ବସନ୍ତ ଭିକ୍ଷା
ବସନ୍ତ ଭିକ୍ଷା
ରୋମାଣ୍ଟିକ କବି ମାୟାଧର ମାନସିଂହ
ମଧୁ ନିଶିଥିନୀ ଏହି,ଚନ୍ଦ୍ରିକା ଚକିତ
ଧରଣୀର ଧୂଳି ଦେହ ମୁଗ୍ଧ ପୁଳକିତ
ଜୋଛନାର ଯାଦୁ ସ୍ପର୍ଶେ । ବନସ୍ପତି ରେଖା
କ୍ଷୀଣ ପାଣ୍ଡୁ ଆବରଣେ ଦୂରୁ ଯାଏ ଦେଖା
ମାୟାର କାନନ ସମ ।ଆମ୍ର କୁଞ୍ଜ ତଳେ
ତିଳତଣ୍ଡୁଳିତ ଛାୟେ ପାନ୍ଥ କାହିଁ ଚଳେ
ନୀରବେ ବଦନ ପୋତି ; ମନ୍ଦ ସମୀରଣେ
ନାରୀକେଳ ଉଚ୍ଚ ଶିଖା ମୃଦୁଳ କମ୍ପନେ
ଥରି ଉଠେ ଜ୍ୟୋତ୍ସ୍ନା ତଳେ । କ୍ଷୁବ୍ଧ ଚକ୍ରବାକ
ଦୂରୁ ଢାଳେ ଥରେ ଥରେ ତା' ବିରହ ଯାକ
ଏକାନ୍ତ କରୁଣ ସ୍ୱରେ ।ପ୍ରଣୟୀ ଯୁଗଳ
ଏକାଳେ ଆକାଶ ତଳେ ହୋଇ ଲଗ୍ନ-ଗଳ
ପ୍ରଣମିଲୁ ବସନ୍ତରେ, ବୋଲି- ' ହେ ସାମନ୍ତ,
ଜୀବନ ଆମ୍ଭର ହେଉ ଅଚ୍ଛିନ୍ନ ବସନ୍ତ ।'
ସମାପ୍ତ