ଜୀବନ
ଜୀବନ
ଛୁଇଁଥିଲି ମାଟି ଏକା ସିନା ଆସି
ଏକା କି ପାରିଲି ବଢି
କାହା ହାତ ଧରି ଚାଲି ମୁଁ ଶିଖିଲି
ଶତବାର ଉଠି ପଡି
ଲହକା ମୋ ଶିରେ ଅହଙ୍କାର ଭରେ
କ୍ଷଣିକ ଯୌବନପେଡି
କ୍ଷଣେ କାଳକଣ୍ଟା ମୋଡିଦେଇ ଅଣ୍ଟା
ଭୂଇଁରେ ଦେବ କଚାଡି
ପରଖି ଜୀବନନାଡି
ମୈତ୍ରୀ ଆଶାବାଡି ରଖୁଛି ସଜାଡି
ଚାଲିବାକୁ ହାତେ ଧରି।।
ଭୋକପାଇଁ ଫଳ ଶୋଷପାଇଁ ଜଳ
ଶ୍ବାସପାଇଁ ଯେତେ ବାୟୁ
କିବା କେ ସୃଜିଛି ଭୋଗେ ସବୁକିଛି
ଥିବା ଯାଏ ଭବେ ଆୟୁ
ଋଣ ପରେ ଋଣ କରି ବି ଅଧମ
ଦେଖାଉ ଆପଣା ଦାଉ
ଦି ଦିନିଆ ଏଇ ଭଡାଘରେ ରହି
ମୋର ମୋର କେତେ ହେଉ
କାହାକୁ କି ଅବା ଦଉ
ନିଜ ମନଫୁଲେ ଭରା ଅଛି ବାରେ
ବିତରି ଯା ମୈତ୍ରୀ ମହୁ।।
କାମନାର ମେଘ ବରଷି ବରଷି
ଏ ମନେ କାଦୁଅ ଭରା
ଯହିଁ ପାଦ ରଖେ ଲାଖେ ଖାଲି ପଙ୍କେ
ଭୋଗୁଛି ଖାଲି ଘୋଷରା
ପଙ୍କକୀଟ ପରି ସ୍ବାର୍ଥପଙ୍କ ବୋଳି
ହେଲିଣି ଅବୋଲକରା
ଅନର୍ଥରେ ବ୍ୟର୍ଥ ଜୀବନର ଅର୍ଥ
ତିଳେହେଁ ନ ବୁଝେ ପରା
ସାଜିଥାନ୍ତି ହେଲେ ହୀରା
କଳଙ୍କ ଅଙ୍ଗାରେ ସଢି ସଢି କାଳେ
ମଣ୍ଡିଥାନ୍ତି ଦିବ୍ୟଗଳା।।
