Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Inspirational

3  

Sagarika Mohanty

Inspirational

ମୁଠାଏ ପବନ

ମୁଠାଏ ପବନ

4 mins
7.2K


ସକାଳୁ ସକାଳୁ କଲିଂ ବେଲର ଶବ୍ଦ ଶୁଣି ମୁଣ୍ଡ ଝାଇଁ ଝାଇଁ ହେଇଗଲା । କାଲି ରାତି ସାରା ଭଲ ନିଦ ହେଇନି , ତା ଉପରେ ପୁଣି ଏ କଲିଂ ବେଲର କର୍କଶ ଶବ୍ଦ । କେତେଥର ୟାଙ୍କୁ କହିଲିଣି ସେ ବେଲଟା ବଦଳେଇ ଦେବାକୁ କିନ୍ତୁ ୟାଙ୍କୁ ନିଜ ଅଫିସରୁ ଫୁରସତ ମିଳିଲେ ତ ! 

ଅଜଗର ସାପ ପରି ମୋଡି ମାଡ଼ି ହେଇ ତକିଆଟାକୁ କାନ ଉପରେ ଜାକି ପକେଇଲି । ପଣ କରି ନେଇଥିଲି ଆଖି ନ ଖୋଲିବାକୁ । ରାତିରେ ଭଲ ନିଦ ହେଲା ନାହିଁ । ଏଇନା ଆଉ ଘଣ୍ଟାଏ ନ ଶୋଇଲେ ମୋ ମୁଣ୍ଡ ଖରାପ ହେଇଯିବ। ଏସିଟା ଅଧରାତିରୁ ବନ୍ଦ ହେଇଗଲା । କଣ ଅସୁବିଧା ହେଇଛି କେଜାଣି ! 

ଆଜି ମେକାନିକ ଡାକି ଦେଖେଇବି । 

ଓହୋ ! ପୁଣି କିଏ ସେ ବେଲଟା ବଜଉଛି । ଲୋକଙ୍କର ସାଧାରଣ ଜ୍ଞାନର ଭାରି ଅଭାବ । ଯଦି ଗୋଟେ ଡାକରେ କବାଟ ନ ଖୋଲା ହେଲା , ତେବେ ଫେରି ଯିବା କଥା । କିନ୍ତୁ ସେକଥା ହେଇପାରିବ ନାହିଁ । ତୁମେ ଯେ କୌଣସି ଅବସ୍ଥାରେ ଥାଅ , ବେଲ ଶବ୍ଦ ଶୁଣି କବାଟ ନ ଖୋଲିଲେ , ଆଉ ତ୍ରାହି ନାହିଁ । 

ଧୀରେ ଧୀରେ ଆଖି ଖୋଲି କାନ୍ଥ ଘଣ୍ଟା ଆଡେ ଅନେଇଲି । ନଅଟା ବାଜିଲାଣି । ଚାଇଁ କରି ମୋ ନିଦ ଭାଙ୍ଗି ଗଲା । ଏ ମା , ଏତେ ଡେରି ଯାଏ ମୁଁ ଶୋଇଛି ? ତେଣେ ଘର କାମ ସବୁ ସେମିତି ପଡିଥିବା ।ହେ ଭଗବାନ ! ଆଜି ଚାକରାଣୀଟା ବି ଡାକି ଡାକି ଫେରି ଯାଇଥିବ । ସିଏ କଣ ଆଉ ଥରେ ଆସିବ ! 

ମୁଁ କଣ କରିବି । ରୁମଟା ପୁରା ଥଣ୍ଡା ନହେଲେ ମୋତେ ଜମା ଭଲ ନିଦ ହୁଏନି । ଏଇ ଯୋଉ ଗରମ , ସେଥିରେ ଫ୍ୟାନ ପବନ କଣ କାମ ଦିଏ ? 

ଏଇନା ସବୁ କାମ ତକ ମୋତେ ଏକୁଟିଆ କରିବାକୁ ପଡିବ । ମୋ ଭାଗ୍ୟଟା ପୁରା ଖରାପ ।

ପୁଣି ଥରେ ବେଲ ବାଜିବାରୁ ରାଗ ତମ ତମ ହେଇ କବାଟ ଖୋଲିଲି । 

ଦେଖିଲି ଚାକରାଣୀ ଛିଡା ହେଇଚି । ତାକୁ ଦେଖି ମୋ ରାଗ ପଞ୍ଚମକୁ ଉଠିଗଲା । ଏକା ଥରେ ବର୍ଷି ଗଲି ତା ଉପରେ । 

ଆଛା ! ତୁ ହି ତାହାଲେ ବେଲ ବଜଉଥିଲୁ , ନାଇଁ ? ତୋର ସମୟ ଜ୍ଞାନ ଅଛି କି ନାହିଁ । ଏଯାଏ ବାସୀ କାମ ପଡିଛି । ତୋର ଯେତେବେଳେ ଇଚ୍ଛା ସେତେବେଳେ ଆସିବୁ । ଆଜି କାଲି ତୋର ଭାରି ବହପ ହେଲାଣି । କାମ କରିବାକୁ ଇଛା ହେଲେ କର , ନହେଲେ ଯା । 

ମୋ ପାଟି ଶୁଣି ସିଏ ଏକଦମ ଡରିଯାଇ ଥିଲା । ଖନେଇ ଖନେଇ କହିଲା , ମାଆ ମୁଁ ରାତି ସାରା କାଲି ଶୋଇ ପାରିନଥିଲି ।

ମୁଁ ଆହୁରି ଚିଡିଗଲି ! ବଡ ପାଟି କରି କହିଲି , ନା ମ ! ଜମା ଶୋଇଥିବୁ କି ? ସମୁଦ୍ରକୁ ନିଆଁ ଲିଭେଇବାକୁ ଯାଇଥିବୁ ନିଶ୍ଚୟ ! ପେଟେ ପଖାଳ ଖାଇ , ଫ୍ୟାନ ଚଲେଇ ଘୁଙ୍ଗୁଡ଼ି ମାରୁଥିବୁ । ମୁଁ କଣ ଜାଣିନି ? ସେଇଥିପାଇଁ ଜିଦ କରି ମୋ ଠୁ ସେ ପୁରୁଣା ଫ୍ୟାନଟା ମାଗି ନେଇଥିଲୁ ।

ହଁ ମା , ନେଇଥିଲି ସତ । କିନ୍ତୁ ସେଇଟା ଚାଲିବା ପାଇଁ ଲାଇଟ ଦରକାର ବୋଲି ଜାଣିନଥିଲି । ଏତେ ଗରମ ପଡିଛି ଏଥର । ଦିନ ସାରା ଖଟି ଖଟି ଗଲା ପରେ ଭଲ ନିଦ ଟିକେ ନହେଲେ ତା ପର ଦିନ ତୁମ ଘରକୁ କାମ କରିବାକୁ ଆସିବି କେମିତି ? ରାତି ସାରା ଗରମରେ ଅସଯ୍ୟ ହେଇପଡୁଥିଲୁ ସ୍ୱାମୀ ସ୍ତ୍ରୀ ଦୁଇଟା। 

ମୋ ପଡୋଶୀ ଘର ପିଲା କହିଲା , ଫ୍ୟାନଟା ଆଣିଛୁ ଯଦି ତାକୁ ବ୍ୟବହାର କର । ଇଲେକ୍ଟ୍ରି ଖୁଣ୍ଟରୁ ତାର ବାନ୍ଧି ଲାଇଟ ନେଇ ଆସିବାକୁ ସିଏ ଆମକୁ ବୁଦ୍ଧି ଦେଲା । 

ମୁଁ ଆଉ ମୋ ସ୍ୱାମୀ ତାର ଟାଣି , ଫ୍ୟାନ ବୁଲେଇ ଶୋଇଲୁ , ଏତେ ଜୋର ନିଦ ହେଇଗଲା , ସତେ ଯେମତି ଆମ ଦେହରେ ଜୀବନ ନାହିଁ ।। ଆଗରୁ କେବେ ଏତେ ଶାନ୍ତିରେ ଶୋଇ ନଥିଲୁ। 

ଠିକ ରାତି ଦୁଇଟା ବେଳେ କିଏ ଦୁଇଜଣ ବାବୁ ଆସି ଆମକୁ ନିଦରୁ ଉଠେଇଲେ ଆଉ ଥାନାକୁ ନେଇଗଲେ । ଆମେ ପଚାରିବାରୁ ଆମକୁ ନାଲି ଆଖି ଦେଖେଇଲେ । କହିଲେ ଆମେ କୁଆଡେ ଖୁଣ୍ଟରୁ ତାର ଟାଣି ସରକାରଙ୍କ ନିୟମ ଭାଙ୍ଗିଛୁ । ଆମେ ସେମାନଙ୍କୁ ବହୁତ ନେହୁରା ହେଲୁ । କିନ୍ତୁ ଆମ କଥା ସେମାନେ କାନକୁ ନେଲେନି ।ଶେଷରେ ଗୋଟେ ପୋଲିସ ବାବୁ ଆମକୁ ହାଜ଼ତ ଭିତରେ ରଖି ତାଲା ପକେଇଦେଲେ ।

ସେଠି ଆମ ସହ ଆହୁରି ବହୁତ ଲୋକ ଥିଲେ । ଆମରି ପରି ଗରିବ ଗୁରୁବା ମଣିଷ କିଛି । ସେମାନେ ବି ଆମ ପରି ଖୁଣ୍ଟରୁ ତାର ଟାଣି ଥିଲେ 

ଆମେ କିଛି ବୁଝି ପାରୁନଥିଲୁ । ମଶା ଆଉ ଗରମରେ ନିଦ କୁଆଡେ ଛାଡ଼ି ପଳେଇଥିଲା । ସକାଳୁ ଜଣେ ପୋଲିସ ବାବୁ ଆସି ଧମକ ଦେଇ ଘରକୁ ଛାଡିଲେ । କହିଲେ , ଯେମିତି ଆଉ କେବେ ଏମିତି ନିୟମ ବିରୁଦ୍ଧ କାମ ନହୁଏ ! 

ମା, କହିଲ ! ସୁଖ ଶାନ୍ତିରେ ଶୋଇବା କଣ ନିୟମ ବିରୁଦ୍ଧ ? 

ଥଣ୍ଡା ପବନ ପାଇବା କଣ ତୁମ ପରି ବଡ ଘର ଲୋକ ମାନଙ୍କ ଭାଗ୍ୟରେ ଥାଏ ? 

ଆମ ପରି ଗରିବ ଲୋକ କଣ ମୁଠାଏ ପବନ ପାଇବା ପାଇଁ ବି ଯୋଗ୍ୟ ନୁହେଁ ? 

ମୁଁ ତା କଥା ଶୁଣି ଏକଦମ କାଠ ପାଲଟି ଯାଉଥିଲି । ମୋ ନିଦ ପୁରାପୁରି ଛାଡି ଯାଇଥିଲା ।

ଭାବୁଥିଲି , ସମାଜରେ ତ ସବୁ କ୍ଷେତ୍ରରେ ଏକରକମ ଅବ୍ୟବସ୍ଥା ଭରି ରହିଛି । ସେଥିପାଇଁ ଆମେ ସମସ୍ତେ ଦୁଃଖିତ ଏବଂ କ୍ଷୁବ୍ଧ ମଧ୍ୟ । କିନ୍ତୁ ଆମର କଣ କର୍ତ୍ତବ୍ୟ ନୁହେଁ , ଆମ ଘରେ କିମ୍ବା ସୋସାଇଟିରେ ଯେଉଁମାନେ କାମ କରନ୍ତି ତାଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ଆମେ ଦୟାଶୀଳ ହେବା ! ଟିକେ ସହାନୁଭୂତି ଦେଖେଇବା ?

ଖୁବ ନାମକରା ସମାଜସେବୀ ନହେଲେ ବି , ଜଣେ ମଣିଷ ପାଇଁ ମଣିଷଟିଏ ହେଇପାରିବା ! 

ମୁଁ ଜାଣେ , ନିଶ୍ଚୟ ହେଇପାରିବା । 

ସାଗରିକା ମହାନ୍ତି , ନବୀ ମୁମ୍ବାଇ


Rate this content
Log in

Similar oriya story from Inspirational