ବନ୍ଧୁତା
ବନ୍ଧୁତା
କେଉଁଠୁ ଆରମ୍ଭ କେଉଁଠି ତା ଶେଷ
କେମିତି କହିବି ବନ୍ଧୁ
ବନ୍ଧୁତା ଆମର ହେଲେ ହୋଇଥିବ
ଭାବନାର ଅନୁବନ୍ଧୁ ।
ବାଧ୍ୟ ବି କରନି ଖୋଜିବାକୁ ଆମ
ବନ୍ଧୁତ୍ଵର ଏକ ସଂଜ୍ଞା
ପ୍ରତି ଥର ପରା ପରାହତ ହୁଏ
ହଜିଯାଏ ବୁଦ୍ଧି ପ୍ରଜ୍ଞା ।
ଅଜାଣତେ ଯୋଡେ ଅବା ପୁଣି ଛିଡେ
ଭାବ ଅଭାବକୁ ଲକ୍ଷି
ବସା ବାନ୍ଧି କେବେ ବାଟ ଭୁଲିଯାଏ
ସମ୍ପର୍କର ଏହି ପକ୍ଷୀ ।
ଯେଉଁ ଭାବ ପାଇ ଅଙ୍କୁରିତ ହୁଏ
ବିଶ୍ଵାସର ଗୋଟେ ବୀଜ
ତମାମ ଆୟୁଷ ଦାନା ବାନ୍ଧେ ଖାଲି
ସାଇତି ହୃଦୟେ ନିଜ ।
ସମ୍ବନ୍ଧ ବିଚ୍ଛେଦ ସହି ନ ପାରିଲେ
ନିର୍ଲିପ୍ତ ନୟନ ତଳେ
କ୍ଷଣିକେ ବର୍ଷଇ ତତ୍ପର ସେ ହୋଇ
ଭିଜାଏ ଲୋତକ ଜଳେ ।
ଲାଭ ଲୋଭ ଆଉ ଲାଞ୍ଛନାଠୁ ଦୂରେ
ଇଚ୍ଛେ ନାହିଁ ଭାଗ ଭୋଗ
ବାଦ ବିବାଦ କି ସମ୍ବାଦ ନଲୋଡେ
ଏ ତ ବଇରାଗ ରୋଗ ।
ନିଜ ପଣିଆର ପୃଥିବୀ ଭିତରେ
ନିଜର ହିଁ ଆବିଷ୍କାର
ଅହଂକାର ଆଉ ସ୍ବାର୍ଥପରତାକୁ
କରେ ସିନା ବହିଷ୍କାର ।
ଆକାଶ ଓ ମାଟି ମିଶିଛି ଯେଉଁଠି
ସେ ଦୂର ବଳୟେ ଦେଖି
ବନ୍ଧୁତାକୁ ଆମ କାଗଜ କଲମେ
ପାରିବି କି କୁହ ଲେଖି ?
ସୁଦାମା ଉଦ୍ଧବ ଜାଣି ବନ୍ଧୁ ଭାବ
କୃଷ୍ଣଙ୍କ ସାନିଧ୍ୟ ପାଇ
ଜଗତେ ଅମର ରଖିଲେ ବନ୍ଧୁତ୍ୱ
ମୀରା ରାଣୀ ହେଲେ ବାଈ ।
ଅପ୍ରାପ୍ତ ସଂଜ୍ଞାକୁ ମୁହୂର୍ତ୍ତକ ପାଇଁ
ଅବଜ୍ଞା କରିବା ଚାଲ
ଦୁହେଁ ସାଥେ ଥାଇ ଅତିକ୍ରମି ଯିବା
ପଥେ ଯେତେ ଢିପ ଖାଲ ।
ପ୍ରସନ୍ନ କୁମାର ମାଦଳା