ସୈନିକର ମନକଥା
ସୈନିକର ମନକଥା
ଗୁଳିଗୋଳା ମୋତେ ଡରାଇ ପାରେନି
ଡରେନି ରକେଟ ମାଡ
ଖରା ବରଷାକୁ ଖାତିର କରେନି
ସଜାଗ ମୋ ହାତ ଗୋଡ ।
"ମା" କୋଳ ପରା ଛାଡି ମୁଁ ଆସିଛି
ଦେଶ ମାତୃକାର ପାଇଁ
ସରଗଠୁ ବଡ ମୋ ପାଇଁକି ଆଜି
ଏଇ ମୋ ଜନମ ଭୁଇଁ ।
ହାତଧରି ଯାର କରିଥିଲି ତାକୁ
ସାତ ଜନମର ସାଥି
ବିଦାୟ ଦେଇଛି ହସି ହସି ମୋତେ
ଲୁହରେ ଭିଜାଇ ଆଖି ।
ଜାଣେନା କେବେ ମୁଁ ଘରକୁ ଫେରିବି
ଅବା ମୁଁ ଫେରିବି ନାହିଁ
ଶପଥ ନେଇଛି ଶେଷ ରକ୍ତ ବିନ୍ଦୁ
ଝରାଇବି ଦେଶ ପାଇଁ ।
ତଥାପି କହୁଛି ମାନବ ଜାତି କୁ
ଜପ ଅହିଁସାର ମନ୍ତ୍ର
ମାନବ ବାଦର ଧ୍ୱଜ୍ଜା ଉର୍ଦ୍ଧ୍ୱେ ଉଡୁ
ଦୃଢ ହେଉ ଗଣତନ୍ତ୍ର ।
ବିଜୟ କୁମାର ପୃଷ୍ଟି