STORYMIRROR

Bishnupriya Sahoo

Abstract Children Stories

4  

Bishnupriya Sahoo

Abstract Children Stories

ଗୋଲାପ ର ହସ

ଗୋଲାପ ର ହସ

4 mins
386

ବଗିଚା ରେ ଛତା ଧରି ବସିଛି ଲିନି ।ଜୋର୍ ରେ ବର୍ଷା ଢାଳୁଛି।ମାଆ ବ୍ୟସ୍ତ ହୋଇ ଖୋଜି ଖୋଜି ବାଡ଼ି ଆଡ଼କୁ ଚାହିଁଲା ବେଳକୁ ଦେଖିଲେ ଲିନି ବସିଛି ନୂଆ କରି ଲଗାଇଥିବା ଗୋଲାପର ଚାରା ପାଖରେ। ଶାଢ଼ୀ ର ଓଢ଼ଣୀ ଟି ତରବରିଆ ଭାବରେ ମୁଣ୍ଡରେ ଦେଇ ଦଉଡ଼ି ଗଲେ ଲିନି ପାଖକୁ। ତୁ ଏଇଠି କ'ଣ କରୁଛୁ ଏତେ ବର୍ଷାରେ? ଏହା କହି ମାଆ ଭିଡ଼ି ଭିଡ଼ି ନେଇ ଆସିଲେ ତାକୁ ବାରଣ୍ଡାକୁ। 

ମାଆ-ଲିନି,ତୁ ବର୍ଷାରେ ଚାରା ଗଛ ପାଖରେ କ'ଣ କରୁଥିଲୁ? 

ଲିନି - ମାଆ, ଗଛଟା ବର୍ଷାରେ ଓଦା ହେଇ ଯାଉଛି। ତାକୁ ଥଣ୍ଡା ଧରିବନି। ମୁଁ ତାକୁ ଛତାରେ ଘୋଡାଇ ରଖିଥିଲି। ତାର ତ ମାଆ ନାହିଁ। ତମେ ସିନା ମୋ ଦେହ ଖରାପ ହେଲେ ମତେ କେତେ ଯତ୍ନରେ ରଖୁଛ। ଔଷଧ ଆଣି ଦେଉଛ। ତା କଥା କିଏ ବୁଝିବ? 

ମାଆ ଲିନି କଥା ଶୁଣି ଜୋର୍ ରେ ହସି ଉଠିଲେ ଏବଂ ତା ଦେହକୁ ଲୁଗା କାନିରେ ପୋଛୁ ପୋଛୁ କହିଲେ, ଆରେ ଗଛକୁ କ'ଣ ଥଣ୍ଡା ହୁଏ। 

ସେ ତ ବର୍ଷା ଟିକକ ପାଇଁ ଅନାଇ ବସିଥାଏ। ପାଣି, ପବନ, ଖରାରେ ତାର ଜୀବନ। ପାଣି ପବନ ବିନା ସେ ବଞ୍ଚିବ କେମିତି? 

ଲିନି - ସତରେ ମାଆ? ସେଇ ଚାରା ର କିଛି ଅସୁବିଧା ହେବନି ତ ? ସେ ମରି ଯିବନି ତ? 

ମାଆ- କିଛି ଅସୁବିଧା ହେବ ନାହିଁ। ତୁ ତାକୁ ଯତ୍ନରେ ଲଗାଇଛୁ ବୋଲି ତା ପ୍ରତି ତୋର ମମତା ବଢ଼ି ଯାଇଛି। ସେଥିପାଇଁ ତୁ ତା ପ୍ରତି ଅଧିକ ଯତ୍ନଶୀଳ ହୋଇ ପଡିଛୁ। ଥରେ ଭାବିଲୁ ଆମ ଘରେ ଥିବା ବିଲେଇ ର କୁନି ଛୁଆଟିକୁ ତୁ ଯେତେବେଳେ କୋଳରେ ପୁରାଇ ବୁଲୁ ଆଉ ତା ମାଆ ତା ପାଖକୁ ଆସିଲେ ତାକୁ ଦୂର ଦୂର କରୁ , ତା ମାଆର କେତେ ମନ କଷ୍ଟ ହେଉଥିବ? ସେ ତାକୁ ଜନ୍ମ ଦେଇଛି ନା! 

ଲିନି - (ମନଦୁଃଖ କରି) ହଁ ମା, ତମେ ଠିକ୍ କହୁଛ। କିଟି ( ଟିକି ବିଲେଇ ର ନାଁ) ର ମାଆକୁ ମୁଁ ଯେତେ ଦୂରେଇ ଦିଏ ସେ ଜମା ଯାଏନି। ମୋ ଚାରିକଡ ଘୂରି ବୁଲୁଥାଏ। ମୁଁ ଏବେ ବୁଝି ପାରୁଛି ମାଆ। ଆଉ ବି ବୁଝି ପାରୁଛି ଚଗୁ କାକା ଯେତେବେଳେ ବିକଟାଳ ମୁହଁ କରି ମତେ ଡରାଇବା ପାଇଁ ମୋ ଆଡକୁ ଦୌଡି ଆସନ୍ତି, ତମେ କାହିଁକି ତମ କୋଳରେ ମତେ ଲୁଚାଇ ଦିଅ? ତମେ ମତେ ବହୁତ ଭଲ ପାଅ ନା ମାଆ?

 ମାଆ- ହଁ ମୋ ଧନ, ମୁଁ ତତେ ବହୁତ ଭଲ ପାଏ। ଖାଲି ମୁଁ ନୁହେଁ, ଦୁନିଆର ସବୁ ମାଆ, ସେ ପଶୁ ହେଉ ବା ପକ୍ଷୀ ସମସ୍ତେ ନିଜ ଛୁଆଙ୍କୁ ନିଜ ଠୁ ଅଧିକ ଭଲ ପାଆନ୍ତି। 

ଲିନି- ମୋର ଭୁଲ୍ ହେଇଛି ମାଆ। ମୁଁ କିଟି ଆଉ ତା ମାଆ ସାଥିରେ ଆଉ ଏମିତି କରିବି ନାହିଁ। 

ମାଆ- ସାବାସ୍।ଆସେ ଏବେ କିଛି ଖାଇନେବୁ। ତା ପରେ ଆମେ ବସି ପାଠ ପଢ଼ିବା। 

ଲିନି ସବୁଦିନ ସକାଳୁ ଉଠି ବାଡ଼ି ଆଡ଼କୁ ଯାଏ। ଗୋଲାପ ଚାରାକୁ ଟିକେ ଅନାଇ ଦେଇ ହସିଦିଏ।ଗୋଲାପ ଚାରା ବି ପବନରେ ମୁଣ୍ଡ ହଲାଇ ଲିନି କୁ ସମ୍ମତି ଜଣାଏ।ଦିନକୁ ଦିନ ଲିନି ଓ ଗୋଲାପ ଚାରା ର ସମ୍ପର୍କ ନିବିଡ଼ ହେବାରେ ଲାଗିଥାଏ। ଚାରା ଏବେ ଧିରେ ଧିରେ ଗଛରେ ପରିଣତ ହେଲାଣି। 

ଦିନେ ଲିନି ସକାଳୁ ଉଠି ନିତ୍ୟକର୍ମ ସାରି ବିଦ୍ୟାଳୟ ବାହାରିଲା। ବିଦ୍ୟାଳୟ ଯିବା ବାଟରେ ସେ ଦେଖିଲା କୁକୁର ଛୁଆଟି ଖଣ୍ଡିଆ ଖାବରା ହୋଇ ରାସ୍ତାକଡ଼ରେ ପଡ଼ିଛି। ତାକୁ ବହୁତ କଷ୍ଟ ଲାଗିଲା। ସେ ସେଇ ଅସହାୟ ଛୁଆଟି ର ପାଖକୁ ଗଲା। ସେଠାରୁ କିଛି ଦୂରରେ ଗୋଟିଏ କୁକୁର ଭାରି ନିରିହ ଚାହାଣୀ ରେ ଚାହିଁ ରହିଥାଏ ସେଇ ଛୁଆଟିକୁ। ଲିନି ବୁଝିଗଲା ଯେ ସେ କୁକୁର ଛୁଆଟି ର ମାଆ ନିଶ୍ଚିତ। 

ସେହି ପାଖରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ଘର। ଲିନି ଆଉ ଡେରି ନକରି ସେହି ପପି ଟିକୁ ହାତରେ ଟେକି ଆଣି ପ୍ରଧାନଶିକ୍ଷକ ଙ୍କ ଘର ଆଡକୁ ଦଉଡିଲା। ଲିନି ପଛେ ପଛେ ଛୁଆଟି ର ମାଆ ମଧ୍ୟ ତା ଛୁଆକୁ ପିଛା କରି ଆସିଗଲା।ଅଳ୍ପ ଦୂରରେ ଛିଡ଼ାହୋଇ ଧିମା ସ୍ବରରେ ଭୁକୁଥାଏ।ପ୍ରଧାନଶିକ୍ଷକ ବିଦ୍ୟାଳୟ ଯିବାପାଇଁ ପ୍ରସ୍ତୁତ ହେଉଥିଲେ। 

ଲିନି ଡାକ ଛାଡ଼ିଲା - ସାର୍ ସାର୍। 

ସାର୍ ବାହାରକୁ ଆସି ଦେଖିଲେ। ଲିନି କୁକୁର ଛୁଆଟି କୁ ଧରି ଛିଡା ହୋଇଛି। ଛୁଆଟି ଖଣ୍ଡିଆ ଖାବରା ହୋଇଛି। ଆଉ ଲିନିର ଧଳା ଡ୍ରେସ୍ ମଧ୍ୟ ଅସନା ହୋଇ ଯାଇଛି। 

ସାର୍ ପଚାରିଲେ - ଆରେ ଲିନି। ଏ କ'ଣ? ଏ ପପି ର ଏମିତି ଅବସ୍ଥା ଆଉ ତୋର ବି। କ'ଣ ହେଇଛି। 

ଲିନି ସବୁକଥା ସାର୍ ଙ୍କୁ କହିଲା। ସାର୍ ସବୁ ଶୁଣି କହିଲେ- ତୁ ବେଶ୍ ଭଲ କାମଟିଏ କରିଛୁ। ସାର୍ ସେଇ ପପି ଟିକୁ ବାରିପଟକୁ ନେଇ ଆସିବା ପାଇଁ ଲିନି କୁ କହିଲେ। ଡେଟଲ୍ ପାଣିରେ ପପି ଟିକୁ ଧୁଆ ଧୁଇ କରିଦେଇ ମଲମ ଲଗାଇ ଦେଲେ। ଘରେ ଥିବା କିଛି କ୍ଷୀର ଓ ବିସ୍କୁଟ ଆଣି ପପି କୁ ଖାଇବାକୁ ଦେଲେ। ଏଥର ପପି ଟି ଟିକେ ଆଶ୍ବସ୍ତ ଜଣା ପଡୁଥାଏ। ତା ମାଆ ମଧ୍ୟ ଖଣ୍ଡେ ଦୂରରେ ଶୋଇ ରହି ପପି କୁ ନଜର କରୁଥାଏ। 

ସାର୍ ଏଥର ଲିନି କୁ ଯାଇ ଟ୍ୟାପ୍ ପାଖରେ ନିଜ ଡ୍ରେସ୍ ପାଣି ମାରି ସଫା କରିବା ପାଇଁ କହିଲେ। ଲିନି ସାର୍ ଙ୍କ ସହିତ ବିଦ୍ୟାଳୟ କୁ ଗଲା। ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଲିନି କଥା ସମସ୍ତଙ୍କୁ କହିଲେ। ସମସ୍ତେ ଶୁଣି ତାଳି ମାରି ଲିନି କୁ ଉତ୍ସାହିତ କଲେ। ଲିନି ବିଦ୍ୟାଳୟ ଛୁଟି ପରେ ଖୁସି ମନରେ ଡେଇଁ ଡେଇଁ ଘରକୁ ଫେରିଲା। ଆଉ ବାଡ଼ି ପଟକୁ ଦଉଡ଼ି ଯାଇ ଦେଖେତ, ନୂଆକରି ସୁନ୍ଦର ଗୋଲାପ ଫୁଲଟେ ତାର ସେଇ ଆପଣାର ଗୋଲାପ ଗଛରେ ଫୁଟି ତା ଆଡକୁ ଚାହିଁ ମୁରୁକି ମୁରୁକି ହସୁଛି। ଲିନି ତାକୁ ଦେଖି ଫିକ୍ କିନା ହସିଦେଲା। ଦୁଇଟି ଗୋଲାପର ହସ ଦେଖି ମାଆ ମଧ୍ୟ ଦୂରରେ ଛିଡ଼ାହୋଇ ହସୁଥିଲେ ।

 --------------------------------


ଆପଣ ମାନଙ୍କ ସୁଚିନ୍ତିତ ମତାମତ ଅପେକ୍ଷା ରେ ବିଷ୍ଣୁପ୍ରିୟା ସାହୁ, ଶିକ୍ଷୟିତ୍ରୀ  


Rate this content
Log in

Similar oriya story from Abstract