ଶୀତୋଇକୁ
ଶୀତୋଇକୁ
ଶୀତୋଇ..!
ମୁଁ ଭାବୁଛି ତୁମେ ଆସୁଛ ଏଇ ଅଶିଣରେ
ଖିଲ ଖିଲ ହସର ଫୁଆରା ନେଇ
ଏଇ ଶରଦ ନିର୍ମଳ ଆକାଶରେ,
ମୁଁ ଭାବୁଛି ତୁମେ ଆସୁଛ ଏଇ କାର୍ତିକରେ
ମଖ ମଲି ସ୍ବପ୍ନର ପସରା ନେଇ,
ଭିଜା କାକରର କଅଁଳ ଛୁଆଁରେ,
ଆକାଶରେ ଚିକମିକ ଜହ୍ନ,
ମେଞ୍ଚି ମେଞ୍ଚି ତାରା ଫୁଲ
ତୁମ ଅଳସ ଆଖିରେ, ପୁନେଇଁ ପରବର
ଏଇ ପୁଆଣି ସଂଜରେ...!
ମୁଁ ଭାବୁଥିଲି ତୁମେ ଆସିବ ଲାଜକୁଳି,
ଦେହରେ ବହଳ ଲାଜର ଗହଣା ପିନ୍ଧି
ରୁଣୁ ଝୁଣୁ ପାଦେ
ଶୀତ ସଵାରୀରେ
ଅସୁମାରୀ ସ୍ବପ୍ନ,ଅସରନ୍ତି ନିଦ,
ତୁମର ସେ ଲାଜୁକି ଦେହରେ..!
ମୁଁ ଭାବିଥିଲି ଫେରିବ ପାର୍ବଣ,
ଶାରଦୀୟ ହୋଇ
ହସୁଥୁବ ଜହ୍ନି ଫୁଲ ଠୋ ଠୋ,
ତୋଫା ଜହ୍ନ,ବାଡ଼ି ଅଗଣାରେ,
ବୁଣୁ ଥିବ ହସର ମୄରୁଜ,
ସେଇ ଶୀତୁଆ ସଂଜରେ
ପେନ୍ଥା ପେନ୍ଥା ଗଙ୍ଗ ଶିଉଳି,
ପାହାନ୍ତି କାକର,ଏ ଦିଆଲି ତିଥିରେ..!
ତୁମେ ମାଗିଥିବା ରଙ୍ଗର ଅବିର
ଅସରା ସପନ, ଫେରନ୍ତା ଶ୍ରାବଣ
ତୋଳୁ ଥିବି ସାତ ରଂଗ,ଆଙ୍କି ଇନ୍ଦ୍ରଧନୁ
ମେଘ ଡମ୍ବରୁ ସାଜି,କୃଷ୍ଣ କବରୀରେ
ତୁମର ସେ ମନ ରଙ୍ଗୋଲିରେ
ଏଇ ଋତୁ ପାର୍ବଣରେ..!

