Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବଳିଦାନ
ବଳିଦାନ
★★★★★

© Rajib Gopal Swain

Inspirational Tragedy

7 Minutes   7.3K    17


Content Ranking

ଖଚ୍‍ ଖଚ୍‍... । ଉପରକୁ ଉଠୁଛି ଚାପଡ଼ ଆଉ ପୁଣି ଆସି ସଜୋର ପଡୁଛି କାଠ କୁନ୍ଦାଟା ଉପରେ । ଛୋଟିଆ ଛୋଟିଆ ଖଣ୍ଡରେ ପରିଣତ ହେଉଛି କିଛି ସମୟ ପୂର୍ବରୁ ଜିଇଥିବା ଜୀବଟାର ଅଂଶବିଶେଷ । ହାତରେ ସର୍‍ ସର୍‍ ହୋଇ ବାହାରି ଆସୁଛି ଅନ୍ତ ବୁଜୁଳା । ଏଣେ ଯେତିକି ଯେତିକି ବିକ୍ରି ଚାଲିଛି ମାଂସ ତେଣେ ସେତିକି ସେତିକି ପାଖେଇ ଆସୁଚି ଆଉ ଜଣକ ମରଣ ।ମୃତ୍ୟୁ କ'ଣ ଏତେ ସହଜ ସୁଗମ ହୋଇପାରେ !!

               ବେକ ଉପରେ ଥରେ ମାତ୍ର ଚାଲିଯାଉଛି ଧାରୁଆ ଛୁରୀ । ଚିତ୍କାର କରିବାର ଅବକାଶ ମିଳିବା ଆଗରୁ ଚାଲିଯାଉଚି ଜୀବନ, ଛାଟିପିଟି ହେଉଚି ଗୋଡ଼, ମଳା ବାନ୍ଧୁଚି ଗାଢ଼ ରକ୍ତର । ଛୁରୀରେ ଟିକିଏ ଧାରେଇ ଗୋଡ଼ ପାଖରୁ ଛଡ଼େଇ ଦିଆଯାଉଛି ଚମଡା। ବାହାରି ଆସୁଛି ନାଳୀ । ତାପରେ ସଜାତ୍‍ ଖାନ ମୋଡ଼ି ଓହୋଳାଇ ଦେଉଛି ମଲା ଦିହଟାକୁ ତା'ର ସେଇ ଚାଳରେ ଲାଗିଥିବା ଲୁହା ଆଙ୍କୁଡ଼ାରେ । ଚମଡ଼ା ଛେଲି ହୋଇ ଯାଉଛି । ମଝିରେ ମଝିରେ ପାଣିରେ ସିଏ ଧୋଇ ଦେଉଚି ରକ୍ତ, ଲୋମ ଆଉ ମଳ ।

               ତିନିଟା ଲୋକ କାଟିବା, ଛେଲିବା ଆଉ କୁଟେଇବା ପାଇଁ ଧଇଁସଇଁ ହେଉଥାନ୍ତି । ଦୋକାନ ଆଗରେ ପ୍ରବଳ ଭିଡ଼ । ଲୋକମାନେ ଧାଡ଼ି ଲମ୍ୱାଇ ଛିଡା ହୋଇଥାନ୍ତି । ପାଳି ପଡୁଥିବା ଲୋକ ନିଜ ପସନ୍ଦ ମୁତାବକ ମାଂସ ନେଇ ଫେରୁଥାଏ । ଏପାଖେ ଛିଡ଼ା ହୋଇଚି ବାଦଲ । ତା' ନିରୀହ ଆଖିରେ ଦେଖି ଚାଲିଛି ଏ ଦୃଶ୍ୟ ସବୁକୁ । ତା' ପାଳି ତ ନିଶ୍ଚୟ ଆସିବ । 

               ବାଦଲର ମନେ ପଡୁଥିଲା ସେଦିନର କଥା, ଯେଉଁ ଦିନ ବୁଲୁ ପ୍ରଥମ କରି ଆସିଥିଲା ଗାଁକୁ । ବେଶ୍‍ ଦୋସ୍ତି ଜମିଥିଲା ସେମାନଙ୍କ ମଧ୍ୟରେ । କେବଳ ବୁଲୁର ପାଠପଢ଼ା ସମୟକୁ ଛାଡିଦେଲେ ପ୍ରାୟ ସମୟ ତା' ସହିତ ଖେଳକୁଦରେ ହିଁ କଟୁଥିଲା । ମୁଢି ଠୁ ଆରମ୍ଭ କରି ପନିପରିବା, ଛନଛନିଆ ଦୁବ ଘାସ, ବାର ପ୍ରକାରର ପତ୍ର ସବୁ ତା'ପାଇଁ ଧରି ଆସୁଥିଲା ବୁଲୁ । ବାଦଲକୁ ଯେଉଁ ଦିନ ଖାସୁ କରାଗଲା ସେଦିନ ବୁଲୁ ଯେଉଁ ବିକଳରେ କାନ୍ଦିଥିଲା ତାହା ଏବେ ବି ଭାବିଲେ ଆଖିରେ ଲୁହ ଜକେଇ ଆସୁଚି ବାଦଲର । ଅବଶ୍ୟ ଘର ଲୋକ ବୁଝାଇଥିଲେ । ବୁଲୁକୁ । ବେଶ୍‍ କେଇଟା ଦିନ ଠିକ୍‍ରେ ଖିଆପିଆ ଅବା ବସାଉଠା କରିପାରି ନଥିଲା ବାଦଲ । ବୁଲୁ ବି ମର୍ମାହତ ହୋଇ ପଡିଥିଲା । ଘର ଲୋକଙ୍କ ଉପରେ ରାଗରେ ଗରଗର ହୋଇ ବକିଥିଲା ଅନେକ । ପାଖାପାଖି ଗୋଟେ ସପ୍ତାହ ପରେ ବାଦଲର ପୂର୍ବାବସ୍ଥା ଫେରି ଆସିଥିଲା । ଏଣିକି କେହି କାହାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥିଲେ । ସବୁ ଆଡ଼ ଦେଖିବାକୁ ମିଳିଲା ବୁଲୁ - ବାଦଲ ଯୋଡ଼ି । ଶୋଇବା ଖାଇବା ବେଳେ ବି ଏ ଘନିଷ୍ଠତା ଚକ୍ଷୁଶୀଳ ହେଲା ସମସ୍ତଙ୍କର । ଧୀରେଧୀରେ ବାଦଲର ଚେହେରାରେ ପରିବର୍ତ୍ତନ ଘଟିବାକୁ ଲାଗୁଥିଲା । ତା'ର ଧଳା ଚିକ୍‍କଣ ଶରୀରରେ ମଝିରେ ମଝିରେ କଳାଦାଗ ଆକର୍ଷଣୀୟ ହୋଇ ଉଠୁଥିବା ବେଳେ ମୁନିଆଁ ଶିଙ୍ଗ ଦୁଇଟା ବାହାରି ଆସୁଥିଲା । ଦେହ ହୋଇ ଉଠୁଥିଲା ପୂରିଲା ପୂରିଲା । ବୁଲୁ ତା' ବେକରେ ବାନ୍ଧିଥିବା ଘୁଙ୍ଗୁର ମାଳ ବେଶ୍‍ ସୁନ୍ଦର ମାନୁଥିଲା ବାଦଲକୁ । ଆଈ ବୁଢୀ, ମାମୁ, ମାଇଁ ଆଉ ତାଙ୍କ ପୁଅ ଟୁକୁନାକୁ ନେଇ ବୁଲୁଭାଇର ପରିବାର । ମାମୁଙ୍କର ଏକମାତ୍ର ଗେଲବସରର ଭଣଜା ବୁଲୁଭାଇ । ଟୁକୁନା ଆଉ ବୁଲୁ ଏକା କ୍ଲାସ୍‍ରେ ପଢୁଥିଲେ, ହେଲେ ଗତ ବର୍ଷ ଟୁକୁନାଟା ଫେଲ୍‍ ହୋଇ ପଛୁଆ ହୋଇଯାଇଚି । ଟୁକୁନାଟା ବାସ୍ତବିକ ଚଗଲାଟାଏ । ମୋଟେ ସେ ବୁଲୁକୁ ଦେଖି ସହି ପାରେନି । ସଦାବେଳେ କଟର କଟର ଖଟର ଖଟର । ବୁଲୁର ଯାହା ପସନ୍ଦ ଟୁକୁନା ତାକୁ ଘୃଣା କରେ । ବୁଲୁର ମୁଁହଁ ପୂରୁବକୁ ହେଲେ ଟୁକୁନାର ମୁହଁ ପଶ୍ଚିମକୁ । ଖାସ୍‍ ବାଦଲ ବି ଟୁକୁନା ପାଇଁ ଘୃଣାର ଜୀବଟିଏ ।

               ଏବର୍ଷ ବୁଲୁ ମାଟ୍ରିକ ପରୀକ୍ଷା ଦେବ । ଘରୁ ତ ପାଞ୍ଚ ପଇସା ମିଳିବାର ସୁଯୋଗ ନାହିଁ । ଏଣେ ସେ ଜାଣେ ମାମୁଁଙ୍କ ଅନୁପସ୍ଥିତିରେ ମାଇଁ ତାକୁ କାଣି କଉଡ଼ିଟାଏ ବି ଦେବେନି । ଆଈକୁ କହି କ'ଣ ବା ଲାଭ ମିଳିବ ! ସେ ଟଙ୍କା ଆଣିବ ବା କେଉଁଠୁ ! ସାର୍‍ କହିଛନ୍ତି ଦଶ ତାରିଖ ସୁଦ୍ଧା ଫର୍ମ ପୂରଣ ହେବ, ନଚେତ୍‍ ତେଣିକି ଫାଇନ୍‍ ପଡ଼ିଯିବ । ସେ'ତ ଘରେ ଜଣାଇଦେଇଛି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଆଲୋଚନା ହୋଇନି । ବୋଧ ହୁଏ ଦୂର ସହରରେ ଚାକିରୀ କରୁଥିବା ମାମୁଁ ଫେରିଲେ କିଛି ହେବ । ହେଲେ ମାମୁଁ କେବେ ଫେରିବେ ଯେ !

               ଦଶ ତାରିଖ ଯେତେ ପାଖେଇ ଆସୁଥିଲା ବୁଲୁର ଘର କଥା ସେତେ ଅଧିକ ମନେପଡୁଥିଲା । ଆଜି ସତରେ ମାଆ ବଞ୍ଚିଥାନ୍ତା ତେବେ କ'ଣ ତାକୁ ଏ’ସବୁ ଭାବିବାକୁ ପଡିଥାନ୍ତା ! ମାଆ କେତେ ଭଲ ଥିଲା ! ବହିଲେଖା ପାଠ, ଢ଼ଗଢ଼ମାଳି, ଗପସପ, କଥା କଥାଣୀ, ଇତିହାସ କିମ୍ୱଦନ୍ତୀ ଏ ସବୁରେ ବର୍ଣ୍ଣିତ "ମାଆ' ଅପେକ୍ଷା କେମିତି ଗୋଟେ ଗାଢ଼ ନିରୋଳା ଅବ୍ୟକ୍ତ ଓ ସ୍ୱର୍ଗୀୟ ଅନୁଭବଟିଏ "ମାଆ' । ବୁଲୁ ପାଇଁ ଏପରି ଅନୁଭବ ସବୁବେଳେ ଆଖିକୁ ବୋହି ଆଣେ ଲୁହର ପଟୁଆର !

               ସେ କ୍ରମଶଃ ବଡ଼ ହେଉଚି । କିଛି କିଛି ବୁଝିଲାଣି । ନାନାବାୟ ଗୀତ, ଧୂଳି ଉଡାଇ ପ୍ରଜାପତି ଧରିବାର ନିଶା, ଯାତରା ଦେଖାପାଇଁ ଅଳି ଅଝଟ ଧୀରେ ଧୀରେ ମଉଳିଗଲାଣି ମନରୁ । ସେ ବୁଝେ ଯେ ତା' ପାଇଁ ଏସବୁ ସରିଯାଇଚି ବହୁଦିନରୁ ତା' ନିଜ ଘରଟା ଦିନକୁଦିନ ପାଲଟି ଯାଉଛି ବିଷ, ଯାହାର ହଳାହଳ ଭିତରେ ତା' ପାଇଁ ବଞ୍ଚିବାଟା ଭାରି କଷ୍ଟକର । ବାପା ଅଛନ୍ତି, ହେଲେ ଘରକୁ ଆସିଚି ଆଉ ଗୋଟେ ମାଆ ଯାହାକୁ ସେ’ ବୋଉ ବୋଲି ଡାକେ ଆଉ, ଯିଏ କେବେ ବୁଲୁର "ମାଆ' ହୋଇ ପାରିବନି । ବୁଲୁ ପାଇଁ ବୋଉ ଓ ମାଆ ଡାକ ଦିଟା କେବେ ବି ସମାନ ନଥିଲା । ଆଜି ବି ନାହିଁ !

               ବୋଉ ଆସିବା ପରଠୁ ବାପା କେମିତି ଗୋଟେ ବଦଳି ଯାଇଚନ୍ତି । କଥା କଥାକେ ମାଡ଼ ଆଉ ଗାଳି । ଛୋଟ ଛୋଟ କଥାସବୁ ପାଲଟିଯାଉଛି ପାହାଡ଼ । ଏତେସବୁ ଘଟଣା ପରେ ଆଈ କହିବା ଅନୁସାରେ ମାମୁ ତାକୁ ନିଜ ଘରକୁ ଆଣିଚନ୍ତି । ମାମୁଁଙ୍କର ବୁଲୁ ପ୍ରତି ଅଗାଧ ବିଶ୍ୱାସ ଆଉ ଅସରନ୍ତି ସ୍ନେହ । ହେଲେ ମାଇଁ..... । ମାଇଁ ତ ମାମୁଁଙ୍କର ଓଲଟା, ଠିକ୍‍ ବୋଉ ପରି । ବାଦଲ ସବୁ ବୁଝିପାରେ । ବୁଲୁର ଲୁଚାଇ ଲୁଚାଇ କାନ୍ଦିବାଠୁ ଆରମ୍ଭ କରି ଏ ଘରେ ତା' ନିଜ ପରି ଯେ ସେ ଜଣେ ନୂଆ ଓ ଅଳ୍ପଦିନର ଅତିଥି, ଏହା ବେଶ୍‍ ଉପଲବ୍ଧି କରିପାରେ । ହେଲେ ସେବା କ'ଣ କରିପାରିବ ! କି ପ୍ରକାରର ସାହାଯ୍ୟ ସେ ଯୋଗାଇପାରିବ ବୁଲୁକୁ ! ବିନା ଜୋରିମନାରେ ଫର୍ମ ପୂରଣର ଶେଷ ତାରିଖ ପୂର୍ବଦିନ ଆଈ ହଜାରେ ଟଙ୍କା ବୁଲୁ ହାତକୁ ବଢ଼ାଇଦେଲେ । ଯା'ହେଉ ବୁଲୁ ଏଥର ପରୀକ୍ଷା ଦେଇପାରିବ । କିଏ ଖୁସି ହେଲେ କି ନାହିଁ ତା' ଅବଶ୍ୟ ବାଦଲ ବୁଝିପାରିଲା ନାହିଁ, କିନ୍ତୁ ତା ମନ କୁଣ୍ଢେ ମୋଟ ହୋଇଗଲା । ନିଜ ଖୁସିକୁ ଜାହିର କରିବା ପାଇଁ ବାଦଲ ଆଈ ମାଆ ଦେହରେ ଘସି ହେବାକୁ ଲାଗିଲା । ବାଦଲ ଦେଖିପାରିଲା, ଆଈ ଅତି ସ୍ନେହରେ ତା' ଦେହରେ ହାତ ଘୂରାଇ ଆଣିଲେ । ଆଉ ତାଙ୍କ ଆଖି ଲୁହରେ ଛଳଛଳ ହୋଇଗଲା । ପ୍ରଥମଥର ପାଇଁ ବାଦଲ ଅନୁଭବ କଲା ତା ହୃଦୟଟା ଖାଲି ଖାଲି ହୋଇଯାଇଛି । ମନକୁ ପାପ ଛୁଇଁଲା ବାଦଲର । ଦୁଇଦିନ ତଳେ ସଜାତ୍‍ ଖାଁ ସହିତ ସେ ଆଈକୁ ଦେଖିଥିଲା । ସଜାତ୍‍ ହିଁ ତାଙ୍କୁ ପଇସା ଦେଇଥାଇପାରେ । ଆଈଙ୍କର ତା'ପ୍ରତି ବଢ଼ିଯାଇଥିବା ଅତ୍ୟଧିକ ଶ୍ରଦ୍ଧା ଏହାର ପ୍ରତିଫଳନ ନୁହେଁ ତ ! ବାଦଲ ବୁଝିପାରିଥିଲା କ'ଣ ହେବାକୁ ଯାଉଚି । ହେଲେ ସେ ଅବୋଧ ପ୍ରାଣୀଟିଏ ମାତ୍ର । କେମିତି ବା ଜଣାଇବ ବୁଲୁକୁ ଏ’ସବୁ ବିଷୟ, କେମିତି ବା ପ୍ରକାଶ କରିବ ଯେ ତା' ନିଜ ଜୀବନର ଅନ୍ତିମ କ୍ଷଣ ପାଖେଇ ଆସୁଛି ! ନା... ସେ ବିଷୟରେ ବୁଲୁକୁ ଆଦୌ ଜଣାଇବ ନାହିଁ । ଯଦି ପ୍ରକାଶ କରିବାର ମାଧ୍ୟମ ଥାଆନ୍ତା ତେବେ ବି ସେ ଆଦୌ ଜଣାଇ ନଥାଆନ୍ତା । କେବେ ନୁହେଁ ।

               ଆଜି ବୁଲୁର ଫର୍ମ ପୂରଣ ହେବ । ଡେରିରେ ଫେରିବ ବୁଲୁ । ଆଈ ଏ’କଥା ଜାଣନ୍ତି । ସଜାତ୍‍ ଚୁପ୍‍ଚାପ୍‍ ଆସି ବାଦଲକୁ ଖୁଣ୍ଟରୁ ଫିଟାଇ ନେଲା । ବାଦଲ ଆଖିରେ ଶେଷଥର ପାଇଁ ଜକେଇ ଆସିଲା କେଇ ଟୋପା ଲୁହ । କଂସେଇ କ'ଣ ବୁଝିପାରିବ ଏ ଲୁହର ମହତ୍ତ୍ୱ । ବାଦଲର ଅନ୍ତର ଫାଡ଼ି ଭୂମିରୁ ଭୂମାକୁ ଉଠୁଥିବା ବ୍ୟାପକତା ଆଈ ମାଆକୁ ସ୍ପର୍ଶ କଲା ପରି ଲାଗିଲା । ଆଈ ବି କାନ୍ଦି ପକେଇଲା । କିନ୍ତୁ ଟୁକୁନା ! ସେ ହସୁଥିଲା । ଭାବୁଥିଲା, ବେଶ୍‍ ଭଲ ହେଇଚି । କଂସେଇ ଟାଣି ନଉଚି ଏଇଟାକୁ, ନିର୍ବୋଧ ବୁଲୁର ଅପାଂକ୍ତେୟ ସାଙ୍ଗକୁ, ବୁଲୁର ଫୁଟାଣୀ ଭାଙ୍ଗିଯିବ ଏଥର । ମାଇଁ କିନ୍ତୁ ବେଶ୍‍ ନିର୍ବିକାର ଭାବରେ ତାକୁ ଚାହିଁଥିଲେ । ବାଦଲ ବୁଝିପାରିଲା ନାହିଁ ମାଇଁ କ'ଣ ଭାବୁଥିଲେ ବୋଲି । ହେଲେ ବାଦଲ ପାଇଁ ଏସବୁର ମାନେ କିଛି ନାହିଁ । ଯିଏ ଯାହାଭାବୁ ଯିଏ ଯାହା କହୁ, ସେଥିରେ ତା'ର ଯାଏଆସେ କେତେ ! ଭଲ ପାଇବାର ଅନ୍ୟନାମ ତ ତ୍ୟାଗ ଓ ଉତ୍ସର୍ଗ । ସେ କ'ଣ ବୁଲୁର ଭଲପାଇବା ପାଇଁ ଏତିକି କରିପାରିବ ନାହିଁ ! ବୁଲୁ ଭଲ ପଢୁଛି । ପରୀକ୍ଷା ଦବ ଆଉ ନିଶ୍ଚୟ ଭଲ ନମ୍ୱର ରଖିପାଶ୍‍ କରିବ । ବହୁତ ପଢ଼ି ବଡ଼ ମଣିଷ ହେବ । ସମସ୍ତେ ତା' ଆଡ଼କୁ ମୁହଁ ଟେକି ଚାହିଁବେ । ତା'ଠୁ ବଳି ଆନନ୍ଦର ଦିନ ଆଉ କ'ଣ କିଛି ଅଛି! ଏଇ ଟୁକୁନାର ସବୁ ହତାଦର, ତାତ୍ସଲ୍ୟ ପାଇଁ ଏହାଠାରୁ ବଳି ବଡ଼ ଜବାବ ଆଉ ଅଧିକ କ'ଣ ହୋଇପାରେ !! ସମୟ ଆସିବ ଏଇ ମାଇଁ ଦିନେ ବୁଲୁକୁ ଆଦର କରିବେ । ଆଈ ମୁହଁ ଖୋଲି କହିବାର ସାହସ ପାଇବ, ଆଉ ବାପା...! ନିଶ୍ଚୟ ଫେରିବେ । ନିଶ୍ଚୟ ଖୋଜିବେ ବୁଲୁକୁ । ବାଦଲ ସେତେବେଳେ ନଥିଲେ କ'ଣ ହେଲା ବୁଲୁ ତ ଖୁସିରେ ରହିବ । ତା'ର ଆଉ ଅଧିକ କ'ଣ ଦରକାର ଯେ !

               ଏ ସବୁବେଳେ ବାଦଲର ଆତ୍ମୋତ୍ସର୍ଗ ଦ୍ୱାରା ହିଁ ସମ୍ଭବ । ସେ ତ ଆଜି ନହେଲେ କାଲି ମରିଥାନ୍ତା । ମରଣଟା ଯେବେ ତା' ପାଇଁ ନିଶ୍ଚିତ ସେ’ ଆଜି ନମରିବ କାହିଁକି ? ବାସ୍‍, ସେଥିପାଇଁ ତ ସେ ଆଜି ସଜାତ୍‍ର ଅଧଡଜନ୍‍ ପାଖାପାଖି ଖାସିଙ୍କ ଗହଣରେ ଠିଆ ହେଇଚି । ସେ ଖାଲି ମରିବାକୁ ଚାହେଁ, ବୁଲୁର ଅସରନ୍ତି ସୁଖ ସମୃଦ୍ଧି ପାଇଁ । ସେ ଚାହେଁ, ବୁଲୁ ଆକାଶ ପରି ବିଶାଳ ଯଶସ୍ୱୀ ଓ ଧରଣୀ ପରି ମହନୀୟ ହେଉ ।      

               ମାଂସ କଟା ଚାଲିଚି । ଏ ଭିତରେ ସଜାତ୍‍ ତା' ଆଡକୁ ଦୁଇତିନିଥର ଅନାଇ ସାରିଲାଣି । ତା' ପାଇଁ ଆସିଗଲେଣି ଗ୍ରାହକ । ମନରେ ପୁଣିଥରେ ବଞ୍ଚିବାର ମୋହ ଉଠୁଛି । ଶେଷ କେଇଟା ସମୟ ଆଖିପୂରାଇ ବୁଲୁକୁ ଦେଖିବା ପାଇଁ ମନ ହଉଚି ତା'ର ମନ ବି କହୁଚି ସେ ମଣିଷ ଜନ୍ମ ପାଇଥାଆନ୍ତା କି ! ବାଦଲର ବେକରୁ ପଘା ଖୋଲା ହେଲା । ତା' କାନ ଧରି ଭିଡ଼ିନେଲା ସଜାତ୍‍ ! ମୁହଁ ଘୂରାଇ ଶେଷଥର ପାଇଁ ନିଜ ଛନଛନିଆ ଦିହକୁ ଚାହିଁଲା ବାଦଲ । ଏ ଅନ୍ତିମ କ୍ଷଣରେ ବି କିପରି ଏକ ବିଚିତ୍ର ଅନୁଭବରେ ହସ ଲାଗୁଚି ତାକୁ । ଆଉ କିଛିକ୍ଷଣ ପରେ ଏକ ରକ୍ତ ମାଂସର ଶରୀରଟା ନିର୍ଜୀବ ହେଇଯିବ । ବୁଲୁ ପାଇଁ ଏପରି ହଜାର ଥର ଜନ୍ମନୋବାକୁ ସେ ପ୍ରସ୍ତୁତ । ସଜାତ୍‍ ତାକୁ ତଳେ ଶୁଆଈ ଦେଲା । ବାଦଲ କୌଣସି ବାଧାକି ପ୍ରତିରୋଧ କଲାନାହିଁ । ଆଖି ଆଗରେ ଥରୁଟେ ଝଲ୍‍ସି ଉଠିଲା ତୀକ୍ଷଣ ଛୁରୀଟା । ବାଦଲ ଅନୁଭବ କଲା କିଛି ଗୋଟେ ବାହାରି ଆସୁଛି ବେକରୁ । କେହି ଯେମିତି ଶୋଷି ନଉଚି ଜୀବନ । ଅନ୍ତରୀକ୍ଷର କେଉଁ ଏକ ଅନ୍ଧକାର ଗଳି ପାରହୋଇ ଛୁଟୁଛି ଆଉ ଛୁଟୁଛି ଆଲୋକ ଶିଖାଟିଏ, ଦୂରରୁ ଦେଖାଯାଉଥିବା ଏକ ଆଲୋକ ପୁଞ୍ଜର ସନ୍ଧାନରେ । କି ଦିବ୍ୟ ଆନନ୍ଦ ସତରେ !

ରାଜୀବ ଗୋପାଳ ସ୍ଵାଇଁ ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧ Contact No:7684989557(M)

ବୁଲୁ ଆତ୍ମୋତ୍ସର୍ଗ ମାଂସ ବାଦଲ

Rate the content


Originality
Flow
Language
Cover design

Comments

Post

Some text some message..