ଯାହା କହିଛି ଠିକ୍ କହିଛି ନା!
ଯାହା କହିଛି ଠିକ୍ କହିଛି ନା!
ସିମର (ସିମି) ସନ୍ଧ୍ୟା ବେଳେ ମୁହଁ ଶୁଖାଇ ବସିଛନ୍ତି। ଆଜି କଣ ହେଇଛି କେଜାଣି। ତାଙ୍କର ସ୍ୱାମୀ ମଳୟଙ୍କ କଥା ବହୁତ ମନେ ପଡୁଛି।କେତେ ସୁନ୍ଦର ଥିଲା ସେ ଦିନ। ଯେତେବେଳେ କଲେଜରେ ମଳୟଙ୍କ ସହ ତାଙ୍କର ପ୍ରଥମ ଦେଖା। ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ବିବାହ ହେଲା। ଯଦିଓ ଉଭୟ ପରିବାର ପ୍ରଥମେ ବିବାହ ପାଇଁ ରାଜି ନଥିଲେ..... କିନ୍ତୁ ପୁଅଝିଅର ଖୁସି ପାଇଁ ରାଜି ହେଲେ।
ବିବାହ ପରେ କେତେ ସପନ..... ଭବିଷ୍ୟତରେ ପରିବାର ବଢାଇବେ..... କେମିତି ନିଜ ପରିବାରକୁ ଖୁସିରେ ରଖିବେ..... ବ୍ୟବସାୟ ବଢାଇବେ ଦୁହେଁ ମିଶି ଦେଖିଥିଲେ। ବାହାଘର କିଛି ମାସ ପର୍ଯ୍ୟନ୍ତ ସବୁ ଠିକ ଥିଲା। କେବଳ ଶାଶୁ ରମା ଦେବୀ ସିମିଙ୍କୁ ନେଇ ସନ୍ତୁଷ୍ଟ ନ ଥିଲେ। କାରଣ ମଳୟଙ୍କ ପରିବାର ବ୍ରାହ୍ମଣ ଘର ବେଳକୁ ସିମିଙ୍କ ପରିବାର କରଣ ଘର। ଜାତିର ନହୋଇଥିବାରୁ ରମା ଦେବୀ ସବୁବେଳେ ସିମିଙ୍କୁ ନେଇ ଗରଗର ହେଉଥିଲେ।
ମଳୟ ବ୍ୟବସାୟରେ ବ୍ୟସ୍ତ ରହୁଥିଲେ। ରାତିରେ ଘରକୁ ଆସିଲେ ରମା ଦେବୀ ମଳୟଙ୍କୁ ନିଜ ଶୋଇବା କୋଠରୀକୁ ଡାକି ସିମରଙ୍କ ବିରୋଧରେ ମିଛ ସତ ମିଶାଇ ବହୁତ କଥା କହିଲେ। ଏଥିରେ ବେଳେ ବେଳେ ମଳୟଙ୍କ ସାନ ଭଉଣୀ ଲିସା ମଧ୍ୟ ପାଳି ଧରି ଭାଉଜ ସିମି ବିଷୟରେ କୁହନ୍ତି। ପ୍ରଥମେ ପ୍ରଥମେ ମଳୟ ସେ ସବୁକୁ ବିଶ୍ୱାସ କରୁ ନ ଥିଲେ।ହେଲେ ଶଶୁର ବିଜୟ ବାବୁ ସବୁବେଳେ ବୋହୂ ବହୁତ ଭୁଲ କୁହନ୍ତି। ସିମି ନିଜ ପ୍ରାଣପ୍ରାଣେ ଚେଷ୍ଟା କରିଛନ୍ତି ଶାଶୁ ଓ ନଣନ୍ଦଙ୍କୁ ଖୁସି କରିବାପାଇଁ..... ହେଲେ ସଫଳ ହୋଇ ନାହିଁ।
କିଛି ଦିନ ହେବ ବ୍ୟବସାୟ କାମରେ ମଳୟ ସବୁବେଳେ ବାହାରକୁ ଗଲେ। ଆଉ ସିମି ସହ ବେଶୀ ସମୟ ରହି ପାରିଲେ ନାହିଁ। ସେପଟେ ମାଆ ଆଉ ଭଉଣୀର ସିମି ବିରୁଦ୍ଧରେ କଥା ମଳୟଙ୍କ ମନରେ ସିମି ପାଇଁ ବିରକ୍ତ ଭାବନା ଆଣିଲା।ସେ ଘରକୁ ଆସିଲେ ସବୁବେଳେ ସିମି ଉପରେ ବିରକ୍ତ ହେଲେ।ସିମିଙ୍କୁ ଟିକେ ବି ଭଲ ପାଇଲେ ନାହିଁ।
ସିମି ଯେତେବେଳେ ପଚାରନ୍ତି ମଳୟ..... ମୋ ଗେଲ୍ହୁ କଣ ହୋଇଛି..... ତୁମେ ଏମିତି ବ୍ୟବହାର କାହିଁକି କରୁଛ? ମଳୟ କୁହନ୍ତି ତୁମ ପରି ଝିଅକୁ ବିବାହ କରି ମୁଁ ମୋ ଜୀବନରେ ବହୁତ ବଡ ଭୁଲ କରିଛି। ଏବେ ସାରା ଜୀବନ ତ ମୁଁ ଅନୁତାପ ତ କରିବି ନା। ମୋତେ ତୁମ ମୁହଁ ଦେଖିବାକୁ ଇଚ୍ଛା ବି ହେଉ ନାହିଁ।
ସିମିଙ୍କୁ ବହୁତ ବାଧେ। କାରଣ ଦିନେ ଥିଲା ମଳୟ କହୁଥିଲେ ସିମି ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ।ଯଦି ଘରେ ରାଜି ନ ହେବେ ତେବେ ଆମେ ଲୁଚି କରି ବିବାହ କରିବା..... ଦରକାର ପଡିଲେ ଘର ଠାରୁ ଅଲଗା ହୋଇ ଆମ ଏକାଠି ରହିବା.... ଆଜି ସେଇ ମଳୟ ମୁହଁରୁ ଏ ବିବାହ ଜୀବନର ସବୁଠାରୁ ବଡ ଭୁଲ ଶୁଣିବାକୁ ମିଳୁଛି।
ଆସ୍ତେ ଆସ୍ତେ ମଳୟ ଘରକୁ ମଦ ପିଇ ଆସିଲେ।ସିମିଙ୍କୁ ପିଟା ମରା ଆରମ୍ଭ କଲେ। ବହୁତ ରାତି ମାଆଙ୍କୁ କାମ ଅଛି କହି ଘରକୁ ଆସନ୍ତି ନାହିଁ।
ହଠାତ୍ ଦିନେ ସିମିଙ୍କ ମନରେ ମଳୟଙ୍କୁ ନେଇ ସନ୍ଦେହ ହେଲା।ସେ ମଳୟଙ୍କ ମୋବାଇଲ ନେଇ ଜାଣିବାକୁ ପାଇଲେ ରିଆ ବୋଲି ଗୋଟିଏ ଝିଅ ମଳୟଙ୍କୁ ସବୁବେଳେ ଫୋନ କରୁଛି। ସେମାନେ ପରସ୍ପରକୁ ଭଲ ବି ପାଉଛନ୍ତି।
ସିମି ଜୀବନରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଗଲା। ସିମି ମଳୟଙ୍କୁ ପ୍ରଶ୍ନ କରିବାରୁ ମଳୟ କହିଲେ ସିମି ମୁଁ ଜାଣିଛି ମୁଁ ଭୁଲ କରିଛି। କିନ୍ତୁ ମୁଁ ରିଆଙ୍କୁ ବହୁତ ଭଲ ପାଏ..... ସେ ବି ମୋତେ ଭଲ ପାଆନ୍ତି। ସେ ମୋ ବ୍ୟବସାୟର ପାର୍ଟନରଙ୍କ ଝିଅ। ସେ ମୋ ଜୀବନକୁ ଆସିଲେ ମୋର ଆଉ କିଛି ଆର୍ଥିକ ଅସୁବିଧା ହେବ ନାହିଁ।ହେଲେ ସେପଟେ ମୁଁ କିଛି ନ ଭାବି ଚିନ୍ତି ତୁମକୁ ବିବାହ କଲି। ବାହାଘରର ଆଠ ମାସ ହେଲାଣି। ତୁମକୁ ନେଇ ମାଆ ଆଉ ଲିସା ଖୁସି ନୁହଁନ୍ତି।ତୁମେ ଏ ଯାଏଁ ଏତିକି କାମ କରି ପାରିଲ ନାହିଁ। ଘରେ ଖାଲି ଅଶାନ୍ତି।ମାଆ ଆଉ ଲିସା ରିଆଙ୍କୁ ବହୁତ ପସନ୍ଦ କରନ୍ତି। ସବୁଠାରୁ ବଡ କଥା ଲିସା ବି ଆମ ବ୍ରାହ୍ମଣ ଜାତିର।
ସିମି କଣ ବିବାହ ଆଗରୁ ତୁମେ ଜାଣିନଥିଲ ମୁଁ କରଣ ଘର ଝିଅ। ସେତେବେଳେ ତୁମେ ମୋ ପାଇଁ ପାଗଳ। ଆଉ ଆଜି ବାହାଘର କେଇଟା ମାସ ହୋଇଛି..... ତୁମେ ଗୋଟିଏ ଝିଅ ପାଇଁ..... ଛି ଛି!
ମଳୟ ସିମି ମୁଁ ପାଗଳ ହୋଇ ଯିବି। ମୋତେ ଟିକିଏ ସମୟ ଦିଅ। ମୁଁ ତୁମକୁ କହିବି କଣ କରିବା.....।
ସିମି କହିଲେ ଠିକ ଅଛି ତୁମେ ସମୟ ନିଅ। ମୁଁ ମୋ ବାପଘରକୁ ପଳାଇବି।
ତାପରଠାରୁ ସିମି ଆସି ଦେଢମାସ ହେଲାଣି ବାପ ଘରେ ଅଛନ୍ତି। ଆସିବା ଦୁଇ ତିନି ଦିନ ଯାଏଁ ମଳୟ ଭଲମନ୍ଦ ମ୍ୟାସେଜରେ ପଚାରୁଥିଲେ। ତାପରେ ଆଉ ଫୋନ ବି ନାହିଁ। ଶଶୁର ବିଜୟ ବାବୁ କିନ୍ତୁ ଦୁଇ ତିନି ଦିନକୁ ଥରେ ଫୋନ କରି ସିମିଙ୍କ କଥା ବୁଝନ୍ତି ଓ ଫେରି ଆସିବାକୁ କୁହନ୍ତି।
ଯାହା ଯେମିତି ସିମି ନିଜ ମନକୁ ବୁଝାଇ ଦୃଢ କରି ରହିଛନ୍ତି। ତାଙ୍କୁ ଏଇ ଦେଢ ମାସ ଲାଗୁଛି ଜୀବନରେ ଝଡବାତ୍ୟା ଆସିବା ଆଗର ନିରବତା ପରି।
ସିମିଙ୍କ ଦେହ ବି କିଛି ଦିନ ହେବ ଭଲ ରହୁ ନାହିଁ।ଆଜି ସନ୍ଧ୍ୟାରେ ଯାଇ ଡାକ୍ତର ଦେଖାଇ ଆସିଛନ୍ତି। କିଛି ଶାରୀରିକ ପରୀକ୍ଷା ହୋଇଛି। କାଲି ରିପୋର୍ଟ ଆସିବ। ଏ ବିଷୟରେ ସିମି ଶଶୁରଙ୍କ ସହ କଥା ହୋଇ ଫୋନ ରଖିବା ପରେ ହଠାତ୍ ସିମି ଓ ମଳୟଙ୍କ ବିବାହ ଫୋଟୋ ପଡ଼ି କାଚ ଭାଙ୍ଗି ଗଲା। ସିମିଙ୍କୁ ଖାଲି ଇଚ୍ଛା ହେଉଥାଏ ଥରୁଟିଏ ମଳୟଙ୍କୁ ଫୋନ କରିବା ପାଇଁ। ସେ ନିଜ ମାଆଙ୍କୁ କୁଣ୍ଢାଇ କାନ୍ଦିଲେ। ମାଆ ତାଙ୍କୁ ବୁଝାଇ ଖୁଆଇ ଶୋଇବା ପାଇଁ କହିଲେ।
ସିମି ମଳୟଙ୍କ କଥା ଭାବି ଭାବି ଶୋଇ ପଡିଛନ୍ତି। ହଠାତ୍ ମଳୟ କିଛି ସମୟ ପରେ ଆସି ତାଙ୍କୁ ଡାକିଲେ। ସିମି ଉଠ..... ଉଠ ସିମି। ମୁଁ ଫେରି ଆସିଛି। ତୁମ ଦେହ ଖରାପ ବାପାଙ୍କ ଠାରୁ ଶୁଣି ମୁଁ ଆଉ ସହି ପାରିଲି ନାହିଁ।ମୁଁ ନିଜ ଭୁଲ ବୁଝି ସାରିଛି। ଦେଖ ମାଆ ଆଉ ଲାସା ବି ଆସିଛନ୍ତି ତୁମକୁ ସାଙ୍ଗରେ ନେବା ପାଇଁ। ମୋତେ କ୍ଷମା କରି ଦେବ ନା ସିମି। ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ମିସ୍ ୟୁ ସିମି..... ଲଭ୍ ୟୁ ସିମି।
ସିମି ରାତିରେ ହିଁ ଘରକୁ ଗଲେ। ଘରଟି ପୁଣି ସିମିଙ୍କ ସ୍ୱାଗତରେ ସଜା ହୋଇଛି। ଶୋଇବା କୋଠରୀକୁ ପୁରା ବାସର ରାତି ପରି ସଜେଇଛନ୍ତି। ଶାଶୁ ରମା ଦେବୀ ଓ ଲିସା ଖୁସିରେ ତାଙ୍କୁ ପାଛଟି ନେଲେ ଭିତରକୁ। ପୁଣି ସିମି ଓ ମଳୟଙ୍କ ପ୍ରେମର ମିଳନ ରାତି ଆସିଛି। ଯେମିତି ସିମି ଉପରେ ପ୍ରେମର ବର୍ଷା ହେଉଛି..... ଇନ୍ଦ୍ରଧନର ସବୁ ରଙ୍ଗରେ ତାଙ୍କ ଶରୀର ପ୍ରେମରେ ରଙ୍ଗିତ ହୋଇଛି। ଲାଗୁଛି ଆଗରୁ ଯେମିତି ତାଙ୍କ ଜୀବନେ ପ୍ରେମର ଏ ରାତି ଆସି ନାହିଁ..... ଆଜି ହିଁ ସେ ମିଳନର ରାତି।
ତାପର ଦିନ ସକାଳୁ ସିମିଙ୍କୁ ନେଇ ମଳୟ ସିମଳା ଗଲେ।ସିମଲାରେ ଦୁହେଁ ବହୁତ ରୋମାଣ୍ଟିକ ସମୟ କାଟିଲେ। କେବଳ ସେ ଆଉ ମଳୟ। ମଳୟ ନିଜ ଭୂଲ ପାଇଁ ବହୁତ ଅନୁତାପ ବି କରିଛନ୍ତି। ସିମି କହିଛନ୍ତି ଛାଡ ନା ସେଇଟା ଗୋଟିଏ ଝଡ ଥିଲା...... ଯାହା କି ଆମ ପରିବାରକୁ ଏକ କରି ଦେଲା।
ସେଇ ମାସରେ ସିମି ଗର୍ଭବତୀ ହେଲେ। ଗର୍ଭବତୀ ହେବା ପାଖରୁ ସିମିଙ୍କୁ ଶାଶୁ ରମା ଦେବୀ ଓ ଲିସା ଆହୁରି ଭଲ ପାଇଲେ। ମଳୟ ତ ତାଙ୍କର ଏତେ ଯତ୍ନ ନେଲେ ଯେ ଭାଗ୍ୟରେ ଥିଲେ ଏମିତି ସ୍ୱାମୀ ଓ ପରିବାର ମିଳିବ ବୋଲି ସିମି ଭାବିଲେ। ସିମି ଓ ମଳୟଙ୍କ ଜୀବନରେ ତାଙ୍କ ପ୍ରେମର ସନ୍ତକ ପୁଅଟିଏ ଆସିଲା..... ଠିକ ଆଣ୍ଠୁଆ ଗୋପାଳ ପରି ଦେଖାଯାଉ ଥାଏ। ତାର ନାମ କ୍ରିଷ୍ଣା ରଖିଲେ।
କ୍ରିଷ୍ଣା ମାଆ ମାଆ ବୋଲି ଟିକେ ଟିକେ ଗେଲ୍ହେଇ ଗେଲ୍ହେଇ ଡାକୁଥାଏ। ହଠାତ୍ ମୋବାଇଲ ବାଜିଲା। ସିମର ଚମକି ଉଠିଲେ। ମୋବାଇଲରେ ଦେଖିଲେ ମଳୟଙ୍କ ଫୋନ ଆସିଛି। ସିମି ବୁଝିଗଲେ ଯେ ସେ ରାତି ଗୋଟିଏ ମିଠା ସପନ ଦେଖୁଥିଲେ। ସକାଳ ଆଠଟା ହେଲାଣି। ମଳୟଙ୍କ ଦେଢ ମାସ ପରେ ଫୋନକୁ ରାତିର ସପନ ସିମିଙ୍କ ମନରେ ଏକ ଆଶାର ଲହରୀ ଖେଳି ଗଲା। ଖୁସିରେ ଫୋନ ଉଠାଇଲେ।
ମଳୟ ଗମ୍ଭୀର ସ୍ୱରରେ କହିଲେ ସିମର କବାଟ ଖୋଲ.....ତୁମ ପାଇଁ କିଛି ଆସିଛି।ସିମି ଭାବିଲେ ମଳୟ ନିଜେ ବୋଧେ ସରପ୍ରାଇଜ୍ ଦେବାକୁ ଆସିଛନ୍ତି। ଫୋନ୍ ଧରି ଖୁସିରେ ଦୌଡି ଯାଇ କବାଟ ଖୋଲିଲେ। କବାଟ ପାଖରେ କୋର୍ଟରୁ ଜଣେ କର୍ମଚାରୀ ଗୋଟିଏ ଲଫାପା ଧରି ଛିଡା ହୋଇଛନ୍ତି।କର୍ମଚାରୀ ସିମିଙ୍କୁ ଲଫାପା ଦେଇ ପଳାଇଲେ। ସିମି ଗୋଟିଏ ହାତରେ ମୋବାଇଲ ଧରି ଥାଆନ୍ତି। ଆଉ ଗୋଟିଏ ହାତରେ ଲଫାପା ଧରି ଆଶ୍ଚର୍ଯ୍ୟ। ଲଫାପା ଖୋଲି ସିମି ନିଶବ୍ଦ। ସେ ଲଫାପାରେ ଛାଡପତ୍ର ଅଛି.....ଆଉ ସିମର ଚଳିବା ପାଇଁ ମଳୟ ଟଙ୍କା ଦେବାକୁ ମଧ୍ୟ ରାଜି ଅଛନ୍ତି।
ମଳୟ କହିଲେ Simar I am sorry....... ମୁଁ ରିଆ ବିନା ରହି ପାରିବି ନାହିଁ। ଆମ ଭିତରେ ଯାହା ଥିଲା ତାହା ପ୍ରେମ ନ ଥିଲା..... ତାହା ମୋର ତୁମ ପାଇଁ ଆକର୍ଷଣ ଥିଲା। ଯୁବ ବୟସର ଭୁଲ ଥିଲା।ମାଆ ଆଉ ଲିସାର ବି ଏଥିରେ ଖୁସି। ତୁମେ ଚଳିବା ପାଇଁ ଯାହା ଦରକାର ମୁଁ ଦେବି ତୁମକୁ। ଦୟାକରି ଛାଡପତ୍ରରେ ଦସ୍ତଖତ କରିଦେବ।
ସିମର ପଥର ପରି ଛିଡ଼ା ହୋଇ ଥାଆନ୍ତି। ପାଟିରୁ ଭାଷା ବାହାରୁ ନ ଥାଏ। ଯେମିତି ପାଦ ତଳୁ ମାଟି ଖସି ଗଲା..... ସପନ ସବୁ ଅଧୁରା ରହିଗଲା।
ଠିକ ସେତିକିବେଳକୁ ସିମରଙ୍କ ବାପା ସିମରଙ୍କ ମାଆ ଆଉ ସିମିଙ୍କୁ ଡାକି ଡାକି ଭିତରକୁ ଆସିଲେ। ସେ ଛାଡପତ୍ର କଥା ଜାଣି ନ ଥିଲେ। ଖୁସିରେ ଆସି ସିମିଙ୍କୁ କୁଣ୍ଢାଇ କହୁଛନ୍ତି ସିମି ବହୁତ ଖୁସି ଆଜି..... ମୁଁ ଆଉ ତୋ ମାଆ ଅଜା ଆଈ ହେବୁ......ତୁ ମାଆ ହେବାକୁ ଯାଉଛୁ।ମୁଁ ଏବେ ତୋର ଡାକ୍ତରଖାନାରୁ ନେଇକି ଆସିଲି।
ସିମି ଆଖିରୁ ଲୁହ ଝରଝର ହୋଇ ବହିଗଲା। ଗୋଟିଏ ଆଡେ ସଂସାର ଉଜୁଡି ଗଲା ତ..... ଆଉ ଗୋଟିଏ ଆଡେ ଭାଗ୍ୟର ଖେଳ ତାଙ୍କ ସମ୍ପର୍କର ପ୍ରତୀକ ତାଙ୍କ ଗର୍ଭରେ।ଜୀବନର ସବୁଠାରୁ ଖୁସି ଖବର ମାଆ ହେବାକୁ ଯାଉଛନ୍ତି।
ଫୋନରେ ମଳୟ ସବୁ ଶୁଣି ସିମି ବୋଲି ଡାକିବାରୁ..... ସିମି କହିଲେ ମଳୟ ମୁଁ ଛାଡ଼ପତ୍ର ପାଇଁ ରାଜି।ତୁମ ପରି ସମ୍ପର୍କ ସହ ଖେଳୁଥିବା ଲୋକ ପାଖରେ ମୁଁ କି ମୋର ଛୁଆ ରହିବା ଠିକ ନୁହେଁ। କିନ୍ତୁ ଗୋଟିଏ ସର୍ତ୍ତ ମୋର..... ମୁଁ ତୁମର ଟଙ୍କା ନେବି ନାହିଁ କି ମୋ ଛୁଆ ଉପରେ ତୁମର ଅଧିକାର ରହିବ ନାହିଁ। ମୋତେ ମୋ ସ୍ବାଭିମାନରେ ବଞ୍ଚିବାକୁ ଦିଅ। Good Bye ମଳୟ।
ସେପଟେ ମଳୟ କହୁଥାନ୍ତି ସିମି ଟିକିଏ ଶୁଣ ତ। ସିମି ଫୋନକୁ କାଟି ଦେଇ ବାପା ମାଆଙ୍କୁ ଧରି ଭୋ ଭୋ କାନ୍ଦି କହିଲେ ମୁଁ ଯାହା କହିଛି ଠିକ୍ କହିଛି ନା!
