କାଉ ଓ ଲିପି
କାଉ ଓ ଲିପି
ଲିପି - କାଉରେ କାଉ ଉଡି ତୁ ଯାଉ
ଟିକିଏ ଶୁଣିଯା କଥା ,
ତୋ ରଂଗ କାହିଁ ଏତେ ଯେ କଳା
କହ ଯାଉ ମୋ ବ୍ୟଥା ।
କାଉ - ମୁଁ ଜାଣି ନାହିଁ ରଂଗ କିମ୍ପାଇଁ
କଳା ହୋଇଅଛି ମୋର ,
ଏତିକି ଜାଣେ ରଂଗ ଦେଇଛି
ଜଣେ କିଏ ରଂଗାକାର ।
ଲିପି - କହ କିମ୍ପାଇଁ ପକ୍ଷୀଟେ ହେଲୁ
ଗୋଡରେ ତ ଧାଉଁ ନାହୁଁ ,
ଉଡି ତୁ ଯାଉ ଆକାଶ ପଥେ
ଟିକିଏ ହାଲିଆ ନୋହୁ ।
କାଉ - ଆଲୋ ଚଗଲି କାହାକୁ କ'ଣ
ଗଢିଛି ପରା ବିଧାତା ,
ସଭିଏଁ ଯଦି ସମାନ ହେବା
କେମିତି ରହିବ ସତ୍ତା ।
କାହାକୁ ପଶୁ କାହାକୁ ପକ୍ଷୀ
ମଣିଷ କରିଛି ସେହି
ଗଛ ପତର ପାହାଡ ବଣ
ସବୁ ଅଟଇ ତା 'ପାଇଁ ।
ଲିପି - ହଉ କହି ଯା କେମିତି ଉଠୁ
ଏତେ ସକାଳରୁ ତୁହି
ଉଠି ନଥିବେ ଜଣେ କେ ହେଲେ
ତୋ ପାଶେ ଅଳସ ନାହିଁ ।
କାଉ - ସମୟ ଦେଖି କାମ କରେ ମୁଁ
ଅଳସ ତେଜଇ ଧୀରେ
ସୁଗୁଣ ସବୁ ବିତରି ଦିଏ
ଆମ ଏଇ ସମାଜରେ ।
ଲିପି - ହେଲାରେ ବାବା କହିଯା ଟିକେ
ମଇଳା ଜିନିଷ ସବୁ
କେମିତି ଖାଉ ଭଲ କି ଲାଗେ
ଖାଲି ହେଉ ରାଉ ରାଉ ।
କାଉ - ଏଡେ ତୁ ବୋକି ଶୁଣୁ ଲୋ ଲିପି
କର୍ତ୍ତବ୍ୟ ଆଗ ଯେ ମୋର
ପରୋପକାରେ ରାସ୍ତାଘାଟରୁ
ମଇଳା କରଇ ଦୂର ।
ଲିପି - ଟିକିଏ କହ ବିପଦ ବେଳେ
ଜାତି ଭାଇଙ୍କୁରେ ତୋର
କାହିଁକି ଡାକୁ ରାବି ଦେଲେ ତୁ
ହୋଇ ଯାଉଥାନ୍ତି ମେଳ ।
କାଉ - ହସ ଲାଗୁଛି ତୋ କଥା ଶୁଣି
ଏକତା ପରା ଲୋ ବଳ
ସୁଖ ପଡୁ ବା ଦୁଃଖ ବି ପଡୁ
ସଭିଏଁ ହେଉଛୁ ମେଳ ।
ଲିପି - ଆଉ ନକହ କିଛିରେ ମୋତେ
ଦେଲୁ କେତେ ମହାଶିକ୍ଷା
ରଂଗ ତୋ କଳା ତୁ ପକ୍ଷୀଟିଏ
ଚତୁର ଜୀବରେ ଗଣା ।
ମହାନ ସେବା ପର ପାଇଁକି
ଦିନରାତି ଉଡି କରୁ
ତୋ ପରି କିଏ ସେ ହେବ କହରେ
ତୋତେ ଦେଖି ଦିନ ସରୁ ।
