ଆଦିମ ମଣିଷ
ଆଦିମ ମଣିଷ
ଧର୍ମଛଡା ଛାର ମଣିଷ ଏଠାର
କହେ ବଡ ବୋଲି କର୍ମ
ସଭ୍ୟତା ନାଆଁରେ ନଗରେ ଗାଆଁରେ
ଛାଡିଲାଣି ଲାଜଶର୍ମ ।
ଦେହରେ ଲେଖାଇ ଗୁପ୍ତାଙ୍ଗ ଦେଖାଇ
ସ୍ବାଧୀନତା ବୋଲି ଭାବି
ବାଢିଲେଣି ଯୁକ୍ତି ଆଦରିଲେ ଭୁକ୍ତି
ଆଧୁନିକତାର ଚାବି ।
ରକ୍ଷଣଶୀଳତା ଆଉ କି ମିଳନ୍ତା
ଭଲ ଲାଗେ ଅର୍ଦ୍ଧନଗ୍ନ
ଲଜ୍ଜାହୀନ ହୋଇ ଭୋଗବାଦ ଥୋଇ
ବିଳାସରେ ଯେବେ ମଗ୍ନ ।
ଆଖିରୁ ତ କାହିଁ ଆଉ ଝରୁ ନାହିଁ
ପ୍ରେମ ପ୍ରତାରଣା ଅଶ୍ରୁ
ବାସନାରେ ମାତି ପୁହାଉଛି ରାତି
କିଶୋର ଅଜାତଶ୍ମଶ୍ରୁ ।
ସ୍ବୀକୃତିର ଭୟ ଛାଡି ପରିଚୟ
ଖୋଜୁନି ଜାରଜ ଶିଶୁ
ଅନ୍ଧାରୁଆ ପାପ ଦେଉନାହିଁ ତାପ
ଯାହା ସଙ୍ଗେ ଯିଏ ମିଶୁ ।
ମୈଥୁନ ରୋପଣ ପାଇଁ କି ଗୋପନ
ପିଆସୀ ମନର କଥା
ନ ଭାବିଲେ ମନେ ଭରା ଯଉବନେ
ଲୁଚାଇବ କିଏ ମଥା ?
ଜୀବନର ଯୁଦ୍ଧ କ୍ଷେତ୍ରେ ଅବରୁଦ୍ଧ
ଦ୍ବାର ସବୁ ଯାଏ ଖୋଲି
ସଙ୍କୋଚର ବିନା ରହିଯିବ ସିନା
ଆଦିମ ମଣିଷ ବୋଲି ।
ପ୍ରସନ୍ନ କୁମାର ମାଦଳା