ଜୀବନ ଚିନ୍ତା
ଜୀବନ ଚିନ୍ତା
କୁଆଁ ରାବ ଦେଇ ଜୀବନ ଯାତ୍ରା
ଆରମ୍ଭିଲା ପରଠାରୁ
ଅପ୍ରମିତ ଦୁଃଖ ସୁଖରେ ଗଡୁଛି
ସ୍ୱପ୍ନ ଝରେ ନୟନରୁ।
ଅଦେଖା ଭାବରେ କାହା ଇଙ୍ଗିତରେ
ଜୀବନ ନଉକା ଚାଲେ
ଅସରନ୍ତି ଇଛା କାମନା ସହିତ
ବୟସର ରଙ୍ଗ ଖେଳେ।
ଶୈଶବ କୈଶ୍ୱର ଯୌବନ ଜରା
ମୋହରେ ବନ୍ଧା ମଣିଷ
ଦମ୍ଭ ଅହଙ୍କାର ବୃଥା ବାହାସ୍ପୋଟେ
ସାରେ ବୟସ ଆୟୁଷ ।
ଜୀବନ ମୃତ୍ୟୁ ର ଖେଳକୁ ନଦେଖି
ନିଜକୁ ଅମର ମଣି
କାମିନୀ କାଞ୍ଚନ ମୋହଫାଶେ ବନ୍ଧା
ନିମିଷକେ ଦିଏ ଟାଣି।
ଜୀବନ କେଵେ ତ ଶୋରିଷ ଫୁଲର
କଅଁଳିଆ ଛାଇ ଖରା
ଜୀବନ କେବେତ ଚଇତାଳି ବାଆ
ରଙ୍ଗ ପିଚକାରୀ ପରା।
ଆଦ୍ୟ ଆଷାଢ଼ ର ବାରିଧାରା କେବେ
ଝାଞ୍ଜି ଖରାବେଳ ବାଆ
ଆଲୋକିତ ଏକ ସତେଜ ସକାଳ
ସୁନ୍ଦର ଜୀବନ ନାଆଁ।
ଧାଉଛିଁ ବୋଲିତ ସର୍ବତ୍ର ପୁରିତ
ଜୀବନର ନାଗ ଫାଶ
କେ ଅଛି ଏ ଭବେ ବୁଝିଛି ଯାଣିଛି
ଜୀବନର ଭାଗଶେଷ।
ସ୍ଥାନକାଳ ଭୁଲି ଗଡୁଛି ଜୀବନ
ସୃଜନୀ ଧାରାସୃଷ୍ଟି ରେ
ସକଳ ବିଶ୍ୱରେ ଗୋଟିଏ ଆଧାର
ଅଦେଖା ଈଶ୍ୱର ଦୃଷ୍ଟି ରେ।