ମାୟାମୟ ସଂସାର
ମାୟାମୟ ସଂସାର
ଅଢ଼େଇଦିନକୁ ଆସି ମୁଢମନ ଦେଖାଉ ଏଡ଼େ ବଡ଼େଇ,
ଗଲେ ତୋ ଜୀବନ ଆତ୍ମୀୟସ୍ୱଜନ ଦେଵେଜୁଇରେ ଚଢ଼େଇ |
ଛଅଖଣ୍ଡି କାଠ ଲୋଡ଼ାହେବ ମାତ୍ର ମଶାଣିରେ ହେବୁ ପୋଡ଼ା
ଖୁଞ୍ଚଣାକାଠରେ ମାରିବେଆଣ୍ଟରେ ଯେହ୍ନେନୋହୁ ଦରପୋଡ଼ା |
ପୁଅ ଦେବ ତୋର ମୁହଁରେ ଅନଳ ଘରଣୀ ଦେହ କିଳାଇ
ଭାଙ୍ଗି ହାତୁ ଶଙ୍ଖା ମଥାର ସିନ୍ଦୂର ଅଚିରେ ଦେବ ଲିଭାଇ |
ଜଳି ଦେହ ତୋର ମୁଠାଏ ପାଉଁଶ ହୋଇଯିବ ଚାହୁଁଚାହୁଁ
ଗର୍ବ ଅଭିମାନ ତେଜି ବିଭୁ ନାମ ଜପ କର ବେଳଥାଉ |
ମିଛମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର
ଆସିଛୁ ଲଙ୍ଗଳା ଯିବୁ ତୁ ଫୁଙ୍ଗୁଳା ବୃଥା କୁଣ୍ଢାଉ ସଂସାର |
ଧରାରେ ରହିବ ଦୁଃଖାର୍ଜିତ ଧନ ସ୍ଥାବର କି ଅସ୍ଥାବର
ରୋମନ୍ଥେ ରହିବେ ମହିଷ ଗୋଧନ ଆନନ୍ଦରେ ଗୁହାଳର |
ଅଶ୍ରୁମୁଖୀ ଭାର୍ଯ୍ୟା ହୋଇଣ ଅଧୈର୍ଯ୍ୟା ଦ୍ୱାରପାଶେ ଯିବ ରହି
ଆତ୍ମୀୟ ବାନ୍ଧବ ମଶାଣି ପର୍ଯ୍ୟନ୍ତ ନେବେ ତୋର ଶବ ବହି |
ପ୍ରିୟତମ ତନୁ ଭସ୍ମୀଭୂତ ହୋଇ ରହିଯିବ ଚିତା ସାଥେ
କେବଳ ମାତର ଧର୍ମପଛେ ଜୀବ ଯିବ ପରଲୋକ ପଥେ |
ବେଳ ଥାଉଁ ବନ୍ଧ ରେ ମନୁଆ ପର ଉପକାର କର
ତେଜି ଲୋଭ ମୋହ ହିଂସା ଅହଂକାର ବିଭୁପଦ ନାଵ ଧର |
ସତ୍ୟ ଶାନ୍ତି ଦୟା କ୍ଷମା ଗୁଣବଳେ କର ଯଶ ଅରଜନ
ମଣିଷ ମରିବ କୀର୍ତ୍ତି ରହିଥିବ ହେବ ଜଗତ ବନ୍ଦନ |
