ମୁଁ ଜଣେ କୃଷକ
ମୁଁ ଜଣେ କୃଷକ
କିଏ କହେ ମୋତେ ଅନ୍ନଦାତା
କିଏ କହେ ପୁଣି ଅବହେଳିତ
କେତେ ଦୁଖ କଷ୍ଟ ମୁଁ ଯେ ସହିଯାଏ
ତଥାପି ଦେଶକୁ ଆହାର ଯୋଗାଏ ।।
ରାତ୍ରିଟା ମୋର ବିଶ୍ରାମ ବେଳ
ସକାଳ ହେଲେ ଖାଇ ପଖାଳ
ଚାଲେ ହରଷେ ମନେ ।।
ସଙ୍ଗରେ ନେଇ ହଳ ଲଙ୍ଗଳ
ମନରେ ଭରି ଅନେକ ବଳ
ମୁଣ୍ଡରେ ଟେକା ଖୋସେ ।।
ମାଟି ଛାତି ଚିରି ଫଳାଏ ସୁନା
ଜୀବନ କଷ୍ଟ ଜମା କହନା ।।
ଖରା ବର୍ଷା ଶୀତ ସବୁ ମୁଁ ସହେ
ଟାଙ୍ଗରା ଭୂଇଁରେ ଫଳାଏ ସୁନା ।।
ଛାତିର ଲୁହକୁ ଆଖିରେ ପିଏ
ଦୁଃଖ କଷ୍ଟ ସବୁ ମୁଁ ସହିଯାଏ ।।
ସହିବାର ସବୁ ସୀମା ଯାଏ ଯେବେ ଟପି
ବାଧ୍ୟ ହୋଇ ଯଦି କେବେ ଦିଏ ଆତ୍ମାହୁତି
ଶବ ମୋ ହୁଏ ଖେଳନା , ଖେଳନ୍ତି ଶସ୍ତା ରାଜନୀତି
ମୃତ୍ୟୁ ବି ମୋ ହୁଏ ଅଭିଶପ୍ତ , କାହିଁ ମୋର ମୁକ୍ତି ।।
ସରକାରୀ କଳ ଆଉ ଦୈବୀ ଦୁର୍ବିପାକରେ
ପେଷି ହେଉଥାଏ ନିତି ପେଷଣା ଚକ୍ର ପରକାରେ ।।
ତଥାପି ହେଉନି ନିରାଶ
ସେ ସର୍ବନିୟନାଙ୍କ ପାଖରେ ମୋ ଅଖଣ୍ଡ ବିଶ୍ୱାସ ।
କାପୁରୁଷ ଲକ୍ଷଣ ସିନା କାତରତା
ସଂଘର୍ଷରେ ଫୁଟିଉଠେ ନିଜର ବୀରତା ।।
ରଖୁନାହିଁ ଆସକ୍ତି ମୁଁ ନିଜ କର୍ମଫଳେ
ବାହାନା ବି ଖୋଜୁନାହିଁ ଦୋଷ ଦେଇ ଭାଗ୍ୟଫଳେ ।।
ଜାଣିଛି କର୍ତ୍ତବ୍ୟ ସାର ମୋର ମୁକ୍ତିମାର୍ଗ
ଏଣୁ ଏ ବିଶ୍ବାସ ରଖୁ , ମୋ କର୍ମରେ ମୁଁ ବ୍ୟଗ୍ର ।।
