ଓଡିଶା ମାଟିର ନାରୀ
ଓଡିଶା ମାଟିର ନାରୀ
ମୁହଁ ତୁମ ଚିହ୍ନା ଚିହ୍ନା,
କଥା ତୁମ ଜଣା ଶୁଣା
ଆଖି ତୁମ ନିଆରା ନିଆରା ।
ଓଠ ତୁମ ପାରିଜାତ,
ପରୀର ମିତାଳି ମିତ
କପୋଳରେ ଜହ୍ନର ଇସାରା ।
ହସ ତୁମ ଖିଲି ଖିଲି
ଅଧର ଗୋଲାପ କଳି
ଚାଲି ତୁମ ସୁର ରୁଣୁ ଝୁଣୁ ।
ମନ ତୁମ ନିରୀମାଖୀ
କଥା କୁହା ପୁଣ୍ୟ ପକ୍ଷୀ
ଗାଉଥାଏ ଗୀତ ଗୁଣୁ ଗୁଣୁ ।
ଗୀତ ତୁମ ଗୀତା ପରି
ସାତ ସୁରେ ସୁର ଭରି
ଆକାଶ ସାଗର ଛୁଇଁ ଯାଏ ।
କଥା ତୁମ କୋଇଲିକୁ
କରିଦିଏ କୁହୁ କୁ
ମୋ'ଅଗଣା ଗୁଣ ଗାଉଥାଏ ।
ଚାଲି ତୁମ ଥିରି ଥିରି
ଶିଥିଳ କାକର ପରି
ଶବଦ ବିହୀନ ଧୀର ଧୀର ।
ଚାହାଣୀ ଚାତକ ପରି
ନିରୀହତା ଅସୁମାରୀ
ପଲକଇ ହୋଇ ସୁମଧୁର ।
ଫୁଲ ପରି ତୁମ ପ୍ରୀତି,
ଗାଏ ସେ ବସନ୍ତ ଗୀତି
ମମତାର ମଧୁ ଝରି ଯାଏ ।
କୋଇଲିର କଣ୍ଠ ନେଇ
ମଧୁଝରା ମିଠା ଦେଇ
ପରକୁ ଆପଣା କରିଥାଏ ।
ଲାବଣ୍ୟେ ଲାବଣ୍ୟବତୀ
ଲାଜକୁଳୀ, ଗୁଣବତୀ
ମାନରେ ମାନିନୀ,ମାନମୟୀ ।
ବାପ ଘର,ଶାଶୁ କୁଳ
ଉଭୟକୁ ଗଙ୍ଗା ଜଳ
ସର୍ବଗୁଣ ସଂପନ୍ନା, ତନୟୀ ।
ସୀତାଙ୍କ ସୁଗୁଣ ନେଇ
ପଦ୍ମର ପରଶ ପାଇ
ଶ୍ୱେତପଦ୍ମା,ପୁଣି ମଧୁଛନ୍ଦା ।
ଏତେ ସବୁ ଗୁଣ ଥାଇ,
ତୁମେ ପୁଣି ଆଶାମୟୀ
ନିପୁଣ ସ୍ନେହରେ ଅଛ ବନ୍ଧା ।
ସୁଗୁଣ ସଂପନ୍ନା ତୁମେ
ଧୀର ସ୍ଥିର ଅଭିମାନେ
ଓଡିଶା ମାଟିର ଗଉରବ ।
ଓଡିଶା ମାଟିର ନାରୀ,
ସରଳ ଓ ସୁକୁମାରୀ
ଓଡ଼ିଆ କୁଳର ବଇଭବ ।
କାହା ପାଇଁ ତୁମେ ମାଆ,
କାହାର ଭଗିନୀ,ଜାୟା
ସବୁ ରୂପେ ତୁମେ ମହୀୟାନ ।
ଧନ୍ୟ ଏ ଓଡିଶା ମାଟି,
ଗଉରବ ଫୁଲେ ଫୁଟି
ତୁମ ଗାରିମାରେ ଗରିୟାନ ।