ବିଭୁଙ୍କ ସହ ସମ୍ପର୍କ
ବିଭୁଙ୍କ ସହ ସମ୍ପର୍କ
ଆତ୍ମ ନିରୀକ୍ଷଣ କର ମାଆ ଓ ବାବୁ
ଜନ୍ମ ମୃତ୍ୟୁ ଚକ୍ରୁ ଉଦ୍ଧାର ହେବୁ,
ମାନବ ଜନ୍ମ ତୋ ସାର୍ଥକ କରିବୁ
ମନୋକାମନା ସବୁ ପୂର୍ଣ୍ଣ କରିବୁ।
ଜନ୍ମ ମୃତ୍ୟୁ ଚକ୍ରେ ତୁ ଭ୍ରମି ଭ୍ରମି
ମାତା ଗର୍ଭୁ ପଡି ଛୁଇଁଲୁ ଏ ଭୂମି,
ମାୟା ମୋହେ ଆଉ ନ ଯାଆ ଭ୍ରମି
ଶାଶ୍ୱତ ଆନନ୍ଦେ ଯାଅ ତୁ ଗମି।
କ୍ଷଣିକ ସୁଖରେ ନଯାଇ ମଜ୍ଜି
ପ୍ରଭୁ ନାମ ସଦା ସର୍ବଦା ଭଜି,
ମୃତ୍ୟୁ ପାଶେ ଅଛି, ଏ କଥା ହେଜି
ସଂସାର ହାଟରେ ନ ଯାଆ ହଜି।
ଆନ ପାଇଁ ବିତା ଜୀବନ ତୋର
ପ୍ରଭୁ ଯାଚି ଦେବେ ସୁଖ ସାଗର,
ସହଜେ ପାରି ହେବୁ ଏ ପାରାବାର
ନିତ୍ୟାନନ୍ଦ ଲଭିବୁ, ମତି ହେବ ସ୍ଥିର।
ସୁଖ ଦେଲେ ତୁହି, ଶାନ୍ତି ପାଇବୁ
ତ୍ୟାଗରେ ଆନନ୍ଦ ଲାଭ କରିବୁ,
ଭୋଗରେ ବୁଡିଲେ ମାଆ ଓ ବାବୁ
ଦୁଃଖ ସଂସାରେ, କି ସୁଖ ପାଇବୁ?
ଜୀବନ ସରୁଛି, କେବେ ହେଜିବୁ
ମାନବ ଜନ୍ମ କି ଆଉ ପାଇବୁ,
ହାଟ ସରିଗଲେ ଫେରି ତୁ ଯିବୁ
ଧର୍ମ କ୍ଷେତ୍ରେ ଆଉ କେବେ ଲଢିବୁ?
କର୍ମ କରିଯାଆ, ଈଶ୍ୱର ସ୍ମରି
ଏ ଭବ ସାଗରୁ ହୋଇବୁ ପାରି,
ଦେବଦତ୍ତ କରେ ଏହି ଗୁହାରୀ
ବିଭୁଙ୍କୁ କ୍ଷଣେ ତୁ ନ ଯା ପାଶୋରି।
