସେନେହ ଡୋରି ।
ଝୁଲଣଦୋଳାରେ କଳାକହ୍ନେଇ,
ରାଧିକାରାଣୀକୁ ସାଥୀରେନେଇ ।
ଶିବଙ୍କର ଅତି ପ୍ରିୟ ଏ ମାସ,
ସୋମବାରେ ଜଳ ଢାଳଇ ଭକ୍ତ ।
ଶ୍ରାବଣ ଆସିଲେ ଆସଇ ଘନ,
ଜୀବଜଗତକୁ ଦିଏ ଜୀବନ ।
ଜୀବଜଗତର ମଙ୍ଗଳପାଇଁ,
ଶ୍ରାବଣ ଧରାକୁ ଆସେ ଓହ୍ଲାଇ ।
ସବୁରିମନରେ ଆନନ୍ଦ ଭରି,
ଶ୍ରାବଣ ଧରାରୁ ଯାଏ ବାହୁଡି ।