ନର୍କଲୋକର ମଣିଷ
ନର୍କଲୋକର ମଣିଷ
ସେଦିନ ସନ୍ତୋଷ ବାବୁ ଖୁବ ବିବ୍ରତ ଦେଖା ଯାଉ ଥିଲେ । ବିଷର୍ଣ୍ଣତା ଭରି ଯାଇଥିଲା ତାଙ୍କ ମୁଖ ମଣ୍ଡଳରେ, ସେ’ ଖୋଜି ବୁଲୁଥିଲେ ଅନ୍ୟ ଏକ ଦୁନିଆଁ । ଯେଉଁଠି ସେ’ ଅନ୍ତତଃ ଟିକେ ଶାନ୍ତିରେ ବଞ୍ଚି ପାରିବେ। ଅନେକ ସମ୍ପତି ଥାଇବି ସେ ଭଲରେ ଦି’ଟା ଖାଇ ପାରିବେ ଶାନ୍ତିରେ ଟିକେ ଶୋଇ ପାରିବେ । ବେଳେ ବେଳେ ମୁହଁ ଟି ସୁଖେଇ ନିଜର ଭୁଲକୁ ଏକାନ୍ତରେ ବସି ସମୀକ୍ଷା କରନ୍ତି । ପତ୍ନୀ ରୂପେ ଶାଶ୍ଵତୀକୁ ବାଛି ସେ’ କେବଳ ଭୁଲ କରି ନାହାନ୍ତି, କରିଛନ୍ତି ଜଘନ୍ୟ ଅପରାଧ । କଥା କଥାରେ ଶାଶ୍ଵତୀର କଟୁକ୍ତି ତା’ଙ୍କୁ ବଡ ଆଘାତ ଦିଏ । ସେ’ ସେଇ ମୁହୁର୍ତ୍ତକୁ ଭୁଲି ବାକୁ ଯାଇ ଘର ଛାଡି ବାହାରକୁ ଚାଲି ଯାନ୍ତି । ଏକ ନିର୍ଜନ ସ୍ଥାନରେ ବସି ଅନେକ କିଛି ଭାବନ୍ତି ଓ ନିଜକୁ ଦୋଷ ଦେଇ ମନ ବୁଝିଲା ପରେ ଘରକୁ ଫେରନ୍ତି । ଏପରିକି କେବେ କେବେ ଏକାନ୍ତରେ କାନ୍ଦି କାନ୍ଦି ଲୁହ ଗୁଡାକୁ ବାହାର କରି ମନକୁ ହାଲୁକା କରି ଘରକୁ ଫେରନ୍ତି । ସେ’ ଭାବନ୍ତି ଶାଶ୍ଵତୀକୁ ବେଶି ଭଲ ପାଇ ସେ’ ଭୁଲ କିଛି କରିଛନ୍ତି କି ? ତେଣୁ ସେ’ ଶାଶ୍ଵତୀ ଠାରୁ ଶୁଣୁଥିବା କଟୁକ୍ତି ତାଙ୍କ ସ୍ଵଭାବ ପାଇଁ ଠିକ । କୌଣସି ସିଦ୍ଧାନ୍ତରେ ପହଞ୍ଚି ନ ପାରି କେବଳ ଭାଗ୍ୟ ଓ ଭଗବାନ ଉପରେ ତୁଚ୍ଛ ଅଭିମାନ କରି ଫେରନ୍ତି । ଭାବନ୍ତି ପତି ପତ୍ନୀ ଭିତରେ ଏମିତି କେତେ କ’ଣ ଘଟେ । ସେ’ କଥା କେତେ ଦିନ ଧରି ବସିବେ-ସେ’ ।
ଏମିତି ଦହଗଞ୍ଜ ଜୀବନ ଭିତରେ ଗତି କରୁଥିବା ମଣିଷଟିଏ ହେଲେ ସନ୍ତୋଷ ବାବୁ । ସନ୍ତୋଷ ବାବୁ ହୋଟେଲ ମାନେଜମେଣ୍ଟରେ ଡିଗ୍ରୀ ଧାରୀ ମେଧାବୀ ଛାତ୍ର ଥିଲେ । ଅନେକ ବିଦେଶୀ ସର୍ଭିସ ଅଫରକୁ ସେ’ ପ୍ରତ୍ୟାଖ୍ୟାନ କରିଛନ୍ତି । ସ୍ଵାଭିମାନୀ ଓ ସ୍ଵାବଲମ୍ବୀ ଚିନ୍ତା ଧାରାକୁ ନେଇ ସେ’ ନିଜେ ଗୋଟିଏ ହୋଟେଲ ଓ ରେଷ୍ଟୋରାଣ୍ଟ କଲେ । ଗାଁରେ ଥିବା ସମସ୍ତ ସମ୍ପତି ବିକ୍ରୟ କରି ଶେଷରେ ଏଇ ଧନ୍ଦାକୁ ଶ୍ରେୟ ମନେକରି ଆଗେଇ ଚାଲିଲେ, ଜୀବନର ଗତି ପଥରେ-ସନ୍ତୋଷ ବାବୁ ।
ବାପା ମା’ ଙ୍କ ପ୍ରବଳ ଚାପରେ ଶେଷରେ ସେ’ ବାଧ୍ୟ ହୋଇ ବାହା ହେଲେ ଏକ ରାଜନୀତି କରୁଥିବା ଘରର ଝିଅ ଶାଶ୍ଵତୀକୁ । ଆଶା ଥିଲା, ରାଜନୀତି ବଳରେ କିଛି ଗଡ ଧରଣର ପରିବର୍ତ୍ତନ କରିବେ । କିନ୍ତୁ ବିଭା ହେବା ପରେ ଆଖି ଲୁହକୁ ଆଞ୍ଜୁଳାରେ ଧରି ଦେଖୁଛନ୍ତି ନିଜର ପ୍ରତିବିମ୍ବ । ଅନ୍ତର୍ଦାହ ଦ୍ଵାରା ଝରି ପଡିଥିବା ତପ୍ତ ଲୁହ ଭିତରେ ସେ ଏକ ଦ୍ରବିଭୂତ ମଣିଷ । ଶାଶୁ ଶଶୁରଙ୍କ ସେବା କରନ୍ତିନି ଶାଶ୍ଵତୀ । ସ୍ଵାମୀ ସେବା କରିବା ଦୂରର କଥା ଓଲଟି କହନ୍ତି ସମୟ ବଦଳି ଗଲାଣି । ମୁଁ’ ତୁମର କ୍ରୀତ ଦାସୀ କି ସେବିକା ନୁହେଁ ,ଲୋକେ ସଂସ୍କୃତିକୁ ଭୁଲି ଗଲେଣି ଆଉ ଏ’ ପାଞ୍ଚ ହଜାର ପୁରୁଣା ପାଠର ଆଲୋଚନା ପରମ୍ପରାକୁ ପଚାରେ କିଏ । ମୁଁ ମାନି ପାରିବିନି ସାବିତ୍ରୀର ମିଛ କଥାକୁ, ଏସବୁ କେବଳ ଆଉ
//୨//
କେବଳ ସ୍ଵାମୀ ମାନଙ୍କର ସ୍ତ୍ରୀମାନଙ୍କୁ ସେବାର ଗୋଲାମୀରେ ବାନ୍ଧି ରଖି ସେବିକା ସଜେଇ ପରମ୍ପରାର ଡର ଦେଖେଇ ମନମୁତାବକ ସଖୀ-କଣ୍ଢେଇ ଭଳି ନଚେଇବା । ମୁଁ ଚାହେନା ସେ ସୀତା ହେଇ ସ୍ଵାମୀଙ୍କୁ ଦେବାକୁ ସତୀତ୍ଵର ଅଗ୍ନି ପରୀକ୍ଷା କିମ୍ବା ରାବଣ ଦ୍ଵାରା ଅପହୃତ ହେଇ ବିରହକୁ ନେଇ ବଞ୍ଚିବାକୁ । ମୁଁ ଚାହେନା ପାଟରାଣୀ ହେବାକୁ କୌରବ କୁଳର, ଆଖିରେ ଅନ୍ଧପୁଟଳୀ ବାନ୍ଧି ଠିଆ ହେବାକୁ ମୂର୍ତ୍ତୀମନ୍ତ ଦେବୀ ହୋଇ ତ୍ୟାଗର ଚରମ ସୀମାରେ । ଏ ସବୁ ସ୍ଵାମୀମାନଙ୍କର ଦୁର୍ବଳତା । ପରମ୍ପରାର ବୋଝ, ସାମାଜିକ କଟକଣାର ନିୟମ ଓ ଚାଲି ଚଳଣିର ପରାଧୀନତା ଶ୍ରୁଙ୍ଖଲାରେ ବାନ୍ଧି ରଖିବା ।
ଶାଶ୍ଵତୀ ବଡ ଘରର ଝିଅ ସେ, କିଛି ସାଂସାରିକ ଅନୁଶାସନ ମାନି ଚାଲିବା ଟିକେ ଅସଙ୍ଗତ ଲାଗେ । ଶାଶ୍ଵତୀର ସବୁ କଥାରେ ସହମତି ହୋଇ ସଂସାର ଚଳେଇ ନେବାରେ ଯେଉଁ ବାଧା ତାହା ସାଂସାରିକ ଲୋକଟି ହିଁ ଜାଣେ । ସମୟ ଗଡି ଚାଲେ-।
ଏକ ସଡକ ଦୁର୍ଘଟଣାରେ ଶାଶ୍ଵତୀ ର ବାପାଙ୍କ ସ୍ଵର୍ଗବାସ ହୁଏ । ଶାଶ୍ଵତୀର ଭାଇ ଶଶାଙ୍କ ସମସ୍ତ ସମ୍ପତି ଖାଇବାର ଷଡଯନ୍ତ୍ର କରି ବାକୁ ଯାଇ ଖୋଜି ବୁଲିଲା ଶାଶ୍ଵତୀକୁ ଭଲ ପାଉଥିବା କଲେଜ ବନ୍ଧୁ ସମୀରକୁ । ସମୀର ଶାଶ୍ଵତୀ ଠାରୁ ପ୍ରତାରଣାର ଶିକାର ହୋଇ ନିଜେ ବିବାହ ନ କରିବାକୁ ଶପଥ ନେଇ ସାରି ଥାଏ । କାରଣ ଶାଶ୍ଵତୀ ପାଇଁ ସେ ଅନେକଥର ନିଜର ସାମାଜିକ ସମ୍ମାନରେ କଳଙ୍କ ଲଗେଇ ସାରିଛି । ଏପରିକି ଶାଶ୍ଵତୀର ଭଲ ପାଇବାକୁ ସ୍ଵୀକୃତି ନ ଦେଉଥିବା ବାପାଙ୍କ ବିରୁଦ୍ଧରେ ଯାଇ ସେ’ ବାପାଙ୍କ ପ୍ରତି ବଡ ଅନ୍ୟାୟ କରିଛି । ଯେଉଁ କାରଣ ପାଇଁ ତା’ ବାପାଙ୍କ ଅକାଳ ମୃତ୍ୟୁ ହେଲା । ସେଇ ପଶ୍ଚ।ତାପରେ ସେ’ ଆଜି କୁରୁଳି କୁରୁଳି ଜଳି ଜଳି ମରୁଛି । ପୁରୁଣା ସ୍ମୃତିର ଦଂଶନରେ ସେ ଅର୍ଦ୍ଧ ପାଗଳ ହୋଇ ହରେଇ ବସିଛି ମାନସିକ, ଆର୍ଥିକ ଓ ସାମାଜିକ ସ୍ଥିତି । ଏହି ସମୟରେ ପୁରୁଣା ପ୍ରେମକୁ ଉଦଜୀବିତ କରି ସମୀରର ସୁପ୍ତ ପ୍ରୀତି ଭରା ମନକୁ ପୁନଃ ଜାଗ୍ରତ କରିଛି ଶାଶ୍ଵତୀର ଭାଇ ଶଶାଙ୍କ । ଚରିତ୍ରରେ ସମୀର ଜଣେ ମଦ୍ୟପ । ବାପାଙ୍କ କଥା ମାନେନା । କଥା କଥାରେ ଜବାବ ଦିଏ । ବାପାଙ୍କ ବ୍ୟବସାୟରେ ସାହାର୍ଯ୍ୟ କରିବା ପରିବର୍ତ୍ତେ, ବ୍ୟବସାୟର ଏକ ଚତୁର୍ଥାଂଶ ନିଜର ସଉକରେ ଖର୍ଚ୍ଚ କରେ । ସେଥିରେ ତାଙ୍କ ବାପା ରାଗନ୍ତି ନାହିଁ, କାରଣ ସେ ଜାଣନ୍ତି ଏ ସବୁ ରୋଜଗାର ଏକମାତ୍ର ପୁଅ ପାଇଁ । ଅଯୋଗ୍ୟ କିମ୍ବା ଯୋଗ୍ୟ ପିଲା ମାନଙ୍କ ପାଇଁ ଧନ ସଞ୍ଚୟ କରିବା ବୃଥା । ଯେମିତିକି ସମୀର ଭଳି ଜଣେ ଅଯୋଗ୍ୟ ପୁତ୍ର ପାଇଁ ତାଙ୍କ ବାପାଙ୍କ ଅର୍ଥ ରୋଜଗାର ଥିଲା କେବଳ ମଦ୍ୟପ ପୁଅର ପାପର ପ୍ରାୟଶ୍ଚିତ କରିବା । ସେ ଯାହା ହେଉନା କାହିଁକି ବାପାଙ୍କ ସମସ୍ତ ଅର୍ଥକୁ ନିଜେ ହାତେଇବାକୁ ଷଡଯନ୍ତ୍ରର ଉପାୟ ଚିନ୍ତା କରି ଶଶାଙ୍କ, ସନ୍ତୋଷ ଓ ଶାଶ୍ଵତୀ ଭିତରେ ଫାଟ ସୃଷ୍ଟି କରି ସମସ୍ତ ସମ୍ପତିରୁ ବାଦ ଦେବାଥିଲା ଏକ ମୁଖ୍ୟ ଉଦ୍ଦେଶ୍ୟ । ଷଡଯନ୍ତ୍ର ଚିନ୍ତା କରି ପୁରୁଣା ବନ୍ଧୁ ସମୀରକୁ ନେଇ ଶଶାଙ୍କ ପହଞ୍ଚିଲା ଶାଶ୍ଵତୀ ଘରେ । ସଳାକୁ ଦେଖି ସନ୍ତୋଷର ଆନନ୍ଦର ସୀମା ରହିଲା ନାହିଁ ଆଉ ସମୀରକୁ ଏତେ ନିକଟରେ ଦେଖି ପୁରୁଣା ପ୍ରେମର ସ୍ମୃତି ଭରା ମୂହୁର୍ତ୍ତ ଗୁଡାକ ଭାସି ଆସିଲା ଯେମିତି ଶାଶ୍ଵତୀ ଆଖିଆ ଆଗରେ । ସେଇ ଅବସରରେ ସେ ଦେଖିପାରିଥିଲା ଶାଶ୍ଵତୀ ର ସନ୍ତୋଷ ସହିତ କିଛି ଖଟାସ ବ୍ୟବହାର । କଳି ଝଗଡା- ବାକ୍କ ବିତଣ୍ଡା । ଶାଶ୍ଵତୀକୁ ହାତେଇ ବାକୁ ଚିନ୍ତା କରି ସନ୍ତୋଷକୁ କହିଲା ଏମିତି ଲୋକହସା ହୋଇ କଳି ଝଗଡା, ସ୍ଵାମୀ ସ୍ତ୍ରୀ ରେ ଲାଗିବା ଅପେକ୍ଷା ତୁମେ ନୂଆ ବାହା ହୁଅ । ମୋ’ ଭଉଣୀର ଏପରି ଅସହାୟ ମୁହଁ ମୁଁ ।
//୩//
ଦେଖି ପାରିବିନି । ମୋ ଭଉଣୀର ପୂର୍ବ ପ୍ରେମିକ ସମୀର ଚୌଧୁରୀ ଏବେ ବି ଶାଶ୍ଵତୀର ଫେରନ୍ତା ବାଟକୁ ଚାହିଁ ବସିଛି । ଶାଶ୍ଵତୀ ଠାରୁ ସନ୍ତୋଷକୁ ଅଲଗା କରିବାକୁ ଉପାୟ ଚିନ୍ତା କରୁ କରୁ ଦେଖିଲା ଦୁଇଜଣଙ୍କ ଦାମ୍ପତ୍ୟ ଜୀବନ ଖୁସୀ ନୁହେଁ । କାରଣ, ଶାଶ୍ଵତୀକୁ ଜୀବନ ସାଥୀ ରୂପେ ଗ୍ରହଣ କରି ସନ୍ତୋଷ ସୁଖୀ ନୁହେଁ । ତେଣୁ ସେ’ ସମ୍ପତି ଖାଇବା ପାଇଁ ଭଊଣୀ ପାଇଁ ପଦ୍ୟପ ସମୀର ସହିତ ଓ ସନ୍ତୋଷ ଦାମ୍ପତ୍ୟ ଜୀବନ ଖୁସି ପାଇଁ ଏକ ଯାତ୍ରା ପାର୍ଟିରେ ସୁନ୍ଦରୀ ମହିଳା କଳାକାର ଶିଲା ଶୁଭଦର୍ଶିନୀକୁ ନେଇ ହାଜର କରେଇଛି ସନ୍ତୋଷ ପାଖରେ । ପ୍ରଥମେ ଘର ଚାକରାଣୀରୁ ରାଣୀ ହେଇପାରିଛି ଚାକରାଣୀ- ଶିଲା ଶୁଭଦର୍ଶିନୀ । ସନ୍ତୋଷ ହଜିଯାଇଛି ନୂଆଏକ ପହିଲି ବସନ୍ତର ତନ୍ଦ୍ରାସିକ୍ତ ପ୍ରଣୟ ପ୍ରେମରେ । ଶିଲା ସହିତ ମିଶେଇ ଦେଇଛି ନିଜର ଅସ୍ତିତ୍ଵ । ସମ୍ପତି ଶୋଷଣ କରିବାର ଅଭିନୟ ଆରମ୍ଭ କରିଛି ଶିଲା । ମିଛି ମିଛିକା ପିଲା ଦିନ ଧୂଳିଘର ପରି ସ୍ତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଖୁଣ ଅଭିନୟ କରିଛି ଶିଲା ଓ ଗଢିଛନ୍ତି ପ୍ରହେଳିକା ଭରା ପ୍ରେମର ସୌଧ ।
ଅନ୍ୟ ପକ୍ଷେ, ଶାଶ୍ଵତୀର ପୁରୁଣା ପ୍ରେମିକକୁ ଦେଖି ଶାଶ୍ଵତୀ ସେଇ ପୁରୁଣା ସ୍ମୃତିକୁ ମନେ ପକେଇଛି ଓ ଧୀରେ ଧୀରେ ସମୀରର ନିକଟରୁ ନିକଟତ୍ତର ହୋଇଛି । ସଂସାର ଭିତରେ ସ୍ଵାମୀ ଓ ସ୍ତ୍ରୀ ଭିତରେ ସୃଷ୍ଟି ହୋଇଛିଇ ମନୋମାଳିନ୍ୟ ଓ ସନ୍ଦେହ । ଧୀରେ ଧୀରେ ସନ୍ଦେହ ତୀବ୍ରତ୍ତର ହୋଇ ଉଠିଛି । ଏଇ ସୁଯୋଗର ଲାଭକୁ ଆଶା ରଖି ଶଶାଙ୍କ ଚାହିଛି । ସବୁ ଦିନ ପାଇଁ ଶାଶ୍ଵତୀ କେମିତି ଚାଲି ଯାଉ । ସନ୍ତୋଷ ଶିଲା ସହିତ ନୂଆ ସଂସାର ଗଢୁ । ସେଇ ଆଶା ତା’ର ସଫଳ ହେଲା । ଶାଶ୍ଵତୀକୁ ନେଇ ସବୁ ଦିନ ପାଇଁ ସମୀର ସେ ଇଲାକା ଛାଡି ଚାଲି ଗଲା । ପୁରୁଣା ପ୍ରେମ ଯେତେ ହେଲେ ବି କେହି କେବେ ଭୁଲି ପାରନ୍ତି ନାହିଁ । ତାହାର ସ୍ମୃତି ସବୁବେଳେ ମନ ଭିତରେ ରହିଥାଏ । କେହି କେବେ କହେ ନାହିଁ ସେ ପ୍ରେମର ଇତି କଥା, ହେଲେ ତା’ର ବ୍ୟଥା ଅସହ୍ୟ ।
ସମସ୍ତ ସମ୍ପତିକୁ ତ୍ୟାଗ କରି ଶାଶ୍ଵତୀ ଚାଲି ଗଲା ସମୀର ସହିତ । ଶିଲାର ସାନିଧ୍ୟ ପାଇ ସନ୍ତୋଷ ଖୁସୀରେ ଜୀବନ ଜାପନ କଲା । ଯାହା ଅପୂର୍ଣ ଥିଲା ତା ଜୀବନ ପାଇଁ । ଅନ୍ଧାର କୋଣ ଠାରୁ ଯଦି କୃଷ୍ଣଚୂଡା ଛାଇ ଅଧିକ ଶୀତଳ ତେବେ କି ଆବଶ୍ୟକ ସେ ଅନ୍ଧାର କୋଣ । ଯେଉଁ ଅନ୍ଧାରରେ ହଜିଯାଏ ନିଜର ସତ୍ତା ଓ ସମ୍ପତି ।
ସମାଜର ଆଖିରେ ଏହା କିନ୍ତୁ ଓଲଟା । ସମାଜ ଚାହେଁ, ଯାହା ସଂସ୍କୃତି ଦ୍ଵାରା ସ୍ଵୀକୃତି । ସମାଜ ଆଖିରେ ଏହା ଏକ ଭଙ୍ଗା ଆଇନାର କାଚ ଟୁକୁଡା ଭଲି ବିଛେଇ ହୋଇ, ବିବର୍ଣ୍ଣ ଆଲୋକ ମାଳାରେ ପ୍ରତିବିମ୍ବିତ କରୁଥିଲା। ଆଜିର ମଣିଷ ସଂସ୍କୃତିର ଭାଷା କହି, ସମ୍ପତି ପଛରେ ଗୋଡେଇ ନିଜର ପ୍ରତିପତ୍ତି, ଅଭିଜାତ୍ୟ ବଂଶ ପରମ୍ପରାକୁ ତ୍ୟାଗ କରୁଥିବା ମଣିଷ ବାସ୍ତବରେ ମଣିଷ ନୁହେଁ ସେ ହେଉଛି -ଏକ ଭିନ୍ନ ସମାଜର ଜୀବ । ଯେଉଁଠି ମିଳେନା ସ୍ଵର୍ଗୀୟ ସୁଖ ଯାହା ନୁହେଁ ବୈକୁଣ୍ଠ ନିବାସ ସମ । ସେଠାରେ ନିବାସ କରନ୍ତି ନର୍କ ଲୋକ । ସେଠାରେ ନ ଥାଏ ପତୀ ପତ୍ନୀ ପ୍ରତି ଆକର୍ଷଣ ଓ ଆତ୍ମବିଶ୍ଵାସ .....ଭଲ ପାଇବା ଥାଏ ବହୁତ ଦୂରେ ...।
ଖରା ବଢି ଯାଇଥିଲା-ଶଶାଙ୍କ ଦେଖୁଥିଲା ବାସ୍ତବରେ ସମ୍ପତ୍ତି ଅନାବିଳ ସ୍ନେହକୁ ଚିହ୍ନି ପାରେନା । ପ୍ରତ୍ୟଖ୍ୟାନ କରି ଦିଏ ଭାଇ ଭଉଣୀର ରକ୍ତ ଗତ ସମ୍ପର୍କକୁ । ସେ ହାରି ଯାଇଛି ଏ ସବୁ କରି ସେ କେବଳ ସମ୍ପତ୍ତିର ମାଲିକ ହେଇ ଗଲା ହେଲେ
//୪//
ଭଉଣୀ ପ୍ରତି ସେ ଯେଉଁ ଅନ୍ୟାୟ କଲା ସେଇଟା କ’ଣ ଠିକ । ଠିକ ଭୂଲର ବାଟ ଅଣ୍ଡାଳୁ ଅଣ୍ଡାଳୁ ସେ ସେଇଠି ଟଳି ପଡି ଥିଲା । ଆକାଶରେ ଉଡୁଥିବା ଶାଗୁଣା ଦିଟା ଚକ୍କର କାଟି ଶଶାଙ୍କ ପାଖରେ ବସିଗଲେ । ନିର୍ଜୀବ ଦେହଟାରୁ ନିଜର ଥଣ୍ଟରେ ଖୁମ୍ପି ଖୁମ୍ପି ପାପ ଭରା ଅନ୍ତ-ନାଡୀକୁ ଭିଡ଼ି ଖାଇ ଚାଲିଥିଲେ । ପାପରେ ଭରା ଅନ୍ତ ବୁଜୁଳା ଶାଗୁଣା ପକ୍ଷୀର ଖାଦ୍ୟ ହୋଇ ଯାଇଥିଲା । ଦେହରେ ଥିବା ପାପଭରା ରକ୍ତକୁ ନିଦାଘର ଖରା ଶୋଷି ନେଉଥିଲା ।
ଅପରାହ୍ନ ବେଳକୁ କେଇଖଣ୍ଡ ହାଡର ଟୁକୁଡା ପଡି ରହିଥିଲା । ଗୋଟିଏ ପାପ ଶବ ସତ୍କାର କରିବାକୁ କେହି ନ ଥିଲେ । ନଇଁ ଆସିଥିଲା ସଞ୍ଜ ଓ ରାତିର କଳା ପରଦା ଭିତରେ ଲୁଚି ଯାଉଥିଲା ସାରା ପୃଥିବୀ । ମନ୍ଦିର ପ୍ରାଙ୍ଗଣରୁ ଭାସି ଆସୁଥିଲା ସଙ୍ଗୀତର ସୁଲଳିତ ସ୍ଵର – ‘’କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ, କି’ଘେନି ଯିବୁ ତୋର ଛୁଟିଲେ ଘଟରେ ... ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟି ଯେ ... ।’’