ଅନ୍ନ ବ୍ରହ୍ମ
ଅନ୍ନ ବ୍ରହ୍ମ
ଷାଠିଏ ପଉଟି ଖିଆ ଛପନ ଭୋଗୀ
କେତେ ପିଠା ମିଠା ନିତି ହୁଅଇ ଲାଗି ।
ମିଠା ଅନ୍ନ ସାଧା ଅନ୍ନ ମିଠା ଖେଚୁଡ଼ି
ପଖାଳ ଖାଆନ୍ତି ପ୍ରଭୁ ନିତି ଚୁପୁଡି ।
ଅନ୍ନ ରନ୍ଧା ପାଇଁ ଆସେ ଚାଉଳ ସେତ
ଅମଣିଆ ଭାବେ ସେହି ଚାଉଳ କ୍ଷାତ।
ଅମଣିଆ ରନ୍ଧା ହେଲେ ହୁଅଇ ଅନ୍ନ
ମହମହ ବାସୁଥାଏ ସାରା ଭୁବନ ।
ଅନ୍ନ ଯେବେ ବୁହାଯାଏ ଭୋଗ ମଣ୍ଡପ
ଡକା ପଡେ ଆଡ ହୁଅ ଆସୁଛି ଛେକ ।
ସେବକ ଯେ ବାଘମୁଖା ଘୋଡାଇ ହୋଇ
ବାହୁଙ୍ଗିରେ ଅନ୍ନ ହାଣ୍ଡି ନିଅନ୍ତି ବୋହି ।
ଭୋଗ ମଣ୍ଡପେ ଭୈରବୀ ଚକ୍ର ଅଛନ୍ତି
ଚକ୍ର ପରେ ହାଣ୍ଡି ସବୁ ରଖା ଯାଆନ୍ତି।
ହାଣ୍ଡି ରେ ଅନ୍ନ ବ୍ୟଞ୍ଜନ ଖଞ୍ଜା ହୁଅଇ
ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ସେହି ଭୋଗ ଲାଗଇ ।
ଭୋଗ ହେଲା ପରେ ଭୋଗ ନୈବେଦ୍ୟ ହୁଏ
ନୈବେଦ୍ୟ ରୁ ତୁଳସୀ ଯେ ଅଲଗା ରହେ ।
ସେ ନୈବେଦ୍ୟ ବିମଳାଙ୍କୁ ହୁଏ ଅର୍ପଣ
ମାଆଙ୍କ ବେଲ ପତର ପଡଇ ଜାଣ ।
ତାପରେ ନୈବେଦ୍ୟ ହୁଏ ମାଆ ପ୍ରସାଦ
ମାଆଙ୍କ ପ୍ରସାଦ ସେତ ମହା ପ୍ରସାଦ।
ପଞ୍ଚ ପରମେଶ୍ବର ଙ୍କୁ ମହାପ୍ରସାଦ
ଲାଗି ହେବା ପରେ ହୁଏ କୈବଲ୍ୟ ସେତ।
ଭକ୍ତି ରେ ଭକ୍ତ ମାନେ କୈବଲ୍ୟ ପାଆନ୍ତି
ଆହା କି ସୁଆଦିଆ ଅବଢ଼ା କୁହନ୍ତି।
ଅବଢ଼ା ଅନ୍ନ ଯଦି ତ ବଳି ପଡଇ
ଶୁଖିଗଲାପରେ ସେ ନିର୍ମାଲ୍ୟ ହୁଅଇ ।
ନିର୍ମାଲ୍ୟ ହେଉ ଅବା ଅବଢ଼ା କୈବଲ୍ୟ
କଣାକାର ମୂଲ୍ୟ ସେତ ଅଟେ ଅମୂଲ୍ୟ।
ଭାଗ୍ୟରେ ଥିଲେ ସେହି କଣାଏ ମିଳଇ
କଣାଏ ପାଇଲେ ପ୍ରାଣ ଧନ୍ୟ ହୁଅଇ।
ଆନନ୍ଦ ବଜାରେ ବସେ କୈବଲ୍ୟ ହାଟ
ମୁଠାଏ ଖାଇଲେ ମାଗି ପୁରଇ ପେଟ ।
ଖାଇବା ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ
ଖାଇବା ଲାଗି ଠାକୁରେ ଜଗତେ କ୍ଷାତ।
ନିର୍ମାଲ୍ୟ କୈବଲ୍ୟ ତାଙ୍କ ଅବଢ଼ା ଅନ୍ନ
ଅନ୍ନ ବ୍ରହ୍ମ ବ୍ରହ୍ମ ସେତ ବ୍ରହ୍ମ ମହାନ।
ସେହି ଅନ୍ନ ବ୍ରହ୍ମ ଙ୍କୁ ମୋ ଶତ ପ୍ରଣାମ
ସେହି ମୋର ଶାନ୍ତି ମୁକ୍ତି ଦାନ ଧରମ ।
