ସୁପର ହିରୋ ଆଉ ସୁନ୍ଦର ବାକ୍ସ ..
ସୁପର ହିରୋ ଆଉ ସୁନ୍ଦର ବାକ୍ସ ..
କୁନି ରାହୁଲ୍ ର ମାମା କୁ ଗୋଟିଏ ପ୍ରଶ୍ନ , ପାପା ଏଥର ମୋ ଜନ୍ମ ଦିନ ବେଳକୁ ଆସିବେ ନା? ତା ମାମା ର ସେହି ଏକା ଉତ୍ତର , ହଁ ହଁ ନିଶ୍ଚୟ ଆସିବେ ,ସିଏ ପରା ପ୍ରମିଶ କରିଛନ୍ତି ଯେ ୧୬ ଫେବୃଆରୀ ରେ ଆସିବେ , ତୋ ଜନ୍ମ ଦିନ ଏଥର ବହୁତ ଧୁମ ଧାମ ରେ ହେବ | ଅବୁଝା ରାହୁଲ ମାମା କୁ ପଚାରେ , ସିଏ ଆମ ସହ କଣ ପାଇଁ ରହୁ ନାହାନ୍ତି ଯେ ,ଯେମିତି ଅନ୍ୟ ଦିଦି ଆଉ ଭାଇ ମାନଙ୍କ ଘରେ ତାଙ୍କ ପାପା ରୁହନ୍ତି | ମାମା ,କହନ୍ତି ପାପା ପରା ଅଫିସ୍ କାମ ରେ ଯାଇଛନ୍ତି | ରାହୁଲ ପଚାରେ ସିଏ ଏଠି କଣ ପାଇଁ ଅଫିସ ଯାଉ ନାହାନ୍ତି ଯେମିତି ହରିଶ ଆଉ ସୋମୁ କାକା , ରାଜୁ ମାମୁଁ ,ସମସ୍ତେ ଏଠି ତା ଅଫିସ୍ ଯାନ୍ତି ନା | ପାପାଙ୍କ ଅଫିସ୍ ଟା ଏତେ ଦୂର ରେ କାହିଁକି ଯେ | ପାପା କଣ କାମ କାମ କରୁଛନ୍ତି କି ,ତାଙ୍କୁ କହୁନୁ ସିଏ ସବୁଦିନେ ଆମ ସହ ରହିବେ ? ମାମା , କହେ , ତୋ ପାପା , ଜଣେ ବୀର ଯବାନ୍ | ନିଦୁଆ ଆଖି ମଳୁ ମଳୁ ରାହୁଲ ପଚାରେ , ବୀର ଯବାନ୍ ମାନେ କଣ ? ମାମା କହେ ,ଯେମିତି ଟିଭି ରେ ତୁ ଦେଖୁ ସୁପର ହିରୋ ମାନେ ଲୋକଙ୍କୁ ଦୁଷ୍ଟ ରାକ୍ଷସ ମାନଙ୍କ କବଳ ରୁ କୁନି କୁନି ପିଲା ମାନଙ୍କୁ ରକ୍ଷା କରନ୍ତି ,ସେମିତି ତୋ ପାପା ବି ଦିନ ରାତି କାମ ରେ ଲାଗିଛନ୍ତି ,କେମିତି ଆମ ଦେଶ କୁ ରାକ୍ଷସ ମାନଙ୍କ ଆକ୍ରମଣ ରୁ ରକ୍ଷା କରିବା ଲାଗି | ରାହୁଲ୍ କହିଲା , ଓହୋ ବୁଝି ଗଲି ତାମାନେ ମୋ ପାପା ବି ଜଣେ ସୁପର୍ ହିରୋ |ମାମା, ମୁଁ ବି ବଡ଼ ହେଲେ ଜଣେ ସୁପର ହିରୋ ହେବି ସବୁ ରାକ୍ଷସ ମାନଙ୍କୁ ଗୁଡ଼ୁମ୍ ଗୁଡ଼ୁମ୍ କରି ଫିନିସ୍ କରି ଦେବି |
୧୫ ଫେବୃଆରୀ , ୨୦୧୯ ,ରାହୁଲ ନିଦ ରୁ ଉଠିକି ଦେଖେ ଆରେ ଏତେ ଗହଳି କଣ ପାଇଁ ଘରେ , ମାମା ର କଣ ହେଇଛି , ଦାଦା ,ଦାଦି କଣ ପାଇଁ କାନ୍ଦୁଛନ୍ତି , ସିଏ ଆଶ୍ଚର୍ଯ୍ୟ ହୋଇ ମିନା କାକି କୁ ପଚାରିଲା ,କଣ ହେଇଛି କାକି , ସମସ୍ତେ କାନ୍ଦୁଛନ୍ତି କଣ ପାଇଁ , କାଲି ମୋ ଜନ୍ମ ଦିନ ,ପାପା ପ୍ରମିଶ କରିଥିଲେ ଆସିବେ ବୋଲି ,କୁହ କାକି ପାପା ଆସିବେ ନା ନାହିଁ | ସିଏ ତାଙ୍କ ପ୍ରମିଶ୍ କେମିତି ଭୁଲି ଗଲେ ?ଦାଦା ଜୀ ଆଖିରୁ ଲୁହ ପୋଛୁ ପୋଛୁ ତାକୁ କୋଳ କୁ ଉଠାଇ ନେଇ କହିଲେ , ନାରେ ବାବା , ତୋ ପାପା ତା ପ୍ରମିଶ୍ ଭୁଲିନି ସିଏ ଆସୁଛି ଆଜି |ଚାଲେ ,ତତେ ତୋ ପାପା ପାଖକୁ ନେଇ ଯିବି | ଭିଡ଼ କାଟି କାଟି , ଦାଦା ଜୀ ,ରାହୁଲ୍ କୁ ନେଇ ଫୁଲ ରେ ସଜ୍ଜିତ ଏକା ବିରାଟ ବାକ୍ସ ଆଡକୁ ଆଙ୍ଗୁଠି ଦେଖାଇ କହିଲେ , ଦେଖେ ତୋ ପାପା ଆସିଛି ପରା | ତିନି ବର୍ଷ ର ରାହୁଲ୍ ଭାବୁଥିଲା ,ସୁପର୍ ହିରୋ ମାନେ ଘରକୁ ଆସିଲେ ଏମିତି ଫୁଲ ଭରା ସୁନ୍ଦର ବାକ୍ସ ରେ ଆସନ୍ତି ବୋଧେ |
© ଡକ୍ଟର୍ ଅମ୍ରିତା ପାଣି