Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗ୍ରାଉଣ୍ଡ ଜିରୋ
ଗ୍ରାଉଣ୍ଡ ଜିରୋ
★★★★★

© Dillip Kumar Parida

Tragedy

3 Minutes   21.0K    12


Content Ranking

ସକାଳୁ ସକାଳୁ ପିଲାଟା ରାହାଧରି ଏମିତି କାନ୍ଦୁଛି ଯେ,ଯେତେ ବୁଝେଇଲେବି କାନ୍ଦ ବନ୍ଦ କରୁନି I ପୁଅର କାନ୍ଦଦେଖି ମା’ଟା ବି ତରବର ହେଇ ଅଧା ଚିରା ବସ୍ତା ଆଉ ଭଙ୍ଗା ଟିଣଡବାରେ ହାତ ପୁରେଇ ଲହୁଲୁହାଣ ହେଇଗଲାଣି Iଶେଷରେ କୋଉ ଅସିଆ କାଳର ମସିଆ ଲୁଗାରେ ବନ୍ଧା ହେଇ ପଡିଥିବା ଚାଉଳ ମୁଠାଏ ଦେଖି,ତା ଖୁସିର ସୀମା ରହିଲାନି I ପୁଅକୁ ବୁଝେଇ ଦେଉ ଦେଉ ଚୁଲିରେ କାଠ ଦି’ଖଣ୍ତ ପକେଇ ଫୁଙ୍କିବାରେ ଲାଗିଲା I ହଠାତ୍‍ କବାଟ ଖୋଲି ଅଣନିଶ୍ୱାସୀ ହୋଇ ପଶି ଆସିଲା ତାର

ସ୍ୱାମୀ I ଆଖିରୁ ଭୟ ଆଉ ଆଶଙ୍କାର ଚିହ୍ନ,ସ୍ପଷ୍ଟ ବାରି ହୋଇ ପଡୁଥାଏ I “ଆଲୋ କ’ଣ କରୁଛୁ? ଯାହା ପଇସା ପତ୍ର ରଖିଛୁ,ସେତକ ଧରି ଶିଘ୍ର ବାହାରି ପଡ I ମୋତେ ଆଉ କିଛି ପଚାରେନା I ବାହାରେ ଦଙ୍ଗା ଆରମ୍ଭ ହେଇ ଗଲାଣି I” ସ୍ତ୍ରୀ’ଟି ଏସବୁ କିଛି ବୁଝି ନପାରି ପଚାରିଲା,“ ହଉ ଦଙ୍ଗା,ଆମର ଏ କୁଡିଆକୁ କିଏ ଆସିବ ଯେ?ଏଠି ଆମର କ’ଣ ଅଛି ?” “ ଆଲୋ ସିମେଣ୍ଟ କଂକ୍ରିଟର ପକ୍କାଘର କେବେ ଜଳେନା ଲୋ,ଜଳେ ଖାଲି ଆମର ଏ ଖରାରେ ଶୁଖି ଯାଇଥିବା ଛଣ ବିଡା ଗୁଡାକ I ତୁ, ମୋ ସହ ଆଉ ଜୁଆଲ ସୁଆଲ କରନା, ଶିଘ୍ର ବାହାରି ପଡ, କେତେବେଳେ କଣ ହବ,କିଏ ଜାଣିଛି?” ପୁଅ ମୁହଁକୁ ଅନେଇ ଦେଇ ସ୍ତ୍ରୀ’ଟି କହିଲା,“ଦେଖୁଛଟି, ପିଲାଟା ଖାଇବ ବୋଲି କେମିତି ରାହା ଧରି କାନ୍ଦୁଛି? ତା ପେଟରେ କ’ଣ ଦି’ଟା ନପକେଇଲେ କେମିତି କୁଆଡେ ଯିବି?” “ଆଲୋ ଛୁଆକୁ ତୋ କ୍ଷୀର ଟୋପା ପିଆଇ

ଦଉନୁ !” ସ୍ୱାମୀର ମୁହଁକୁ ଟିକେ ଅନେଇ ଦେଇ,ସ୍ତ୍ରୀ ଟି ଜୋର ଜୋରରେ ଚୁଲିକୁ ଫୁଙ୍କି ଚାଲିଲା Iସ୍ତ୍ରୀ ର ନିରବତା,ବିବଶତା ଆଉ ଆଖିର ଲୁହକୁ ସ୍ୱାମୀ ଜଣକ ଠିକ୍‍ ପଢି ପାରୁଥିଲା I ଦି’ଦିନ ହେଲା ଓଳିଏ ଲେଖାଏଁ ଖାଉଥିବା ତା’ସ୍ତ୍ରୀ ଯେ ଛୁଆ ପାଇଁ ଟୋପାଏ କ୍ଷୀର ଦେବାକୁ ଅସମର୍ଥ, ଏକଥା ବୁଝିବାକୁ ତା’ର ବାକି ରହିଲାନି I ଆଉ କିଛି ନ କହି ଚୁପଚାପ ଭଙ୍ଗା କାନ୍ଥକୁ ଆଉଜି ବସି ପଡିଲା ସେ I ମାଟିହାଣ୍ତିଟାରେ ଭାତ ଗୁଡାକ ଟକଟକ ଫୁଟି ଚାଲିଥାଏ I ସେଇ ଶବ୍ଦ ଶୁଣି ଶୁଣି ପିଲାଟାର ବି କାନ୍ଦ ବନ୍ଦ ହୋଇଯାଇ ଥାଏ I ହଠାତ କାହୁଁ ଏକ ବିରାଟ ପଥର ଖଣ୍ତଟା ଆସି ମାଟି ଭାତ ହାଣ୍ତିଟାକୁ ଚୁର୍‍ମାର‍

କରିଦେଲା I ଏସବୁ ଦେଖି, ମା’ଟିର ହୃତ୍‍ସ୍ପନ୍ଦନ ଯେମିତି ବନ୍ଦ ହୋଇ ଯାଉଥିଲା I ଆଉ ସମ୍ଭାଳି ନ ପାରି ସେ ଭୋ ଭୋ ହେଇ କାନ୍ଦି ଉଠିଲା I ପାଗେଳୀ ପରି ସେଇ ମୁଠାଏ ଚାଉଳର ଭାତଗଣ୍ତାକୁ ମାଟିସହ ସାଉଁଟିବାରେ ଲାଗିଲା I ସେପଟେ ଆସନ୍ନ ବିପଦକୁ ପରଖିନେଇ,ବାପ ଜଣକ ଗୋଟିଏ ହାତରେ ଛୁଆକୁ କାଖେଇ ନେଇ,ଆଉ ଗୋଟିଏ ହାତରେ ସ୍ତ୍ରୀ କୁ ଭିଡି ନଉ ନଉ କହୁଥିଲା, “ କହୁଚି ତତେ ଚାଲ ବୋଲି, ହେଇ ଦେଖେ ଏଆଡେ ବି ଦଙ୍ଗା ଆରମ୍ଭ ହେଇ ଗଲାଣି I ” ଆତଙ୍କର ଖୁଣୀ ଖେଳକୁ ବୁଝି, କୁଡିଆ ଭିତରୁ ବାହାରିଲା ବେଳକୁ,କୁଡିଆଟା ହଠାତ ହୁ ହୁ ହୋଇ ଜଳି ଉଠିଲା.....I

                    ଏବେ ସବୁ ଶାନ୍ତ,ଗଳି କନ୍ଦିରେ

ମିଡିଆବାଲା Iପାଉଁଶ ଭିତରୁ ପଥର ସବୁ ଅଣ୍ତାଳୁଥିବା ଲୋକଟିକୁ ଦେଖି ଜଣେ ସାମ୍ବଦିକ ଦୌଡିଆସି ପଚାରିଲେ,“ଭାଇ,କ’ଣ ଖୋଜୁଛ ? ଏ ଦଙ୍ଗାରେ

ଆପଣଙ୍କର କିଛି କ୍ଷତି ହୋଇଛିକି? ଆପଣ ଆମକୁ କୁହନ୍ତୁ,ଆମେ ଆମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କୁ ନ୍ୟାୟ ଦେବୁ I” ଲୋକଟି ଲାଲ୍‍ ଲାଲ୍‍ ଆଖିରେ କଟମଟ କରି ଅନେଇ ଚିତ୍କାର କରି କହିଲା, “ତମ ନ୍ୟାୟକୁ ନେଇ ମୁଁ କ’ଣ କରିବି? ପାରିବ ଯଦି ମୋ ସହ

ସେ ପଥର ଖଣ୍ତକ ଖୋଜ I ସେଦିନ ମୋ ଭାତ

ହାଣ୍ତିରେ ପଡିଥିବା ସେ ପଥର ଖଣ୍ତକ ମୋର ଦର୍କାର I ଦେଇ ପାରିବ ତମେ? ତିନିଦିନ ହେଲା ଏଠି ବସି,ମୁଁ ସେଇ ପଥରଟାକୁ ଖୋଜୁଛି,ସେଇଟାକୁ ପାଇଲେ ଦେଖିବି,ସେଇଟା “ରାମ,ରାମ” ଲେଖାହେଇ ଥିବା ସେତୁବନ୍ଧର ପଥର,ନା ପାପୀ ଶଇତାନକୁ ଫିଙ୍ଗା ହେଉଥିବା ମକା ମଦିନାର ପଥର I ଆଉ ସେଇଟାକୁ ଧରି ମୁଁ ସିଧା ଯିବି ତା’ ମାଲିକ ପାଖକୁ I ମୋ ସ୍ତ୍ରୀ,ଛୁଆ ଏବେ ପରା ସେଇଠି ଅଛନ୍ତି I ମୁଁ ଏଠି କାହିଁକି

ରହିବି? ସେଇଥିପାଇଁ ଏଠି ବସିଛି I ସେ ପଥରଟା ପାଇଗଲେ ମୋତେ ତା ମାଲିକର ଠିକଣାଟା ଆପଣାଛାଏଁ ମିଳିଯିବ I ଯା’ ଯା’ମୋତେ ଆଉ ବିରକ୍ତ କରନି I” ଆଉ କେଉଁ ଆଡେ ନିଘା ନ ଦେଇ ସେ ଖୋଜି ଚାଲିଲା ପାଉଁଶ ଭିତରୁ ପଥର ଖଣ୍ତକୁ I ଆଉ ସେପଟେ ସାମ୍ବାଦିକ ଜଣକ ରିପୋର୍ଟ ଦେଉଥିଲେ,“ଏଇ ଦେଖନ୍ତୁ,ଗ୍ରାଉଣ୍ତ ଜିରୋରୁ

ଆମର ଏସ୍‍କ୍ଳୁସିଭ୍‍ ରିପୋର୍ଟ.........I”

 @ ଦିଲ୍ଲୀପ କୁମାର ପରିଡା 

ଆଶଙ୍କା ଦଙ୍ଗା ମିଡିଆବାଲା

Rate the content


Originality
Flow
Language
Cover design

Comments

Post

Some text some message..