STORYMIRROR

JYOTI PRAKASH CHINDRA

Inspirational Others

3  

JYOTI PRAKASH CHINDRA

Inspirational Others

ଗୁରୁଦକ୍ଷିଣା

ଗୁରୁଦକ୍ଷିଣା

1 min
14K


ଗୁରୁ ବନିବାକୁ

କହିବାରୁ,

ଦଳିତ ନିସ୍ପେଷିତ କହି

ତୁମେ ମୋତେ, ଫିଙ୍ଗିଦେଲ,

ଅନ୍ଧ ସମାଜର ମନଗଢ଼ା

କୋଉ ପଚାସଢ଼ା ଅରମା,

ଅଳନ୍ଧୁ ମଧ୍ୟକୁ. . .

ଅଣଦେଖା କୋଣଠେସା କରି ।

କାହିଁକି ? ନା. . .

ହସ୍ତିନାପୁରର ରାଜ ଉଆସରୁ

ସତେ କି ଖସିପଡ଼ିବ ତୁମ,

ସ୍ୱପ୍ନର ରାଜକୁମାରମାନଙ୍କୁ

ରଥୀ ମହାରଥୀ କରି

ଗଢ଼ି ତୋଳିବାର ଦୁର୍ବାର ବାସ୍ନା,

ଆଉ ରାଜାଙ୍କ ଅନ୍ନରେ

ପ୍ରତିପାଳିତ ହେଉଛ ବୋଲି

କାଳେ କିଏ ଚୋରାଇ ନେବ

ତୁମର, ମହାନ ଗୁରୁଗୌରବର

ଦ୍ରୋଣାଚାର୍ଯ୍ୟ ପଦ ।

ଗୁରୁ ନ କରି ଶବ୍ଦଭେଦୀ ବାଣ

ପେଶି ଦେବି ବୋଲି,

ନିଷ୍ଠୁର ନିର୍ମମ ହୋଇ

ରଚିଦେଲ ତୁମ ଚକ୍ରାନ୍ତର ଚକ୍ରବ୍ୟୁହ,

ମାଗିନେଲ ଶିଷ୍ୟ ବନିବାର ଗୁରୁ ଦକ୍ଷିଣା,

ଏକଲବ୍ୟ ମୁଁ, ସତ୍ୟ ରକ୍ଷାକରି

ସମର୍ପିଲି ମୋର ବୁଢ଼ା ଆଙ୍ଗୁଠି,

ଉଚ୍ଚଜାତି ସଙ୍ଗେ ଏକ ହୋଇ

ହାରୁ ହାରୁ ଜିତିଯିବି ବୋଲି ।

ଜୀବନର କୁରୁକ୍ଷେତ୍ରେ. . .

ହାରିବା ଆଉ ଜିତିବାରେ

କ’ଣ କୌଣସି ଜାତି ଥାଏ ?

ଶିକ୍ଷାର ମହାଯଜ୍ଞ କୁଣ୍ଡେ

ଆଉ କେତେ କାଳ !

ଜାତି, ଧର୍ମ, ବର୍ଣ୍ଣ, ବୈଷମ୍ୟର

ଆହୁତି ଦେଇ ରଚି ଚାଲିଥିବ

ହେ, ପ୍ରଣମ୍ୟ ଗୁରୁଦେବ

ଏ ଭେଦଭାବର ମହାଭାରତ ଯୁଦ୍ଧ ! !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational