ବୋଉ
ବୋଉ
______
ଡହ ଡହ ଗ୍ରୀଷମର ଉଦୁଉଦିଆ ଦିପହରେ
ଝଲକାଏ ଥଣ୍ଡା ପବନ ପରି ତା' କାନିର ଶୀତଳ ପରଶ ,
ସେଇ ଝାଳ ଭିଜା ଶାଢୀ କାନି ଟି ରେ ଭରିଥିବା
ତେଲ , ହଳଦୀ ଆଉ ମସଲାର ଫେଣ୍ଟା ଫେଣ୍ଟି ବାସ୍ନାରେ,
ମୋ ଭିତରେ ସଂଚରି ଯାଏ ଏକ ମହାର୍ଘ୍ୟ ଭୋକ ର ଆଭାସ ।।
ତା' ମଥାରେ ଦାଉ ଦାଉ ଜଳୁଥିବା ସିନ୍ଦୂର ଟୋପା ଟି ,
ମତେ ଲାଗେ ସୂର୍ଯ୍ୟ ଆଉ ଚନ୍ଦ୍ର ଠାରୁ ଆହୁରି ଉଜ୍ଜ୍ବଳ ,
ତା' ମନ ଟା ଦିଗନ୍ତ ବିସ୍ତାରି ତୋଫା ସୁନୀଳ ଆକାଶ ଠାରୁ
ଆହୁରି ବିସ୍ତୀର୍ଣ୍ଣ , ଆହୁରି ତୋଫା , ଆହୁରି ନିର୍ମଳ ।।
ତା' ନାକ ର ତାରାଫୁଲ ଟିକୁ , ସରି ନୁହେଁ ହଜାରେ ତାରକା,
ତା' ବେକ ର ହରଡ ଫାଳିଆ ହାର ଆଉ କାନ ଝୁମୁକା କୁ
ସରି ନୁହେଁ ମରକତ ମଣି , ଗଜମୋତି ଅବା ହୀରା ର କଣିକା
ତା ' ପାନଖିଆ ପାଟି ର ଅଳପ ହସ ରେ ସ୍ବର୍ଗ ସୁଖ ଲାଗେ ଫିକାଫିକା ।।
ତା ' ଛ' ତିଅଣ ନ' ଭଜା ର ସୁଆଦ ମିଳିବ କି
କହ ଦେଖି କେଉଁ ପାଞ୍ଚ ତାରା ଭୋଜନାଳୟରେ ?
ତା' ହାତର ପଖାଳ ମୁଠାକ ପରା ଅମୃତ କୁ ଟାଳି ଦେଇ ପାରେ ,
ତା' ମିଠା ମିଠା ଗାଳି ଟିକେ ଶୁଣିବା ଲାଗି ସଦା ମନ ଝୁରେ ।।
ବୋଉ ମୋର ଦେବୀ ପ୍ରତିମା ଟି ତା'ପରି ହେବ କିଏ ଆଉ ?
ମଣେ ମୁଁ ନିଜକୁ ଧନ୍ୟ ତା' କୋଳ ରେ ଜନମି ଥିବାରୁ
ହେ ପ୍ରଭୁ ଦୟାମୟ ! କୃପାନିଧି ! କରୁଣା ବାରିଧି ! ଏହି କୃପା ହେଉ ,
ମୋ ବୋଉ ର ବରଦ ହସ୍ତ ମୋ ମଥା ରେ ଚିରକାଳ ଥାଉ ।।
