ବନ୍ଧୁ
ବନ୍ଧୁ
ପବିତ୍ର ବନ୍ଧନ ଈଶ୍ୱର ସୃଷ୍ଟିର
ପଲ୍ଲବିତ ଚିରଦିନ
ଅକୁହା ଦରଦ କହିବା ଆଗରୁ
ବୁଝିପାରେ ସିଏ ମନ ।
କେତେଯେ ଅତୀତ ତା' ସାଥେ ସତେଜ
ଅଭୁଲା କିଛି ମୁହୂର୍ତ୍ତ
ଭୁଲେଇ ହୁଏନା କଦାପି ମନରୁ
ଶତବାର ହେଲେ ଜାତ ।
ସୁଖରେ ଦୁଃଖରେ ବିପଦ ବେଳେରେ
ରହିଥାଏ ସାଥି ହୋଇ
ଚିର ଶାଶ୍ୱତ ସେ ସ୍ୱଚ୍ଛ ସମ୍ପର୍କ
ଖୋଜିଲେ ପାଇବ କାହିଁ ।
ସ୍ୱାର୍ଥ ବିହୀନ ସେ ସମ୍ପୂର୍ଣ୍ଣ ଶରୀର
ସ୍ନେହ ପ୍ରେମ ଉପନ୍ୟାସ
ହୃଦୟ ବହି ର ସୁମଧୁର ଶବ୍ଦ
ତା' କଥା ହଜାଏ କ୍ଳେଶ ।
ବିଶ୍ବାସ, ଭରସାର ନ ହୁଏ ଅନ୍ତ
ହସ ଖୁସିର ସେ ସ୍ରଷ୍ଟା
ମାନ ଅଭିମାନ ସ୍ନେହର ବନ୍ଧନ
ଜୀବନେ ଅଚିରା ପୃଷ୍ଠା ।
ଆତ୍ମୀୟତା ଭରା ପ୍ରକୃତ ଭୂଗୋଳ
ପାଇବ ଖୋଜିଲେ ଯାହା
ଥଟ୍ଟାମଜା ସାଥେ ଅନ୍ତର ଆବେଗେ
ଭରିଥିବା ରଫଖାତା ।
ପିତା, ମାତା ପୁଣି ଗୁରୁର ଦାୟିତ୍ୱ
ବହନ ସେ କରିଥାଏ
ଚିର ସ୍ମରଣୀୟ, ଜଟିଳ ପ୍ରଶ୍ନର
ଉତ୍ତର ସେ ସାଜିଥାଏ ।
ହୃଦୟର କୋହ ଅନୁଭବ କରି
ନୟନୁ ଝରାଏ ଲୁହ
ପ୍ରତି ମୁହୂର୍ତ୍ତରେ ସାହସ ସେ ସାଜି
ଲିଭାଏ ଅନ୍ତର କୋହ ।।