ପ୍ରଭାତ
ପ୍ରଭାତ
ଆସିଲା ପ୍ରଭାତ ହୋଇ ହର୍ଷଚିତ୍ତ
ନୂଆ ସୁରୁଜ ଉଇଁଲା
ରଙ୍ଗ ମୁରୁଜକୁ ସାରା ଜଗତରେ
ବୁଣି ଦେଇ ଖୁସି ହେଲା ।
ସିନ୍ଦୁରା ଫାଟିଲା, ଅରୁଣ ଉଇଁଲା
ଜାଗିଲେ ସକଳ ଜନ
ନୂଆ ବୋହୂଟିଏ ଗାଧୋଇ ଆସି ଯେ
କରେ ତୁଳସୀ ପୂଜନ ।
କୁକ୍କୁଟ ର ଡାକ, କାଉର, କା, କା
ନିଦ ଭାଙ୍ଗିଦିଏ ଭାଇ
ସପନ ନଈର ଉଜାଣି ସୁଅରେ
ନେଇ ଯାଏ ଟି ଭସାଇ ।
ତରୁଣ ଅରୁଣ ଉଜ୍ଜ୍ୱଳ ଆଲୋକେ
ହସିଉଠେ ଆମ ଗାଆଁ
ନୂଆ ବୋହୂଟିଏ ବାସି ପାଇଟିକି
ସାରଇ ନିତି ଦିନିଆଁ ।
ପ୍ରଭାତ ସମୟେ କଳକଣ୍ଠି ଡାକେ
ଉଠ ଉଠ, ଗ୍ରାମବାସୀ
ସୂର୍ଯ୍ୟ ଉଦୟ ପରେ ଉଠିଲେ ସବୁ
ରୋଗ ମାଡ଼ିଯିବ ଆସି ।
ପ୍ରଭାତ ସମୟେ ପକ୍ଷୀଏ କରନ୍ତି
କିଚିରି ମିଚିରି ଶବ୍ଦ
ମନ୍ଦିର ଭିତରୁ ଭାସି ଆସୁଥାଏ
ମନ୍ତ୍ର, ଘଣ୍ଟ, ଶଙ୍ଖ ବାଦ୍ୟ ।
ନାନା ଜାତି ଫୁଲ ଫୁଟି ବଗିଚାରେ
ବାସନା ବିତରି ଯାଏ
ସୁଗନ୍ଧରେ ତାର ଭ୍ରମର ଆସି ଯେ
ଗୁଣୁ ଗୁଣୁ ଗୀତ ଗାଏ ।
ଚାଷୀ ଭାଇଟି ଯେ ହଳ ଲଙ୍ଗଳକୁ
ଧରିଣ ଯାଏ ବିଲକୁ
କାଳିଆ, କସରା, ବଳଦ କୁ ଜୋଚି
ଲମ୍ବାଇ ଥାଏ ସ୍ୱରକୁ ।
ପ୍ରଭାତରୁ ଉଠି ସବୁ ନର ନାରୀ
ନିଜ ନିତ୍ୟକର୍ମ ସାରି
ଠାକୁର ଦର୍ଶନ କରିଣ ଯାଆନ୍ତି
ଧୂପ ଦୀପ, ଭୋଗ ଧରି ।
ପୋଖରୀରେ ରହି ପଦୁଅଁ ସୁନ୍ଦରୀ
ସୁରୁଜ କିରଣ ପାଇ
ପ୍ରିୟ ଙ୍କୁ ଦର୍ଶନ କରି ଆନନ୍ଦରେ
ପାଖୁଡା ମେଲି ହସଇ ।
ସକାଳ ପବନ ଦେହ ପାଇଁ ହିତ
ଚଲା ବୁଲା କଲେ ଭଲ
ଶୁଦ୍ଧ ଅମ୍ଳଜାନ ପୁରି ରହିଥାଏ
କରଇ କର୍ମ ଚଞ୍ଚଳ ।