Satyabati Swain

Tragedy Inspirational

4.5  

Satyabati Swain

Tragedy Inspirational

ତିଥି

ତିଥି

4 mins
9



ଗୋଲଡ୍ ମେଡାଲିଷ୍ଟ୍   ମୁଁ ଅଥଚ ପ୍ରମୋସନ ହେଲା ତୁମର ! " ତିଥି ଖୁସିରେ ଖୁସି ହେବ କଣ ଓଲଟା ତାଛଲ୍ୟ କଲେ ବିଭି : ବୈଭବ ବିଶ୍ବାଳ।


ତିଥି ଓ ବିଭି :  ପ୍ରେମ ବିବାହ କରିଥିଲେ । ଦୁହେଁ ଗୋଟିଏ ସହର କିନ୍ତୁ ଭିନ୍ନ କମ୍ପାନୀରେ ଇଞ୍ଜିନିୟର। ବିଭି ଆର୍ଚିଟେକର ଥିଲା ବେଳେ ତିଥି ପ୍ରୋଜେକ୍ଟ ଡିଜାଇନର। ଗୋଟିଏ ବସ୍ ରେ ପ୍ରତିଦିନ ଯିବା ଆସିବାରୁ ବନ୍ଧୁତା।ବ ନ୍ଧୁତାରୁ ପ୍ରେମ ଓ ପରେ ବିବାହ। ବିବାହର ଏଗାର ମାସ ହୋଇଛି କି ନାହିଁ ପରସ୍ପର ମଧ୍ୟରେ ମନାନ୍ତର ଓ ମତାନ୍ତର ସୃଷ୍ଟି ହେଲା। ଏହାର କାରଣ ଥିଲା ତିଥିର ପ୍ରମୋସନ ।ଦୁହେଁ ଇଞ୍ଜିନିୟର । ବୈଭବ ଗୋଲଡ଼ ମେଡାଲିଷ୍ଟ ଛାତ୍ର । ତାର ପ୍ରମୋସନ ନ ହୋଇ ତିଥିର ପ୍ରମୋସନ ହେଲା ବୋଲି ହିଁନ ମନ୍ୟତାର ଶିକାର ହୋଇ ନିଜ ସ୍ତ୍ରୀକୁ ସନ୍ଦେହ ଓ ଅବିଶ୍ୱାସ କଲା।" ମୁଁ ଗୋଲଡ଼ ମେଡାଲିଷ୍ଟ , ମୋର ପ୍ରମୋସନ ନ ହୋଇ ତୁମର କେମିତି ହେଲା ?" ସ୍ତ୍ରୀ ଖୁସିରେ ଖୁସି ନ ହୋଇ ବୈଭବ ନିଜ ଭିତରେ ଅସହିଷ୍ଣୁ ହୋଇ ପଡ଼ିଲା। ଦିନେ ଖୋଲା ଖୋଲି ବିଥିକୁ ଆକ୍ଷେପ କରି କହିଲା, ଚାକିରି କରିବା ଦୁଇ ବର୍ଷ ହୋଇ ନାହିଁ ତୁମ ପ୍ରମୋସନ, ଟିକେ ଆଶ୍ଚର୍ଯ୍ୟ କରୁନାହିଁ ତିଥି ?


     ଆଶ୍ଚର୍ଯ୍ୟ କାହିଁକି କରିବ ?  ମୋ ଟ୍ୟାଲେଣ୍ଟ ଦେଖି ମୋତେ ପ୍ରମୋସନ ମିଳିଛି । କମ୍ପାନୀର ବେଷ୍ଟ୍ ପ୍ରୋଜେକ୍ଟ ଡିଜାଇନର ଭାବେ ମୋତେ ଆୱାର୍ଡ ମିଳିଛି। ଏହା ମୋ ପରିଶ୍ରମ ଓ ମସ୍ତିଷ୍କର ଚମତ୍କାରିତା। ଚାରୋଟି ପ୍ରୋଜେକ୍ଟରେ ମୋର ଆନ୍ତର୍ଜାତୀୟ କମ୍ପାନୀ କେତୋଟି ନିଜର ଅଂଶଧନ ଦେଇ ଆମ କମ୍ପାନୀ ସହ ମିଶି କାମ କରିବେ ବୋଲି ଚୁକ୍ତି କରିଛନ୍ତି । କମ୍ପାନୀର ଲାଭ ହିଁ ଲାଭ ଏଣୁ ସେମାନେ ମୋର ପ୍ରମୋସନ ଦେଇ ପ୍ରୋଜେକ୍ଟ ଡ଼ାଇରେକ୍ଟର କରି ଦେଇଛନ୍ତି। ତୁମେ ତ ଖୁସି ହେବା କଥା ବିଭି।


    ତୁମ ଟ୍ୟାଲେଣ୍ଟ ନା ତୁମ ରୂପ ବିଥି ? ସି ଇ ଓ ଙ୍କ ସହ ଯେଉଁ ଦେଶ ବିଦେଶ ଟୁରର୍ ଯାଉଛ ନିଜକୁ ଦୂରେଇ କେତେ ରଖି ପାରିଥିବ ମୁଁ ଜାଣି ପାରୁଛି। ମୋ ଭଳି ଗୋଲଡ୍ ମେଡାଲିଷ୍ଟ ପାଞ୍ଚ ବର୍ଷର ଚାକିରି ହେଲେ ମଧ୍ୟ ମୋର ଆଖି ଦୃଶିଆ ଦରମା  ବଢିନି। ତୁମର ଦରମା ବଢିବା ସହ ପ୍ରମୋସନ ! ଟିକେ ଆଶ୍ଚର୍ଯ୍ୟ କଲା ପରି ନୁହେଁ କି ତିଥି ?


      ଓଃ ବିଭି ତୁମ ପରି ପ୍ରେମିକମାନେ ସବୁବେଳେ ଅସୁରକ୍ଷିତ ନିଜ ସୁନ୍ଦରୀ ପ୍ରେମିକାର ପ୍ରେମକୁ ନେଇ।କାଳେ ଆଉ କାହାକୁ ପ୍ରେମ କରି ବସିବେ ସୁନ୍ଦରୀ ପ୍ରେମିକାଟି ? ହେଲେ ମୋ ପ୍ରିୟ ବିଭି ମୁଁ ତୁମ ପ୍ରେମିକା ନୁହେଁ ତୁମ ସ୍ତ୍ରୀ । ମୋର ସବୁ ଆଜୀବନ ତୁମର ବାବୁ,  ହସି ହସି କହିଲେ ତିଥି।


     କଥା କହି ଭୁଲେଇ ଦିଅନି ତିଥି। ମୋ ପରି ଗୋଲଡ଼ ମେଡାଲିଷ୍ଟର କିଛି ବି ଉନ୍ନତି ନାହିଁ ତୁମର ଗୋଟେ ପରେ ଗୋଟେ ଉନ୍ନତି ! 


     ଆଜି ମୁଁ ଯାହା ହୋଇଛି ବା ଯେଉଁଠି ପହଞ୍ଚିଛି ସବୁ ତ ତୁମରି ପାଇଁ । ତୁମ ବିନା ସମର୍ଥନରେ ମୋର ଉନ୍ନତି କାହିଁ ? ତୁମର ଧୀ ଶକ୍ତି ପ୍ରଖର। କିନ୍ତୁ ମୋର ଡିଜାଇନ ଦୃଷ୍ଟିଟି ଅସାଧାରଣ ତୁମେ ପରା କୁହ ? ସେଇ ଅସାଧାରଣ ଦୃଷ୍ଟିଭଙ୍ଗୀକୁ ପ୍ରୟୋଗ କରି ବେଷ୍ଟ୍ ପ୍ରୋଜେକ୍ଟ ଡିଜାଇନର ହୋଇ ପାରିଛି ।ଏଥିରେ ତୁମେ କଣ ଖୁସି ନୁହଁ ?


      ବିଭି ମୁହଁ ନ ଖୋଲିଲେ ମଧ୍ୟ ସେ ଯେ ତିଥିର ଉନ୍ନତିରେ ଜେଲସି ଏକଥା ତିଥିକୁ ବୁଝିବା ଅଛପା ରହିଲା ନାହିଁ। ବିଭି ନିଜ ଗୋଲଡ଼ମେଡାଲକୁ ନେଇ ଅଧିକ ପ୍ରତିକ୍ରିୟା ଶୀଳ। "ମୁଁ ଗୋଲଡ଼ମେଡାଲିଷ୍ଟ "ଏଇ ଅହଂ ହିଁ ବିଭି ହସ ଖୁସିରେ ନିଆଁ ଲଗାଉଛି। ନିଜ ପ୍ରେମିକା ପୁଣି ପତ୍ନୀକୁ ସେ ସନ୍ଦେହ ଓ ଅବିଶ୍ୱାସ କରୁଛି । ନିଜକୁ ଛୋଟ ଭାବୁଛି ତିଥି ଆଗରେ ।ଅହଙ୍କାର ରୋଗରେ ସେ ଯେ ଆକ୍ରାନ୍ତ ଏ କଥା ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି। ଫଳ ସ୍ୱରୂପ ତିଥି ଓ ବିଭି ଭିତରେ ଦୂରତା ବଢି ବଢି ଗଲା । ସବୁ

ବେଳେ ବିଭି ତିଥି ଉପରେ ଅଯଥା ଚିଡି ବିଡ଼ି ହେଲା। ପ୍ରତି କାମରେ ଭୁଲ୍ ଖୋଜିଲା । କୌଣସି କାରଣ ନ ଥାଇ କଳି ଝଗଡା ଆରମ୍ଭ କଲା ।


     କଣ ହୋଇଛି ତୁମର ବିଭି ? ଭାବୁଥିଲି ତୁମେ ଯାହା କହୁଛ ଜୋକ୍ ରେ ।କିନ୍ତୁ ଦେଖୁଛି ତୁମେ ତ ସିରିଅସ୍ ଅଛ ମୋ ପ୍ରମୋସନକୁ ନେଇ।  ମୁଁ ତୁମ ତିଥି ବିଭି । ମୋ ପାଇଁ ତୁମ ମନରୁ କଣ ପ୍ରେମ ଶେଷ ହୋଇ ଯାଇଛି? ପ୍ରେମ କଣ ଶେଷ ହୁଏ ? ଦୟାକରି ମୋ ସହ ଏମିତି ବ୍ୟବହାର କରନାହିଁ।ଖୁବ୍ ବାଧୁଛି।


ବାଧୁଛି ଯଦି ମୋତେ ଛାଡ଼ି ଦିଅ।


   ମାନେ ! କଣ କହିବାକୁ ତୁମେ ଚାହଁ ବିଭି ? ଛାଡି ଦେବା ପାଇଁ ମୁଁ କଣ ମୋ ପରିବାର ବିପକ୍ଷରେ ଯାଇ ତୁମକୁ ବିବାହ କରିଥିଲି ?


     ସେତେବେଳେ ତୁମେ କେବଳ ମୋ ତିଥି ଥିଲ। ଏବେ ପରା ତୁମେ ପ୍ରୋଜେକ୍ଟ ଡାଇରେକ୍ଟର।ଗାଡି,ବଙ୍ଗଳା ସବୁ ତୁମକୁ ମାଗଣାରେ ମିଳୁଛି ? ଲବ୍ଧପ୍ରତିଷ୍ଠିତ ପ୍ରୋଜେକ୍ଟ ଡ଼ାଇରେକ୍ଟର ସାହିବା ତୁମେ।


     ଦେଖ୍ ବିଭି ସହିବାର ଗୋଟେ ସୀମା ଥାଏ। ଗୋଟେ ମିଛ ଅହଂ ପଛରେ ଗୋଡେଇ ତୁମେ ନିଜ ହସ ଖୁସିକୁ ନଷ୍ଟ କରୁଛ କାହିଁକି ? କହିବ ତ ଚାକିରି ଛାଡି ଦେବି ବିଭି ।କିନ୍ତୁ ତୁମର ଏପରି ବ୍ୟବହାର ମୋର ଅସହ୍ୟ।


     କଣ ମୋତେ ଦୟା କରୁଛ ଡ଼ାଇରେକ୍ଟର ସାହେବା। ଦେଖେଇ ହେବାକୁ ଚାହୁଁଛ ମୋତେ କେତେ ଭଲ ପାଅ ? ଏତେ ବୋକା ଭାବ ନାହିଁ ମୋତେ।ଚାକିରି ଛାଡି ଦେଇ ସାରା ଜୀବନ ମୋତେ କହିବ କି ତୁମ ଖୁସି ପାଇଁ ଚାକିରି ଛାଡ଼ିଲି।


     ଭାବି ନ ଥିଲି ତୁମେ ବୋକା ବୋଲି। ଏବେ ଭାବିବାକୁ ବାଧ୍ୟ ହେଉଛି। ଜାଣିଛ କାଲି ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲି। ଶୁଣିବ ନାହିଁ ଡାକ୍ତର କଣ କହିଲେ ? ତୁମ ଅଂଶ ମୋ ଭିତରେ ସୃଷ୍ଟି ହୋଇ ସାରିଛି ବୈଭବ।ତୁମେ ବାବା ଓ ମୁଁ ମାଆ ହେବାକୁ ଯାଉଛେ।


କଣ ବାବା ! ସେ ପିଲା ମୋର ତ !


      ବାସ୍ ! ଏତିକି କଥା ଯଥେଷ୍ଟ ଥିଲା ଦୁହିଙ୍କ ଜୀବନରେ ଡିଭୋର୍ସ ପଶି ଆସିବାକୁ। ତିଥିର ପ୍ରେମକୁ ଚୁର୍ ଚୁର୍ କରି ଦେଲା ଏଇ ଗୋଟିଏ କଥା। ହୁଏତ ନାରୀକୁ ଦେବୀ କରି ପୁରୁଷ ତା ଅନେକ ଅତ୍ୟାଚାର କରି ପାରେ ; ମାତ୍ର ତା ମାତୃତ୍ୱ ପ୍ରତି ଅବମାନନା ସେ କେବେ ସହି ପାରିବ ନାହିଁ। କେତେ ସାହସ ! ନିଜ ରକ୍ତକୁ ଅସ୍ବୀକାର କରୁଛନ୍ତି ! ସନ୍ଦେହ ଓ ମିଛ ଅହଂ ରୋଗାକ୍ରାନ୍ତ ମଣିଷ ସହ ତିଥି ଯେ ଆଉ ସଂସାର ବାନ୍ଧିବା ସମ୍ଭବ ନୁହେଁ ବୁଝି ଗଲା।


ଏବେ ସେମାନେ ନିଜ ନିଜ ରାସ୍ତାରେ ଅଲଗା ଚାଲନ୍ତି ଦୁଇଟି ଅଚିହ୍ନା ମଣିଷ ହୋଇ।


Rate this content
Log in

Similar oriya story from Tragedy