କଉଁ ଋତୁଚକ୍ର
କଉଁ ଋତୁଚକ୍ର
ବୁଝିପାରୁନାହିଁ ଭାଇ
କଉଁ ଋତୁଚକ୍ର ଚାଲିଅଛି
ଛାର ଦୀନ ହୀନ ମତି
କଚ୍ଛପ ଗତି
ଜାଣିପାରୁ ନାହିଁ
ସମୟ ସୁବିଧା ଦେଖି
କହି ଦେଇଥିଲେ
ଧନ୍ୟ ମଣୁଥାନ୍ତି ମାରିକି ହାଇ
ସାଷ୍ଟାଙ୍ଗ ଓଳଗି ଅଗ୍ରୀମ
ପଠେଇଲି
ତୁମ ଚରଣ କମଳରେ
ମୁଣ୍ଡ ପାତି ଦେଲି ଧ୍ୟାଇ ।
ଆଶ୍ଵିନ ମାସ ପରା ଚାଲିଛି ହେଇ
ରାଧାରମଣ ସଂକ୍ଷେପ ପଞ୍ଜିକା କହୁଛି କାନ୍ଥରେ ଝୁଲୁଛି
ଫଖା ପବନରେ ଦୋଳି ଖେଳୁଛି
ଥେଇ ଥେଇ ।
ଟିଭି ଉପରେ ଥୁଆ
ଇଂରାଜୀ କ୍ୟାଲେଣ୍ଡର ନୂଆ
ମୁଣ୍ଡ ଛିଞ୍ଚାଡି ଦେଖେଇ ଦଉଛି
ଅକ୍ଟୋବର ମାସ ପରା ଚାଲିଛି
କନକନ କିଆଁ ?
ସୁନେଲି ସକାଳ ଆସୁ ଆସୁ
ଗୁଳୁଗୁଳି ତାତି ବୈଶାଖ ଟପୁଛି
ଟାଆଁଶିଆ ଡାହାଣିଆ ଖରା
ମୁଣ୍ଡରେ ଦେହରେ ପଡିଲେ
ଜାଳି ଦେଉଛି
ଆଉ ପାୱାର କଟ୍ ହଉଛି ଘନ ଘନ
କଥା ସରିଲା ଜାଣ
ଝାଳରେ ତିନ୍ତି
ତାଳୁରୁ ତଳିପା
ସନ୍ତୁଳି ଯାଉଛି ଜନ ଜୀବନ ।
ଦିନ ଦ୍ଵିପହର ଖରାବେଳ
ରାସ୍ତା ଘାଟ ଖାଁ ଖାଁ
ଶୂନ୍ ଶାନ୍ ଅବେଳ
ଗାଡି ମଟର ଧୂଆଁ
ଟ୍ରକ ଅଟୋର କର୍କଶିଆ ପେଁ ପାଁ
ମାର୍କେଟ ବଜାର
ବନ୍ଦ କହିଲେ ଚଳେ ପାଣ୍ଡବ
ସମସ୍ତେ ଘରେ ଛାତ ତଳେ
ସୁରକ୍ଷା ମଣୁଛନ୍ତି ବିକଳେ
ବାହାରେ ପରା
ଅଗ୍ନିବର୍ଷା ର ମହା ତାଣ୍ଡବ ।
ଅବଶ୍ୟ କେବେ କେବେ
ଝପେ ଝପେ ବର୍ଷା କାଚିଗଲେ
କେଇ ମିନିଟର ହେମାଳ ଶୀତଳ ପବନ
ଦେଇଯାଏ କ୍ଷଣିକ ମଧୁର ମିଶ୍ରିତ ସପନ
ଝିପି ଝିପି ଶେଷ
ପୁଣି ସେହି ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣା
ଫେରି ଆସେ
ଦୁର୍ବାର ଦୁର୍ବାସା ୠଷିର କରାଳ ବିକଟାଳ
ଜଳେଇ ଜାଳେଇ ଦେବାର
ଭଷ୍ମ କରି ମୁଠେ ପାଉଁଶ କରି ଦେବାର
ହୁତାଶନ ମନ୍ତ୍ରଣା ।
ତତଲା ସନ୍ଧ୍ୟା ବେଳ କଥା
ନ କହିଲେ ଭଲ
ବଢିଯାଇ ପାରେ
ରକ୍ତଚାପ ଜନିତ
ଅବ୍ୟକ୍ତ ବେଦନା ବିଧୁର ବ୍ୟଥା
ସୁଲୁସୁଲିଆ ସମୁଦ୍ର କୂଳିଆ
ଧୀର ସମୀରଣ
କୁଆଡେ ଉଭାନ ହୋଇଯାଇଛି
ଶୋର ସବଦ ନାହିଁ
ଛୁଇଁ ବହୁ ନାହିଁ କୁମାରୀ
ଚୂର୍ଣ୍ଣ କୁନ୍ତଳ ମଥା ।
ବାହାରେ ବସି ହେଉନି
କି ଗପି ହେଉନି
ପିଣ୍ଡାରେ ଦାଣ୍ଡରେ
ମଶାମାନେ ଭଣ ଭଣ
ଫୋଡି ପକେଇବେ ପଣ ପଣ
କାମୁଡି ଫୁଲେଇ ଦେବେ
ଫଳେଇ ଦେବେ
ରକ୍ତ ଛିଟା ଲଗେଇ କଣ କଣ
କଳା ଡ଼ାମୁକା ମଶାଙ୍କର ଫଉଜ
ଗୀତ ଗାଇ ଗାଇ
ରକ୍ତ ଚୋଷୁଛନ୍ତି ମସ୍ତିରେ ମଉଜରେ
ଚାପଡ ପାହାରକୁ
ଡରି ନ ଯାଇ ।
ଡ଼େଙ୍ଗୁ ମ୍ୟାଲେରିଆ ଭୟରେ
ସଭିଏଁ ନଜରବନ୍ଦୀ
ହାଏରେ ଜୀବନ !
ଡରୁଛି ଛାର ଛଅଗୋଡିଆ କୀଟକୁ
ଭୟରେ କଟାଉଛି
ଗୃହବନ୍ଦୀ ବାରଣ କାରଣ ।
ମନରେ ତୁହାକୁ ତୁହା ପ୍ରଶ୍ନବାଣ
କଉଁ ଋତୁର ଏ ଆଗମନୀ ଜଣାଣ ?
ବୋଧହୁଏ ଷଡ଼ଋତୁର ସମ୍ୟକ ମିଶ୍ରଣ
ଫ୍ୟାନ ବି ବୁଲୁଛି
ଚବିଶ ଘଣ୍ଟା ଅନବରତ
ବିରାମ ନାହିଁ ଜମାରୁ
ଏସି ବି ଚାଲୁଛି ଖରାବେଳ
ଓ ରାତିସାରା
ବସିବା- ଶୋଇବା ଅସମ୍ଭବ ଆଦ୍ୟରୁ
ବେଡ଼ ସିଟ ବି
ଘୋଡେ଼ଇବାକୁ ପଡୁଛି
ମୋଡି ମାଡି ଶୋଇବାକୁ
ରାତ୍ରିର ଶେଷ ପ୍ରହରୁ
ଗରମ ପାଣିରେ ଗାଧୁଆ ପାଧୁଆ
ପୁଣି ନାକ ସଡ଼ ସଡ଼
ଥଣ୍ଡା ପାଣି ବି ପିଆ ଚାଲିଛି
ଗଳା ରେ ଖସ ଖସ ସାମ୍ପଡ଼ ସାମ୍ପଡ଼
ଭାଇରାଲ ଜ୍ଵର ମୁଣ୍ଡବିନ୍ଧା
ସବୁ ଘରେ କୁଣିଆ
ପାରାସିଟାମଲ ଓ ଆଜିଥ୍ରୋମାଇସିନ୍
ଗିଳି ପକେଇଲେ
ଝାଳ ବୁଡିଗଲେ
କେଇ ଘଣ୍ଟା ବଂଚିଗଲା ରେ
ସବୁ ସେହି ସାହା ଭରସା ଜଗା କାଳିଆ ।