ଡିଭାଇଡରରେ ଜୀବନ
ଡିଭାଇଡରରେ ଜୀବନ
ମୋର ତା' ସହିତ କୌଣସି ପୂର୍ବାପର ସମ୍ପର୍କ ନଥିଲା । ଏମିତି ଚିହ୍ନା ଜଣା ବି ନୁହେଁ ।
ମୁଁ ତାକୁ କି ସେ ମୋତେ ଛୁଇଁ ପାରୁନଥାଉଁ ।
ତଥାପି ସେ ମୋତେ ବିବ୍ରତ କରି ଚାଲିଥିଲା। ମୁଁ ହେଉଥିଲି ଅଥୟ ।
ଏ ବିବ୍ରତ ବୋଧ ମୋର ନିତାନ୍ତ ଏକାନ୍ତ ଓ ଅନୁଗତ ଥିଲେ । ମୁଁ ଏମାନଙ୍କୁ ନେଇ କେଉଁ କାଳରୁ ଘୁରି ଆସୁଥିଲି । ବୋଧ ହୁଏ ମୋ ସଜ୍ଞାନରେ ଯେବେଠୁଁ ମୁଁ ...ମୁଁ.. ହୋଇ ଯାଇଥିଲି ...ମୋ ସହିତ ଏହି ବିଚଳିତ ହେବାଟା ଲାଖି ଯାଇଥିଲା ।
xx xx xx xx xx xx xx xx
ଦି'ଭାଗ ରାସ୍ତା । ମଝିରେ ରୋଡ୍ ଡିଭାଇଡର୍ ।
ଭିନ୍ନ ଦିଗକୁ ଅନେକ ଲକ୍ଷ୍ୟସ୍ଥଳ ପାଇଁ ଅବିରତ ଯାତ୍ରାରତ ଜୀବନ । ସମସ୍ତେ ନିଜ ନିଜ ଭାବନାରେ, କାର୍ଯ୍ୟରେ ଗତିଶୀଳ ।
ସମସ୍ତେ ବ୍ୟସ୍ତ ।
ଲୋକ ଟିକୁ ସେଇ ଡିଭାଇଡରରେ ବେଶ୍ କେଇଦିନ ହେବ ମୁଁ ଦେଖୁଥିଲି ।
କେତେବେଳେ ଆକାଶ ଦିଗକୁ ମୁହଁକରି ଏକ ଅଦ୍ଭୁତ ଆଶ୍ଚର୍ଯ୍ୟ ଚାହାଣୀର ସହିତ ତ..... କେତେବେଳେ ମୁହଁ ମାଡି ଭୂମିକୁ ନିବିଡ଼ ଆଶ୍ଲେଷରେ ବାନ୍ଧି ପକେଇବାର ମୁଦ୍ରାରେ ....
ସେ' ସେମିତି ହିଁ ପଡି ରହୁଥିଲା ।
କଦବା କ୍ଵଚିତ୍ ଆଣ୍ଠୁ ସନ୍ଧିରେ ମୁହଁ ଗୁଞ୍ଜି, ପୃଥିବୀକୁ ନିଜ ଭିତରେ ଖୋଜିବା ପରି ରହୁଥାଏ ।
ତା'ର ନିର୍ଲିପ୍ତ ଚାହାଣୀରେ ନଭଶ୍ଚୁମ୍ବି ପ୍ରଶ୍ନର ସମର ସଜ୍ଜା ଥିଲା ପରି ମୁଁ ହେଉଥିଲି ବିବ୍ରତ ।
ଏଇ କେତେଦିନ ହେବ ତାକୁ ମୁଁ ସେଇ ରେଲୱେ ଓଭର ବ୍ରିଜ୍ ଉପରେ ଥିବା ରୋଡ୍ ଡିଭାଇଡରରେ ଦେଖୁଥିଲି ।
ସେ ଆଗରୁ ପୃଥିବୀର କୋଉ କୋଣରେ ଥିଲା, ତାହା ଜଣା ନଥିଲା। ହେଲେ ଏଇ ଲୋକଟା କେଇଟା ଦିନରେ ମୋ ଭାବନା ରାଜ୍ୟ ରେ ଆଲୋଡନ ସୃଷ୍ଟି କରିଚାଲିଥାଏ ।
ମୁଁ ତାକୁ ନେଇ ମନ ଭିତରେ କ୍ରିୟାଶୀଳ ହେଉଥିଲି ।
xx xx xx xx xx xx xx xx
ତୀବ୍ର ବେଗରେ ପରିବର୍ତ୍ତନ ହେଉଥିବା ଗୋଟେ ଦୁନିଆଁ ଭିତରେ ମୋ ଜୀବନ, ତା ନିଜସ୍ୱ ବେଗରେ ଧାଉଁ ଥାଏ ।
ଚାରି ପାଖରେ ବଦଳୁଥିବା ଚିତ୍ରର ପ୍ରଭାବ ବି ଥାଏ ମୋ ଉପରେ ।
ମୁଁ ଭାବେ ମୋ ଅଞ୍ଚଳ ଶିଳ୍ପ ସମୃଦ୍ଧ ଓ ଶିଳ୍ପାୟନରେ ବଢୁଥିବା ଅଜଣା ଜନସଂଖ୍ୟା ଭିତରୁ ଏଇ ମଣିଷଟା ବି ଗୋଟିଏ । ହୁଏତ ପାଗଳ ଟାଏ , କି ହୋଇପାରେ ଗୋଟେ ପଳାତକ କି ବିଦେଶୀ ଅପରାଧୀ ,ଯିଏ ଶୁଶ୍ରୁ ଓ କେଶ ବଢ଼ାଇ ନିଜର ନିଜସ୍ୱ ପରିଚୟକୁ ଗୋପନ ରଖିବା ପାଇଁ କରୁଥାଇ ପାରେ ଆପ୍ରାଣ ଉଦ୍ୟମ । କରୁଥାଇ ପାରେ ,ଗୋଟେ ପାଗଳର ଅଭିନୟ...!!
କିନ୍ତୁ ଗାଡ଼ିରେ ଗଲା ବେଳେ ତା ପ୍ରତି ମୋର ବ୍ୟଗ୍ରତା ବଢେ । ମୁଁ ତାକୁ ଖୋଜି ହୁଏ । ନଜରକୁ ନଆସିବା ଯାଏଁ ଭଲ ଲାଗେନା ।
ତାକୁ ଦେଖିବା ପରେ ହାଲୁକା ହୁଏ ମନ । ହେଇ ଯେମିତି ମୁଁ ତାକୁ ପଚାରୁଛି-ଖାଇଲୁଣି ? ତୁ ଭଲ ଅଛୁ ତ ? ଗତ କାଲି ବର୍ଷା ବେଳେ କୋଉଠି ଥିଲୁ ? ଖରା ଜୋର୍ ବେଳେ ଛାଇ ତଳକୁ ଯାଉଛୁ ତ !
ଭାବୁଥାଏ ଏଇ ଭଳି ଲୋକଙ୍କ ପାଇଁ ଆମ ଆରକ୍ଷୀ ବିଭାଗ, ପ୍ରଶାସନ ସଚେତନ ତ ! ଏମାନଙ୍କ ପରିସଂଖ୍ୟାନ କାହା ପାଖରେ ?
କିନ୍ତୁ ଏହାର ଉତ୍ତର ମୋତେ ମିଳେ ନାହିଁ ।
xx xx xx xx xx xx xx xx
ସେଦିନ ଅଫିସରେ ଅଛି ହଠାତ୍ ଖବର ପାଇଲି , ପାଖରେ ଥିବା କାରଖାନା ଛକରେ ଗୋଟେ ଦୁର୍ଘଟଣା ଘଟିଛି ଓ ଜଣେ ମୃତ । ମୃତକର ପରିଚୟ ମିଳିନାହିଁ ।
ମୋ ଅଫିସରୁ ସେଇ ଛକଟା ବେଶି ହେଲେ ଦୁଇ କିଲୋମିଟର ଦୂର। ପ୍ରତିଦିନ ମୁଁ ସେଇ ଛକ ପାର ହୋଇ ରେଲୱେ ଓଭର ବ୍ରିଜ ଉପର ଦେଇ ଆସେ । ଆଉ ଆସିଲା ଗଲାରେ ସେଇଠି ହିଁ ତଥା କଥିତ ଅଜଣା ଲୋକଟି ସହିତ ଦେଖା ହୁଏ ।
ମନଟା ମୋଟେ ଭଲ ଲାଗିଲା ନାହିଁ । ସେଇ ଲୋକଟିର ଛବି ଆଖି ଆଗରେ ନାଚିଗଲା । ସେଇ ମୃତକ, ଏଇ ଲୋକ ନୁହେଁ ତ ?
ଯାହା ବିଷୟରେ କିଛି ହେଲେ ବି ଜାଣି ନାହିଁ । ଯେ, ମୋର କେହି ନୁହେଁ । ମୁଁ ଯାହା ସହିତ ଆଦୌ କଥା ବି ହୋଇନି , ସେମିତି ଏକ ଲୋକ ପାଇଁ ମନରେ ଏ'ଆନ୍ଦୋଳନ କାହିଁକି ବୁଝିବା ପାଇଁ ବେଳ ନଥିଲା ।
ଲୋକଟି ନିଜ ଜ୍ଞାତି ପରିଜନଠୁଁ ଦୂର ଏକ ଅଜଣା ଜାଗା ରେ ମରିଗଲା , କେହି ଜାଣି ପାରିଲେନି । ମୁଖାଗ୍ନିର ମୋହ, ମୋକ୍ଷ ହେବାର ଆଶା ତାକୁ କେମିତି ଗ୍ରାସିଲାନି କେଜାଣି ? ତା ଭାଗ୍ୟରେ ନାହିଁ ଏ'ମୁଖାଗ୍ନି, ମୋକ୍ଷ ପାଇଁ ତାର ସମସ୍ତ ରାସ୍ତା ଅବରୁଦ୍ଧ !
ଗାଡି ଛାଡି ମୋଟର ସାଇକେଲରେ ଦୌଡ଼ୁ ଥିଲି ମୁଁ ....।
xx xx xx xx xx xx xx xx
ଦୁର୍ଘଟଣା ଗୁଡାକ ମୁଁ ଦେଖି ପାରେନି । ଲୋକ ଗୁଡାକର ଅଙ୍ଗହୀନ ଦେହ ମୋତେ ବ୍ୟଥିତ କରାଏ ।
ଏମିତି ବି କୌଣସି ବିକଳାଙ୍ଗ ଦେଖିଲେ ବିକଳ ହେଉଥାଏ ମୋ ମନ ।
ମୋ ଭିତରେ ଭିତରେ କିଏ ଯେମିତି ଅଥୟପଣରେ କାନ୍ଦୁଥାଏ , ବିଚଳିତ କରୁଥାଏ ମୋତେ।
ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲି । କିଛି ସମୟ ଆଗରୁ ସ୍ପଟଟିକୁ ଘେରି ସାରିଥିଲା ପୋଲିସ । ତଥାପି ଦୁଇ ପାଖରେ ଯାନ ବାହାନର ଭିଡ଼ ଲାଗି ରହିଥିଲା । ବାଇକ୍ ହୋଇ ନଥିଲେ ମୁଁ ଏଠି ସହଜରେ ପହଞ୍ଚି ପାରି ନଥାନ୍ତି ।
ଦେଖିବାର ଧୈର୍ଯ୍ୟ ନଥିଲା ମୋର । କେମିତି ଜାଣିବି ଲୋକଟି କିଏ ? ଏ ସେହି ଲୋକ ନା ଅନ୍ୟ କେହି ?
ଗୋଟିଏ ପ୍ରତିଷ୍ଠିତ ଦୈନିକର ଆଞ୍ଚଳିକ ସମ୍ବାଦଦାତାଙ୍କ ସହିତ ଦେଖା ହେଲା -ପଚାରିଲି ଲୋକଟି କିଏ ଜଣା ପଡ଼ିଲା ?
-ହଁ ଏବେ ଏବେ ଜାଣିଲୁ ।
ବ୍ୟଗ୍ର ହୋଇ ପଚାରିଲି -କିଏ ? କୋଉଠି ତା ଘର ?
-ସେ ଏଇ କାରଖାନାରେ ଠିକା ଶ୍ରମିକ ଥିଲା । ତା ଠିକାଦାର ଶବ ଚିହ୍ନଟ କରି ସାରିଲାଣି । ଘର ଛତିଶଗଡ଼ରେ ...। ବର୍ଷେ ହେବ ଆସିଥିଲା । କମ୍ପାନୀ ଆଧାର କାର୍ଡ ବାଧ୍ୟତାମୂଳକ କଲା ପରେ ,ଗୋଟେ ଫେକ୍ ଆଧାର ଦେଇ କାମରେ ଲାଗିଥିଲା । ସେଥିପାଇଁ ଶବ ଚିହ୍ନଟରେ ବିଳମ୍ବ ହେଲା । ଏଇ ବଜାରରେ ତ ଫେକ୍ ବନୁଛି....
ସାମ୍ବାଦିକ ବନ୍ଧୁ ଆଉରି ଅନେକ କଥା କହୁଥିଲେ । ବ୍ୟସ୍ତତାର ବାହାନା ନେଇ ସେଠୁ ବାହାରିଲି । ତାଙ୍କର ପଛ ଆଡକୁ କିଛି କଥା ବେଳେ ମୁଁ ଅନ୍ୟମନସ୍କ ହୋଇ ସାରିଥାଏ ।
-ଲୋକଟା ତାହେଲେ ବଞ୍ଚିଛି ।
ଗୋଟେ ଆପଣାର ପଣ ମୋତେ ଆବୋରି ପକାଉଥାଏ ।
ଖାଇବାବେଳ ଗଡି ଗଲାଣି । ଗୋଟେ ବିସ୍କୁଟ ଖିଆ ଯାଇପାରେ । ପାଟିରେ ଗୋଟିଏ ୟୁନିବିକ୍ ପକାଇ । ଚା' ଟିକେ ପିଇଲି ।
ଅଫିସ୍ ମୁହାଁ ବୁଲିଲା ବାଇକ୍ । କେମିତି ଗୋଟିଏ ଅଜବ ଖୁସି ଖୁସି ଭାବ । ମନ ଭିତରେ ଅପୂର୍ବ ସଙ୍ଗୀତ ।
ରେଲୱେ ଓଭର ବ୍ରିଜ୍ ପାରି ହେବା ପରେ ,ଯେଉଁଠି ଡିଭାଇଡର୍ ସରିଛି, ସେଇଠି ରାସ୍ତା କଡ଼ ଆମ୍ବ ଗଛ ମୂଳେ ଦେଖିଲି ଲୋକଟି ବସିଛି । ଆଉ ଉପରକୁ ଚାହିଁ ଏକ ଅନିର୍ବଚନୀୟ ଆନନ୍ଦରେ ହସୁଛି ।
ମୋ ଖୁସିଟା ବାହାରକୁ ବାହାରି ଆସିଲା । ସତେ ଯେମିତି ମୁଁ ଡିଭାଇଡର୍ ଉପରେ ଠିଆ ହୋଇଛି । ମୋ ମୁଣ୍ଡ ଭିତରେ କିଛି ନାହିଁ , ଅଛି ତ ଖାଲି ଆନନ୍ଦ ଆଉ ଆନନ୍ଦ ହିଁ ଅଛି।
--ରାଜୀବ ଗୋପାଳ ସ୍ବାଇଁ
ମାତୃକୁଟୀର, କୁରୁଣ୍ଟି,ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧