ଦରିଦ୍ର
ଦରିଦ୍ର
ହଁ, ମୁଁ ଦରିଦ୍ର
ମୁଠାଏ ଭାତ ପାଇଁ
ଖଣ୍ଡିଏ ରୁଟି ପାଇଁ
ଅନ୍ୟ ଆଗେ
ପତାଏ ମୁଁ ହାତ ।
ଆଉ କ'ଣ କରନ୍ତି ଯେ
କାହାକୁ ବା ଦେବି ଦୋଷ
ଏ ସମାଜକୁ ନା
ସେଇ ସୃଷ୍ଟି କର୍ତ୍ତାଙ୍କୁ
ଯିଏ ମୋତେ ଜନ୍ମରୁ
କରିଦେଲେ ବିକଲାଙ୍ଗ ।
ଅପଦାର୍ଥ ପଙ୍ଗୁ ବୋଲି ସିନା
ମାଗୁଛି ମୁଁ ଭିକ
କେବେ ତ ମୁଁ କାହାଠାରୁ
ନେଇନି ଉଧାର ।
ଯିଏ ଦେଲେ ଭଲ
ନ ଦେଲେ ବି ଭଲ
ବାଧ୍ୟ ତ ମୁଁ କେବେ
କରେନି କାହାକୁ
ଯାହା ମିଳେ
ସେତିକି ତ ଯଥେଷ୍ଟ ।
ବେଶିି କିଛି ପାଇବାର
ତିଳେ ହେଲେ
ନାହିଁ ମନେ ଲୋଭ
ଏଇ ପେଟଟା ପାଇଁ
ସହିଛି କେତେଯେ
ଅପମାନ ସମାଜର ।
ଆକାଶ ମୋ ଛାତ ହେଲେ
ପୃଥିବୀ ମୋ ଘର
କେବେ କେଉଁ ରାସ୍ତା କଡରେ
ତ ଆଉ କେବେ ଗଛ ମୂଳେ
ନିଶଙ୍କା ରେ କାଟିଯାଏ
ଜୀବନ୍ତଟି ମୋର ।
ନା ଥାଏ ମରିବାର ଭୟ
ନା ବଂଚିବାର ଖୁସି
ଅପେକ୍ଷା ତ ମୃତ୍ୟୁକୁ
କେବେସେ ଆସିବ
ମରି ମରି ବଂଚିବାଠୁ
ମରିବାକୁ ମଣେ ଶ୍ରେୟସ୍କର ।
ନା ଥିବ ଅନୁତାପ ମୋ ମୃତ୍ୟୁର
ନା ଥିବ କିଛି ଚିନ୍ତା
ନା ଥିବ କାହାରିକୁ
ମୋ ମୃତ୍ୟୁର ଦୁଃଖ
କାନ୍ଦିବାକୁ ନ ଥିବେତ
ଦୁନିଆରେ ମୋର କେ ନିଜର ।
ପଙ୍ଗୁ ବୋଲି ସିନା
ମାଗୁଛି ମୁଁ ଭିକ
ମୋ ମଥାରେ ଦିଅନା
ଅକର୍ମଣ୍ୟ କଳଙ୍କର ଦାଗ
ହଁ ,ମୁଁ ଦରିଦ୍ର
ହଁ ,ମୁଁ ଦରିଦ୍ର।