STORYMIRROR

Banasmita Moharana

Abstract Tragedy

4  

Banasmita Moharana

Abstract Tragedy

ଠିକଣା

ଠିକଣା

4 mins
273

ଆଜି ସକାଳେ ପ୍ରୀତି ତାର କୁନି ଝିଅଟିକୁ ପଢ଼ାଉ ଥିବା ବେଳେ ଫୋନ୍ ଟି ବାଜି ଉଠିଲା। ବ୍ୟାଙ୍କ ରେ ଥିବା ଏକ ପୁରୁଣା ଆକାଉଣ୍ଟ ର ଚିଠି ଟିଏ ଆସିବାର ଥିଲା, କାଳେ ସେହି ଫୋନ୍ ହେଇଥିବ ଭାବି ଫୋନ୍ ଟି ଉଠାଇଲା ପ୍ରୀତି। ଯୋଗକୁ ସେୟା ବି ଥିଲା। ପୋଷ୍ଟ ଅଫିସରୁ ପ୍ରୀତିର ଅଞ୍ଚଳ ପାଇଁ ନୂଆ କରି ଜଏନ କରିଥିବା ପୋଷ୍ଟ ପିଅନ ବାବୁ କଲ୍ କରିଥିଲେ। କହିଲେ, "ଆଜ୍ଞା ଆପଣଙ୍କର ଗୋଟେ ଚିଠି ବ୍ୟାଙ୍କ ରୁ ଆସିଛି। ମୁଁ ଏବେ ନୂଆ ଜଏନ କରିଛି, ତେଣୁ ଠିକଣା ଟି ମୋତେ ଟିକେ କହିଦିଅନ୍ତୁ।" ପ୍ରୀତି ତାଙ୍କୁ ଠିକଣା ବତେଇ ସାରିବା ପରେ ଫୋନ୍ ଟି କାଟିଲା। ପାଖରେ ବସିକି ସବୁକଥା ଶୁଣୁ ଥିବା ସ୍ବାମୀ ବିନୋଦ ଟିକିଏ ବ୍ୟଙ୍ଗ ଭରା ସ୍ଵରରେ କହିଲେ, "ଯାହାହେଉ ଗୋଟେ ରିଫ୍ୟୁଜିର ଠିକଣା ପକ୍କା ହେଇଗଲା।" ପ୍ରୀତି କିଛି ପ୍ରତିକ୍ରିୟା ପ୍ରକାଶ ନକରିଲେ ମଧ୍ୟ ମନ ଭିତରେ ବହୁତ୍ ଦୁଃଖୀ ହେଇ ଗଲା। 


ପ୍ରୀତିର ବାପାଙ୍କର ନିଜ ଗାଁରେ ବହୁତ୍ ଜମିବାଡ଼ି ଥିବା ସତ୍ତ୍ବେ ବି ତାଙ୍କ ଜୀବନ ସେ ଚାକିରୀ କରୁଥିବା ଜାଗାରେ ଭଡ଼ା ଘରେ ରହି କାଟିଥିଲେ। ବାପାଙ୍କର ବିବାହ ସମୟରୁ ଭଡ଼ା ଘର ଯାତ୍ରା ଆରମ୍ଭ ହେଇଥିଲା ଯେ ବାପାଙ୍କର ଆୟୁଷ ସିନା ସରିଗଲା ହେଲେ ସେ ଯାତ୍ରା ଏବେ ଯାଏ ବି ସରିନି। ପ୍ରୀତି ମଧ୍ୟ ସେଇ ଭଡ଼ା ଘରୁ ବିଦା ହେଇ ଶାଶୁଘର ଆସିଛି। ସେଥିପାଇଁ ବିନୋଦ ସବୁବେଳେ ତାକୁ ରିଫ୍ୟୁଜି କହି ଅଟ୍ଟହାସ୍ୟ କରନ୍ତି।


ବାପାଙ୍କର ଆର୍ଥିକ ମାନ୍ଦାବସ୍ଥା ଆଉ ବୋଉର ଦୁର୍ଦ୍ଦଶା ଭୋଗିବାର ଭାଗ୍ୟ ସେମାନଙ୍କ ସହ ପ୍ରୀତିକୁ ଆଉ ତା ଭାଇ କୁ ବି ଟାଣି ନେଇଥିଲା ଏକ ଠିକଣା ବିହୀନ ଅଗଣା କୁ। ଯୋଉଠି ପାଦ ତଳେ ଭୂମି ଆଉ ମୁଣ୍ଡ ଉପରେ ଛାତ ସିନା ଥିଲା ହେଲେ ତାକୁ ନିଜର କହିବାର ଅଧିକାର ନଥିଲା। ମାସକୁ ମାସ ଏକ ନିର୍ଦ୍ଦିଷ୍ଟ ତାରିଖରେ ଭଡ଼ା ଗଣା ଯାଉଥିଲା ହେଲେ ମନ ଭିତରେ ସବୁ ବେଳେ ଗୋଟେ ଡର ଲାଗି ରହୁଥିଲା। ଯେବେଠୁ ପ୍ରୀତି ଆଖି ଖୋଲିଚାହିଁଲା ନିଜକୁ ଭଡ଼ା ଘରେ ପାଇଥିଲା। ବାପା ସିନା କାମକୁ ପଳାନ୍ତି ହେଲେ ବୋଉ ତାର ଦିନ ସାରା ସେ ଭଡ଼ା ଘରେ ଡରି ଡରି ରୁହେ। ଏଠି ଅନେକ ଭାବିବେ ଭଡ଼ା ଘରେ ଡର କଣ। ଆଜ୍ଞା ଭଡ଼ା ଘର ଡର ବୋଧେ ଦୁନିଆର ସବୁଠାରୁ ବଡ଼ ଡର। କେତେବେଳେ ଘରକୁ ଡେରିରେ ଆସିବାର ଡର, କେତେବେଳେ ପାଣି ଅଧିକ ଖର୍ଚ୍ଚ କରିବାର ଡର, କେତେବେଳେ ଘର କାନ୍ଥ ରଙ୍ଗ ଖରାପ ହେବାର ଡର ତ କେତେବେଳେ ନିଜ ସୁବିଧା ଆଉ ଆବଶ୍ୟକତା ଅନୁସାରେ ଜିନିଷ ରଖିବାର ଡର। ଗଣିବାକୁ ବସିଲେ ହୁଏତ ଗଣତି ଭୁଲ୍ ହେଇଯିବ କିନ୍ତୁ ଭଡ଼ା ଘର ର ଡର ସରିବନି। ମଣିଷ ଡରିଲେ ଘର ମୁହାଁ ହେଇ ଦୌଡେ ହେଲେ ଏଠି ତ ସେଇ ଘର ହିଁ ନିଜର ନୁହଁ। ପ୍ରତି ମାସରେ ଯୋଉ ଠିକଣା ପାଇଁ ପ୍ରୀତିର ବାପା ଦିନରାତି କାମ କରି ପେଟ କାଟି ଆଗ ପଇସା ରଖନ୍ତି ଆଉ ବୋଉ ଯୋଉ ଠିକଣା ରେ ଟିକେ ଧୂଳି ବି ବସିବାକୁ ଦିଏ ନାହିଁ ଦୁଃଖ ଲାଗେ ଯେ ସେ ଠିକଣା ନିଜର ନଥାଏ। 


ଆଉ ଏ ଦୁଃଖ ସେତେବେଳେ ବେଶୀ ବଢିଯାଏ ଯେବେ ସେ ଠିକଣା ରେ ଚିଠିଟିଏ ଆସିବାର ଥାଏ। କୋଉଠି ସବୁ ଚିଠି ଆଗ ଘର ମାଲିକ ଦେଖନ୍ତି ତ କୋଉଠି ଅନ୍ୟ କେହି ନିଜର ଅବହେଳାରେ ଚିଠିକୁ ହଜାଇ ଦିଅନ୍ତି। ଚିଠି ଟିଏ ଆସିବାର ଥିଲେ ପୋଷ୍ଟ ପିଅନ ବାବୁଙ୍କ ହାତରୁ ଚିଠିଟି ଆଣିବା ଯାଏ ପ୍ରୀତିର ବୋଉ ଘଡି କି ଘଡି ରାସ୍ତାକୁ ଅନେଇ ବସିଥାଏ। ଯଦି କେବେ ବୋଉ ତାର ଟିକେ ଅନ୍ୟମନସ୍କ ହୁଏ ତେବେ ସେ ଚିଠି ମିଳିବା କାଠିକର ପାଠ ହେଇଯାଏ। ଏହିପରି ସମସ୍ୟାର ଅନେକ ଥର ସମ୍ମୁଖୀନ ହେବାପରେ ପ୍ରୀତିର ବାପା ନିଜର ଚିଠି ପାଇଁ ଅନ୍ୟ ଏକ ଠିକଣା ର ଠିକଣା ଖୋଜିଲେ, ପାଖରେ ରହୁଥିବା ନିଜର ବଡ଼ ଭାଇ ମାନେ ପ୍ରୀତିର ବଡ଼ ବାପାଙ୍କ ଘର। ହେଲେ ସେଠି ବି ଅସୁବିଧା କମି ନଥିଲା। ଯଦି କିଛି ଜରୁରୀ ଚିଠି ଆସିବାର ଥାଏ ବୋଉକୁ ନିଜେ ଯାଇକି ଅପେକ୍ଷା କରିବାକୁ ପଡ଼ୁଥିଲା। କାହିଁକି ନା ବଡ଼ ବାପା ଅଫିସ ଆଉ ଭାଇ ନାନୀ ମାନେ ସ୍କୁଲ୍ କୁ ଗଲାପରେ ଘରେ କେହି ନଥାଂତି ଯିଏ ଠିକ୍ ସମୟରେ ଚିଠି ଆଣିକି ଆମ ଘରେ ଦେବ।


ଏମିତି କିଛି ସୁବିଧା ଆଉ କିଛି ଅସୁବିଧା ଭିତରେ ପ୍ରୀତିର ବାପା ନିଜ ପାଇଁ ଜମି ଖଣ୍ଡିଏ କିଣିଥିଲେ। ଯୋଉ ଦିନ ଜମି ପାଇଁ ରେଜିଷ୍ଟ୍ରେସନ୍ ସରିଲା ବାପା ଖୁବ୍ ଖୁସି ହେଇ ପ୍ରୀତିକୁ କହିଥିଲେ, ଆମର ବହୁତ୍ ଜଲଦି ଘର କରିଦେବା, ତୁମେ ଭାଇ ଭଉଣୀ ଦୁଇ ଜଣ ପାଠ ପଢି ମଣିଷ ହୋଇଯାଅ। ଆମେ ବୁଢ଼ା ବୁଢ଼ୀ ସେଇ ଘରେ ରହିବୁ ଆଉ ତୁମେ ମାନେ ଦୂରକୁ ଗଲେ ଆମକୁ ଆମ ନିଜ ଠିକଣାରେ ଚିଠି ଦେବ। ସେଦିନ ସମସ୍ତେ ଖୁସି ଥିଲେ ଆଉ ପ୍ରୀତିର ଖୁସି ଥିଲା ସବୁଠୁ ଅଲଗା। ଅଲଗା ବି ହବନି କାହିଁକି, ସେ ଖୁବ୍ ପାଖରୁ ନିଜ ବାପା ବୋଉଙ୍କ ସଂଘର୍ଷ ଦେଖିଥିଲା କେବଳ ଗୋଟେ ସ୍ଥାୟୀ ଠିକଣା ପାଇଁ। ହେଲେ କଥାରେ ଅଛି ନା ବିଧିର ବିଧାନ କେ କରିବ ଆନ। ନିଜ ଠିକଣା କୁ ସ୍ଥାୟୀ କରିବା ଆଗରୁ ସେଇ ଅସ୍ଥାୟୀ ଠିକଣା ରୁ ପ୍ରୀତିର ବାପା ଚାଲିଯାଇଥିଲେ ଏମିତି ଏକ ଠିକଣା କୁ ଯୋଉ ଠାରୁ ଫେରିବାର କିଛି ବାଟ ନଥାଏ। ସେହି ସମୟରେ ପ୍ରୀତି ଆଉ ତା ପରିବାରର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ନିଜର ଠିକଣା ପାଇଁ କରୁଥିବା ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଭାବୁଥିବା ବେଳେ ସବୁକିଛି ଆଶା ତାସ୍ ର ଘର ପରି ଧୂଳିସାତ ହୋଇ ଯାଇଥିଲା। 


ପ୍ରୀତିର ବୋଉ ପ୍ରୀତି ଆଉ ତା ଭାଇ କୁ ଧରି ଚାଲି ଆସିଥିଲେ ଅନ୍ୟ ଏକ ସ୍ଥାନକୁ ଯୋଉଠି ପୁଣି ଏକ ଅସ୍ଥାୟୀ ଠିକଣା ରେ ସେ ଗଢ଼ିବାକୁ ଚେଷ୍ଟା କରିଥିଲେ ନିଜ ପିଲାଙ୍କ ଭବିଷ୍ୟତ। ସମୟ ଚକ ଅବିଶ୍ରାନ୍ତ ଭାବେ ଗଡି ଚାଲିଲା। ପ୍ରୀତି ଆଉ ତା ଭାଇ ପାଠ ପଢ଼ିଲେ ଚାକିରୀ ବି କଲେ ହେଲେ ନିଜର ସ୍ଥାୟୀ ଠିକଣା ପାଇଁ ଯେତିକି ଅର୍ଥ ଦରକାର, ଖାଇ ପିଇ ଆଉ ନିଜ ଅସ୍ଥାୟୀ ଠିକଣା ମାନେ ଘର ଭଡ଼ା ଦେଲା ପରେ ସେତିକି ଯୋଗାଡ଼ କରିବା କାଠିକର ପାଠ ଥିଲା। ଏମିତି ଭାବେ ନିଜର ପକ୍କା ଠିକଣା ଟିଏ ପାଇଁ ସଂଘର୍ଷ ଚାଲିଥିବା ବେଳେ ପ୍ରୀତି ର ବାହାଘର ହେଇଥିଲା।


ପ୍ରୀତି ନିଜ ପରିବାରକୁ ଛାଡ଼ି, ନିଜର ସେଇ ଅସ୍ଥାୟୀ ଠିକଣାକୁ ଛାଡ଼ି ଚାଲି ଆସିଥିଲା ସ୍ବାମୀ ବିନୋଦଙ୍କ ସ୍ଥାୟୀ ଠିକଣାକୁ। ଚିରାଚରିତ ଢଙ୍ଗରେ ନିଜର ମଧ୍ୟ କରିନେଇଥିଲା। ବଦଳେଇ ଦେଇଥିଲା ମନରେ ବି ଆଉ ସରକାରୀ ଦସ୍ତାବିଜ ରେ ବି ନିଜର ଠିକଣା। ମାତ୍ର ଆମ ସମାଜରେ ଝିଅଟିଏ ଯେତେ ନିଜ ଶାଶୁ ଘରକୁ ଆପଣାର କରିଲେ ବି କୋଉଠି ନା କୋଉଠି ସେ ପର ହେଇ ରହିଯାଏ। ସେ ସିନା ବିନୋଦଙ୍କ ଘରକୁ ନିଜର କରିନେଲା ହେଲେ ଆଜିଯାଏଁ ମଧ୍ୟ ବାପଘର ର ଅସ୍ଥାୟୀ ଠିକଣା ପାଇଁ ବିନୋଦ ସୁଯୋଗ ପାଇଲା ମାତ୍ରକେ ପ୍ରୀତିକୁ ବ୍ୟଙ୍ଗ କରିବାକୁ ପଛାନ୍ତି ନାହିଁ। ପ୍ରଥମେ ପ୍ରଥମେ ପ୍ରୀତି ଖୁବ୍ ବିରୋଧ କରୁଥିଲା ହେଲେ ଏବେ ସେ ନିରବ ହେଇ ଯାଇଛି। ଆଉ ନୀରବରେ ଆଖିର ଲୁହ ସହ ମନର କୋହ କୁ ଛାତି ତଳେ ଚାପି ଦେଉଛି।


ଆଜି ସକାଳେ ମଧ୍ୟ ବିନୋଦଙ୍କ ଚିରାଚରିତ ବ୍ୟଙ୍ଗ ପ୍ରୀତିକୁ ଖୁବ୍ ଦୁଃଖ ଦେଇଥିଲା। କିନ୍ତୁ ନିଜର ଦୁଃଖ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡ଼ା ବୋଧେ ଅନ୍ୟ କିଛି ଉପାୟ ନାହିଁ ତାର। ମନରେ ବାରମ୍ବାର ଗୋଟିଏ ପ୍ରଶ୍ନ ଉଠୁଥିଲା ଭଗବାନ ଯଦି ଦୁଇଟା ପାଦ ଦେଇଛ ତାହେଲେ ନିଜର ବୋଲି କହିବାକୁ ସେ ଦୁଇ ପାଦର ଠିକଣା ଟିଏ କାହିଁକି ଦେଇନ। କେବେ ଅନ୍ତ ହେବ ଏ ଠିକଣା ର ସଙ୍ଘର୍ଷ।


Rate this content
Log in

More oriya story from Banasmita Moharana

Similar oriya story from Abstract