STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଯମଦଣ୍ଡରୁ ଶ୍ରୀକୃଷ୍ଣ ରକ୍ଷା ପାଇଲେ

ଯମଦଣ୍ଡରୁ ଶ୍ରୀକୃଷ୍ଣ ରକ୍ଷା ପାଇଲେ

4 mins
342



ଦ୍ଵାପର ଯୁଗର କଥା l ଦିନେ ଯମରାଜଙ୍କ ଦରବାର ଚାଲି ଥାଏ l ସିଂହାସନରେ ଉପବେଶନ କରିଥାନ୍ତି ଜନ୍ତୁପତି l ପାଖରେ ଚିତ୍ରଗୁପ୍ତ ପାଞ୍ଜି ଓଲଟାଇ ସବୁ ଜୀବଙ୍କର ପାପ ପୁଣ୍ୟର ହିସାବ ପ୍ରଦାନ କରୁଥାନ୍ତି l ହଠାତ୍ ଚିତ୍ରଗୁପ୍ତ କହିଉଠିଲେ, ଏ ଦ୍ୱାପର ଯୁଗରେ ଲୋକେ ସ୍ଵୟଂ ଭଗବାନ ବିଶ୍ୱାସ କରୁଥିବା ଶ୍ରୀକୃଷ୍ଣ ତ ଅନେକ ପାପ କରି ସାରିଲେଣି l ତାଙ୍କର କଅଣ ଦଣ୍ଡ ହେବ l ଯମ କହିଲେ, ତୁମେ କୁହ ଚିତ୍ରଗୁପ୍ତ ! କୃଷ୍ଣ, କି କି ପାପ ସବୁ କରି ସାରିଲେଣି l ଚିତ୍ରଗୁପ୍ତ କହିଲେ, ତାଙ୍କର ସବୁପାପ ଭିତରେ ତିନୋଟି ପାପ ଅତ୍ୟନ୍ତ ଗର୍ହିତ ଏବଂ ଅକ୍ଷମଣୀୟ l ସେ ପ୍ରଥମରେ ଏକ ନାରୀ ହତ୍ୟା କରିଛନ୍ତି l ଦ୍ୱିତୀୟରେ ଗୋଟିଏ ଷଣ୍ଢକୁ ମାରିଛନ୍ତି l ତୃତୀୟରେ, ନିଜ ମାମୁଁକୁ ମାରି ପକାଇଛନ୍ତି l ଏଣୁ, ହେ ଜନ୍ତୁପତି ! ତାଙ୍କର ଆପଣ ଉଚିତ ଦଣ୍ଡ ବିଧାନ କରନ୍ତୁ l 

ଯମରାଜ ଚିନ୍ତାରେ ପଡ଼ିଲେ, "ଯିଏ ଏ ତ୍ରିଜଗତର ସ୍ଵାମୀ ବୋଲାଉଛନ୍ତି ତାଙ୍କୁ ମୁଁ କେଉଁ ଦଣ୍ଡ ଦେବି"! କିଛି ସମୟ ଚିନ୍ତା କରି ଯମ କହିଲେ, ନାଁ, କୃଷ୍ଣଙ୍କୁ ତାଙ୍କ କୃତକର୍ମ ପାଇଁ ଉଚିତ ଦଣ୍ଡ ଦିଆଯିବ l ତାଙ୍କ ପାଇଁ ମୁଁ ନିଜେ ଗୋଟିଏ ସ୍ଵତନ୍ତ୍ର ନର୍କ ତିଆରି କରେ ସେଇଠାରେ ତାଙ୍କୁ ପକାଇବି l ଏହାକହି ଦରବାର ଭାଙ୍ଗି ଯମରାଜ ଉଠିଗଲେ l

ପରଦିନ କୃଷ୍ଣଙ୍କ ପାଇଁ ଏକ ନର୍କକୁଣ୍ଡ ତିଆରିପାଇଁ ଯମ ଗୋଟିଏ ଗାତ ଖୋଳୁ ଥାନ୍ତି, ଏହି ସମୟରେ ସେଠାରେ ଆସି ପହଞ୍ଚିଲେ, ଦେବର୍ଷି ନାରଦ l ସେ ଯମଙ୍କୁ ଖୁବ୍ ବ୍ୟସ୍ତଥିବା ଦେଖି କହିଲେ, ଜନ୍ତୁପତି ! ଆପଣ ଏ କ'ଣ କରୁଛନ୍ତି, ଆପଣଙ୍କ ଦରବାରରେ କେତେକେତେ ଦୂତ ଅଛନ୍ତି, ଅଥଚ ଆପଣ ଏପରି ଗଳଦ୍ଘର୍ମ ହୋଇ ଗାତ ଖୋଳାରେ ଲାଗି ପଡ଼ିଛନ୍ତି l ଯମରାଜ ଦେବର୍ଷିଙ୍କୁ ସମସ୍ତକଥା ବୁଝାଇ କହିଲେ, ମୁଁ କୃଷ୍ଣଙ୍କ ପାଇଁ ନିଜ ହାତରେ ଏହି ନର୍କଟି ତିଆରି କରୁଛି l କୃଷ୍ଣଙ୍କ ପାପ !! ଜିଭ କାମୁଡ଼ି ପକାଇଲେ, ନାରଦ l ସେ ଯମରାଜଙ୍କୁ କହିଲେ, ହେ ଜନ୍ତୁପତି ! ତେବେ କୃଷ୍ଣଙ୍କ ଏସବୁ ଅପରାଧ ପାଇଁ କ'ଣ ଅନ୍ୟ କୌଣସି ପ୍ରତିକାର ନାହିଁ l ଯମ କହିଲେ ଅଛି ଅଛି ଦେବର୍ଷି l ଏହାର ଏକମାତ୍ର ପ୍ରତିକାର, ଯଦି କେହି ଜଣେ ପତିବ୍ରତା ସତୀନାରୀ କୃଷ୍ଣଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିପାରିବ ତାଙ୍କର ଏ ସମସ୍ତ ପାପ କଟିଯିବ l ଯମଙ୍କଠାରୁ ଏହା ଶୁଣି ଦେବର୍ଷି ସଙ୍ଗେ ସଙ୍ଗେ ଯାଇ ଦ୍ୱାରିକାରେ ପହଞ୍ଚିଲେ l

ଶ୍ରୀକୃଷ୍ଣ ନାରଦଙ୍କୁ ଦେଖି କହିଲେ, କ'ଣ ଦେବର୍ଷି ! ଏ ଅସମୟରେ ଆଗମନ ହେଲା କିପରି ? କଅଣ କିଛି ବିଶେଷ ସମାଚାର ଅଛି କି? ନାରଦ କହିଲେ, ହେ ପ୍ରଭୁ ! ମୁଁ ଏବେ ଏବେ ଯମପୁରରୁ ଆସୁଛି l ମୁଁ ସେଠାରୁ ଯାହା ଶୁଣିଆସିଲି କଅଣ କହିବି, ଆପଣ ତ ସବୁ ଜାଣନ୍ତି l ଶ୍ରୀକୃଷ୍ଣ କହିଲେ, କ'ଣ ହୋଇଛି ମତେ ଖୋଲିକରି କୁହ l ନାରଦ କହିଲେ, ପ୍ରଭୋ ! ମୁଁ ଦେଖି ଆସିଲି, ଆପଣଙ୍କ କୃତ, ତିନୋଟି ଗର୍ହିତ ପାପ ପାଇଁ ଯମରାଜ ଆପଣଙ୍କୁ ନର୍କରେ ପକାଇବା ପାଇଁ ମସୁଧା କରୁଛି l ସେଥି ପାଇଁ ସେ ଏକ ସ୍ବତନ୍ତ୍ର ନର୍କ ଖନନ କରୁଥିବା ଅବସ୍ଥାରେ, ମୁଁ ଯାଇ ପଚାରି ସବୁ କଥା ଜାଣି ପାରିଲି l ସେ ପୁଣି କହିଛି, ପ୍ରଭୁଙ୍କ ଏ ଦଣ୍ଡରୁ ରକ୍ଷା ପାଇବାର ଏକମାତ୍ର ଉପାୟ ଅଛି l ଆପଣଙ୍କ ଗାଲରେ କୌଣସି ପତିବ୍ରତା ସତୀ ନାରୀ ଯଦି ଚାପୁଡ଼ାଏ ମାରିବ ତେବେ ଏ ପାପ କଟିଯିବ l ପାଖରେ ଉପସ୍ଥିତ ଥାନ୍ତି ଅଷ୍ଟ ପାଟବଂଶୀ l କୃଷ୍ଣଙ୍କ ଇଙ୍ଗିତରେ, ଦେବର୍ଷି ସେମାନଙ୍କୁ ଅନୁରୋଧ କଲେ, ଆପଣ ମାନେ ସମସ୍ତେ ପତିବ୍ରତା l ଆପଣ ମାନଙ୍କ ମଧ୍ୟରୁ କେ

ହି ଏହି କାର୍ଯ୍ୟ କରି ପ୍ରଭୁଙ୍କୁ ନର୍କ ଦଣ୍ଡରୁ ରକ୍ଷାକରନ୍ତୁ l ନାରଦଙ୍କ କଥାରେ ଆଠରାଣୀ ଯାକ ଏକସ୍ବରରେ କହି ଉଠିଲେ, ସ୍ଵାମୀ ଆମ ଇହକାଳ ପରକାଳର ଦେବତା,ତାଙ୍କୁ ଚାପୁଡ଼ା ମାରିବୁ l ଏହା ଅସମ୍ଭବ,ଆମେ ଏହା କରି ପାରିବୁ ନାହିଁ l ଶେଷକୁ ନାରଦ ଦେବୀ ରୁକ୍ମିଣୀଙ୍କୁ କହିଲେ,ଅନ୍ତତଃ ଆପଣ ତ ପ୍ରଭୁଙ୍କୁ ରକ୍ଷା କରି ପାରନ୍ତେ ! କିନ୍ତୁ ସେ ମଧ୍ୟ ନାଁ କରିଦେଲେ l ନାରଦ ଦେଖିଲେ ଆଉ କିଛି କରିବା ସମ୍ଭବ ନୁହେଁ l ସେ ନିରାଶ ହୋଇ ପ୍ରଭୁଙ୍କୁ କହିଲେ ଏଥର ଆପଣଙ୍କ କଥା ଆପଣ ନିଜେ ଚିନ୍ତାକରନ୍ତୁ l ଏମାନେ କେହି ନୁହଁନ୍ତି, ମୁଁ ଚାଲିଲି l

ମାୟାଧରଙ୍କ ମାୟା କିଏ ବୁଝିବ l ସବୁକଥା ବିଚାର କରି ଭଗବାନ ଶ୍ରୀକୃଷ୍ଣ, ଏକ ଛୋଟ ବାଳକ ବେଶ ଧରି ଯାଇ ପହଞ୍ଚିଲେ ନିଜ ବାଲ୍ୟ ଶଖା ସୁଦାମାଙ୍କ ଘରେ l ବାଳକଟିକୁ ଦେଖି, ସୁଦାମା ଖୁବ୍ ଆନନ୍ଦିତ ହେଲେ l ସେତେବେଳକୁ ସୁଦାମା ଓ ସୁଶୀଳା ପକ୍ଵ ବୟସରେ ଉପନୀତ ହୋଇ ସାରିଥାନ୍ତି l ଘର କାମ କରିବା ଆଉ ସମ୍ଭବ ହେଉ ନ ଥାଏ l ବାଳକ ରୂପୀ ଶ୍ରୀକୃଷ୍ଣ କହିଲେ,ମୋ ନାଆଁ ବାଟୁଆ, ମୋର କେହି ନାହାଁନ୍ତି l ଖାଲି ଗଣ୍ଡେ ଖାଇବାକୁ ଦେଇ ମତେ ତୁମ ଘରେ ରଖ l ମୁଁ ତୁମର ସବୁ କାମଧନ୍ଦା ବୋଲହାକ କରିବି l ପିଲାଟିକୁ ସୁଦାମା ଓ ସୁଶୀଳା ଖୁସି ହୋଇ ଘରେ ରଖିଲେ l 

ଦିନକର କଥା l ସେଦିନ ଥାଏ ଜନ୍ମାଷ୍ଟମୀ l ଉଭୟ ସୁଦାମା ଓ ସୁଶୀଳା ଆଣ୍ଠୁଆ ଗୋପାଳଙ୍କ ପୂଜାପାଇଁ ବ୍ୟସ୍ତଥାନ୍ତି l ସୁଶୀଳା ଘରେ ଥିବା ଗୋପାଳଙ୍କ ମୂର୍ତ୍ତି ଆଗରେ ନିବିଷ୍ଟ ଚିତ୍ତରେ ବସି ତାଙ୍କୁ ସଜେଇ ଦେଉ ଥାନ୍ତି l ସଜା ସଜି ପରେ କ୍ରମେ ଭୋଗ ଲାଗି ହୋଇ ପୂଜା ଶେଷ ହେଲା l ସୁଶିଳାଙ୍କ ଧ୍ୟାନ ଭଗ୍ନ ହେଲା l ଆରେ ଏ କଅଣ ! ସେ ଦେଖନ୍ତି ତ,ତାଙ୍କ ସାମ୍ନାରେ ବାଟୁଆ ବସିଛି l ସୁଶୀଳାଙ୍କ ରାଗର ସୀମା ରହିଲା ନାହିଁ l ତା' ଗାଲରେ ଏକ ଶକ୍ତ ଚାପୁଡ଼ା କଷିଦେଇ ସେ କହିଲେ, ଆରେ ହେ ବାଟୁଆ !! ତୋତେ ପରା ମୁଁ ଠାକୁର ଘରକୁ ପଶିବା ବାରଣ କରିଥିଲି l ଆଜି ତୁ କଲୁ କଅଣ l ମୋର ସବୁପୂଜାକୁ ତୁ ମାରା କରି ଦେଲୁ l ଏମିତିକହି ସୁଶୀଳା ରାଗରେ ତା ଗାଲରେ ଚାପୁଡ଼ା ପରେ ଚାପୁଡ଼ା କଷି ଦେଇଗଲେ l ବାଟୁଆ କାନ୍ଦିକାନ୍ଦି, ନାଁ, ମୁଁ ଆଉ ଏଠାରେ ରହିବିନାହିଁ କହି ସୁଶୀଳାଙ୍କ ଘରୁ ବାହାରି ଚାଲିଗଲା l

ପ୍ରଭୁ କୁଆଡ଼େଗଲେ ବୋଲି ଅଷ୍ଟପାଟବଂଶୀ ବିକଳ ହୋଇ ଖୋଜୁଥାନ୍ତି, ଏହି ସମୟରେ ଶ୍ରୀକୃଷ୍ଣ ଯାଇ ଦ୍ୱାରିକାରେ ପହଞ୍ଚିଗଲେ ଓ ଯାହା ଯାହା ଘଟିଥିଲା ରାଣୀମାନଙ୍କୁ କହିଲେ l ସମସ୍ତେ ଏହାଶୁଣି ଆଶ୍ବସ୍ତ ହେଲେ, ଯାହାହେଉ ସେହି ମହନୀୟା ନାରୀ ଆମ ପ୍ରଭୁଙ୍କୁ ନର୍କରୁ ରକ୍ଷା କଲେ l ସମସ୍ତେ ସାଥି ହୋଇ କହିଲେ, ଚାଲ ଆମେ କିଏ ସେହି ନାରୀଙ୍କୁ ଟିକିଏ ଦେଖି ଆସିବା l 

ସମସ୍ତେ ଯାଇ ସୁଶୀଳାଙ୍କ ପାଖରେ ପହଁଞ୍ଚି ପ୍ରଣାମ କରି କହିଲେ, ଧନ୍ୟଧନ୍ୟ ତୁମେ ପତିବ୍ରତା ନାରୀ l ତୁମେ ଆମକୁ ଯେପରି ଋଣୀ କରିଛ ତାହା ଆମେ ଜନ୍ମ ଜନ୍ମାନ୍ତରରେ ଶୁଝି ପାରିବୁ ନାହିଁ l ତାଙ୍କୁ ସବୁ କଥା ବୁଝାଇ କରି କହିଲେ, ତୁମ ପରି ଭାଗ୍ୟବତୀ ଆଉ କେହି ଏ ସଂସାରରେ ନାହିଁ l ତୁମେ ଯାହାଙ୍କୁ ମାଡ଼ ମାରି ନୋଳା ଫଟାଇ ଦେଲ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ତୁମର ପରମ ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣ l ତୁମେ ଆମ ପ୍ରଭୁଙ୍କୁ ନର୍କରୁ ରକ୍ଷା କରିଛ l ଧନ୍ୟ ତୁମର ଜନ୍ମ l ପାଖରେ ଶ୍ରୀକୃଷ୍ଣ ଠିଆ ହୋଇ ମୃଦୁ ମୃଦୁ ହସୁଥାନ୍ତି l ସୁଶୀଳାଙ୍କ ନେତ୍ରଦ୍ବୟରୁ ବହି ଚାଲିଥାଏ ଅବାରିତ ଅଶ୍ରୁଧାରା l

    


Rate this content
Log in

Similar oriya story from Inspirational