ଜରିଗୋଟାଳି
ଜରିଗୋଟାଳି


ଜୀବନ ଯେଉଁଠି ଯାତନା ଜୁଇରେ
ଖେଳୁଅଛି ଲୁଚକାଳି,
ଜୀଇଁବା ସେଇଠି ହାତଠାରି ଡାକେ
ଯାହାପାରେ ଧରେ ତୋଳି,
ହେଲେ ବି ଜରିଗୋଟାଳି,
ତା'ର ଅଜାଣତେ ମହନୀୟ କାର୍ଯ୍ୟେ
ନିଜକୁ ରଖେ ସମ୍ଭାଳି ।
ପ୍ଲାଷ୍ଟିକ ଜରିରେ ମାଆ ମାଟି ଆମ
ହେଉଅଛି ପ୍ରଦୂଷିତ,
ଜରିଗୋଟାଳି ସେ ଧନ୍ୟ ତା'ର କର୍ମେ
ଧରା ପ୍ରଦୂଷଣ ମୁକ୍ତ,
ସେଥୁ ଜୀବନ-ଜୀବିକା,
ଯତକିଞ୍ଚିତ ଲଭି ସୁଖଦୁଃଖେ ତା'ର
ଚଳାଏ ଭବ-ନଉକା ।
ହୀନ ତାକୁ କେବେ ନ ଭାବିଣ କେହି
ସମାଜେ ଉଚିତ ସ୍ଥାନ,
ଦେଇ ତା'ର ଏହି ମହତ କର୍ମକୁ
ପ୍ରଶଂସି ଭରିଲେ ମନ,
ସିଏ ହେବ ଉତ୍ସାହିତ,
ନିଜ କର୍ମଟିକୁ ଗୌଣ ନ ମଣିଣ
କରିବ ସମାଜ ହିତ ।
ମାନବ ଜୀବନ ସଭିଏଁ ସମାନ
ଯେଝା ସ୍ଥାନେ ଯେଝା ବଡ଼,
ଲୀଳାମୟଙ୍କର ଲୀଳାରେ ଯନ୍ତ୍ରିତ
ହୋଇ ସର୍ବେ ଆଗେ ବଢ଼,
ସାନବଡ଼ ଭେଦଭାବ,
ଭୁଲି ମନୁ ହୃଦ ପ୍ରେମ ରଜ୍ଜୁ ତୋଳି
ବାନ୍ଧ ସମ୍ପର୍କ ବିଭବ ।