ତୁମେମୟ ସ୍ବପ୍ନ
ତୁମେମୟ ସ୍ବପ୍ନ
ବ୍ୟସ୍ତତା ଭିତରେ ବି
ଥରେ ଆଖି ବୁଜିଦେଲେ
ସହରର ସବୁ କୋଳାହଳ ଉଭେଇ ଯାଏ...
ଆଉ ନିଶବ୍ଦରେ ଝରିପଡ଼େ
ସେଇ ଗୋଟିଏ ନାଁ ।
ରାତିର କଳା କାନ୍ଥରେ
ଆଙ୍କିହୋଇଯାଏ ଗୋଟିଏ ଛାଇ
ଯାହାର ସ୍ପର୍ଶରେ
ଅପୂର୍ଣ୍ଣ କାହାଣୀ ବି ଗୀତ ହୋଇଯାଏ ।
ତୁମେ କୌଣସି ଜଟିଳ କବିତା ନୁହଁ
ନା’ କୌଣସି ଅପହଞ୍ଚ ଜୋସ୍ନା...
ତୁମେ ତ ସେଇ ସହଜ ସତ୍ୟ
ଯାହାକୁ ମୁଁ ନିଜ ଭିତରେ ଜୀଇଁବାକୁ ଚାହେଁ ।
ଟିକିଏ ହସ
ଟିକିଏ ନୀରବତା
ଆଉ ସେଇ ଅସୁମାରୀ ଭାବନାର ନଈ...
ସବୁଠି କେବଳ ତୁମର ହିଁ ଛାପ ।
ପ୍ରଶ୍ନ ନାହିଁ, ସର୍ତ୍ତ ନାହିଁ
ବାସ୍, ନିଶ୍ୱାସର ସେପାଖେ
ଗଢ଼ା ହୋଇଥିବା ଏକ ନିଜସ୍ୱ ପୃଥିବୀ
ଯେଉଁଠି ଆଖି ଖୋଲିଲେ ବି ତୁମେ
ଆଉ ବୁଜିଦେଲେ...
ସବୁକିଛି ତୁମେମୟ ।

