ପଖାଳ କଂସା
ପଖାଳ କଂସା
ଆଦ୍ୟ ଋତୁ ନଛୁଉଣୁ ଧରାବୁକୁ
ପାଇ ଗ୍ରୀଷମ ପରଶ
ଓଡ଼ିଆ ଘରର ପଖାଳ କଂସାରୁ
ଆହା ! କି ମଧୁର ବାସ
ମନ କରେ ହରଷ
ଦୁଇ ଗୁଣ୍ଡା ଖାଇ ଦି' ଢୋକ ପିଇଲେ
ଆତ୍ମା ହୋଇଯାଏ ତୋଷ
ସତେ ସେଥୁ ମିଳେ କି ପୀୟୁଷ ।
ଆଳୁ ବାଇଗଣ ବଡ଼ି ପୋଡ଼ା ସାଥେ
ଲେଉଟିଆ ଶାଗ ଭଜା
କଞ୍ଚାଲଙ୍କା ଭଜା ଶୁଖୁଆ ବେସର
ପାଟିକୁ ଲାଗଇ ମଜ୍ଜା
ନିଜ ସକ୍ଷମେ ସଜ୍ଜା
ଜୀବନ ଧନଟି ଏ ପଖାଳ କଂସା
ସତେ କି ଭୋଜନ ରଜା
ଆହା ! କେତେ ଶାନ୍ତି ତୃପ୍ତି ଭିଜା ।
ବରଷ ତମାମ ଗରିବ ହାଣ୍ଡିରେ
ଜୁଆ ରହଇ ପଖାଳ
ଧନୀକ ଖୁସିରେ ଗ୍ରୀଷମ ତାପରେ
ଏହା ସାଥେ କାଟେ କାଳ
ରୋଗୀର ମନ ଊଣା
ତଥାପି ଗରମ ଭାତେ ଜଳ ଢାଳି
ଖାଇବାକୁ ହୁଏ ବଣା
ଭୁଲି ନିଜ ରୋଗର ଯନ୍ତ୍ରଣା ।
ପ୍ରତିବର୍ଷ ମାର୍ଚ୍ଚ ମାସ କୋଡ଼ିଏ ତାରିଖ
ପଖାଳ ଦିବସ ଭାବେ
ପାଳନ କରନ୍ତି ପ୍ରତିଟି ଓଡ଼ିଆ
ରହିଲେ ବି ଯେଉଁ ଠାବେ
ସତେ ତା' ଅନୁଭବ
କେତେ ଯେ ମଧୁର ଯିଏ ଖାଇଅଛି
ଜାଣିଛି ତା'ର ସ୍ବଭାବ
ତାହା ପରା ମନର ବିଭବ ।
କୋଟି ଓଡ଼ିଆଙ୍କର ମଉଡ଼ମଣି
ବଡ଼ ଦିଅଁ ଜଗନ୍ନାଥ
ଗ୍ରୀଷମ ତାପରେ ଏ ପଖାଳ ଭୁଞ୍ଜି
ହୁଅନ୍ତି ପରା ତୃପତ
ତାଙ୍କ ଟଙ୍କତୋରାଣି
ଆହା ! କି ସୁଆଦ ସତେ କି ଅମୃତ !
ନେଇଥାଏ ମନ କିଣି
ଭକ୍ତ ହୃଦୟେ ସାଜେ ରଙ୍କୁଣୀ ।
ସଜ୍ଜିତ ହେଉଛି ନାନା ହୋଟେଲରେ
ଏବେ ଏ ପଖାଳ କଂସା
ତା'ରେ ପ୍ରୀତି ରଖି ଗ୍ରାହକେ ଆଗ୍ରହୀ
ନିବାରଣେ କ୍ଷୁଧା ତୃଷା
ହୃଦୟେ ତୋଳି ଆଶା
ହୋଇଣ ଆନନ୍ଦ ସେଠି ଥାପି ପାଦ
ଭାବି ଜୀବନ ଭରସା
ସତେ ରଖନ୍ତି ନିଜର ହଂସା !
ସେଥିପାଇଁ ଏହି ପଖାଳ କଂସାଟି
ନୁହେଁ ଉତ୍କଳେ ସୀମିତ
ଦେଶବିଦେଶରେ ଆଜି ବି ଏହାର
ନାମ ହେଲାଣି ବିଖ୍ୟାତ
ବଢ଼ୁଥିବ ମହତ
ଗ୍ରୀଷମ ପ୍ରବାହ ବଢ଼ି ଦିନୁଦିନ
ଧାରଣୀ ହୁଏ ଉତ୍ତପ୍ତ
ଲୋଡ଼ୁଥିବ ପଖାଳ ଜଗତ ।