ଦୁଇଟୋପା ଅଶ୍ରୁ
ଦୁଇଟୋପା ଅଶ୍ରୁ
ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣରୁ ଫେରି ବଗିଚାରେ ବସି ଖବର କାଗଜ ପଢିବାଟା ହେଉଛି ବିଶିଷ୍ଟ ପର୍ବତାରୋହୀ ବିଷ୍ଣୁବର୍ଦ୍ଧନଙ୍କର ନିତିଦିନିଆ ଅଭ୍ୟାସ।ସବୁଦିନ ପରି ସେ ଦିନ ମଧ୍ୟ ବିଷ୍ଣୁବର୍ଦ୍ଧନ ଖବର କାଗଜ ପଢିବାରେ ମଗ୍ନ ଥାଆନ୍ତି।ହଠାତ୍ ଏକ ଖବର ଉପରେ ତାଙ୍କ ନଜରଟା ଅଟକି ଗଲା।ଖବରଟା ଥିଲା ହିମାଳୟର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ବରଫ ତଳେ କେଉଁ କାଳରୁ ଫସି ରହିଥିବା କିଛି ଶବ ଉଦ୍ଧାର କରାଯାଇଛି।ଖବରଟା ପଢି ବିଷ୍ଣୁବର୍ଦ୍ଧନଙ୍କ ଛାତି ଭିତରେ ଗୋଟିଏ ଅଜଣା ଆବେଗ ଖେଳିଗଲା। ଏ ଶବ ଭିତରେ ଆଉ ତାଙ୍କର ପ୍ରାଣ ପ୍ରିୟା ଋତୁପର୍ଣ୍ଣା ନାହିଁ ତ?
ଋତୁପର୍ଣ୍ଣା ଯାହାଙ୍କ ପାଇଁ ବିଷ୍ଣୁବର୍ଦ୍ଧନ ଆଜି ବିଶିଷ୍ଟ ପର୍ବତାରୋହୀ ବିଷ୍ଣୁବର୍ଦ୍ଧନ ହୋଇ ପାରିଛନ୍ତି । ବିଷ୍ଣୁବର୍ଦ୍ଧନଙ୍କ ଆଖି ଆଗରେ ଅତୀତର ସେଇ ସାଇତା ସ୍ମୃତି ସବୁ ଉଜ୍ଜୀବିତ ହୋଇ ଉଠିଲା। କାଳ ବିଳମ୍ବ ନ କରି ସେ ବାହାରି ପଡିଲେ ହିମାଳୟର ବେସ୍ କ୍ଯାମ୍ପ ଆଡ଼କୁ। ଯେଉଁଠି ସେ ଶବ ସବୁକୁ ରଖା ଯାଇଥିଲା। ବିଷ୍ଣୁବର୍ଦ୍ଧନ ଓ ଋତୁପର୍ଣ୍ଣାଙ୍କର ପ୍ରଥମ ଦେଖା କଲେଜରୁ । ଦୁଇ ଜଣ ଏକା କଲେଜରେ ପାଠ ପଢୁଥିଲେ। ଯଦିଓ ବିଷ୍ଣୁବର୍ଦ୍ଧନ ଋତୁପର୍ଣ୍ଣାଙ୍କ ଠାରୁ ଦୁଇଟି ଉପର ବେଚରେ ପଢୁଥିଲେ। ତେବେ ଉଭୟଙ୍କ ର ପାହାଡ଼ ଚଢିବା ପ୍ରତି ଥିଲା ଅଶେଷ ଦୁର୍ବଳତା।ଆଉ ଏଇ ଦୁର୍ବଳତା ଉଭୟଙ୍କୁ ନିକଟତର କରି, ତାଙ୍କ ମନରେ ପ୍ରେମର ଏକ ଫଲ୍ଗୁ ସୃଷ୍ଟି କରିଥିଲା। ଉଭୟ ଉଭୟଙ୍କ ପ୍ରେମରେ ମସଗୁଲ ହୋଇ ଯାଇଥିଲେ।
ବିଷ୍ଣୁବର୍ଦ୍ଧନ ସବୁ ବେଳେ ମଜା କରି ଋତୁପର୍ଣ୍ଣାଙ୍କୁ କହନ୍ତି ଋତୁ ତୁମେ ମୋ ଜୀବନରେ ଆସିବା ପୂର୍ବରୁ ଆଉ କିଏ ମୋ ମନ ଓ ମସ୍ତିଷ୍କରେ ବସା ବାନ୍ଧି ସାରିଛି। ଆଉ ଯାହାକୁ ପାଇବା ର ସ୍ବପ୍ନ ମୋତେ ଦିନ ରାତି ପାଗଳ କରି ଦେଉଛି। ଋତୁପର୍ଣ୍ଣା ମୁହଁରେ ସ୍ମିତ ହାସ୍ୟ ଟିଏ ଫୁଟାଇ କହନ୍ତି, ମୁଁ ମଧ୍ଯ ତୁମେ ଆସିବା ପୂର୍ବରୁ ମୋ ମନ ଓ ହୃଦୟ ଆଉ କାହାକୁ ଦେଇ ସାରିଛି। ତେଣୁ ମୁଁ ତୁମର ପ୍ରଥମ ପ୍ରେମିକାକୁ ଈର୍ଷା କରୁନି ବରଂ ମୁଁ ବହୁତ ଖୁସି କାରଣ ତୁମର ପ୍ରଥମ ପ୍ରେମିକା ପରା ମୋର ପ୍ରଥମ ପ୍ରେମିକ। ଆମ ଦୁଇଜଣଙ୍କର ପ୍ରେମ ପରା ପୃଥିବୀର ସେଇ ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଦୁହେଁ ହସି ହସି ଗଡି ଯାଆନ୍ତି। ବିଷ୍ଣୁବର୍ଦ୍ଧନ ଋତୁପର୍ଣ୍ଣାକୁ ପାଖକୁ ଟାଣି ନେଇ କହନ୍ତି ସତରେ ଋତୁ ତୁମକୁ ପ୍ରେମିକା ରୁପେ ପାଇ ମୁଁ ଧନ୍ଯ। ଅନ୍ୟ କିଏ ହୋଇଥିଲେ କଣ ମୋ ଭାବନାକୁ ଏତେ ଭଲ ଭାବେ ବୁଝି ପାରି ନଥାନ୍ତା।
ଋତୁପର୍ଣ୍ଣା ସବୁବଳେ ହସି ହସି କହନ୍ତି ଯଦି କୌଣସି କାରଣରୁ ମୁଁ ମୋ ସ୍ବପ୍ନ ପୁରଣ କରି ନ ପାରେ, ତୁମକୁ କିନ୍ତୁ ତୁମ ସ୍ବପ୍ନ, ତୁମ ପ୍ରଥମ ପ୍ରେମିକା ଏଭରେଷ୍ଟ ପାଖରେ ନିଶ୍ଚିତ ପହଞ୍ଚାଇବି କାରଣ ଆମ ସ୍ବପ୍ନ ଭଳି ଆମେ ପରା ଏକ। ତେଣୁ ତୁମେ ଏଭରେଷ୍ଟ ପହଞ୍ଚିଲେ ମୁଁ ପହଞ୍ଚିଛି ବୋଲି ଭାବିବି। ବିଷ୍ଣୁବର୍ଦ୍ଧନ କହନ୍ତି ତୁମେ ସେମିତି କାହିଁକି କହୁଛ। ସ୍ବପ୍ନ ଦୁଇ ଜଣ ମିଶି ଦେଖିଛୁ ତେଣୁ ଉଭୟେ ଉଭୟଙ୍କ ସ୍ବପ୍ନ ପୁରଣ କରିବା। ଋତୁପର୍ଣ୍ଣା କିଛି ନ କହି କହନ୍ତି ସମୟ କହିବ।ତାଙ୍କର ପ୍ରେମ ଯେମିତି ତାଙ୍କ ଲକ୍ଷ୍ୟ ପଥରେ ବାଧା ସୃଷ୍ଟି ନ କରେ ସେଥିପ୍ରତି ଉଭୟେ ସଜାଗ ଥିଲେ। ଉଭୟେ ଉଭୟଙ୍କୁ କଥା ଦେଇଥିଲେ ଯେତେ ପର୍ଯ୍ୟନ୍ତ ତାଙ୍କର ଲକ୍ଷ୍ୟ ପୂରଣ ହୋଇ ନାହିଁ ସେତେ ପର୍ଯ୍ୟନ୍ତ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବେ ନାହିଁ।
ଉଭୟଙ୍କର ଏକ ମାତ୍ର ଲକ୍ଷ୍ୟ କେମିତି ଆମ ଦେଶର ଜାତୀୟ ପତାକାକୁ ନେଇ ପୃଥିବୀର ସର୍ବୋଚ୍ଚ ଶିଖରରେ ଉଡାଇବେ। କଲେଜ ପଢା ସରିବା ପରେ ଉଭୟେ ପାହାଡ଼ ଚଢିବା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବା ପାଇଁ ସ୍ଥିର କଲେ। ସେଥିପାଇଁ ଦେଶର ବିଭିନ୍ନ ପ୍ରଶିକ୍ଷଣ ସଂସ୍ଥା ସହିତ ସମ୍ପର୍କ ସ୍ଥାପନ କଲେ ଓ ଦେଶର ସବୁଠାରୁ ବିଖ୍ୟାତ ପ୍ରଶିକ୍ଷଣ ସଂସ୍ଥା ହିମାଳୟାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାକିଂ ଏଣ୍ଡ ମାଉଣ୍ଟେନିୟାଙ୍ଗରେ ପ୍ରଶିକ୍ଷଣ ପାଇଁ ଆଡମିଶନ ହେଲେ।ସେଠାରେ ଉଭୟ କଠୋର ପ୍ରଶିକ୍ଷଣ ନେଲା ପରେ ଏଭରେଷ୍ଟ ଚଢିବା ପାଇଁ ଯୋଗ୍ୟ ବିବେଚିତ ହେଲେ ଓ ଏଭରେଷ୍ଟ ଚଢିବା ପାଇଁ ଉଭୟେ ଅନ୍ୟ ଚଢାଳୀଙ୍କ ସହ ହିମାଳୟର ବେସ୍ କ୍ଯାମ୍ପ ରେ ପହଞ୍ଚିଲେ। ବେସ୍ କ୍ଯାମ୍ପରେ ଗୋଟେ ଦିନ ରେଷ୍ଟ ନେବାପରେ ଏଭରେଷ୍ଟ ଅଭିଯାନ ଆରମ୍ଭ ହେବ।
ବିଷ୍ଣୁବର୍ଦ୍ଧନ ଋତୁପର୍ଣ୍ଣାଙ୍କୁ ଡାକି କହିଲେ ଋତୁ କିଏ ଜାଣେ ଏ ଯାତ୍ରା ସମୟରେ କଣ ଘଟିବ?ତେଣୁ ଚାଲ ଆମେ ଆଜିର ଏ ରାତିଟିକୁ ଆମେ ଏକତ୍ର ବିତାଇବା ଓ ହୃଦୟ ଖୋଲା କଥା ହେବା।ତାପରେ ବିଷ୍ଣୁବର୍ଦ୍ଧନ ଋତୁପର୍ଣ୍ଣାଙ୍କୁ ନିଜ ଛାତି ଉପରକୁ ଭିଡି ନେଇ କହିଥିଲେ ଋତୁ ମୋତେ ଗୋଟେ ପ୍ରତିଶ୍ରୁତି ଦେବ। ଋତୁପର୍ଣ୍ଣା କହିଲେ ଆଜି ପର୍ଯ୍ୟନ୍ତ ମୁଁ ତୁମର କେଉଁ କଥାକୁ ଅମାନ୍ଯ କରିଛି ଯେ ଆଜି ପୁଣି ତୁମେ ମୋ ଠାରୁ ପ୍ରତିଶ୍ରୁତି ନେବାପାଇଁ ଚାହୁଁଛ?
ବିଷ୍ଣୁବର୍ଦ୍ଧନ କହିଲେ ଜାଣିଛ ଋତୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଅନିଶ୍ଚିତତା ଭରି ରହିଛି। କିଏ ଜାଣେ ଆମର ଏ ଯାତ୍ରା ଯେ ଜୀବନର ଶେଷ ଯାତ୍ରା ହେବନି?ତୁମେ ଭଲଭାବେ ଜାଣ ସାରା ପୃଥିବୀରୁ ବର୍ଷକୁ କେତେ କେତେ ପର୍ବତାରୋହୀ ଏ ଏଭରେଷ୍ଟ ଶୃଙ୍ଗରେ ପାଦ ଦେଇ ନିଜ ଦେଶର ଜାତୀୟ ପତାକାକୁ ଫର ଫର ହୋଇ ଉଡାଇବା ପାଇଁ ଆସନ୍ତି। ଆଉ ସେ ଭିତରୁ କେତେ ଜଣ ସଫଳ ହୋଇ ସଶରୀରେ ଘରକୁ ଫେରନ୍ତି।ତଥାପି ତା ପ୍ରେମରେ ଅନେକ ପଡନ୍ତି। ଆଉ ତା ପାଖରେ ପହଞ୍ଚିବାର ସ୍ବପ୍ନରେ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି। ଯେମିତି ଆମେ ଦୁଇଜଣ।ତୁମେ ତ ଜାଣ ଏ ଯାତ୍ରା କେତେ କଠିନ। ତେଣୁ ମୋତେ ପ୍ରତିଶ୍ରୁତି ଦିଅ ଯଦି ଏଇ କଠିନ ଲକ୍ଷ୍ୟ ପଥର ମଝିରେ ଆମ ଭିତରୁ କାହାର କିଛି ହୋଇଯାଏ ତେବେ ଅନ୍ୟ ଜଣେ ପଛକୁ ଫେରିବ ନାହିଁ। ବରଂ ଦୁଇଗୁଣା ଉତ୍ସାହର ସହ ଆଗକୁ ଆଗେଇବ। ଆଉ ଲକ୍ଷ୍ୟ ପୂରଣ କରିବ।
ତା ପରଦିନ ଠାରୁ ଯାତ୍ରା ଆରମ୍ଭ ହେଲା। ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡୁଥାଏ ଉଭୟଙ୍କୁ।ଶିଖରରେ ପହଞ୍ଚିବା ପାଇଁ ଆଉ ମାତ୍ର ଦୁଇଟି ଚୋଟି ବାକିଥାଏ। ଯାହାକି ଯାତ୍ରାର ସବୁଠାରୁ କଠିନ ପର୍ଯ୍ୟାୟ। ଯେଉଁଠି କି ଗୋଟିଏ ଶିଖରରୁ ଅନ୍ୟ ଶିଖରକୁ ରସି ସାହାଯ୍ୟରେ ଯିବା ପାଇଁ ପଡେ। ଦୁଇଜଣ ଅନେକ କଷ୍ଟ କରି ରସି ସାହାଯ୍ୟରେ ଗୋଟେ ପଟରୁ ଅନ୍ୟ ପଟକୁ ଯିବା ପାଇଁ ଚେଷ୍ଟା କରୁଥାଆନ୍ତି। ସେ ସମୟରେ ଋତୁପର୍ଣ୍ଣା ଲକ୍ଷ୍ୟ କଲେ ଯେ ରସି ଦୁଇ ଜଣଙ୍କର ଭାର ସମ୍ଭାଳି ପାରୁ ନାହିଁ। ଆଉ ଗୋଟେ ପଟରେ ବରଫ ମଧ୍ୟ ଭାଙ୍ଗିବାକୁ ଲାଗିଲାଣି। ବିଷ୍ଣୁବର୍ଦ୍ଧନ କିନ୍ତୁ ଆଗକୁ ମାଡି ଆସୁଥିବା ବିପଦକୁ ନ ଦେଖି ଆଗକୁ ଆଗକୁ ମାଡି ଚାଲି ଥିଲେ ଏବଂ କହୁଥିଲେ ଋତୁ ଆଉ କିଛି ସମୟରେ ପରେ ମୋ ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ଆସିବ ଯେତେବେଳେ ମୁଁ ମୋ ପ୍ରଥମ ପ୍ରେମ, ମୋ ସ୍ବପ୍ନର ନାୟିକା ଏଭରେଷ୍ଟକୁ ଛୁଇଁବି।
ଋତୁପର୍ଣ୍ଣାଙ୍କ ଠାରୁ କିଛି ଜବାବ ନପାଇ ବିଷ୍ଣୁବର୍ଦ୍ଧନ କହିଲେ ଋତୁ ଆଉ ଅଳ୍ପ ବାଟ ରହିଲା ତୁମେ ଏମିତି ପଛାଇ ଗଲେ ହେବ। ଋତୁପର୍ଣ୍ଣା କହିଲେ ବିଷ୍ଣୁ ମୋ ପକ୍ଷରେ ଆଉ ଆଗକୁ ଆଗେଇବା ସମ୍ଭବ ହେଉନି। ମୋ ଶରୀର ମୋ ସାଥି ଦେବା ଛାଡି ଦେଲାଣି। ଆଉ ମୋ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ମଧ୍ୟ ସରିବା ଆରମ୍ଭ କରି ଦେଲାଣି। ତେଣୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ତୁମେ ମୋତେ ଅପେକ୍ଷା ନ କରି ଆଗକୁ ଆଗେଇ ଚାଲ। ମୁଁ ତୁମ ପଛରେ ଅଛି। ଆଉ ମନେ ମନେ କହିଲେ ଏ ଜନ୍ମରେ ଆଉ ଦେଖାହେବା ଭଳି ଲାଗୁନି। କହି ସେ ଧରିଥିବା ରସିଟିକୁ ଛାଡି ଦେଲେ। ବିଷ୍ଣୁବର୍ଦ୍ଧନ ସେ ସମୟରେ ଲକ୍ଷ୍ୟ କଲେ ଯେ ଆଗରେ ଥିବା ବରଫ ଗୁଡିକ କେମିତି ଭାଙ୍ଗି ଖସି ପଡୁଛି। କିନ୍ତୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସେ ଆଗକୁ ଆଗେଇ ଚାଲିଲେ ଓ ଏଭରେଷ୍ଟ ଶିଖରରେ ପହଞ୍ଚିଲେ। ଋତୁ କିନ୍ତୁ ଆଉ ତାଙ୍କ ପଛରେ ପହଞ୍ଚି ନ ଥିଲେ।
ଆଜି ଦୀର୍ଘ ଅଠର ବର୍ଷ ପରେ ବରଫ ତଳୁ ଉଦ୍ଧାର ହୋଇଥିବା ଶବ ଭିତରେ ତାଙ୍କ ପ୍ରାଣ ପ୍ରିୟା ଋତୁକୁ ଦେଖିବାକୁ ପାଇଲେ ଓ ଜାଣିବାକୁ ପାଇଲେ ତାଙ୍କ ଶବ ସହ ଗୋଟେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ମିଳିଛି। ଆଉ ତା ଭିତରେ କିଛି ଅକ୍ସିଜେନ ଆଜି ପର୍ଯ୍ୟନ୍ତ ରହିଛି। ବିଷ୍ଣୁବର୍ଦ୍ଧନଙ୍କର ଆଉ କିଛି ବୁଝିବାକୁ ବାକି ରହିଲା ନାହିଁ। ସେ କହି ଉଠିଲେ ସତରେ ଋତୁ ମୋ ସ୍ବପ୍ନ ପୂରଣ ପାଇଁ, ମୋତେ ଶୀର୍ଷରେ ପହଞ୍ଚାଇବା ପାଇଁ ତୁମେ ତୁମ ପ୍ରାଣ ଉତ୍ସର୍ଗ କରି ଦେଲ ଆଉ ମୋତେ କହିଲ ତୁମ ଅକ୍ସିଜେନ ସିଲିଣ୍ଡର ରୁ ଅକ୍ସିଜେନ ସରି ଯାଇଛି ବୋଲି।
ଋତୁପର୍ଣ୍ଣାଙ୍କ ପ୍ରେମର ପରାକାଷ୍ଠା ଆଗରେ ବିଷ୍ଣୁବର୍ଦ୍ଧନଙ୍କ ମୁଣ୍ଡ ନଇଁ ଯାଇଥିଲା ଓ ତାଙ୍କର ନିଚ୍ଛକ ପ୍ରେମର ପ୍ରତିଦାନ ସ୍ବରୂପ ତାଙ୍କ ଆଖିରୁ ଝରିପଡି ଥିଲା ଦୁଇ ଟୋପା ଅଶ୍ରୁ।