ଅରଣ୍ୟ ଓ ଜୀବନ
ଅରଣ୍ୟ ଓ ଜୀବନ
ଅରଣ୍ୟ ମୁଁ ଏକ ସବୁଜିମା ଭରା
ପରଶେ ଝୁମଇ ଧରଣୀ
କେତେ ପଶୁ ପକ୍ଷୀ ପାଳି ଅଛି କୋଳେ
ସତେ କି ତାଙ୍କର ଜନନୀ ।
ହସୁଛନ୍ତି ଫୁଲ ଗାଆନ୍ତି ବିହଙ୍ଗ
ନାଚଇ ଝରଣା ତାଳେ
ମନ ହୃଦୟ ମୋ ଆନନ୍ଦିତ ହୁଏ
ଏହି ଖରା ଛାଇ ମେଳେ ।
ହେଲେରେ ମଣିଷ ମୋର ସୁଷମା
ସହି ନ ପାରିଲୁ ସତେ
ପ୍ରଗତି ଆଳରେ ଗୁଳ୍ମ ଲତା ବୃକ୍ଷ
ଲୋପ କରି ଦେଲୁ କେତେ ।
ତଥାପି ଲାଳସା ହେଲାନି ତୋ ଶାନ୍ତ
ମୋ ଦେହେ ଲଗାଇଲୁ ନିଆଁ
କୋଣ କୋଣ ମୋର ଜଳଇ କିନ୍ତୁ ତୁ
ଗାଉ ବିକାଶ ଗୀତ ନୂଆ ।
ତୋର ସ୍ବାର୍ଥ ପାଇଁ ଜଳୁ ଅଛି ମୁହିଁ
ତୋ ଲୋଭର ଦିଶୁନି ଅନ୍ତ
ଶ୍ଵାସ ରୁଦ୍ଧ ହୋଇ ମରୁଛନ୍ତି ପ୍ରାଣୀ
ତଥାପି ମନ ତୋ ଅଶାନ୍ତ ।
ଜଳୁଛି ଜଳିବି ଜଳିଜଳି ଯିବି
ରହିବନି କିଛି ବାକି
ସୁନ୍ଦର ଶରୀର ରହିବନି ମୋର
ଭବିଷ୍ୟତ ହେବ ସାକ୍ଷୀ ।
ସ୍ରଷ୍ଟାଙ୍କ ଶ୍ରେଷ୍ଠ ସୃଷ୍ଟି ବୋଲାଉଛୁ
ପ୍ରାଣୀଙ୍କ ମଧ୍ୟେ ତୁ ବିଶେଷ
ତଥାପି ମଣିଷ ପ୍ରଗତି ଆଳରେ
କରୁ ଅଛୁ ନିଜ ନାଶ ।
ମୁହିଁ ନ ରହିଲେ ହେବ ନାହିଁ ବର୍ଷା
ବହିବନି ଆଉ ପବନ
ଶୁଦ୍ଧ ବାୟୁ ପାଇଁ ହନ୍ତସନ୍ତ ହେବେ
ଯେତେ ସବୁ ଜନ ଜୀବନ ।
ପୃଥିବୀ ପୃଷ୍ଠର ବଢିବ ଉତ୍ତାପ
ଧରା ହେବ ଜଳ ଶୂନ୍ୟ
ଚେତରେ ମଣିଷ ଆଶ୍ରା ଦେବା ପାଇଁ
ତୋ ପାଖେ ନଥିବ ଅରଣ୍ୟ ।