ଏ ଖୁସି ଅତୁଟ ରହୁ
ଏ ଖୁସି ଅତୁଟ ରହୁ
ଏ ଖୁସି ଅତୁଟ ରହୁ
ଜନ୍ମ ଜନ୍ମାନ୍ତର ,
କେହିତ ନୁହଁନ୍ତି ଏଠି
ଅଜର ଅମର ।
ଆସିଛି ଯେ ଦିନେ ଏଠି
ଚାଲିଯିବ ଦିନେ ,
କଲା କର୍ମ କଥା ଗାଥା
ରଖିଥିବ ମନେ ।
ପ୍ରାରବ୍ଧ ଯା' ଲେଖା ଅଛି
ଅବଶ୍ୟ ଘଟିବ ,
ପ୍ରତି ମୁହୂର୍ତ୍ତରେ ଘୋଷ
ଶ୍ରୀ ରାଧା-ମାଧବ ।
କାଳ ବଳେ ସର୍ବେ ଚଳି
ଯିବେ ମହୀତଳ,
ଯଶ ଗାଥା ରହିଥିବ
ଜାଣ କାଳ କାଳ ।
ଦୁଇ ଦିନ କୁଣିଆ ହୋଇ
ଭାବ ବନ୍ଧନରେ ,
ଥିବା ସର୍ବେ ପରସ୍ପର
ବନ୍ଧା ସମ୍ପର୍କରେ ।
କିଏ ରୋଷ କ୍ରୋଧ ହିଂସା
କଲେ କରୁ ଈର୍ଷା,
ଏ ଜୀବକୁ ସାହା ପରା
ଜଗତ କରତା ।
ସଦ୍ ଜ୍ଞାନ ସଦ୍ ବୁଦ୍ଧି
ବହି ଚଳୁଥିଲେ ,
ପ୍ରମାଦ ନ ପଡ଼େ ଜାଣ
ସେହି ଜନେ ହେଳେ।
ଆପଣା ବିବେକ ଆଉ
କର୍ତ୍ତବ୍ୟ ସାଧନ ,
କରିଥାଏ ମଣିଷକୁ
ଦିବ୍ଯତ୍ବ ପ୍ରଦାନ ।
ନର ଧର୍ମେ ନାରାୟଣ
ହୋଇଥାନ୍ତି ପ୍ରୀତ ,
ବିଭୁ କୃପା ବଳେ ନର
ଜିଣଇ ଜଗତ ।
ନାରୀ ସ୍ନେହମୟୀ ମାତା
ଭଗ୍ନୀ ଜାୟା ହୋଇ,
ଛାଇ ପରି ରହିଥାନ୍ତି
ସଫଳତା ପାଇଁ ।
ଯେଉଁ ଜନେ ଭାର୍ଯ୍ଯା ବଳେ
ସକଳ ବିଧାନ,
ତାଙ୍କରି କୁଟମ୍ବ ହୁଏ
ବୈକୁଣ୍ଠ ସମାନ ।
ତ୍ୟାଗ ଲୋଭ ମୋହ ମାୟା
କର୍ତ୍ତବ୍ୟ ଆଦରି ,
ପ୍ରତି ମୁହୂର୍ତ୍ତରେ ଭଜ
ଗୋବିନ୍ଦ ଶ୍ରୀହରି ।
ଜୀବ ଚାଲିଗଲା ପରେ
ଭୁଲିଯିବେ ସର୍ବେ ,
ହେଲେ କଲା କର୍ମ ମାନ
ନଭୁଲିବେ କେବେ ।
ହେ ଜଗତ ସାଇ ପ୍ରଭୁ
ଘେନ ମୋ ପ୍ରାର୍ଥନା,
କ୍ଷମା କର କ୍ଷମା କର
ଏହି ମୋ କାମନା ।
ନ ପଡ଼ୁ କା' କଳାଛାଇ
ଏ ସଂସାରେ ମୋର,
ଅତୁଟ ରହୁ ପ୍ରତିଜ୍ଞା
ଜନ୍ମ ଜନ୍ମାନ୍ତର ।