Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଉଆଁସୀ
ଉଆଁସୀ
★★★★★

© ଅଭିମନ୍ୟୁ ବିଶ୍ବାଳ

Inspirational Romance Tragedy

7 Minutes   5.8K    24


Content Ranking

ଆମ ବାରିପଟ ବାଡ଼ରେ ଜହ୍ନିଲଟା ମାଡ଼ିଥାଏ ଏମୁଣ୍ଡରୁ ସେମୁଣ୍ଡ । ସର ନାନୀ ଆଉ ଆମ ଘରକୁ ଆସୁନି ପନ୍ଦର କୋଡ଼ିଏ ଦିନ ହେଲା । ବୁଝୁ ବୁଝୁ କ'ଣ ନା ସେ ଜହ୍ନି ଓଷା କରୁଥିବାରୁ ଜହ୍ନିଲଟା ଡେଇଁ ଆସୁନି । ସରନାନୀ ଆମଘରକୁ ନଆସୁଥିବାରୁ ଓ ତା ମଧୁରିଆ ଜହ୍ନି ଓଷା ବହି ପଢା ଶୁଣିବାକୁ ସ୍କୁଲରୁ ଆସିଲେ ମୁଁ ବସ୍ତାନିଟା ପକେଇଦେଇ ସେଇଠିକି ଧାଇଁଯାଏ । ସାଇଟା ଯାକର ବଢ଼ିଲା ଝିଅ ତାଙ୍କ ଘରେ ଚଉରା ମୂଳେ ଏଇ ମାସଟା ଯାକ ସଂଜ ପୂର୍ବରୁ ଏକାଠି ହୁଅନ୍ତି । ପୂଜା କରନ୍ତି । କିଆଁ ଓଷା କରୁଛ ବୋଲି ପଚାରିଲେ କେହି କିଛି ନକହି ଫେଁ ଫେଁ ହସି ପକାନ୍ତି ।

ଥରେ ମୁଁ ସରନାନୀର କାନି ଟାଣିଦେଇ ପଚାରିଲି :- ଏଇ, କହ, ତୁ କିଆଁ ଓଷା କରୁଛୁ ?

ସେ କହିଲା :- "ତୋ ଭଳି ଗୋଟେ ପାଠୁଆ ସୁନ୍ଦରିଆ ଭଲ ବର ପାଇବା ପାଇଁ ।"

ସର ନାନୀ ଅଧା ପାଠୋଇ । ଭଲ ପଢୁଥିଲେ ବି ସେ ଘରେ ରହିଲା ପରେ ଆଉ ସ୍କୁଲ ଦୁଆର ମାଡିନି । ଏବେ ତାକୁ ପନ୍ଦର ପୂରି ଷୋହଳ । ଜନମ ହେଉ ହେଉ ତା ବାପା ଚାଲିଯିବାରୁ ସାଇ ମାଇପେ ସର ନାନୀ - "ବୋପାକୁ ଖାଇଛି" ବୋଲି କହନ୍ତି । ନାନା ଅଭାବ ଅସୁବିଧାରେ ଚଳିଲେ ମଧ୍ୟ ସେ ତା'ର ଅଭାବକୁ ପଦାରେ କେବେ ପକେଇନି ।

ସର ନାନୀର ଖିଲିଖିଲି ହସ ମୋତେ ଭାରି ଭଲ ଲାଗେ । ତା ମୁହଁଟି ପଦୁଅଁ ଫୁଲ ପରି, ବର୍ଣ୍ଣ ସାବନା । ସେ ମୋଠୁ ଚାରି ବରଷ ବଡ଼ । ସେ ମୋତେ 'ମୁନି' ବୋଲି ଡାକେ । ତା ଡାକରେ କି ମଧୁରତା ଥାଏ କେଜାଣି ମୁଁ ବାରମ୍ବାର ତା ଡାକ ଶୁଣିବାକୁ ଚାହେଁ ।

ସର ନାନୀ ସାଙ୍ଗେ ମୁଁ ପୋଖରୀକୁ ଗାଧେଇ ଯାଏ । ଅବଶ୍ୟ ମୋ ଜେଜୀ ଆମ ସାଙ୍ଗରେ ଥାଏ । ଥରେ ଗାଧେଇଲା ବେଳେ ମୋ ଗୋଡ଼ ଖସିଗଲା । ମୁଁ ସେତେବେଳକୁ ପହଁରା ଜାଣି ନଥାଏ । ଏଣେ ଗାଧୁଆ ତୁଠରେ ଗାଁଟା ଯାକର ଖବରଦବର ନେଣ ଦେଣରେ ମୋ ଜେଜୀ ସାଙ୍ଗରେ ଅନ୍ୟ ସ୍ତ୍ରୀଲୋକ ବ୍ୟସ୍ତ । ତେଣୁ ମୋ ଆଡିକି ତାର ନିଘା ନଥାଏ । ମୁଁ ଉବୁଟୁବୁ ହେଇ ପାଣି ପି ପକେଇଲିଣି । ଏତିକି ବେଳକୁ ସରନାନୀ ପାଣି ଭିତରକୁ ଡେଇଁ ପଡି ଗୋଟେ ହାତରେ ମୋତେ ଧରି ଗୋଟେ ହାତରେ ପହଁରି ପହଁରି କୂଳକୁ ଆସିଲା । ସର ନାନୀ ଯୋଗୁ ମୁଁ ଜୀବନ ପାଇଲି । ସେଇ ଦିନ ମନେ ମନେ ମୁଁ ଭାବିନେଲି ବଡ ହେଲେ ମୁଁ ସର ନାନୀକୁ ... ଛିଃ..ଛିଃ.. କି ଅପରିଛନିଆ କଥା । ସର ନାନୀ ଜାଣିଲେ କଣ ଭାବିବ ! ମନ କଥା ମନରେ ରଖିଲି । ମୋତେ ସେତେବେଳକୁ ଆଠ ବରଷ । ମୁଁ ଯେତେବେଳେ ପାଞ୍ଚ ବରଷର ହେଇଥିଲି ମୋ ଜେଜୀ ଥରେ ମଜାରେ ପଚାରିଥିଲା :- "ତୁ କାହାକୁ ବାହା ହେବୁ କିରେ ?" ମୁଁ କିଛି ନବୁଝି ମଧ୍ୟ କହିଥିଲି :- " ତୋତେ ନହେଲେ ସର ନାନୀକୁ ।" ମୋ ଜେଜୀ ପାଖରେ ବସିଥିବା ମାଇପିଏ ଠୋ ଠୋ ହୋଇ ହସିଥିଲେ । ତାଙ୍କ ଭିତରୁ ଜଣେ କହିଥିଲା :- "ଏ ବୁଢୀଟାକୁ କିଆଁ ବାହାହେବୁ, ସର ସାବନୀ ହେଲେ କଣ ହେବ ଗୋଟେ ଚାଉଳରେ ଗଢା । ତା ସାଙ୍ଗରେ ତୋ ବାହା କରାଇଦେବା ।"

ମୁଁ ବେଶି ସର ନାନୀ ସାଙ୍ଗରେ ସାଙ୍ଗ ହୁଏ । ସାଇରେ ପୁଅ ପିଲା ଥିଲେ ବି ସର ନାନୀ ସାଙ୍ଗରେ କିତିକିତି, ଗିଲପଟା, ଲୁଚକାଳି, ଡାଳମାଙ୍କୁଡି ଆଦି ଖେଳିବାକୁ ମୋତେ ଭଲ ଲାଗେ । ତା ସାଙ୍ଗରେ ସାଙ୍ଗ ହେଉଥିବାରୁ ସାଇଟା ଯାକର ପୁଅ ପିଲା ଓ ଆମ ଘର ଲୋକେ ମୋତେ ମାଇଗୁଲିଆ ବୋଲି କହନ୍ତି । ସର ନାନୀ ସାଙ୍ଗରେ ଖାଲି ଖେଳ ନୁହେଁ ସେ ମୋତେ ମୋ ପଢାବହି ଧରି ପ୍ରଶ୍ନ ପଚାରେ, ମୁଁ ତା ମୁହଁକୁ ଚାହିଁ ଚାହିଁ ସବୁ ଉତ୍ତର ଦେଇ ପକାଏ ।

ସର ନାନୀ ଘର ଧାନ ବସେଇଲେ ଆମ ଆଟୁରେ ଶୁଖାନ୍ତି । ସର ନାନୀ ଧାନ ଘାଣ୍ଟିବାକୁ ଆସିଲାବେଳେ ଆମେ ବହୁ ସମୟ ଯାଏଁ ଆଟୁ ଉପରେ ଖେଳୁ । ସର ନାନୀ ଦିନେ ଧାନ ଘାଣ୍ଟୁ ଘାଣ୍ଟୁ କାନ୍ଦିପକେଇ କହିଲା :- "ମୁନି ! ଆଉ ଆମେ ଖେଳିପାରିବାନି" । ମୁଁ କହିଲି :- "କିଆଁ ?" ସେ କହିଲା :- "କ'ଣ ଗୋଟେ ପ୍ରସ୍ତାବ ପଡିଛି ଯେ, ମା କହୁଥିଲା ମୋତେ ସେଇଠି ବାହା କରେଇଦେବ ।" "ଏମିତି କେମିତି ହେବ ? ଆମ ସାର୍ ତ କହୁଥିଲେ ଅଠର ପୂର୍ବରୁ ଝିଅକୁ ବାହାଦେବା ଆଇନ ଅନୁସାରେ ଅପରାଧ । ସର ନାନୀ ! ତୁ ମନା କରୁନୁ । କହୁନୁ, ମୁଁ ଏଇଲେ ବାହା ହେବିନି ।" :- ମୁଁ କହିଲି ।

ସର ନାନୀ ପଚାରିଲା :- "ହେଲେ କ'ଣ ପାଇଁ ?" ମୁଁ କିଛି ଉତ୍ତର ନଦେଇ ପାରି ଚୁପ୍ ରହିଲି ।

କେମିତି କହିବି ଯେ :- "ସର ନାନୀ ! ମୁଁ ତୋତେ ଭଲ ପାଉଛି । ଆମେ ପ୍ରାପ୍ତବୟସ୍କ ହୋଇଗଲେ ମୁଁ ତୋତେ ବାହା ହେବି ।" ହେଲେ ଏହା କ'ଣ ସମ୍ଭବ ? ଆମ ଘରେ ଏହା କରେଇଦେବେ ନା ସର ନାନୀ ମା ବଢିଲା ଝିଅକୁ ଘରେ ରଖି ଚୁପଚାପ ବସିଯିବେ ! ଉଷୁନା ଧାନ କି ଗଜା ହେବ !

ସର ନାନୀର ଇଆ ଭିତରେ ବାହାଘର ସରିଯାଇଛି । ସେ ଯେତେବେଳେ ଶାଶୂଘରକୁ ବିଦା ହେଲା ତା କାନ୍ଦଣା ଶୁଣି ମୋ ଛାତି ଫାଟି ଯାଉଥିଲା ।

"ଫୁଟେ ପଦ୍ମଫୁଲ ଭାସେ ଜଳରେ ମା...

ପୁଅ ହୋଇଥିଲେ ରଖନ୍ତୁ କୋଳେ ମା...

ଦୁହିତା ହେବାରୁ ଫିଙ୍ଗି ଦେଉଅଛୁ ସାଗର ଜଳେ ମା...

ସରୁ ସରୁ ବାଲି ଦରିଆ ତଳେ ମା...

ପଚିଗଲା ପ୍ରାୟେ ଯାଚିଲୁ ବଳେ ମା...

x x x

ଧୀର ପାଣି ଧାର ପଥର କାଟେ ମା...

ବାଆ ପାଣି ସିନା ମୁହଁକୁ ଛାଟେ ମା...

ନ ଖାଇଥିଲେ ଖାଆ ବୋଲି କିଏ କହିବ ମା...

ଶୋଇଥିଲେ କିଏ ଉଠେଇଦେବ ମା...

ପିଠିକି ଜାଣିବ ପେଟର ବ୍ୟଥା ମା...

ପର କି ଜାଣିବ ମୋ ମନ କଥା ମା...

ଛୋଟ ଛୋଟ କଥା ଦେବେ ବଢେଇ ମା...

ଫୁଟୁକି ମାଡରେ ଦେବେ ଉଡେଇ ମା...

କେତେ ଲୋକ କେତେ କଥା ହେବେ ମା...

ହାଡରୁ ମାଉଁସ ଝଡେଇ ଦେବେ ମା... ।"

ସର ନାନୀ ତା ସାଙ୍ଗ କଇଁକୁ ଧରି କାନ୍ଦୁଥିଲାବେଳେ ଲାଗୁଥିଲା ସେ ଯେମିତି ମୋତେ ଧରି କାନ୍ଦୁଛି :-

"ଆହା କଷି କାକୁଡି

ମୁଁ ତ ଯାଉଛି ଛାଡି

ମନରେ ପକାଉଥବ ଘଡିକି ଘଡି,

ହେ ସଙ୍ଗାତ ସଖି !

ଦୟା ଥିବଟି ରଖି

ନୟନେ ନରହେ ନୀର ତୁମକୁ ଦେଖି ।"

କେତେ ଅଇଅଗଦି ହେଇ ସେଦିନ ମୁହଁ ଲୁଚେଇ ମୁଁ କାନ୍ଦିଲି । ତା' ବାହାଘର ପରଦିନ ସରନାନୀ ଶାଶୂଘରକୁ ବିଦା ହେବା ପରେ ମୁଁ ହଷ୍ଟେଲରେ ରହି ପଢିବାକୁ ଭୁବନେଶ୍ବର ଚାଲିଗଲି । ମନେ ମନେ ଠିକ କଲି ଆଉ ସର ନାନୀ କେବେ ଦେଖାହେଲେ ତା ସାଙ୍ଗେ କଥା ହେବିନି । ବେଶି ଦେଖେଇ ହଉଚି ! ଯାଃ... ।

ଯେତେ ଚେଷ୍ଟା କଲେ ବି ମୁଁ ସର ନାନୀକୁ ଭୁଲି ପାରି ନଥିଲି । ତା ମୁନି ଡାକ, ମଧୁର ସ୍ବରରେ ଜହ୍ନି ଓଷା ଗୀତ, ନେତ ନାନୀ ବାଡିରୁ ପିଜୁଳି ଚୋରି କରି ଲୁଣ ଲଙ୍କା ମଡେଇ ଖାଇବା, ପୁଷ ପୁନେଇକି ନଡା ଗଦା ଆରପଟକୁ ବାଘ ମାମୁ ପାଇଁ ମଣ୍ଡା ପିଠା ଫୋପାଡିବା, ଦାଣ୍ଡ ପହଁରା, ନିଶି ମଙ୍ଗଳ ବାର, ବୁଧେଇ ଓଷା ଆଦି ସବୁ ଓଷାରେ ମୋ ଜେଜୀ ସାଙ୍ଗରେ ସର ନାନୀର ମୋର ମିଶିକି ଯିବା, କାର୍ତ୍ତିକ ମାସ ପଞ୍ଚୁକ ପାଞ୍ଚ ଦିନ ବଡି ଭୋରରୁ ଗାଧୋଇବା , ମଣ୍ଡା ଫୁଲ ତୋଳିବା, ପୁଚି ଖେଳ ଆଦି ସବୁ ସପନରେ ଆସନ୍ତି । ଜାଣି ପାରେନି ସର ନାନୀ ମୋ ପିଛା ଛାଡୁନି କି ମୁଁ ସର ନାନୀକୁ ଭୁଲି ପାରୁନି !

ମୁଁ ହଷ୍ଟେଲରୁ ଘରକୁ ଆସିଥାଏ । ସର ନାନୀର ବାହାଘର ଛ' ମାସ ବିତିଗଲାଣି । ସେ ତା ସଂସାରକୁ ନେଇ ସୁଖରେ ଥିବ । ତଥାପି ମୋ ମନଟା ତା କଥା ଜାଣିବାକୁ ଘୁଞ୍ଚୁ ପୁଞ୍ଚୁ ହେଉଛି । ତାଙ୍କ ଘରକୁ ଯାଇ ତା କଥା ବୁଝିବାକୁ ମନ ହେଉ ନଥାଏ । ଜେଜୀକୁ ପଚାରିଲି :- "ସର ନାନୀ... ତା ଶାଶୂ ଘରୁ ଆସିନି ?" ଜେଜୀ କହିଲା :- ଆସିକି ଅଛି ଯେ ଆଉ ଯିବନି, ବାଡିଖାଇ, ଡାଆଣୀ ଜନ୍ମ ହେଉ ହେଉ ବାପାକୁ ଖାଇଥେଲା ଆଉ ବାହାଘର ମାସ ଚାରିଟା ନଯାଉଣୁ..... ହତଭାଗିନୀଟା । "

ସାଇ ଯାକ ଭୁଟୁଭୁଟ୍ ହେଉଥିଲେ :- "ଉଆଁସୀ କନିଆଁଟା, ବୋପାକୁ ଖାଇଥେଲା, ଗେରସ୍ତକୁ ଖାଇଲା, ନହେଲେ ରୋଗ ବାଗ କିଛି ନାହିଁ, ହଠାତ୍ କିନା ଚାଲିଗଲା କେମିତି, ଡାଆଣୀ, କିଏ ଜାଣେ ଆମ ପିଲା ପିଚିକାଙ୍କୁ କେତେବେଳେ ଖାଇଯିବ?" ମୁଁ ନିଜ କାନକୁ ବିଶ୍ବାସ କରି ପାରୁ ନଥିଲି । ସର ନାନୀ ବିରୁଦ୍ଧରେ କିଏ କ'ଣ କହିଲେ ମୋ ଛାତିରେ ନିଆଁ ଲାଗି ଯାଉଥିଲା ।

ସର ନାନୀ ଘରୁ ବାହାରକୁ ବାହାରୁ ନଥିଲା । ମୁଁ ବି ତା ପାଖକୁ ଯିବାକୁ ସାହସ କେବେ ଜୁଟାଇ ପାରିନି । ବୈଧବ୍ୟର ଯନ୍ତ୍ରଣା ଯେ କେତେ ମାରାତ୍ମକ ! ମୁଁ ଦୁଇ ଦିନ ପରେ ସର ନାନୀକୁ ଦେଖା ନକରି ହଷ୍ଟେଲ ଫେରି ଆସିଲି ।

ମୋର ପାଠ ପଢା ଶେଷ ହେବା ପରେ ମୁଁ ବ୍ୟାଙ୍କରେ ଚାକିରି ପାଇ ଏବେ ଢେଙ୍କାନାଳରେ ରହୁଛି । ଏଇ ପାଞ୍ଚ ବର୍ଷ ଭିତରେ, ପାଠ ପଢାଠାରୁ ଚାକିରି ଭିତରେ ମୁଁ ଗାଁକୁ କାଁ ଭାଁ ଯାଇଛି । ସର ନାନୀ ବିଷୟରେ ଅନ୍ୟଠାରୁ ବୁଝେ । କେବେ ତାକୁ ଭେଟିବାକୁ ସାହସ ଜୁଟାଇ ପାରିନି । ମୁଁ ଧଳାରଙ୍ଗର ଶାଢୀକୁ ଭାରି ଘୃଣା କରେ । ଅଣ୍ଡିରା ହାତରେ ବୁଲୁଥିବା ଝିଅ ମୋତେ ଭଲ ଲାଗନ୍ତିନି । ସର ନାନୀକୁ ସଧବା ବେଶରେ ଶେଷଥର କାନ୍ଦି କାନ୍ଦି ତା ଶାଶୂଘରକୁ ଯାଇଥିବାର ଦେଖିଥିଲି । ଓଃ... ।

ଦିନେ ମୋ ବ୍ୟାଙ୍କରେ କିଏ ଜଣେ ଅନୁନୟ ହୋଇ କହୁଛି :- " ମୋ ଲୋନଟା କରେଇଦିଅ ବାବୁ ।" ସେହି ଝିଅଟିର କଣ୍ଠସ୍ବର ଚମକେଇ ଦେଲା ଭଳି ଥିଲା । ସେ ହେଲା ସର ନାନୀ । ମୁଁ ତାକୁ ଚିହ୍ନି ପାରିଲିନି । ଆଖି ଖୋଳ ପଶିଯାଉଛି , ପଦୁଅଁ ପରି ମୁହଁ ଠକରା ଆମ୍ବୁଲ ପରି ଦିଶୁଛି । ତା ସୁନ୍ଦର କେଶଗୁଡା ତମ୍ବାଳିଆ ପଡି ଆଲୁର ବାଲୁର ହେଇଯାଇଛି । "ସର ନାନୀ ତୁ...!?" :- ମୁଁ କହିଲି । ସେ କହିଲା :- ମୁନି ! ତୁ ଏଠି !! ତୋ ସର ନାନୀ ମଲା କି ବଞ୍ଚିଲା ତୋର କି ଯାଏ ?"

ସର ନାନୀକୁ କିଭଳି ସାନ୍ତ୍ଵନା ଦେବି, କଣ କହି ତାକୁ କେମିତି ବୁଝେଇବି ଭାଷା ପାଉ ନଥିଲି । ଆଶ୍ଚର୍ଯ୍ୟ ହେଉଥିଲି ଏତେ କଷିକଷଣ ସହି, ଦାଉଦକା ସହି, ଟାହିଟାପରା ଶୁଣି ମଣିଷ ବଞ୍ଚିବାକୁ ଦାନା ବାନ୍ଧେ କାହିଁକି !?

ଏମିତି ଭାବୁ ଭାବୁ ସର ନାନୀ ମୋତେ ପ୍ରକୃତିସ୍ଥ କରେଇ କହିଲା :- "କ'ଣ ଭାବୁଛୁ ? ତୋ ସର ନାନୀ ବଞ୍ଚିଛି କିପରି ଓ ଯଦିବା ବଞ୍ଚିଛି କାହିଁକି ? ଯଦିଓ ବିଧବା ହୋଇ ବଞ୍ଚିବାଟା ଭାରି କଷ୍ଟ ତେବେ ବି ମୁଁ ବଞ୍ଚିଛି । ଆଉ କେମିତି ବଞ୍ଚିଛି ଶୁଣିବୁ ? ସେ ଅଳପେଇଷା ଚାଲିଯିବା ପରେ ମୁଁ ବାପଘରକୁ ବିଦାହେଲି । ନିଜକୁ ସମ୍ଭାଳିଲି । ମା' ମୁଣ୍ଡରେ ବୋଝ ନହୋଇ ମୁଁ କିଛି କରିବି ବୋଲି ଭାବି ଏଇ ସହରକୁ ଆସି ସିଲେଇ ଶିଖିଲି । ଏବେ ସିଲେଇ ଶିଖାଇବାକୁ, ଆଉ କିଛି ନିରାଶ୍ରୟ ଝିଅଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ମୁଁ ଟଙ୍କା ଲୋନରେ ନେଇ ଗୋଟେ ସିଲାଇ ଶିକ୍ଷାକେନ୍ଦ୍ର ଖୋଲିବି ବୋଲି ଭାବିଛି ।"

ମୁନି ଓରଫ୍ ମୁଁ ନିଜ କାନକୁ ଓ ସର ନାନୀର ସ୍ପର୍ଦ୍ଧାକୁ ବିଶ୍ଵାସ କରିପାରୁ ନଥିଲି । ତାକୁ କହିଲି :- "ତୋ କାମ ହେଇଯିବ ।"

ସର ନାନୀ ପଚାରିଲା :- "ତୁ ବାହା ହେଲୁଣି ?"

କଣ କହିବି କହିବି ଭାବି ଭାବି କହିଲି :- "ତୋ ଭଳି ଜୀଇଁବାକୁ ଭଲ ପାଉଥିବା, ବଞ୍ଚିବାର କଳା ଶିଖିଥିବା ଗୋଟେ ସୁନ୍ଦରୀ ଭଲ ଝିଅ ମିଳିଲେ ବାହା ହେବି ।"

ସର ନାନୀ ଏହା ଶୁଣି ଖିଲି ଖିଲି ହସି ଉଠିଲା । ତା'ର ହସ ବ୍ୟାଙ୍କର କାନ୍ଥକୁ ଭେଦି ଆକାଶ ଆଡେ ବ୍ୟାପିଗଲା । ସତେ ଯେପରି ତା ହସରେ ଭରି ରହିଥିଲା ସହସ୍ର ବର୍ଷର କୋହ... ଆଉ ଘୃଣା... ।

ସରନାନୀ ମୁନି ଜେଜୀ

Rate the content


Originality
Flow
Language
Cover design

Comments

Post

Some text some message..