STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଇପ୍ସା

ଇପ୍ସା

1 min
289

ଗଛଟିଏ ମୋତେ କର ମହାବାହୁ

   ନ ଥାଉ ଫୁଲ କି ଫଳ

ମୁଣ୍ଡ ଫଟା ଖରା ସହି ନ ପାରି

   ବସିବ ତ କେହି ତଳ ।


ଜାଳେଣି ହୋଇବି କାଠ ଯେ ଦେବି

   ଲାଗିବି ଲୋକଙ୍କ ହିତେ

ବାୟୁମଣ୍ଡଳ ବିଶୁଦ୍ଧ ଶୀତଳ କରି

   ଅମ୍ଳଜାନ ଦେବି ଜଗତେ।


ଝରଣାଟିଏ କର ମୋତେ ପ୍ରଭୁ

    କୁଳୁକୁଳୁ ଗୀତ ଗାଇ

ସୁଶୀତଳ ଜଳ ବାଣ୍ଟୁ ଥିବି ନିତି

   ଶୋଷିଲା ଶୋଷ ମେଣ୍ଟାଇ।


ପାହାଡ଼ ବୁକୁ ଚିରି ଆସିବି ଝରି

   ଜଳ ବିତରିବା ପାଇଁ

ମୋ ମଧୁର ଜଳ ଜୀଵ ଜଗତକୁ

    ଦେଉଥିବି ଖୁସି ହୋଇ।


ପ୍ରେମ ପକ୍ଷୀଟିଏ କର ହେ ଠାକୁରେ

    ପ୍ରେମରେ ବଞ୍ଚିବି ଦିନ

 ଯେଉଁ ପ୍ରେମ ବଳେ ଦେବତା ଧରାରେ

    ନିଅନ୍ତି ମଣିଷ ଜନ୍ମ।


ବିଶ୍ୱ ଗଗନରେ ଉଡାଣ ଭରି

  କହିବି ଏହି ବାରତା

ପ୍ରତି ହୃଦୟରେ ବଞ୍ଚିବା ସଂସାରେ

   ଅଛି ଜନ୍ମ ସାର୍ଥକତା।


ମହମ ବତୀଟିଏ ହେବାକୁ ଇଛା

   ଅନ୍ଧାର ନାଶିବା ପାଇଁ

ପ୍ରତି ହୃଦୟରେ ଆନନ୍ଦ ଖେଳାଇବି

    ସୁମଧୁର ସୁର ହୋଇ।


ଫୁଲଟିଏ ମୋତେ କର ଆହେ ସାଇଁ

     ବାସ ବିତରବା ପାଇଁ

ପ୍ରେମର ପ୍ରତୀକ ପୂଜାର ସାମଗ୍ରୀ

    ମହୁ ଦେହେ ବୋଳି ହୋଇ।

   

ଦି ଦିନ ଜୀବନ ଅସାର ସଂସାର

    କିଛି ତ ନୁହେଁ ନିଜର

ସଂସାର ସଉଦା ସରିବା ପୂର୍ବରୁ

     ହୃଦୟେ କରିବା ଘର।


ଭଲ ହେଲା ଚାଲି ଗଲା ନ କହି କେହି

   ଭଲ ଥିଲା ଚାଲିଗଲା

କହିବେ ଯଦି ଅଶ୍ରୁ ନିଗାଡ଼ି ଜନେ

   ଜନମ ସଫଳ ହେଲା।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational