ମିଳନ
ମିଳନ
ପ୍ରଣୟ ଏମିତି ପୁଣ୍ଯମୟ କ୍ଷିତି
ନାହିଁ ତା'ପ୍ରଗତି,ବୃତ୍ତି
ତ୍ଯାଗ,ବଳିଦାନ,ବିରହ,ଯନ୍ତ୍ରଣା
ଇତିରୁ ତା'ର ଉତ୍ପତି ।
ଭଲ ପାଇବାର ନନ୍ଦନ କାନନେ
ସ୍ମୃତିର ପାଖୁଡା ମେଲେ
ପ୍ରସ୍ଫୁଟିତ ପ୍ରେମ ସଦ୍ଯ ପାରିଜାତ
ମିଳନ ଦୋଳିରେ ଝୁଲେ ।
ପ୍ରେମରଛିଟାରେ ଦେହେ ଶିହରଣ
ମନ ହୁଏ ଅମାନିଆ
ସବୁ ଋତୁ ଲାଗେ ରଙ୍ଗୀନ ଫଗୁଣ
ମନ ଖୋଜେ ସାଥୀ ଛୁଆଁ ।
ବୟସରେ ଡେଣା ଲାଗିଗଲା ପରେ
ପ୍ରେମ ପକ୍ଷୀ ଆନମନା
ଦୂର ଦିଗନ୍ତକୁ ଛୁଇଁବାକୁ ଉଡେ
ବାଧା ବନ୍ଧନ ମାନେନା ।
ଅନ୍ତର ଗଗନ ବିଶାଳ ବକ୍ଷରେ
ହେଉ ପଛେ ବାଟବଣା
ଖାତିର ନକରି ଘାତ, ପ୍ରତିଘାତେ
ହଜାଏ ନିଜ ଠିକଣା ।
ଆବେଗ ନଦୀରେ ପ୍ରୀତିର ଜୁଆର
ସୁନାମୀର ରୂପ ନେଇ
ଉଚ୍ଛୁଳା ଯୌବନ ଖୋଜେ ଆସ୍ବାଦନ
ତରଙ୍ଗେ ପ୍ରମତ୍ତ ହୋଇ ।
ପ୍ରଣୟ ମଳୟ ବାଜିଲେ ଦେହରେ
ମଧୁମୟ ଲାଗେ ଧରା
ପ୍ରେମ କୃଷ୍ଣଚୁଡାଜୀବନକୁ କରେ
ଲାଲିମାରେ ସ୍ବପ୍ନ ଭରା ।
ପୁଣ୍ଯ ନଦୀ ତୀରେ ପାପର ପସରା
ଛଳନାର ରୂପ ନେଇ
ହୃଦେ ଧରି ଗ୍ଳାନି ମନ କରେ ତୁନି
କଳଙ୍କ କାଳିମା ବୋହି ।
ହସ ଝରା କାନ୍ଦ ଭଲ ଆଉ ମନ୍ଦ
ନାହିଁ ସେଠି ରାତି, ଦିନ
ଦୂର ତାଳ ବଣେ ବାୟାର ଝୁଲଣେ
ସୁଖ ,ଦୁଃଖ ତ ସମାନ ।
ଉତ୍ସର୍ଗରଧାରା ଅବିଶ୍ରାନ୍ତ ପରା
କଳ୍ପନାର ସମ୍ମୋହନ
ଧାରାଶ୍ରୀ ଶ୍ରାବଣ ଲାଗଇ ଫଗୁଣ
ସିକ୍ତ କରେ ତନୁମନ ।
ମିଳନର ଗୀତି ଆତ୍ମା କରେ ତୃପ୍ତି
ଲୋଡଇ ସାଥୀ ସାନ୍ନିଧ୍ୟ
ଜହ୍ନର ଜୋଛନା ସୁରର ମୂର୍ଚ୍ଛନା
ପ୍ରାଣକୁ କରଇ ମୁଗ୍ଧ ।
ପ୍ରୀତି,ପ୍ରେମ ଡୋର ପବିତ୍ର ପାପର
ଅନାମିକା ପରିଭାଷା
ମୃଗତୃଷ୍ଣା ପରି ଅଦୃଶ୍ୟ ହୁଅଇ
ବଢାଇ କାମନା ତୃଷା ।
ଅତୃପ୍ତ ଦହନ ନୈସର୍ଗିକ ପ୍ରେମ
ଅଭିଳାଷିତ ସରମ
ସତ୍ୟ ମଶାଣିରେ ଚିର ଉଜ୍ଜୀବିତ
ଅବିସ୍ମରଣୀୟ କାମ୍ଯ ।
ପ୍ରେମ ଏମିତିକା ପବିତ୍ର ପାପଟି
ସେଠି ଥାଏ ବଳିଦାନ
ପ୍ରାୟଶ୍ଚିତ ତା'ର ଅବଶୋଷ ହୋଇ
ପ୍ରତୀକ୍ଷାରେ ହୁଏ ଲୀନ ।