Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ
★★★★★

© Rakesh Mishra

Tragedy Abstract Others

8 Minutes   14.3K    20


Content Ranking

ହଁ ଆଉ ନା ର ମଝିରେ ତ୍ରିଶଙ୍କୁ ହୋଇ ଝୁଲୁଥିଲା ଅନିମେଶ ।

ଘର ଅନ୍ଧାର କରି ଚୁପଚାପ ବସି ରହିଥିଲା ଖଟ ଉପରେ। ଶୋଇବା ଘର ଝର୍କା ଦେଇ ଅଳ୍ପ ଅଳ୍ପ ଜହ୍ନ ଆଲୁଅ ପଡୁଥିଲା, ପରଦା ଟାଣି ସେତକର ବି ପଥ ଅବରୋଧ କରି ଦେଲା ସେ । ଏବେ ସାରା ଘରେ ରାଜୁତି କରୁଛି ବହଳ ଅନ୍ଧକାର । ଏଇ ଅନ୍ଧାରଟାହିଁ ତାର ବେଶୀ ପସନ୍ଦ । ଏଇ ଅନ୍ଧାର ଭିତରେ ସେ ଲୁଚେଇ ରଖିପାରେ ତା ମନର ସବୁ ଆବେଗ, ଯନ୍ତ୍ରଣା ଓ ଲୁହକୁ । ଏଇ ଅନ୍ଧାରହିଁ ଗୋଟାପଣେ ଗିଳି ଦେଇ ପାରେ ତା ଏକାକୀତ୍ୱକୁ । ଆଉ ଏଇ ଅନ୍ଧାରର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ତୁମେ ସାରା ଦୁନିୟାକୁ ଦେଖି ପାରିବ, କିନ୍ତୁ ତୁମକୁ କେହି ଦେଖି ପାରିବେନି। ଠିକ ଯେମିତି ସେ ଏଇ ଝରକା ଦେଇ ଲୁଚି ଲୁଚି ଦେଖେ ମିତାକୁ । ଆହ୍ଲାଦିତ ହୁଏ ତା ପାଗଳାମି ଦେଖି । କେ ଜାଣେ ମିତା ତା ଉପସ୍ଥିତି ବାରି ପାରେ କି ନା ।

ମିତା.. ହଁ ସେଇ ଶ୍ୟାମଳୀ ରଙ୍ଗର ଟମ ବୟ ଟାଇପ୍ ର ବେପରୱା ଝିଅଟା। ଯିଏ ରହୁଥିଲା ଅନିମେଶର ଠିକ୍ ପାଖ ବିଲଡିଂରେ । ଯାହା ଘର ଝର୍କାରୁ ସିଧା ଦିଶେ ଅନିମେଶର ଶୋଇବା ଘର, ଡ୍ରଇଂରୁମ ଆଉ ରୋଷେଇ ଘର ମାନେ ତା ପୁରା ଦୁନିୟା । ସେଇ ଝିଅଟା ଯେ କାହାକୁ ପରୱା କରେନା, ନିଜ ଦୁନିଆର ଶେହଜାଦୀ । ଯିଏ ରାତି ଅଧରେ ଫୁଲ ଭଲ୍ୟୁମରେ ଗୀତ ବଜେଇ ନାଚେ । ଆଇନାରେ ନିଜ ସହ ବକ୍ସିଂ କରେ, ଅଥବା ମୁଣ୍ଡରେ ଓଢ଼ଣା ଦେଇ ନୁଆ ବୋହୂ ସାଜେ ।ଆଜିକୁ ଗୋଟେ ସପ୍ତାହ ଧରି ନର୍ସିଙ୍ଗ ହୋମରେ । କଣ ପାଇଁ ସଠିକ୍ କହିପାରିଲାନି ବିଶୁ । ଟିଉସନ ପଢୁଥିବା ନିଜ ଛାତ୍ରକୁ ବେଶି କିଛି ପଚାରିବାକୁ ସାହସ କରି ପାରିନି ଅନିମେଶ । ଆଜିକାଲିର ପିଲା ଗୁଡ଼ା ଓଳିଆରୁ ଗଜା । କିଏ ଯାଣେ ତାର ବେଶି ଅନୁସନ୍ଧାନ କେଉଁ ରୂପ ନେବ । ଏକଥା ଜାଣିଲେ ପୁଣି ହଜାରେ ଜ୍ଞାନ ଦେବ ଘର ମାଲିକାଣୀ ।

ନିଜ ସହ ନିଜେ କରୁଥିବା ଯୁଦ୍ଧରେ ନା ହାରି ପାରୁଥିଲା ନା ଜିତି ପାରୁଥିଲା ଅନିମେଶ । ମିତାକୁ ଦେଖିବାକୁ ଯିବା ଟା ଠିକ୍ ହେବ କି ନା ଭାବିବାକୁ ସପ୍ତାହେ ଲାଗିଗଲା । କଣ ବୋଲି ପରିଚୟ ଦେବ ସେ ?? ମିତା ସହ ତାର ସମ୍ପର୍କ ବା କଣ ଦୁଇ ବର୍ଷ ଭିତରେ ସେତକ ବି ଜାଣି ପାରିନି ଅନିମେଶ ।

ଦୁଇ ବର୍ଷ ତଳେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ, କେଇ ହଳ ଜାମା ପ୍ୟାଣ୍ଟ, ଗୁଡ଼େ ବହି ଧରି ଏ ସହରକୁ ଆସିଥିଲା ଅନିମେଶ । ଦ୍ୱିତଳ ପ୍ରାସାଦର ଉପର ମହଲାଟା ଭଡା ଆକାରରେ ନେଇଥିଲା । ତଳେ ନିଜେ ଘର ମାଲିକ ରହୁଥିଲେ । ଘର ମାଲିକଙ୍କ ସଂସାର କହିଲେ, ଅତ୍ୟନ୍ତ ନିରୀହ ଗୃହକର୍ତ୍ତା, ସାମାନ୍ୟ ଉଗ୍ର ସ୍ୱଭାବର ତସ୍ୟ ପତ୍ନୀ ଓ ପାଖା ପାଖି ୧୨-୧୩ ବର୍ଷର ଚଗଲା ସ୍ୱଭାବର ପୁଅ ବିଶ୍ବମୋହନ । ଡାକ ନାଁ ବିଶୁ । ବିଶୁର ଅଙ୍କ ଆଉ ବିଜ୍ଞାନ ସୁଧାରିବାର ଗୁରୁ ଦାଇତ୍ୱ ନେଇ ସାମାନ୍ୟ ଭଡା କୋହଳ କରେଇବାରେ ସକ୍ଷମ ହୋଇ ପାରିଥିଲା ଅନିମେଶ । ବିଶୁ ସହ ତାର କେତେ ଜଣ ସହପାଠୀଙ୍କୁ ନେଇ ପ୍ରଥମେ ଟିଉସନି ଆରମ୍ଭ କରିଥିଲା ଅନିମେଶ । ଟିଉସନି କରି ଯାହା କିଛି ଉପାର୍ଜନ କରେ ନିଜ ସ୍ନାତକୋତ୍ତର ପଢା ଖର୍ଚ୍ଚ ତୁଲେଇ ଏ ସହରରେ ଘର ଭଡା ନେଇ କୌଣସି ପ୍ରକାର ଚଳି ଯାଉଥିଲା ଅନିମେଶ । ଗରୀବର କେହି ବନ୍ଧୁ ନଥାନ୍ତି ନ୍ୟାୟରେ ଅନିମେଶର ଏ ସହରରେ କେହି ବିଶେଷ ବନ୍ଧୁ ବାନ୍ଧବ ନଥିଲେ ।

ରହିବାର କିଛି ଦିନ ପରେ ଅନିମେଶ ଆବିଷ୍କାର କରେ ମିତା ନାମ୍ନୀ ପୃଥିବୀର ଏଇ ଆଶ୍ଚର୍ଯ୍ୟତମ ପ୍ରାଣୀଟିକୁ । ଅନିମେଶ ପ୍ରଥମେ ଭାବିଥିଲା ଏ ଝିଅର ଟିକେ ମୁଣ୍ଡ ଦୋଷ ଅଛି । ନହେଲେ କେଉଁ ପ୍ରାପ୍ତ ବୟସ୍କ ଝିଅ ଜଣେ ପ୍ରାପ୍ତ ବୟସ୍କ ପୁଅକୁ ଦେଖି ଜିଭ ଦେଖେଇ ଖତେଇ ହୁଏ । ସଞ୍ଜ ବେଳେ ଟିଉସନ ସାରି ଭାତ ଡାଲମା ରାନ୍ଧୁଥିଲା ବେଳେ ବିପରୀତ ଦିଗରୁ ହଠାତ ଚିତ୍କାର ଶୁଭେ "ଆଜି ବି ଡାଲମା ଭାତ !!" ଆଉ ତା ପରେ ଝର୍କା ବନ୍ଦ ହେବାର ଶବ୍ଦ । ଯଦିଓ କିଛି ସମୟ ପରେ ପୁଣି ସେ ଝର୍କା ଖୋଲିଥାଏ “ଏ ଖଡ଼ୁସ୍“ ଶବ୍ଦ ସହ। ପାଗଳ ନେହେଲେ କେଉଁ ଝିଅ ରାତି ଅଧରେ "ସବକି ବାରାତେ ଆଇ, ଡୋଲୀ ତୁ ଭି ଲାନା" ଗୀତ ବଜେଇ ମୁଣ୍ଡରେ ଓଢଣା ଦେଇ ନାଚେ । ମିତାର ଏ ସବୁ କାର୍ଯ୍ୟକଳାପରେ ତାଙ୍କ ଘର ଲୋକ ବେଳେ ବେଳେ ବିରକ୍ତ ବୋଧ କରି ବିରୋଧ କରୁଥିଲେ ହେଁ ସେ ସବୁ ପ୍ରତି ତିଳେମାତ୍ର ପରୱା ନଥିଲା ମିତାର । ବାପା ମା ଙ୍କର ଏକମାତ୍ର ଝିଅ ହିସାବରେ ପିଲାଟି ବେଳୁ ଅଲିଅଳରେ ବଢିଥିବା ନିଜ ଝିଅର ଏଇ ସବୁ ହୁଏତ ସେମାନଙ୍କର ଦେହସୁହା ହୋଇ ସାରିଥିଲା । ତଥାପି ବେଳେ ବେଳେ ତଳ ତାଲାରୁ ମିତାର ମା ଚିତ୍କାର କରି କେତେ ଥର କହିବାର ଶୁଣାଯାଏ-

ରାତି ଅନେକ ହେଲାଣି, ଆଉ ଉତ୍ପାତ କରନା..ଶୋଇପଡ଼ ଆଉ ସମସ୍ତଙ୍କୁ ଶୋଇବାକୁ ଦେ । ତୋ ଜ୍ୱାଳାରେ ମୁଁ ଦିନେ ବିଷ ପିଇ ଦେବି ନହେଲେ ବେକରେ ଦୌଡ଼ି ଦେବି ।

ଆଉ ତା ପରେ ମିତାର ନାଟକୀୟ ସଂଳାପ - ନା ମମି, ତୁମ ଛଡ଼ା ମୁଁ ଅନାଥ ହୋଇ ଯିବି ମମି । ତୁମ ପରି ମୋତେ ଆଉ କିଏ ଭଲ ପାଇବ । ସାରା ଦୁନିଆ କେବଳ ଖଡ଼ୁସ୍ ଲୋକରେ ଭର୍ତ୍ତି ।

ଅନିମେଶ ଜାଣିଥିଲା ଏ ସବୁ ମିତାର କେବଳ ଚିରାଚରିତ ପାଗଳାମି ତେଣୁ ଏ ସବୁରୁ ପ୍ରେମ ଖୋଜି ବାହାର କରିବାର କେବେ ଚେଷ୍ଟା କରିନି, ତଥାପି କାହିଁକି କେ ଜାଣେ ଝରକା କଡରେ ବସି ଅଧରାତି ଯାଏ ମିତା ଯେବେ ହସି ହସି ମୋବାଇଲରେ କାହା ସହ ଚାଟିଙ୍ଗ କରୁଥାଏ ଛାତି ଭିତରଟା କୋରି ହୋଇ ଯାଏ ଅନିମେଶର । ତେବେ କଣ ପାଇଁ ସେ ସବୁ ଅଦ୍ଭୁତ ପାଗଳାମିର ଅନୁପସ୍ଥିତିକୁ ସେ ଆଜି ପ୍ରଚଣ୍ଡ ଭାବେ ମିସ୍ କରୁଛି । ବିଶୁ ଠାରୁ ପ୍ରଥମେ କଥାଟା ଶୁଣିବା ପରେ ସେ ସାଧାରଣ ଡେଙ୍ଗୁ ବା ମ୍ୟାଲେରିଆ ଭାବି ବିଶେଷ ପ୍ରତିକ୍ରିୟା କରି ନଥିଲା । କିନ୍ତୁ ଆଜି ହଠାତ ତାର ମନେ ହେଉଛି ତାର ଯିବା ଉଚିତ।

* * * * * * *

- Excuse me

- Yes

- ମିସ ମିତା ମହାପାତ୍ରଙ୍କ ରୁମ ନଂ

- ପେସେଣ୍ଟ ଆପଣଙ୍କର କଣ ହୁଅନ୍ତି ?

- ଫ୍ରେଣ୍ଡ

- ସରି, ଭିଜିଟିଙ୍ଗ ଆୱାର ଶେଷ ହୋଇ ଯାଇଛି. ଆପଣ କାଲି ଆସନ୍ତୁ ସକାଳ ୧୦-୧୧ଟା. ସନ୍ଧ୍ୟା ୬-୭ଟା।

- ଟିକେ ଜରୁରୀ କଥା ଥିଲା.. ପ୍ଲିଜ..

- କହିଲି ତ ଭିଜିଟିଂ ଆୱାର ଶେଷ.. କାଲି ଆସନ୍ତୁ।

- ମାମ ପ୍ଲିଜ..

ଅନିମେଶର ଥମ ଥମ ମୁହଁ ଦେଖି ବୋଧହୁଏ ରିସେପ୍ସନରେ ବସିଥିବା ଆଟେଣ୍ଡି ଜଣକ ମନରେ ସାମାନ୍ୟ ଦୟା ଭାବର ଉଦ୍ରେକ ହେଲା..

- ରୁମ ନଂ ୫୦୪. ଯାହା ଜରୁରୀ କଥା ଅଛି ଶୀଘ୍ର ସାରିବା । ଏବେ ପେସେଣ୍ଟକୁ ନିଦ ଔଷଧ ଦିଆଯାଇଛି । She needs rest ।

- OK.. Thanks a lot..

* * * * * * *

ଅନିମେଶ ସ୍ୱପ୍ନରେ ବି ଭାବି ନଥିଲା ମିତାକୁ ଠିକ୍ ଏମିତି ଅବସ୍ଥାରେ ଦେଖିବାକୁ ପାଇବ । ଆଖି ତଳେ କଳା ଦାଗ, ଯୋଡ଼େ ଶୁଖିଲା ଓଠରେ ଚେନାଏ ମିଛ ହସ । ହାତରେ ସାଲାଇନ, ଚାରିପଟେ ବିଭିନ୍ନ ଡାକ୍ତରୀ ଉପକରଣ ସବୁରେ ଅବୋଧ୍ୟ ଗାଣିତିକ ସଂଖ୍ୟା ହ୍ରାସ ବୃଦ୍ଧି ହେଉଛି । ପାଖ ସାଇଡ ଟେବୁଲ୍ ଉପରେ ବିଭିନ୍ନ ଔଷଧ, ଟନିକ୍ ଆଉ କେଇ ଖଣ୍ଡ ବହି । ମିତା ବହି ପଢିବାକୁ ବହୁତ ଭଲପାଏ ।

- ଓହ ଫାଇନାଲି ଆପଣ ଆସିଲେ ?? ଆଉ କେଇ ଦିନ ପରେ ଆସିଥିଲେ ଚଳି ନଥାନ୍ତା ?? ହଁ ବ୍ୟସ୍ତ ମଣିଷ..

ଏବେ କଣ ତାଳଗଛ ପରି ଛିଡ଼ା ହୋଇ ରହିଥିବ ନା ବେଡ଼୍ ତଳୁ ଷ୍ଟୁଲ ଟାଣି ବସିବ ।

ମିତାର ଆପଣ ସମ୍ବୋଧନରୁ ସେ ବୁଝି ସାରିଥିଲା ମିତା ତା ଉପରେ ପ୍ରଚଣ୍ଡ ଭାବେ କ୍ଷୁବ୍ଧ । କେମିତି କଥା ଆରମ୍ଭ କରିବ ବୁଝି ପାରୁ ନଥିଲା ଅନିମେଶ ।

- କେମିତି ଅଛ ?

- ଆଚ୍ଛା ଗୋଟେ କଥା କହିଲ, ତୁମେ କଣ ଗଧ? ଏଇ ଚାରିପଟେ ଏତେ ସବୁ ସାଜସଜ୍ଜା ଦେଖି ଜାଣି ପାରୁନ ।

- ନା.. ମାନେ..

- ମାନେ କିଛି ନୁହେଁ..

- ଏବେ କେମିତି ଲାଗୁଛି?

- ସାରା ଦେହରେ ଭୀଷଣ କଷ୍ଟ.. ଲାଗୁଛି ପ୍ରତି ମୁହୂର୍ତ୍ତରେ କେହି ମୋ ଦେହରେ ଲକ୍ଷେ ଛୁଞ୍ଚି ଫୋଡ଼ି ଚାଲିଛି.. ଆଉ ପାରୁନି ଅନିମେଶ.. ଏ କଷ୍ଟ ସହି ପାରୁନି । ଏବେ କେବଳ ଶୋଇ ଶୋଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେତେ ଶିଘ୍ର ଏ କଷ୍ଟରୁ ମୋତେ ମୁକ୍ତି ଦିଅନ୍ତୁ ।

ମିତା ଆଖିରୁ ଲୁହ ଜକେଇ ଆସିଥିଲା ଏତକ କହୁକହୁ.. ଅନିମେଶର ଇଚ୍ଛା କରୁଥିଲା ମିତା ଆଖିର ଲୁହ ପୋଛି ଦେଇ ତା ମୁହଁଟା ତୋଳି ଧରନ୍ତା ଦୁଇ ହାତ ପାପୁଲିରେ.. କାହିଁକି କେଜାଣି ସେତକ କରି ପାରିଲାନି..।

-ଚିନ୍ତା କରନି.. ସବୁ ଠିକ୍ ହୋଇଯିବ ।

- ଅନିମେଶ ତୁମର ମନେ ଅଛି, ଆମେ ପ୍ରଥମେ ଠିକ୍ କେବେଠୁ କଥା ହେବା ଆରମ୍ଭ କରିଥିଲେ..

- ହଁ, ମୋର ଏଠାକୁ ଆସିବାର ପ୍ରାୟ ବର୍ଷେ ପରେ.. ତୁମେ ମକର ସଂକ୍ରାନ୍ତିର ପୋଡ଼ପିଠା ନେଇ ମୋ ରୁମକୁ ଆସିଥିଲ ।

- ଆଉ ସେଦିନ ତୁମେ ଏତେ ଲାଜ କରୁଥିଲ ସତେ ଯେମିତି ନୁଆ ବୋହୂ । ମୁଁ ଘୁରି ବୁଲି ଦେଖୁଥିଲି ତୁମ ଶୋଇବା ଘର, ରୋଷେଇ ଘର। ତୁମ ପଢ଼ା ଟେବୁଲ୍ ଉପରେ ବିଛେଇ ହୋଇ ପଡ଼ିଥିଲା ବହି ଖାତା ଆଉ ଚେୟାର ଉପରେ ମଇଳା ସାର୍ଟ ପ୍ଯାଣ୍ଟ । ତୁମ ଦୟନୀୟ ମୁହଁ ଦେଖି ସେଦିନ ମୋତେ ଖୁବ ହସ ଲାଗୁଥିଲା ।

- ହଁ ଜାଣେ.. ଏବେ ସେ ସବୁ ପୁରୁଣା କଥା କାହିଁକି..।

- ଜାଣିଛ, ମଣିଷ ଯେତେବେଳେ ମୃତ୍ଯୁ ଆଡ଼କୁ ଧିରେ ଧିରେ ପାଦ ବଢାଏ, ସେତେବେଳେ ଏଇ ପୁରୁଣା କଥା ଗୁଡ଼ା ବେଶି ମନେ ପଡ଼େ..

- କଣ ୟାଡ଼ୁ ସ୍ଯାଡ଼ୁ କହୁଛ। ଦୟାକରି ମୋତେ କହିବ କଣ ହୋଇଛି ତୁମର ।

- ଲିଉକୋମିଆ କଣ ଜାଣ ? ଦୁଇ ଥର ବୋନ୍ ମ୍ଯାରୋ ଟ୍ରାନ୍ସପ୍ଲାଣ୍ଟ ଫେଲ୍.. ଡାକ୍ତର ଆଶା ଛାଡ଼ି ଦେଇଛନ୍ତି.. ଅତି ବେଶିରେ ଆଉ ଦୁଇମାସ ।

ବାଁ ହାତରେ V ସେପ୍ କରି ଦୁଇ ଆଙ୍ଗୁଳି ଦେଖାଇଲା ମିତା..

ହଠାତ୍ ଯେମିତି ସମ୍ପୁର୍ଣ୍ଣ ପୃଥିବୀଟା ନିଜ କକ୍ଷପଥରୁ ଅପସରି ଯାଇ ଠାଏ ସ୍ଥିର ହୋଇ ଯାଇଥିଲା ପରି ଲାଗିଲା ଅନିମେଶକୁ । ଘର ଭିତରେ ଅଦ୍ଭୁତ ନିରବତା । ଘଡ଼ିର ଟିକ୍ ଟିକ୍ ଶବ୍ଦ ପରି ନିଜ ହୃଦୟର ସ୍ପନ୍ଦନ ନିଜେ ଶୁଣି ପାରୁଥିଲା ଅନିମେଶ ।

- ପ୍ଲିଜ୍, ମଜା କରନି।

- ମଜା କରୁନି ।

ଟେବୁଲ୍ ଉପରେ ପଡ଼ିଥିବା ପେସେଣ୍ଟ ଫାଇଲ ଅନିମେଶ ହାତକୁ ବଢ଼େଇ ଦେଉ ଦେଉ କହିଲା ମିତା ।

- ତୁମେ କଣ କେବେ ବଦଳିବନି? କେତେ ସହଜରେ କଥା ସବୁ କହିଗଲ ।

- ମୁଁ ବଦଳିଗଲେ ମୋ ପାରିପାର୍ଶ୍ବିକ ପରିସ୍ଥିତି ତ ବଦଳିବନି ! ତେଣୁ ଅଯଥା ଟେନ୍ସନ କାହିଁକି ନେବି ।

ଆଚ୍ଛା ଅନିମେଶ, ଗୋଟେ କଥା କହିବ..ବିଶୁ କହୁଥିଲା ତୁମେ ମୋତେ କୁଆଡ଼େ ମୋତେ ମନେ ମନେ ଭଲପାଅ?

- ନାଁ, ସେସବୁ ନେଇ କେବେ ଭାବିନି..

- କଣ ନେଇ ଭାବିନ? ମୋତେ ନେଇ ନା ପ୍ରେମ ନେଇ..

- କହିପାର ଦୁହିଁଙ୍କୁ..

- ମିଛ କୁହନି.. ବିଶୁ କହୁଥିଲା ତୁମ ଡାଇରୀର ପ୍ରତି ପୃଷ୍ଠାରେ ମୋ ନାଁ ଲେଖା । ମୋତେ ନେଇ ଲୁଚେଇ ଲୁଚେଇ କବିତା ଲେଖ ! ମୋ ବିଷୟରେ ସବୁବେଳେ ବିଶୁକୁ ପଚାର ! ହୁଏତ୍ ମୋ ମୁହଁ ଦିଶି ଯାଇପାରେ ଭାବି, ରାତି ଅଧରେ ନିଜ ଝରକାରୁ ସବୁବେଳେ ମୋ ରୁମକୁ ଦେଖୁଥାଅ ।

- ନା' ମୁଁ ଡାଇରୀ ଲେଖେ ନା' କବିତା । ଆଉ ବିଶୁ ମୋ ଛାତ୍ର । ତାକୁ ମୁଁ କେବଳ ପଢ଼ାଏ, ତେଣୁ ମୋ ଛାତ୍ର ସହ ଏ ସବୁ ନେଇ ଆଲୋଚନା କରିବାର ପ୍ରଶ୍ନ ଉଠୁନି । ତା'ଛଡ଼ା ଯାହାର ନିଜ ଭବିଷ୍ଯତ ଅନ୍ଧାରରେ, ସେ ଆଉ କାହାକୁ ସେ ଅନ୍ଧାରକୁ କେମିତି ଟାଣିପାରିଥାନ୍ତା !

- ଏବେ ତ ଆଉ ସେ ସବୁ ଚିନ୍ତା ନାହିଁ.. ସତ କହିବାରେ ଅସୁବିଧା କେଉଁଠି! ବିଶ୍ବାସ କର, ମୁଁ ତମକୁ କେବେ ମୋ ଦାୟିତ୍ବ ନେବାକୁ କହିବିନି । ମୁଁ ଚାହିଁଲେ ବି ପାରିବିନି କାରଣ ସେତକ ସମୟ ମୋ ପାଖରେ ନାହିଁ ।

ଅନିମେଶର ମନେ ହେଉଥିଲା ସେ କେଉଁ ଏକ ଅନ୍ଧାରୀ ଗୁମ୍ଫା ଭିତରେ ପଶି ରହିଛି । ମନେ ହେଉଛି ହିମାଳୟ ପର୍ବତଟା ନର୍ସିଂହୋମ୍ ର ଏଇ ରୁମରେ ଆସି ପଡ଼ିଛି ଆଉ ତା ତଳେ ଚାପି ହୋଇ ରହିଛି ଅନିମେଶ । ନିଶ୍ବାସ ପ୍ରଶ୍ବାସ ନେବାକୁ ବି କଷ୍ଟ ହେଉଛି । ସମୟ ଅସମୟରେ, ମିତାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ ଭାଙ୍ଗିରୁଜି ଚୁରମାର୍ ହୋଇ ଯାଉଛି ତା ଆଖି ସାମ୍ନାରେ । ବାଷ୍ପରୁଦ୍ଧ କଣ୍ଠରେ କିଛି କହିବାକୁ ଚେଷ୍ଟା କରି ପାରିଲାନି ସେ। କି ଅଦ୍ଭୁତ ନିର୍ମମତା ।

- ଅନିମେଶ ଗୋଟେ ଅନୁରୋଧ କରିବି, ରଖିବ..?

- ହଁ ନିଶ୍ଚିତ.. କୁହନା..

- ମୋ ଆଡକୁ ଆଉ ଟିକେ ଘୁଞ୍ଚି ଆସ.. ମରିବା ପୂର୍ବରୁ ଅନ୍ତତଃ ଥରୁଟିଏ ମୁଁ ତୁମ ହାତକୁ ଜାବୁଡ଼ି ଧରିବାକୁ ଚାହେଁ..

ଯନ୍ତ୍ରଚାଳିତବତ୍ ଅନିମେଶ ବଢେଇ ଦେଲା ଦୁଇ ହାତ ମିତା ଆଡ଼କୁ । ନିଜର ସମସ୍ତ ଶକ୍ତି ଦେଇ ମିତା ନିଜ ଛାତିରେ ଚାପି ଧରିଥିଲା ଅନିମେଶର ହାତ ମୁଠାକୁ ।

- ଜାଣିଛ, ଅନିମେଶ.. ସାରା ଦେହରେ ଏଇ ଅସହ୍ୟ ଯନ୍ତ୍ରଣା ସହି ନପାରି ମୋର ପ୍ରତି ମୁହୂର୍ତ୍ତରେ ମରିବାକୁ ଇଚ୍ଛା ହେଉଥିଲା.. କିନ୍ତୁ ଏବେ ପୁଣି ଜିଇଁବାକୁ ଇଚ୍ଛା କରୁଛି.. ମୁଁ ବଞ୍ଚିବାକୁ ଚାହେଁ ଅନିମେଶ..।

କହୁ କହୁ ମିତାର ଦୁଇ ଆଖିରୁ ଝରି ଆସିଥିଲା ଲୁହ..

ଆଜି ପ୍ରଥମଥର ପାଇଁ ଅନିମେଶ ପରି ଦୃଢ଼ ନାସ୍ତିକ ଇଶ୍ବରଙ୍କୁ ପ୍ରାର୍ଥନା କରୁଥିଲା ମନେ ମନେ । ଅନ୍ତତଃ ଏଇ ହାତ ଦେଇ ଯଦି ଏଇ କ୍ଯାନସର ରୋଗଟା ଭାଗ କରିନେଇ ପାରନ୍ତା ସେ ମିତା ସହ । ଆଉ କିଛି ଦିନ ବଞ୍ଚିବାର ମହଲତ ମିଳିଥାଆନ୍ତା ମିତାକୁ..

- ଅନିମେଶ.. ଏମିତି ହୁଅନ୍ତାନି, ମୁଁ ଏବେ ନିଜକୁ ଆବିଷ୍କାର କରନ୍ତି ମୋ ଶୋଇବା ଘର ବେଡ୍ ଉପରୁ .. ଆଉ ନିଦରୁ ଉଠି ଦେଖନ୍ତି, ଏ ସବୁ ମିଛ.. ଏ ସବୁ କେବଳ ଏକ ଭୟଙ୍କର ଦୁସ୍ୱପ୍ନ ଥିଲା..।

ଜାଣିଛ ଅନିମେଶ, ସାରା ଜୀବନ ମଣିଷ ଟଙ୍କା ପଇସା ପ୍ରାଚୁର୍ଯ୍ୟ ପଛରେ ଗୋଡ଼ାଏ, କିନ୍ତୁ ନିଜ ଆସନ୍ନ ମୃତ୍ୟୁକୁ ଆଖି ଆଗରେ ଦେଖିଲା ପରେ ଜଣେ କ୍ଯାନସର ରୋଗୀର କେବଳ ଗୋଟିଏ ଲୋଭ ଥାଏ.. ବଞ୍ଚିବାର ଲୋଭ.. ଟଙ୍କା ପଇସା ପ୍ରାଚୁର୍ଯ୍ୟ ସବୁ କିଛି ତା ପାଖରେ ଗୌଣ ହୋଇଯାଏ..

ବାକଶକ୍ତିହୀନ ହୋଇ ଅନେକ ସମୟ ଧରି ବସି ରହିଥିଲା ଅନିମେଶ ।

ମିତାର ହାତ ମୁଠା କ୍ରମଶଃ କୋହଳ ହେଉଥିଲା । ଧୀର ସ୍ୱରରେ ମିତା ମିତା ଦୁଇ ତିନି ଥର ଡାକି କୌଣସି ଉତ୍ତର ନପାଇ ନିଶ୍ଚିତ ହେଲା ମିତା ଶୋଇ ପଡ଼ିଛି । ଖୁବ୍ ସନ୍ତର୍ପଣରେ ନିଜ ହାତ, ମିତା ହାତ ମୁଠାରୁ କାଢ଼ି ଉଠି ଛିଡ଼ା ହେଲା ଅନିମେଶ । ଫାଇଲକୁ ଯଥା ସ୍ଥାନରେ ରଖିବାକୁ ଯାଇ ଟେବୁଲ୍ ଉପରେ ଆବିଷ୍କାର କଲା ମିତାର ଡାଇରୀ । ଯଦିବା କାହାର ଡାଇରୀ ପଢ଼ିବା ଉଚିତ୍ ନୁହଁ ତଥାପି କାହିଁକି କେଜାଣି ଡାଇରୀ ଖୋଲି ପଢ଼ିବାକୁ ଆରମ୍ଭ କଲା । ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଥିଲା ଅନିମେଶ। ପ୍ରତି ପୃଷ୍ଠାର ଠିକ୍ ତଳକୁ ଲେଖା ଥିଲା ଗୋଟିଏ ନାଁ... ଅନିମେଶ

ପାଖରେ ଶୋଇ ରହିଥିଲା ମିତା । ନିରିହ ନିଷ୍ପାପ ଦୁଇ ଆଖି କୋଣରେ ଜମି ରହିଥିଲା କେଇ ଟୋପା ଲୁହ। ଜୀବନର ପ୍ରଥମ ଥର ପାଇଁ ଅନିମେଶ ଅନୁଭବ କଲା ଲୁହର ସ୍ୱାଦ ଇଷତ୍ ଲୁଣିଆ ।

© ରାକେଶ ମିଶ୍ର

ପାଉଁଶ ନିଆଁ ରୋଗ ବଞ୍ଚିବା

Rate the content


Originality
Flow
Language
Cover design

Comments

Post

Some text some message..