ଚକଲେଟ ଦିବସ
ଚକଲେଟ ଦିବସ
ନାତୁଣୀ ଗେଲି ଆସିଲା ହଲି
କହିଲା ଆହେ ଜେଜ l
ଦେବ କି ନାହିଁ ମାଗୁଛି ମୁହିଁ
ଗୋଟିଏ ଭଲ ଚିଜ ll
ପଢ଼ୁଛ ନିତି, ଦାନ୍ତ ନିକୁଟି
ପୁରାଣ ଭାଗବତ l
ଲେଖୁଛ ଗଳ୍ପ କାହାଣୀ କଳ୍ପ
ଛନ୍ଦରେ ବାନ୍ଧି ଗୀତ ll
କି ଦିନ ଆଜ କହିବ ଜେଜ
ଜୁଲାଇ ମାସ ସାତ l
ମୁହିଁ କହିଲି ଶୁଣ ଲୋ ମଲ୍ଲି
ପୁଜା ମନସା ମାତ ll
ଗେହ୍ଲି ନାତୁଣୀ କହଇ ପୁଣି
ତୁମେ ଗୋଟିଏ ଖଣ୍ଟ l
ଶାସ୍ତ୍ରରେ କିବା ନାହିଁକି ଅବା
ଦିବସ ଚକଲେଟ ll
ଏପରି ଦିନେ ନାତୁଣୀ ମାନେ
ହୁଅନ୍ତି କେତେ ଗେଲ l
ଆଣ ହେ ଜେଜ ଝଅଟ ଆଜ
ଗତିଟି ଯେବେ ଭଲ ll
ହଉଲୋ ରାଇ ଚକ୍ଲେଟ ଖାଇ
ଦାନ୍ତକୁ କର ପୋକା l
ମିଳିବ ବର ଜାଣଲୋ ତୋର
ପାକୁଆ ଏକ ଟୋକା ll
