ଜୀବନର କାନଭାସ
ଜୀବନର କାନଭାସ
ସମୟକୁ ଆଶାବାଡି କରି ଚାଲିବାକୁ ହୁଏ
ଜୀବନ କାନଭାସ ଅମଡା ବାଟରେ
କେବେ କେବେ ନିଦାଘର ଗଛ ଭଳି
ଝଡି ଯାଏ ସ୍ୱପ୍ନ ଓ ଆବେଗର ପତ୍ର
ଲାଗେ ବୋଧହୁଏ ଏଇଠୁ ସବୁ ଶେଷ
ଆଉ କିଛିବି ନାହିଁ ନୂଆ ସମ୍ଭାବନା...;
କିନ୍ତୁ ହାୟ ଅଳ୍ପମାତ୍ର ବ୍ୟବଧାନ ଡେଇଁ
କେତେଦିନ ପରେ ବର୍ଷା ଋତୁ ଆକାଶରେ
ଜମାଟ ବାନ୍ଧି ଘୋଟିଆସେ କଳାମେଘ
ପୁରୁଣା ଭାବନାକୁ ଭୁଲ ପ୍ରମାଣିତ କରି
କଅଁଳିଯାଏ ଥୁଣ୍ଟା ଶାଖାରୁ ନୂତନ ପଲ୍ଲଵ ..|
ଜୀବନର ରାସ୍ତା ତ ସବୁବେଳେ ଏମିତି
କେବେ ଝରଣା ବି ଗାଉଥାଏ ଗୀତ
ଆଉ କେବେ ଶୁଖିଲା ନଈରେ
ଉଡୁଥାଏ ବାଲି ଶୁଭୁଥାଏ ଖାଲି ଯାହା
ସାଇଁ ସାଇଁ ପବନର ନିଛାଟିଆ ସ୍ଵର...
ଜୀବନକୁ ଆପଣେଇବାର ଅହୋଭାଗ୍ୟରେ
କେବେ ଆକାଶର ପାଳି ତ କେବେ ମାଟିର
କେବେ ଖୋଲା ଡେଣାରେ ଉଡ଼ନ୍ତା ପକ୍ଷୀର
ଅଥବା କେବେ ମାଟି ମୁହାଁ ଥକା ଚଢେଇର |
କେବେ ଦେଖେ ଏତେବଡ ସମୁଦ୍ରଟା
ବସିଥାଏ ମୁହଁ ପୋତି ହତାଶ ପଣରେ..
ଆଉ କେବେ ଛୋଟ ଟୁଵିଗଡିଆଟା ସାରା
ଖେଳୁଥାଏ ବୁକୁ ଫଟା ଖୁସିର ଲହରୀ...
କେବେ ପବନରେ ମଳୟର ପ୍ରେମ ଛୁଆଁ
ଆଉକେବେ ଟାଇଁ ଟାଇଁ ଡହକ ଲଗାଣ
ଦୁର୍ଦ୍ଦିନ ବତାସ କେବେ ଭାଙ୍ଗେ ବସାଘର ...
ସମୟବି ଲେଉଟାଇ ଦେଉଥାଏ କଡ଼
ଦୁଃଖର ମାନଚିତ୍ର ରହି ରହି ହେଣ୍ଟାଳ ଖାଏ
ବାଘ ଭଳି ନଖ ଦାନ୍ତ ସଜେଇ ପଜେଇ
ଝାମ୍ପ ମାରେ ଗୋପନରେ ଜୀବନ ସାମ୍ନାକୁ....|
ଅଦିନ କି ସୁଦିନର ପିତା ମିଠା ଅନୁଭବ
ସବୁପରା ହସ ଆଉ କାନ୍ଦର ମିଶ୍ରିତ ଦ୍ରବଣ
ତମାମ ଜୀବନର ଦୁଃଖ ଓ ସୁଖକୁ ତଉଲିଲେ
ତରାଜୁରେ ସବୁଠି ଦୁଃଖର ପଲା ଭାରି ଭାରି
ତେଣୁ ଜୀବନ କାନଭାସ ସାରା ଦୁଃଖ ଅସୁମାରୀ...|
ଯେତେ ଯେମିତି କଲେ ବି ଚେଷ୍ଟା ଏ ଜୀବନ
ଲୋଭ ମୋହ ଜଞ୍ଜାଳ ଜାଲରୁ ପାରେନି ମୁକୁଳି
ଘର ବାରି ଅର୍ଥ ଯଶ ଓ କ୍ଷମତା ସବୁ ମିଳିଥିଲେ ବି
ଅବସୋସେ ଭାବେ ଆଉ କିଛି ରହିଗଲା ବାକି
କାମନା ତରୁର ଚେର ଶକ୍ତ ହୁଏ ବୟସ ସାଥିରେ
ପୁଅ ଝିଅ ନାତି ଜ୍ଞାତି କୁଟୁମ୍ବର ଚିନ୍ତା ନିତି ଘାରେ
ଯାହା ପାଇଁ ଏ ଜୀବନ ରୋଗ ଶୋକ ଭୋଗି ଭୋଗି
ଶେଷରେ ଅପାରଗ ପଣେ ନିଜ ପରାଜୟ ବରେ....|