Padmalaya Padhy

Tragedy

3  

Padmalaya Padhy

Tragedy

ତୁଠ ପଥର

ତୁଠ ପଥର

6 mins
214


କାମିନୀଙ୍କ ଗୋଟିଏ ଅଭ୍ୟାସ ଉପରେ ପଡି ଅନ୍ୟକୁ ଉପଦେଶ ଦେବା ଓ ସାହାଯ୍ୟ କରିବା l ଯେଉଁଥି ପାଇଁ ତାଙ୍କୁ କମ ହଟହଟା ହେବାକୁ ପଡେ ନାହିଁ l ତେଣୁ ସୁଧୀର ସବୁ ବେଳେ ନିଜକୁ ନିୟନ୍ତ୍ରଣ ରେ ରଖିବାକୁ କହନ୍ତି l ସମସ୍ତେ ସବୁ ବେଳେ ହସ୍ତକ୍ଷେପ ପସନ୍ଦ ପସନ୍ଦ କରନ୍ତି ନାହିଁ l ଫଳରେ ଅଯଥା ଅସନ୍ତୋଷ ଦେଖା ଦିଏ l

ବଡ ବୋହୁ ନିରା ବେଳେ ବେଳେ ଅଣ ନିଶ୍ୱାସୀ ହୋଇ ଯାଏ l ସ୍ୱାମୀ କୁ କହେ "ତୁମ ଘର କୁ ଯିବା ଅପେକ୍ଷା ଜଙ୍ଗଲରେ ଯାଇ ରହିବା ଭଲ l କମସେ କମ ପଶୁ ପକ୍ଷୀ ତ ଶାନ୍ତି ରେ ରହିବାକୁ ଦେବେ l" 

ନିରାର ମା କହନ୍ତି 

-ତୋ ଶାଶୁ ବୋଧେ ଇଲେକ୍ସନରେ ଛିଡା ହେବେ ସେଥିପାଇଁ ଏବେ ଅଭ୍ୟାସ କରୁଛନ୍ତି l 

କାମିନୀଙ୍କ କାନରେ ପଡେ l ତାଙ୍କୁ ପ୍ରଶଂସା ପାଇବାକୁ ଲୋଭ ନାହିଁ କିନ୍ତୁ କାହାରି କଷ୍ଟ ଦେଖିଲେ ସେ ଡାକୁ କି ନ ଡ଼ାକୁ ସେଠି ପହଂଚି ଯିବା ନିଧାର୍ଯ୍ୟ l ତାଙ୍କ ପଛରେ ଲୋକେ ଫୁସଫାସ ହେଲେ ସ୍ୱାମୀ ସୁଧୀରଙ୍କୁ ବହୁତ ଖରାପ ଲାଗେ ଓ ଘରେ ପହଁଚିଲେ ପୁଣି ଝଗଡା l 

ବଡ ପୁଅ କାମିନୀଙ୍କ ପସନ୍ଦରେ ନିରାକୁ ବାହା ହୋଇ ଥିଲା l ପୁଣି ଧୀର ସ୍ଥିର ଘରୋଇ ଝିଅ ଦେଖି କାମିନୀ ନିଜେ ହିଁ ପସନ୍ଦ କରିଥିଲେ l ବିବାହ ପରେ ପରେ ନିରା ସ୍ୱାମୀ କୁ କହି ଶୀଘ୍ର ଫେରି ଯିବାର ବନ୍ଦୋବସ୍ତ କରିଥିଲା l କାରଣ ସେ କାମିନୀଙ୍କ ଅଯଥା ହସ୍ତକ୍ଷେପ ରେ ବିବ୍ରତ l 

କଥା କିଛି ଗୁରୁତର ନୁହେଁ l ବାହାଘର ର ଦୁଇ ଦିନ ହୋଇଛି ନିରା କୁ ଟିକେ ଶୁଖିଲା କାଶ ଆରମ୍ଭ ହେଇଥିଲା ଓ ବିନା ଔଷଧରେ ମଧ୍ୟ ଭଲ ହୋଇ ଯାଇ ଥାନ୍ତା l କିନ୍ତୁ କାମିନୀ ଦେବୀଙ୍କ "ଅଦା " ଥିଓରୀ ଲାଗି ସେ ଆଉ ଗୋଟିଏ ଦିନ ମଧ୍ୟ ରହିବା କୁ ମଙ୍ଗିଲା ନାହିଁ l ପୁଅ ର ଛୁଟି ନସରିଥିଲେ ମଧ୍ୟ ଯଥେଷ୍ଟ ଆଗରୁ ତା ସହିତ ଚାଲିଗଲା l ଏଠାରେ ପୁଣି ତାର ପ୍ରାଇଭେସି ନାହିଁ ଏବଂ ଅଯଥା ହସ୍ତକ୍ଷେପ l

 ଏକଥା ସୁଧୀର ଜାଣୁ ଥିଲେ କିନ୍ତୁ କିଛି କରିପାରୁ ନଥିଲେ l କାମିନୀଙ୍କୁ ବହୁତ ବାଧି ଥିଲା l ସେମାନଙ୍କ ଯିବା ବାଟକୁ ଚାହିଁ ଏକୁଟିଆ ବସି ବହୁତ କାନ୍ଦି ଥିଲେ l ଯିବା ଆଗରୁ ନିରାକୁ ବୁଝାଇବାକୁ ଯାଇ ଥିଲେ ହେଲେ ସାହସ ନଥିଲା l ତାଙ୍କ ଜିନିଷ ପତ୍ର ସଜଡା ଦେଖି କାମିନୀ ଦୂରରେ ସଂତ୍ରସ୍ତ ହୋଇ ଠିଆ ହୋଇଥାନ୍ତି l କେଡେ ବଡ ଭୁଲ କରି ଦେଲେ ଯେ ତାଙ୍କୁ ଏମିତି ଦଣ୍ଡ ବ୍ୟବସ୍ଥା କରା ଯାଉଛି l ଖାଲି ନିରା ମନା କରିବା ସତ୍ୱେ ତାକୁ ଦୁଇ ତିନି ଥର ଲାଗ ଲାଗ ଅଦା ର ଉପକାରିତା ବୁଝାଇ ଦେଇଥିଲେ l  

ସେ ଦିନଠୁ ବଡ ବୋହୁ ପ୍ରାୟ କମ ଆସେ ତାହା ପୁଣି କେତେ ଘଣ୍ଟା ପାଇଁ l ସେ ଆସିଲା ଦିନ କାମିନୀ ପ୍ରାୟ ମୁକ ବଧିର ହୋଇ ଦୂର ରେ ଦେଖୁ ଥାନ୍ତି l ଯାହା କଥା ହେବା କଥା ସୁଧୀର ହିଁ ହୁଅନ୍ତି l

ପଡୋଶୀ ମାନେ ମଧ୍ୟ କାମିନୀଙ୍କ ଠାରୁ ଶହେ ହାତ ଦୂରରେ l ଛୋଟ ପରିବାରରେ ବାହାର ଲୋକଙ୍କ ଅଯଥା ଆଗମନ ଆଜି କାଲି କେହି ଚାହୁଁ ନାହାନ୍ତି l ତାଙ୍କ ସାହାଯ୍ୟ କରିବା ମନୋବୃତି ଲୋକଙ୍କୁ ମାଡି ପଡୁଛି l ବୟସ ବଢିବା ସଂଗେ ସଂଗେ ଏହି ରୋଗ ଟି ମଧ୍ୟ ବଢ଼ି ବଢ଼ି ଯାଉଛି l ସୁଧୀର କହନ୍ତି ତୁମେ ବଦଳିବାକୁ ଚାହୁଁନ l ଲୋକହସା ହେବ ସିନା ବଦଳିବ ନାହିଁ l 

କିନ୍ତୁ ସେ କଣ ଭୁଲ କରିଛନ୍ତି ଯେ ବଦଳିବେ l ଲୋକଙ୍କୁ ଅଯାଚିତ ସାହାଯ୍ୟ ହିଁ ତ କରୁଛନ୍ତି ନା l ତାଙ୍କରି ସାମ୍ନାରେ କେହି ଅସୁବିଧା ଭୋଗୁ ଥିବ ଅଥଚ ସେ ନିରବ ଦ୍ରଷ୍ଟା ସାଜି ଦେଖୁ ଥିବେ? ତାହା କିପରି ହେବ? ସେ ତ ଜଣେ ମଣିଷ l ଜଣେ ମଣିଷ ଆଉ ଜଣେ ମଣିଷକୁ କଷ୍ଟ ଭୋଗିବାକୁ ଛାଡି ଦେବ କେମିତି? କିନ୍ତୁ ସୁଧୀର ବୁଝନ୍ତି ନାହିଁ l

ସେଦିନର କଥା ତାଙ୍କର ପୁରା ମନେ ଅଛି l ପଡୋଶୀ ଦାସ ବାବୁଙ୍କ ଘରେ ସମସ୍ତଙ୍କର କରୋନା ପଜିଟିବ ବାହାରିଲା l କେବଳ ତାଙ୍କର ପାଞ୍ଚ ବର୍ଷର ଝିଅ କୁ ଛାଡି ସମସ୍ତଙ୍କୁ ହସ୍ପିଟାଲ ନିଆ ଗଲା l ଝିଅଟି ଘରେ ଏକୁଟିଆ l ସାଇ ପଡିଶା କେହି ପାଖ ମାଡିବାକୁ ନାହିଁ l କାମିନୀ ହିଁ ରୋଗ କୁ ଭୟ ନକରି ପିଲାଟିକୁ ନିଜ ଘରେ ଆଣି ରଖିଥିଲେ l ନହେଲେ ହୁଏତ ପିଲାଟିର ଅବସ୍ଥା କଣ ହୋଇ ଥାନ୍ତା ଭାବି ହେଉନି l

ସାନ ପୁଅ ବାହା ହୋଇ ନାହିଁ l ଏବେ ତା କମ୍ପାନୀ ର ଗୋଟିଏ ଝିଅ ସୋନିକୁ ପସନ୍ଦ କରିଛି l ବାପା ମା ଙ୍କ ଅନୁମତି ଦରକାର l କାମିନୀ ତ ସର୍ବ ପ୍ରଥମେ ରାଜି ହୋଇ ଯାଇଥିଲେ l ସୁଧୀରଙ୍କ ବି ଅରାଜି ହେବାର କାରଣ ନଥିଲା l ଧୁମ ଧାମ ରେ ବାହା ଘର ହୋଇ ଥିଲା l 

ଏଥର କିନ୍ତୁ ସୁଧୀର ବାବୁ କାମିନୀଙ୍କୁ ସତର୍କ କରାଇ ଦେଇଥିଲେ l ସାନପୁଅ ଗୋଟିଏ ମାସ ପାଇଁ ଛୁଟି ନେଇ ଆସୁଛି l କାମିନୀ ଯେପରି ବଡ ପୁଅ ବାହା ବେଳର ନାଟକ ନ ଦୋହରାନ୍ତି l ନଚେତ ସାନ ବୋହୁ ମଧ୍ୟ ପାଖ ମାଡ଼ିବ ନାହିଁ l ସାନ ବୋହୁ ସୋନି ଉଚ୍ଚ ଶିକ୍ଷିତା l ଚାକିରୀ କରୁଛି l ତେଣୁ କାମିନୀ ଅଧିକ ସଚେତନ l ତାଙ୍କର ବୟସ ମଧ୍ୟ ଢଳିଲାଣି l ଅପମାନ ସହ୍ୟ କରି ପାରିବେ ନାହିଁ l ପାଖେଇ ରହିଲେ ଭଲ l ଭଲରେ ଆସିବେ ଭଲରେ ଯିବେ l କାମିନୀ କୋଉ ତାଙ୍କ ପାଖରେ ରହିବାକୁ ଯାଉଛନ୍ତି l ଦିନ କେତେଟାର କଥା !

ସାନ ବୋହୁ ସୋନିକୁ ଅଧିକାଂଶ ସମୟରେ ମାଇଗ୍ରେନ ହୁଏ l ଗୁଡ଼ାଏ ଓଷଦ ଖାଉଛି l ଲାଭ ହେଉନି l ସେଦିନ ସନ୍ଧ୍ୟା ବେଳେ ତାର ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ଗଲା l ଘଣ୍ଟାଏ ହେଲା ରୁମ ରେ ପଡି ରହିଛି l କାମିନୀ କିଛି କହୁ ନାହାନ୍ତି l ଓଷଦ ଖାଇ ମଧ୍ୟ ଆରାମ ମିଳୁନି l

କାମିନୀଙ୍କ ହାତ ଚାଲି ଯାଉଥିଲା ସୋନି ର ମୁଣ୍ଡ ପାଖକୁ l ମୁଣ୍ଡ ଚିପି ଦେଲେ ହୁଏତ ଭଲ ଲାଗିପାରେ l ସ୍ପର୍ଶ ର ମଧ୍ୟ ତାକତ ଅଛି l କେଡେ କେଡେ ଯନ୍ତ୍ରଣା କୁ ଲାଘବ କରି ପାରିବ l ମାତ୍ର ନିଜକୁ ସମ୍ଭାଳି ନେଲେ l ନିରା କ୍ଷେତ୍ରରେ ଯାହା ହୋଇ ଥିଲା ସୋନି ପାଇଁ ତାହା ନହେଉ l ଛୁଟି ସରିବା ଯାଏଁ ରହନ୍ତୁ ସେମାନେ l ସୋନି ପ୍ରବଳ ଚା ପିଏ l ଏତେ ମୁଣ୍ଡ ବିନ୍ଧୁଚି ଯେ ସେ ନିଜେ ଯାଇ କରିବା ଅସମ୍ଭବ l ହୁଏତ ଚା ଟିକେ ପିଇ ଦେଲେ…… ସୁଧୀରଙ୍କ କଥା ପୁଣି ମନେ ପଡିଗଲା l 

-ସେମାନେ ଛୋଟ ପିଲା ନୁହନ୍ତି l ଆଜିର କାଲିର ପିଲାଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ଦରକାର l ଅଯଥା କାହିଁକି ତୁମ ମୁଣ୍ଡ ଖରାପ କରୁଛ? ସେମାନଙ୍କୁ କେତେ ଦିନ ଏଠାରେ ରହିବାକୁ ଦିଅ l"

ସୋନି ଶୋଇଛି ଓ କାମିନୀ ଯାଇ ବାଲକୋନୀ ରେ ବସିଛନ୍ତି l 

ଆଗ କାଳରେ ଯୌଥ ପରିବାର ଥିଲା l ତିନି ପୁରୁଷ ଧରି ଗୋଟିଏ ଘରେ ରହୁଥିଲେ l ସାନ ମାନଙ୍କୁ ମଣିଷ କରିବା ଓ ବୃଦ୍ଧ ବୃଦ୍ଧାଙ୍କ ସେବା ଶୁଶ୍ରୁଷା କରିବା ଭିତରେ ସମୟ କେମିତି ପଳାଏ ଜଣା ପଡ଼ୁ ନଥିଲା l ଗୋଟିଏ ଗୋଟିଏ ଲୋକର ମନ କଥା ବୁଝିବାକୁ ସମୟ କାହିଁ l ଅଥଚ ଏବେ ଦେଖ l ଛୋଟ ପରିବାର l ବାପା ମା ଙ୍କ ପାଖରେ ଅପର୍ଯ୍ୟାପ୍ତ ସମୟ l କିନ୍ତୁ ପିଲା ମାନଙ୍କୁ ଙ୍କୁ ପ୍ରାଇଭେସି ଲୋଡ଼ା l ହାୟ ରେ କପାଳ !

ହଠାତ କାହାର ପାଦ ଶବ୍ଦରେ ପଛକୁ ଚାହିଁଲା ବେଳକୁ ସୋନି ଠିଆ ହୋଇଛି l 

-ମା ଟିକେ ମୋ ରୁମକୁ ଆସନ୍ତୁ l 

କାମିନୀ ବୁଝି ପାରିଲେନି ସୋନି ରୁମକୁ କାହିଁକି ଡାକୁଛି l ତାକୁ ଘର ଭଲ ଲାଗୁନି କି ଚାଲି ଯିବାକୁ ବାହାରିଲାଣି କି କଣ l କିନ୍ତୁ ସେ ତ ତା ସହିତ ଆଜି ପର୍ଯ୍ୟନ୍ତ ବେଶି କିଛି କଥା ହୋଇ ନାହାନ୍ତି l ସୁଧୀର କହିଥିଲେ କଥା ଆରମ୍ଭ ହେଲେ ବନ୍ଦ ହୋଇ ପାରୁନି ତେଣୁ ମୂଳରୁ ନହେବା ଭଲ l ତେବେ ଅସୁବିଧା କୋଉଠି ରହିଲା l 

କାମିନୀ ଠାକୁରଙ୍କୁ ଡାକି ଡାକି ଗଲେ l ସୋନି ଯାଇ ଖଟ ଉପରେ ଶୋଇଗଲା l 

-ମା ମୋ ମୁଣ୍ଡ ଟିକେ ଦୟା କରି ଚିପି ଦିଅନ୍ତୁ l ଯଦି ହେବ ଚା ଟିକେ ମିଳିଲେ ଭଲ ହୋଇ ଥାନ୍ତା l କାମିନୀ କାନ୍ଦ କାନ୍ଦ ହୋଇ ଗଲେଣି l ପାଟିରୁ କଥା ବାହାରୁ ନାହିଁ l ବହୁତ ଆଗରୁ ସେ ଏସବୁ କରିଥାନ୍ତେ l ଖାଲି ସୁଧୀରଙ୍କ ତାଗିଦ ଲାଗି ସିନା ଏତେ ଡେରି ହେଲା l

ସୋନି ପୁଣି କହିଲା 

-ମା ଏତେ କଣ ଭାବୁଛନ୍ତି? ଯଦି ଆପଣଙ୍କୁ ଅସୁବିଧା ହେବ ତେବେ ଥାଉ l ପେନ କିଲର ଖାଇ ଦେବି l

-ନାଁ ସୋନି l ପେନ କିଲର କଥା ଭୁଲିଯା l ମୁଁ ଅଛି ନା l ଆଗ ତୋ ମୁଣ୍ଡ ଦେଖା ଟିକେ ଚିପି ଦିଏ l ତୁ ଟିକେ ଶୋଇଯା l ଚା କରି ଆଣୁଚି l ସୋନି ଆଖି ବନ୍ଦ କରି ଶୋଇଲା ଓ ମୁଣ୍ଡ ଚିପି ସାରି କାମିନୀ ଉଠି ଗଲେ ଚା କରିବାକୁ l ଚା ନେଇ ଆସିଲା ବେଳକୁ ସୋନି ଶୋଇଛି ଭାବି ଫେରି ଯାଉଥିଲେ କିନ୍ତୁ ସୋନି ଦେଖି ପାରୁଥିଲା l

-ମା ! ମୁଁ ସବୁ ଜାଣିଛି l ତୁମେ ନିଜକୁ ମୋ ଠାରୁ ଦୁରେଇ ନେଉଛ l ତୁମର ଅନ୍ୟ ମାନଙ୍କ ବିଷୟରେ ଏତେ ଚିନ୍ତା ଏତେ ଶୁଭ କାମନାକୁ କେହି ବୁଝି ପାରୁ ନଥିଲେ ବି ମୁଁ ଠିକ ବୁଝିଛି l 

-ମୋ ଜୀବନରେ କେହି ନଥିଲେ l ବିବାହ ପୂର୍ବରୁ ମା ବାପା ଙ୍କୁ ହରାଇଛି l ଭଲ ମନ୍ଦରେ ସାହା ଭରସା କେହି ନଥିଲେ l ବାହା ହେବା ପରେ ଶାଶୁ ଘର ଲୋକ କେମିତି ଥିବେ ଭାବି ଡରୁ ଥିଲି l କିନ୍ତୁ ତୁମକୁ ଦେଖି ମୋର ଡର ଛାଡି ଯାଇ ଥିଲା l ହେଲେ ତୁମେ ଦୁରେଇ ରହୁ ଥିବାରୁ ବାପାଙ୍କୁ ଏହାର କାରଣ ପଚାରି ଥିଲି l ବହୁତ ବାଧ୍ୟ କଲା ପରେ ସେ କହିଲେ l 

-ମୁଁ କେବେବି ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରେନି l ମା ଥିଲା ଯାକ କରୁଥିଲା l ଦୁଇ ବର୍ଷ ହେଲା ସେ ବି ମୋତେ ଛାଡି ଚାଲିଗଲା l

ଏବେ ତୁମେ ହିଁ ମୋର ସାହାରା ! ତୁମକୁ କିଏ କଣ କହିଛି ମୁଁ ଜାଣେନା l କିନ୍ତୁ ମୋତେ ତୁମ ସ୍ନେହରୁ ବଞ୍ଚିତ କରନା l ମୁଁ ନିଜକୁ ନିଜେ ସମ୍ଭାଳି ପାରେନା l ମୋତେ ତୁମର ଆଶ୍ରା ଲୋଡ଼ା l

 ମାସେ ତୁମକୁ ସମୟ ଦେଲି l ତୁମେ ବାପାଙ୍କୁ ନେଇ ମୋ ସହ ଯାଇ ରହିବ ନଚେତ ମୁଁ ତୁମ ପାଖେ ଚାକିରୀ ଛାଡି ଆସି ରହିବି l ତୁମ ଇଚ୍ଛା l

କାମିନୀ ବିଶ୍ୱାସ କରି ପାରୁ ନଥିଲେ l କାମିନୀ ତ ସେଇ ତୁଠ ପଥର ଥିଲେ ଯାହାକୁ କାମ ସରି ଯିବା ପରେ ଦ୍ଵିତୀୟ ଥର କେହି ଦେଖନ୍ତି ନାହିଁ l ଆଜି ପର୍ଯ୍ୟନ୍ତ ଅଲୋଡା କାମିନୀ ପୁଣି କାହାର ସାହାରା ହେବେ l କେହି ଜଣେ ତାଙ୍କୁ ପଛକୁ ଫେରି ଚାହୁଁଛି l କାହା ପାଇଁ ସେ ଗୋଟିଏ ଆବଶ୍ୟକତା l ତାଙ୍କ ବିନା ଆଉ କାହାର ଜୀବନ ଅଚଳ l ହସି ପକାଇ ଥିଲେ ସେ l ବହୁତ ଦିନ ହେଲା ହସି ନାହାନ୍ତି l


Rate this content
Log in

Similar oriya story from Tragedy