ଆନ୍ଦିଆ ନଈ
ଆନ୍ଦିଆ ନଈ
ବିବର୍ଣ୍ଣା ତୋ ରୂପ ଆଜି
ସମୟର କରାଳ ସ୍ରୋତରେ I
ତଥାପି ସାଇତି ରଖିଛି
ତୋ ସହିତ ଯୋଡା ଯେତେ ସ୍ମୃତି
ମୋ ମନ ଭିତରେ II 1 II
ତୋ କୂଳରେ ମୋ ଛୋଟ ଗାଁ'ଟି
ଥିଲା କେତେ ସବୁଜ ସୁନ୍ଦର I
ନାହିଁ ମାଟି ଚାଳଗର ଆଉ
ଚାରିଆଡେ ଦିଶେ କୋଠାଘର,
କେତେ ଋକ୍ଷ କେତେ ଯେ ଧୂଷର II 2 II
ପ୍ରତି ପ୍ରଭାତରେ ତୋ କୋଳରେ
ଫୁଟୁଥିଲା ନାଲି ନୀଳ କଇଁ,
ଆଉ ଶତ ସ୍ୱେତ ପଦ୍ମ I
ଧଳା କଇଁ ଉଠୁଥିଲା ଚେଇଁ
ରାତ୍ରି ଆକାଶରେ ଦେଖି ପ୍ରିୟ ଚାନ୍ଦ II 3 II
ପାଣିକୁଆ ହଂସରାଳି ପକ୍ଷୀମାନେ
ହୋଇ ଏକମେଳି ,
ତୋ କୋଳରେ ଆନନ୍ଦରେ
କରୁଥିଲେ କେଳି I
ଆଉ ଆମେ ସବୁ ସାଙ୍ଗପିଲା
ତୋ କୋଳେ ପହଁରୁଥିଲୁ
ଦେଖାଇ ଭଙ୍ଗୀ ଭଳି ଭଳି II 4 II
ବିରଳ ସେ ଶହେ ଆଠ ପାଖୁଡିଆ
ଶ୍ୱେତ ପଦ୍ମ ଫୁଟୁଥିଲା
ତୋହରି ବକ୍ଷରେ I
ମନ ଇଛା ଆମେ ସବୁ ତୋଳି ନେଉଥିଲୁ
ସହୁଥିଲୁ ବିନା କଟାକ୍ଷରେ II 5 II
ତୋ କୂଳରେ ଠିଆ ସେଇ
ଶୁଖିଲା ଥୁଣ୍ଟା ଗଛ ଅଗ୍ରେ,
ପାଣିଆ ଖରା ଖାଏ ବସି I
ଆମେ ସବୁ ପିଲାମାନେ
ଧରୁଥିଲୁ ମାଛ ପକାଉ ବନିସି II 6 II
ମାଛରଙ୍କା ଉଡୁଥିଲା ତୋ ଉପରେ
ମାଛ ଲାଳସାରେ I
ନଜର ପଡିଲେ ଝାମ୍ପି ନେଉଥିଲା ମାଛ
ବିଜୁଳି ବେଗରେ II 7 II
ଜୀର୍ଣ୍ଣ ଶୀର୍ଣ୍ଣ ତୋ ଶରୀର
ଆଜି ନାହିଁ ସେ ପୂର୍ବ ସୁଷମା I
ସମୟ ସ୍ରୋତରେ ହରାଇଛୁ
ଆନ୍ଦିଆ ନଈ ତୁ ତୋ ପୂର୍ବ ଗରିମା II 8 II
*******