ଜହ୍ନକୁ ପଚାର
ଜହ୍ନକୁ ପଚାର
ଜହ୍ନକୁ ପଚାର କୁମୁଦ କେବେ
ମୁହଁ ଫେରି ବଞ୍ଚି ପାରିଛି,
ରାତିକୁ ପଚାର ମିଳନ କେବେ
ମଳିନର ଦୋଷ ମାନିଛି ।
ମଧୁଗନ୍ଧା ତୁମେ ନିଶିଥ ବେଳାରେ
ଜୋଛନାର ଶୀତଳତା,
ଅନୁରାଗେ ତୁମେ ପରଶ ତୋଳିଲେ
ତନୁମନେ ମାଦକତା ।
ଫୁଲକୁ ପଚାର ଭ୍ରମର କେବେ
ଚୁମ୍ବନର ମୋହ ଛାଡିଛି,
ବାସ୍ନାକୁ ପଚାର ଶେଫାଳି କେବେ
ରଜନୀରେ ଦେହ ହାରିଛି ।
ନିଶିଗନ୍ଧା ତୁମେ କ୍ଷଣ ଯଉବନେ
କାମନାର ରୂପଛାୟା,
ଅଭିସାରେ ତୁମ ଅଧର ରୁଧୀରେ
ଆତୁର ତୃଷ୍ଣାର ମାୟା ।
ମନକୁ ପଚାର ପ୍ରଣୟ କେବେ
ପିପାସାର ବାଟ ଭାଙ୍ଗିଛି,
ଜହ୍ନକୁ ପଚାର କୁମୁଦ କେବେ
ମୁହଁ ଫେରି ବଞ୍ଚି ପାରିଛି ।
