Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରଶାନ୍ତିରେ ଦିନେ
ପ୍ରଶାନ୍ତିରେ ଦିନେ
★★★★★

© Panchanan Jena

Tragedy

7 Minutes   864    46


Content Ranking

ପ୍ରଶାନ୍ତି ଏକ୍ସପ୍ରେସ ଯାହା ବାଙ୍ଗାଲୁରୁରୁ ଭୁବନେଶ୍ଵର ମଧ୍ୟରେ ଦୈନିକ ଚଳ ପ୍ରଚଳ ହୋଇଥାଏ, ସେଥିରେ ଆଜି ମାଲେଲା ରାମବାବୁ ସାର ଯାତ୍ରା କରୁଛନ୍ତି | ଏସ ୬ ସାଇଡ଼ ଲୋୟାର ୮ ନମ୍ବର ଝରକା ପାଖ ସ୍ଳିପର ସିଟଟେ ମିଳିଛି | କାରଣ ଇ-ଟିକେଟ ସୁବିଧା ଯୋଗୁଁ ସାର ଦୁଇ ମାସ ଆଗରୁ ବୁକିଂ କରି ବେସ ଆଶ୍ଵସ୍ତ ଅଛନ୍ତି | ମୋବାଇଲରେ ଆଇଆର୍ଟିସିଜରୁ ମ୍ୟାସେଜ ମଧ୍ୟ ଆସିଛି | ଟିକେଟ ର ପ୍ରିଣ୍ଟ ଆଉଟ ବି ଆଣିଛନ୍ତି | ଆଇଡେନ୍ତି ପୃଫ୍ ପାନ କାର୍ଡ ମଧ୍ୟ ପକେଟରେ ସୁରକ୍ଷିତ | ତେଣୁ ମୋଟାମୋଟି ଭାବେ ଯାତ୍ରାରେ କୌଣସି ଅସୁବିଧା ନାହିଁ କହିଲେ ଚଳେ |

ସମାଲକୋଟ ଷ୍ଟେସନରେ ସାର ଆସି ପହଞ୍ଚିଲେ | ଅପେକ୍ଷାକୃତ ଛୋଟକାଟିଆ ସାଉଥ ସେଣ୍ଟ୍ରାଲ ରେଲୱେ ଦ୍ଵାରା ପରିଚାଳିତ ଷ୍ଟେସନ | ଊଣା ଅଧିକେ ୫୦ରୁ ଅଧିକ ରେଳଗାଡ଼ିର ରହଣି | ପ୍ରାୟ ସବୁ ପ୍ରକାର ବ୍ୟବସ୍ଥାରେ ଭରପୁର | ଇନକ୍ଵାରୀରେ ବୁଝିଲାବେଳକୁ ଟ୍ରେନ ୧୦ ମିନିଟ ବିଳମ୍ବ | ମନ ଆପେ ଆପେ କହିଲା ଚଳିବ --- ଭାରତୀୟ ରେଳ ଭାଇ !

ସମୟୟାନୁସାରେ ଆପାତତଃ ଅଳ୍ପ ବିଳମ୍ବରେ ଟ୍ରେନ ଆସିଲା | ବେଶୀ ଭିଡ଼ ନାହିଁ | ନିଜ ସିଟ ରେ ସାର ବସିଲେ | ଛୋଟ ଏୟାର ବ୍ୟାଗ କୁ କାନ୍ଧରୁ ବାହାର କରି ଟଙ୍ଗେଇଲେ | ପାଣି ବୋତଲ ବାହାର କରି ଠିପି ଖୋଲିଲେ | ଦି ଢୋକ ପିଇଲେ .... ଇୟର ଫୋନ ବାହାର କଲେ .....ଝରକା ଭିତର ଦେଇ ଦେଖିଲେ ଅନନ୍ତ ଦିଗବଳୟ | ଧୂଆଁଳିଆ ଧୂଆଁଳିଆ ବାହାରର ସବୁଜିମା | ବଗିର ଚତୁଃ କୋଣକୁ ଚାହିଁଲେ .... ସମସ୍ତେ ବ୍ୟସ୍ତ | ହଠାତ ଗାର୍ଡର ହୁଇସଲ ବାଜିଲା , ଟ୍ରେନ ଚାଲିଲା , ସମାଲକୋଟା ଛାଡ଼ିଲା | ସାରଙ୍କ ମୁହଁରୁ ଆପେ ବାହାରି ପଡିଲା ....ଗୋବିନ୍ଦ ....ଗୋବିନ୍ଦ .... ସାର ବହୁତ ଧର୍ମ-ବିଶ୍ଵାସୀ | ଧର୍ମ ଭୀରୁ କହିଲେ ବି ଭୁଲ ହେବନି | ତିରୁମାଳା ତିରୁପତିର ଭେଙ୍କଟଶ୍ଵରସ୍ଵାମୀ( ବିଷ୍ଣୁ ) ଙ୍କର ଜଣେ ପରମ ଚରମ ଉତ୍ତମ ଭକ୍ତ |

ପାଖ ସିଟ ଖାଲି ଥିଲା | ବେଶ ଭଲ ଲାଗିଲା | ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜ ବାହାର କଲେ | ପଛପଟରୁ ପଢିବା ସାରଙ୍କର ଏକ ବଦ ଅଭ୍ୟାସ, କାରଣ ସାର ଜଣେ ଛୋଟକାଟିଆ ଖେଳାଳି ଥିଲେ ତ; ତେଣୁ କଲେଜ ବେଳୁ ଏଇ ଅଭ୍ୟାସ ଟା ରହି ଆସିଛି | ବହେ ପଢିଦେଲେ.... ମଝିରେ ମଝିରେ ଆଖି ଉଠେଇ ବାହାରକୁ ଚାହୁଁ ଥିଲେ ପୁଣି ଖବର ପଢାରେ ମନୋନିବେଶ କରୁ ଥିଲେ | ଧାନ କ୍ଷେତର ସବୁଜିମା | ଏକା ସାଇଜର ଏକା ଉଚ୍ଛତାର ସମାନ୍ତରାଳ ଧାନ କ୍ଷେତ ଲମ୍ବିଯାଇଛି ଯେ ଲମ୍ବିଯାଇଛି .....ସବୁଜ ବିପ୍ଳବର ସଫଳତାର ସତସତିକା କୀର୍ତିରାଜି ସାର ଦେଖିପାରୁଥିଲେ | ସତରେ ଧରଣୀରାଣୀର ସବୁଜ ପଣତକୁ ମତୁଆଲା ପ୍ରେମିକ ପ୍ରବର ପବନ ବୀରବର ଉଡ଼େଇ ନେଉଛି |

ବେଳେ ବେଳେ ଖାଲି ସିଟ ଉପରେ ଆଖି ବୁଲେଇ ହୋଇ ଯାଏ | ଖପ୍ପା ଲାଗେ | କେହି ତ ଜଣେ ଥାଆନ୍ତା | କଥା ଦି ପଦ ହୋଇପାରନ୍ତେ | ଏକା ଏକା ଚୁପ ଚାପ କେତେ ବା ବସିବେ ? ଭାବର ଆଦାନ ପ୍ରଦାନରେ ହିଁ ତ ମଜା | ରେଲୱେର ବି ତ ହାନି | ଝାପସା ଝାପସା ନିଦ ଲାଗି ଯାଉଛି | ଟ୍ରେନ ଭି ତାର ହର୍ଣ ବଜେଇ ଆଗେଇ ଚାଲିଛି |

ନିଦ ଭାଙ୍ଗିବା ବେଳକୁ ଦେଖିଲେ କେହି ଜଣେ ପାଖ ଖାଲି ସିଟରେ ବସିଛି | କଣେଇ କରି ଟିକେ ଚାହିଁଲେ | ପୁଣି ଆଖି ମଳି ମଳି ସାର ଆଉଥରେ ଚାହିଁଲେ | କୌଣସି କଲେଜ ସ୍ତୁଡେଣ୍ଟ ହେବ ପ୍ରାୟ | ଅଳ୍ପ ଅଳ୍ପ ନିଶ ଶାଳ ଗଜା ପରି ବାହାରିଛି | ଧଳା ରଙ୍ଗର ଇଆର ଫୋନ ସାଙ୍ଗକୁ ଏକ ଛୋଟ ଏୟାର ବ୍ୟାଗ ପଛ ପଟରେ ଓହଳିଛି | ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଲେ .... ଗୋବିନ୍ଦ ....ଗୋବିନ୍ଦ ......ଯାହା ହେଉ କେହି ଜଣେ ସହଯାତ୍ରୀ ତ ପାଖରେ ମିଳିଲା ?

ଅଳ୍ପ ସମୟ ଭିତରେ କପୋଥକଥନ ଆରମ୍ଭ ହେଲା | ଦିଲ୍ଲୀରୁ ଦଉଲତାବାଦ ଯାଏ , ରାଜନୀତିରୁ ଛୁନାବ ରଣନୀତି ଯାଏ , କୋଳରୁ କୋକେଇ ଯାଏ , ଖେଳ ଠାରୁ ସିନେମା , ଆଇପିଏଲ ରୁ ଅଲମ୍ପିକ୍ସ, ସାନିଆରୁ ସାଇନା ...ଏମିତି ଆମୂଳଚୂଳ ଚୁମ୍ବକୀୟ ଢଙ୍ଗରେ ବେଶ ରୁଚିକର ଭାବରେ ଚାଲିଥାଏ .....

ହଠାତ ଏକ ଛୋଟ ଛୁଆର କ୍ରନ୍ଦନରୋଳ ବର୍ଥର ଏକ କୋଣରୁ ଭାସିଆସିଲା | ମା’ ତାକୁ ପ୍ରାଣ ପଣେ ଚେଷ୍ଟା କରିଛାଲିଛି ଚୁପ କରେଇବାକୁ, କାନ୍ଦ ବନ୍ଦ କରେଇଦେବାକୁ | କାରଣ ସମସ୍ତେ ତାହାରି ଆଡ଼କୁ ଚାହୁଁଛନ୍ତି | ଶେଷରେ ଛୁଆଟି ଶୋଇଗଲା | ଗୁଲୁଗୁଲିଆ ପୁଅଟିଏ | ମଥାରେ ଝଙ୍କେ ବାବୁରି ବାଳ | ଦେହର ରଙ୍ଗ କଳା ହେଲେ କ’ଣ ହେବ , ହଁସୁଆ ଶୋଇଲା ମୁଁହଟା ବହୁତ ମାନୁଛି | ଏକୋଇର କଳା ବିସିକେଶନ ସେ ଦୁଃଖି ମନ ହାରି ସେହି କାଳିଆ ନାଉରି ପରି ପ୍ରତୀୟମାନ ହେଉଛି |

ମା’ତ ଧରା ଧରଣୀ ଧରିତ୍ରୀ | ସେ ସର୍ବଂସହା, ସେ ତ ଜନ୍ମଦାତ୍ରୀ ପାଳନହାରୀ କରୁଣାମୟୀ କର୍ତ୍ତି | କ’ଣ ସେ ନୂଂହେ | ଜୀବନର ପ୍ରଥମ ଦିନରୁ ତା’ର ପଣତ ତଳେ ସ୍ଵର୍ଗସୁଖ .... ପାରିଜାତର ବାସ | ତା’ର ହାତ ରନ୍ଧା ଅନ୍ନ ବ୍ୟଞ୍ଜନରେ ଅମୃତର ତୃପ୍ତି | ଲକ୍ଷେ ଅବଢା ଛାର | ତା’ର କରୁଣାର ଧାରାରେ ଜୀବନ – ପାଦପ ବୟସର ସିଢି ଚଢିଥାଏ ବାହିଥାଏ | ତା’ର ଦୟାରେ ଅଙ୍କୋରୋଦଗମରୁ ମହାଦ୍ରୁମରେ ବଦଳି ଯାଏ …. ଏମିତି ଏକ ଲମ୍ବା ଭାଷଣ ରାମବାବୁ ସାର କହିଚାଲିଥିଲେ ......

“ବନ୍ଦ କରନ୍ତୁ ସାର “..... ଆପଣ କେବଳ ଏକ ପାଖିଆ ବହିରେ ଲେଖା ଫିଲ୍ମରେ ଦେଖା କଥା କହୁଛନ୍ତି | ଅଙ୍ଗେ ନିଭେଇ ନାହାନ୍ତି | ଆଖିରେ ଦେଖି ନାହାନ୍ତି |…. ଟିକିଏ ଉଚ୍ଚ ଆବାଜରେ ଚିଲ୍ଲେଇଳା ଭଳି ପାଖରେ ବସିଥିବା ସ୍ତୃଡେଣ୍ଟ କୋଙ୍ଗାରା କ୍ରୀଷ୍ଣା କହି ପକେଇଲା |

ମୁଁ କୋଙ୍ଗାରା କ୍ରୀଷ୍ଣା ଡାଃ ବି॰ ଆର॰ ଆମ୍ବେଡ଼କର ପାଲିଟେକନିକ କଲେଜ ୟାନମ(ପୁଦ୍ଦୁଚେରୀ)ର କମ୍ପୁଟର ସାଇନ୍ସ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର | ବାପା ମୋର ପଞ୍ଚମ ଶ୍ରେଣୀରୁ ଇହଧାମ ତ୍ୟାଗ କରିଛନ୍ତି | ସେ ନବୋଦୟ ବିଦ୍ୟାଳୟ –ମେଟ୍ଟାକୁରୁ –ୟାନମ- ପୁଦ୍ଦୁଚେର୍ରୀରେ ଡ୍ରାଇଭର ହିସାବରେ କାର୍ଯ୍ୟ ରତ ଥିଲେ | ଅତ୍ୟଧିକ ମଦ୍ୟପାନ ଯୋଗୁଁ ହଠାତ ଦିନେ ସବୁ ଶେଷ ହୋଇଗଲା | ମୋ ମା ଦିବ୍ୟା କସ୍ତ୍ତୁରୀ ଯେକି ଅନ୍ୟ ସବୁ ମା’ ପରି ; ତାକୁ ମେସ ସହାୟକ ( ହେଲପର ) ଚାକିରି ନବୋଦୟରେ ମିଳିଲା | ମାତ୍ର ଧୀରେ ଧୀରେ ସବୁ ବଦଳି ବାକୁ ଲାଗିଲା |

ଘରକୁ ନୂଆ ନୂଆ ପୁରୁଷ ମାନେ ଆସନ୍ତି | ହସ ଖୁସିର ଆସର ଜମେ ଡେରି ରାତିଯାଏଁ | ଆନନ୍ଦ ଉତ୍ସବ ଚାଲିଥାଏ | ନୂଆ ଶାଢୀ ଗିଫ୍ଟ ସବୁ ଆସୁଥାଏ | ମା’ ବହୁତ ଖୁସିରେ ଥାଏ | ମାତ୍ର ମୋ ଉପରେ ସବୁ ବେଳେ ଚିଡ ଚିଡ ଗର ଗର ହେଉଥାଏ | କଥା କଥାକେ ମାଡ଼ ଗାଳି --- ତୁ ମରି ଯାଉନୁ...... ଛୋଟ ଛୋଟ ଦୋଷରେ ବାଡିରେ ମାଡ଼ , ପିଢାରେ ମାଡ଼ | ମଥାରେ ଆବୁ ..| ହେଇ ଦେଖନ୍ତୁ ସାର !

ଧୀରେ ଧୀରେ ମୁଁ ବଡ ହେଲି | ସବୁ ବୁଝି ପାରିଲି | ସବୁ ଜାଣି ପାରିଲି | କିନ୍ତୁ ନ ଜାଣିପାରିଲା ପରି ଚୁପ ଚାପ ରହିଲି | ବହୁତ ଗମ୍ଭୀର ହୋଇଗଲି | ସମୟ ବହି ଚାଲିଥାଏ... ଉଡ଼ି ଚାଲିଥାଏ |ମାତ୍ର ମୋର ବ୍ୟକ୍ତିତ୍ଵ ଏକ ମାନସିକ ବିକାରଗ୍ରସ୍ତ ରୋଗୀ ପରି | ଉପରୁ ବେଶ ସୁସ୍ଥ ସବଳ; ମାତ୍ର ଭିତରୁ ଯେପରି କି’ଏ କୋରି ଖାଇ ଦେଇଛି : ଫମ୍ପା-ପୋଲା-ଖୋଖଲା ଏକଦମ ଭିରରୁ ଅଧାମରା ଜୀବନ ନେଇ ପଡିରହିଲି | ଆଉ ଚାରା କାହିଁ ? ଭାବନ୍ତୁ ମନରେ ଯେଉଁ ମାନସିକ ବିଦ୍ରୁହର ଅଗ୍ନି ଜଳୁଛି ; ଚିନ୍ତା କରନ୍ତୁ ଅବଚେତନ ମନରେ ଯେଉଁ ଝଡ଼ ଦୈନିକ ଉଠୁଛି ; ଅନୁମାନ କରନୁ କୋମଳମତି ମାନସ ପଟଳରେ ଯେଉଁ ଉତ୍ତାଳ ସୁନାମିର ଲେଲିହାନ ଉଜାଣି କରାଳ ଠାଣିରେ ମାଡି ଆସୁଛି ସବୁ ରାତିରେ .......

ଦିନକର ଘଟଣା | ମୁଁ ଆର ଘରେ ପାଠ ପଢୁ ଥାଏ | କବାଟ ଠକ ଠକ ହେଲା | ମୁଁ ଦ୍ଵାର ଖୋଲିଲି | ଦେଖିଲି ମା’ ଏବଂ ଆଉ ଜଣେ ଅଜଣା ପୁରୁଷ | ଦୁଇଜଣ ବେକରେ ଫୁଲହାର ପକେଇ ବର-କନ୍ୟା ବେଶରେ ହାତକୁ ହାତ ଛନ୍ଦେଇ ଠିଆ ହୋଇଛନ୍ତି | ମୁଁ ହଠାତ କିଛି ଭାବି ପାରିଲିନି | ସ୍ଥାଣୁ ଭଳି ପଥର ମୂର୍ତ୍ତି ଭଳି ମୂକ ପରି .....

“ଆଜି ଠାରୁ ଇଏ ତୋର ବାପା ଶ୍ରୀ ନୂନ୍ନା ଜନ | ମୁଁ ତାଙ୍କୁ ଆଜି ଚର୍ଚରେ ବିବାହ କରିଛି | ପାଦ ଛୁଇଁ ମୁଣ୍ଡିଆ ମାର ...ଓଳଗି ନେ ....ଆଶୀର୍ବାଦ ନେଇ ନେ ....|” ମା’ କୋମଳ ସ୍ନେହିଳ ଭାବରେ କହିଲେ |

ମୁଁ ହଠାତ କ’ଣ କରିବି କିଛି ବୁଝି ପାରିଲିନି ; ମୁଣ୍ଡକୁ କିଛି ଢୁକିଲା ନାହିଁ | ଚୁପ ଚାପ ଠିଆ ହୋଇଥାଏ |ଜନ ବାବୁଙ୍କୁ କୁଆଡେ ଅସମ୍ମାନ ହେଲା | ସେ ସଙ୍ଗେ ସଙ୍ଗେ ମୋତେ ବିଧା ଚାପୁଡା ଗୋଇଠା ମାରି ତଳେ ପକେଇଦେଲେ | ମା’ ବି ମୋତେ ଗୋଇଠା ମାରି ମାରି ନାକେଦମ କରି ଦେଲା |

ପାଟି ଶୁଣି ପାଖ କ୍ଵାଟରର ପ୍ରଶାନ୍ତ ବାବୁ ଦୌଡି ଆସିଲେ | ସେ ଦିନ ମୁଁ ବଞ୍ଚି ଗଲି | ପରଦିନ ମୁଁ ମା’ କୁ କହିଲି ... “ ସେ ଲୋକ ଏଠି ରହିଲେ ମୁଁ ସୁଇସାଇଡ କରିବି ...ଜୀବନ ହାରିଦେବି ;ଫାଶୀ ଦେଇଦେବି “ କିଛି ଫରକ ନ ଥିଲା | ଦୈନିକ ଝଗଡା ଗତ ଚାରିବର୍ଷ ହେଲା | ଡେଲି ନାଟକ ପରି ଲାଗେ |ଘରକୁ ଫେରିବାକୁ ମନ କହେନା ଇଚ୍ଛା ହୁଏନା |

ମୁଁ ବୁଝି ପାରେନା , ଦୋଷ ମୋର କ’ଣ ? ମୋ ମା’ର କ’ଣ ମୁଁ ପୁଅ ନୂଂହେ? ସେ କ’ଣ ମୋତେ ଅନ୍ତଫାଡି ଜନ୍ମ ଦେଇନି ? ଦଶ ମାସ ଦଶ ଦିନ କ’ଣ ଗର୍ଭରେ ଧାରଣ କରିନି ? ମୁଁ କ’ଣ ମୋ ବାପର ପୁଅ ନୂଂହ ? ମୁଁ କ’ଣ କେଉଁ ପାପର କରୁଣ ପରିଣତି କି ?

ମା’ ଯିଏ ମୋତେ ଏତେ ଭଲ ପାଉ ଥିଲା , ମୋତେ ନ ଖୁଆଇ ଦେଲେ ଟୋପେ ପାଣି ବି ଗ୍ରହଣ କରୁ ନଥିଲା , ମୋତେ ତା’ ଜୀବନର ମଣି-ଅନ୍ଧର ଲଉଡି କହି କେତେ ଲୁଲୁ ବାୟା ଗୀତ ଶୁଣାଉ ଥିଲା .....ବାପାଙ୍କ ଅନ୍ତେ ଏତେ ମାତ୍ରାରେ ବଦଳି ଗଲା କେମିତି ? ଏତେ ଚେଞ୍ଚ ହେଲା କିପରି ?

ଦେହ ସୁଖ କ’ଣ ବାତ୍ସଲ୍ୟ ମମତା ଠାରୁ ଏତେ ବେଶୀ ? ଏ ବସ୍ତୁବାଦୀ ଦୁନିଆରେ କ୍ଷଣିକ ଆନନ୍ଦ ପାଇଁ ମା’ ଯଦି ନିଜ ଜନ୍ମକଲା ପୁଅ କୁ ଏତେ ହତା ଦର କରେ, ପର ପୁରୁଷକୁ ଆପଣାର ମଣି ନିଜର ଆଖି ପିତୁଳାକୁ ଏକ ଭିନ୍ନ ଗ୍ରହର ମଣିଷ ଭଳି ଭାବେ ..... ମୁଁ କ’ଣ କହିବି ??? ରାକ୍ଷସୀ, ଦାନବୀ ନା ଦେବୀ ---- ମାୟାବିନି କୁହୁକିନି ନା ମା’ଦେବକୀ ....ମା’ଯଶୋଦା ----ନା ଡାହାଣୀ ? କୁନ୍ତୀ ଗାନ୍ଧାରୀ ନା ରାଣ୍ଡୀ ? ସୀତା ସାବିତ୍ରୀ ସବ୍ୟା ନା ବେଶ୍ୟା ? ଅହଲ୍ୟା ଶାରଦା ନା କୁଳଟା ?

କୁହନ୍ତୁ ସାର , ଆପଣ ନୀରବ ରୁହନ୍ତୁନି | ଆପଣ ଲାଗୁଛନ୍ତି ଜଣେ ବିଚାରବନ୍ତ ବିଚାରପତି | ସମାଜର ଜଣେ ପଥ ପ୍ରଦର୍ଶକ | ମୋତେ ବିଚାର ଦିଅନ୍ତୁ , ତର୍କ କରନ୍ତୁ | ମୋର ଭୁଲ କେଉଁଠି ହେଲା ? ମୋ ମା’ ମୋତେ ସ୍ନେହ କଲାନି କାହିଁକି ? ମୁଁ କାହିଁକି ସ୍ନେହା କାଙ୍ଗାଳି ହେଲି ? ମୋ ମା’ ଥାଇକରି ବି ମୁଁ ସ୍ନେହ ଛେଉଣ୍ଡ ହେଲି ବିଷବୃକ୍ଷ ପାଲଟି ଗଲି | ଘୃଣାର ଅନଳରେ ଅହରହ ହୁତୁ ହୁତୁ ମୁଁ କାହିଁକି ହଉଛି?...ଏହାର ଉତ୍ତର କ’ଣ ଭାରତର ଉଚ୍ଚତମ ନ୍ୟାୟାଳୟ ଦେଇ ପାରିବ ?

ତେଣୁ ସାର ମୁଁ ହତଭାଗା | ପାଶ୍ଚାତ୍ୟ ସଭ୍ୟତା, ଆର୍ଥିକ ସ୍ଵାଧୀନତା , ନୈତିକତାର ପତନ, ଧୃବିକରଣ ଯେତେ ଚକ ଚକ ଦିଶୁଥିଲେ ମଧ୍ୟ ଏହା ସବୁ ହଳାହଳ ପୂର୍ଣ, ପୂତିଗନ୍ଧମୟ ସଦାଚାରହୀନ ସଂସ୍କାର ବିହୀନ ଆଧୁନିକତାର ଏକ ପ୍ରଲେପ | ମା’ ଭଳି ପବିତ୍ରତମ ରଚନାକୁ ଯିଏ ବଦଳେଇଦେଇପାରେ , ମା’ ପୁଅର ଅନାବିଳ ସ୍ନେହ-ପ୍ରେମରେ ଯିଏ ପାଚେରି କରିପାରେ ....ସେହି ସଭ୍ୟତାକୁ ଜୁହାର ; ଦୂରରୁ ଦଣ୍ଡବତ !

ମୁଁ ତ ହତଭାଗା ; ମୁଁ ତ କୂଳାଙ୍ଗାର .....”

ପଳାଶା ଷ୍ଟେଶନ ଆସିଗଲା ...ସାର ଚୁପ ଚାପ କେବଳ ପିଠିରେ ସ୍ନେହିଳ ବରାଭୟ ହାତ ଥାପୁଡେଇ ବଗିରୁ ବିଦାୟ ନେଲା ବେଳେ ଭାବୁଥିଲେ ଉତ୍ତର ....ନିଜକୁ ବୁଝେଇବାକୁ ....ଅସମାହିତ ତର୍କର ଅଡୁଆ ସୂତାକୁ .ସମାଧାନ କରିବାକୁ....ଷ୍ଟୁଡେଣ୍ଟ ସହଯାତ୍ରୀ କୋଙ୍ଗାରା କ୍ରୀଷ୍ଣାକୁ ପାଲଟା ପ୍ରତ୍ୟୁତ୍ତର ଦେବା ପୂର୍ବରୁ | କଳାହାଣ୍ଡିଆ କଳା ମିଚି ମିଚି ବାଦଲ ଖଣ୍ଡେ ପଳାଶା ଆକାଶରେ ଉଡ଼ି ଉଡ଼ି ଚାଲି ଥିଲା |


ଲେଖକ : ଶ୍ରୀଯୁକ୍ତ ପଞ୍ଚାନନ ଜେନା

ସ୍ନାତକୋତ୍ତର ଶିକ୍ଷକ (ଇତିହାସ )

 ଜବାହର ନବୋଦୟ ବିଦ୍ୟାଳୟ , ସରାଙ୍ଗ , ଢେଙ୍କାନାଳ ,ଓଡ଼ିଶା -- ୭୫୯୧୪୬



ପ୍ରଶାନ୍ତି ସହଯାତ୍ରୀ ପାଦପ

Rate the content


Originality
Flow
Language
Cover design

Comments

Post

Some text some message..