ପ୍ରକୃତି
ପ୍ରକୃତି
ମାତା ପ୍ରକୃତି ଯଶୋଦାଙ୍କଠୁ ବଳି
ଦେଇଛି ଜୀବନ ଶିକ୍ଷା,
ଗୁରୁଙ୍କ କର୍ତ୍ତବ୍ୟ ନିଭାଇଛି ସେ
ଗ୍ରହଣ ନ କରି ଦୀକ୍ଷା ॥
ଆଧୁନିକ ଲୋକ ପିତାମାତାଙ୍କୁ
କରେ ସିନା ଅନାଦର,
ଧରଣୀ ସୁପୁତ୍ରୀ ପ୍ରକୃତି କିନ୍ତୁ
ଦେଖାଏ ତା’ ଚମତ୍କାର ॥
ପ୍ରକୃତି ରହସ୍ୟ କିଏ ଅବା ଜାଣେ,
କେବେ ରାଗ, କେବେ ଶାନ୍ତ!
ଦେଖାଇ ନିଜର ଅଦ୍ଭୁତ କୌଶଳ
ମନୁଷ୍ୟକୁ କରେ କ୍ଲାନ୍ତ॥
କାନ ଦିଅ ହେ ଆଧୁନିକ ଯୁଗ,
ପ୍ରକୃତିଠୁ କିଛି ଶିଖ,
ମମତାମୟୀ ଯେ ପ୍ରକୃତି ଆମର,
ତା ବାର୍ତ୍ତା ମନରେ ରଖ ॥
‘ପ୍ରକୃତି ବଞ୍ଚାଅ, ପ୍ରକୃତି ବଞ୍ଚାଅ’
ଲଗାଇ ଚାଲରେ ନାରା,
ପ୍ରକୃତିର ସେହି ସୁନ୍ଦର ଛବିକୁ
ସବୁଜ କର ଏ ଧରା ॥
