Sujat Kumar Sahoo

Tragedy Inspirational

3  

Sujat Kumar Sahoo

Tragedy Inspirational

ଥୁଣ୍ତା ଗଛର ଛାଇ

ଥୁଣ୍ତା ଗଛର ଛାଇ

4 mins
247


 ପୂର୍ଣ୍ଣମୀର ରାତି । ଆକାଶ ବେଶ ଉଜ୍ଜ୍ୱଳ ଦିଶୁ ଥାଏ । ଜହ୍ନ ପୁରା ପୁରି ଗୋଲାକାର । ସମ୍ପର୍ଣ୍ଣ ଆଭା ମଣ୍ଡଳ ଦିକି ଦିକି ହୋଇ ଜଳୁ ଥିବା ତାରା ମାନଙ୍କ ଦ୍ବାରା ଆଲୋକିତ । ଜହ୍ନର ଚାରି ପାଖେ ପଢ଼ି ଥିବା ତାରା ଗୁଡ଼ିକ ବେଶ ସୁନ୍ଦର ଲାଗୁଥାନ୍ତି । ମନେ ହେଉଥାଏ ସତେ ଯେମିତି ପୂର୍ଣ୍ଣମୀ ଜହ୍ନ ଯୋଗୁ ତାରା ମାନେ ଖୁସିରେ ଆତ୍ମହରା । ଜହ୍ନ ଆଲୋକ ସାଙ୍ଗକୁ ମନ୍ଦ ମନ୍ଦ ପବନ । ଗଛ ପତ୍ର ଗୁଡ଼ିକ ହଲୁଥାନ୍ତି ଧିରେ ଧିରେ, ଠିକ୍ ଦୋଳି ଖେଳିଲା ପରି । ଅଇଁଠୁ ପୁରୁଣା ବାଉଁଶ ଖଟ ଉପରେ ବସି ଆନନ୍ଦରେ ଆକାଶକୁ ଚାହୁଁ ଥାଏ । ମଝିରେ ମଝିରେ ହସୁଥାଏ । କେବେ କେବେ ଜୋଢ଼ ହସ୍ତ କରି ମୁଣ୍ଡରେ ଲଗାଉ ଥାଏ ।

ଅଇଁଠୁ ମନରେ ଆଜି ଖୁସିର ଆନନ୍ଦ । ସେ ଆନନ୍ଦ ସୀମା ହୀନ ।ତୃପ୍ତି ଭାରା । ପୁଣି ମନରେ କିଛିଟା ଦୁଃଖ । ସେ ଦୁଃଖ କିନ୍ତୁ ଅଇଁଠୁର ଆନନ୍ଦ ଆଗରେ ହାରି ଯାଇଥିଲ। ।

ପାହାଡ଼ ଜଙ୍ଗଲ ଭାରା ,ଆଦିବାସୀ ବହୁଳ ଗାଁ । ବୌଦ ଜିଲାର ହରଭଙ୍ଗା । ଗାଁ ର ଗ୍ରାମ ଦେବୀ ବୁଢ଼ୀ ଠାକୁରାଣୀ । ବୁଢ଼ୀ ଠାକୁରାଣୀ ଙ୍କ ଉପରେ ଗ୍ରାମବାସୀଙ୍କର ଅତୁଟ ବିଶ୍ୱାସ । ଠାକୁରାଣୀଙ୍କର ପୂଜକକୁ ଦେହୁରୀ କହନ୍ତି । ଦେହୁରୀର ଇଶାରାରେ ପ୍ରତ୍ୟେକ ରୀତି ନୀତି ଚାଲେ ଗାଁ ର । ରୋଗ ଠାରୁ ବୈରାଗ୍ୟ ପର୍ଯ୍ୟନ୍ତ, ଦେହୁରୀର କଥା ମାନନ୍ତି ଗ୍ରାମବାସୀ ।


ଗାଁ ରେ କୂଅଟିଏ ନାହିଁ ପାଣି ପିଇବା ପାଇଁ । ପ୍ରବାଦ ଅଛି କୂଅ ଖୋଳିଲେ ବୁଢ଼ୀ ଠାକୁରାଣୀ କୋପ କରିବେ । ଆଉ ତା ବଂଶ ନିପାତ କରିଦେବେ । ସମ୍ଭବତଃ ଏଇଥି ପାଇଁ କୂଅ ଖୋଳାଯାଏ ନାହିଁ । ତେଣୁ ସମସ୍ତେ ନିର୍ଭର କରନ୍ତି ପାହାଡ଼ ଉପରୁ ବହି ଆସିଥିବା ଗୋଟେ ଛୋଟ ଝରଣା ଉପରେ । ସେହି ଝରଣାରେ ଗାଧୁଆ ଠାରୁ ପିଇବା ପର୍ଯ୍ୟନ୍ତ ସବୁ କିଛି ଚାଲେ ନିତି-ଦିନ । ସେଥି ପାଇଁ ବୋଧେ ନାନା ରୋଗରେ ପୀଡିତ ହୁଅନ୍ତି ଗ୍ରାମବାସୀ । କିନ୍ତୁ ଦେହୁରୀ କହେ ବୁଢ଼ୀ ଠାକୁରାଣୀଙ୍କ କୋପ ପଡ଼ିଛି ତା ଉପରେ । ଠାକୁରାଣୀଙ୍କୁ ଶାନ୍ତ କରିବାକୁ ହେବ । ପୂଜା କରିବାକୁ ହେବ । ଉପବାସ କରିବାକୁ ହେବ ।ବଳି ଦେବାକୁ ହେବ ଇତ୍ୟାଦି । ସେଇଆ ମଧ୍ୟ ହୁଏ । କିନ୍ତୁ ଅଇଁଠୁର ମନ ମାନେ ନାହିଁ । ବରଂ ବିଦ୍ରୋହ କରି ଉଠେ । ସିଏ କିନ୍ତୁ ନାଚାର , ଗ୍ରାମବାସୀଙ୍କ ବିଶ୍ୱାସ ଆଗରେ ।


ବହୁ ବର୍ଷ ତଳେ ଦିନେ ସେହି ଗ୍ରାମକୁ ସ୍ବାସ୍ଥ୍ୟ କର୍ମୀ ମାନେ ଆସିଥିଲେ । ଗ୍ରାମ ବାସୀ ମାନଙ୍କୁ ସ୍ବାସ୍ଥ୍ୟ ବିଷୟରେ କିଛି ବୁଝେଇବା ପାଇଁ । ବୁଝେଇ ଥିଲେ ମଧ୍ୟ ,ଆପଣ ମାନଙ୍କର ମୁଖ୍ୟ ସମସ୍ୟା ପିଇବା ପାଣିରେ ଅଛି । ତେଣୁ ଆପଣ ମାନେ କୂଅଟିଏ ଖୋଳନ୍ତୁ । ଶରୀରକୁ ସୁସ୍ଥ ରଖିବାରେ ପିଇବା ପାଣିର ଗୁରୁ ଦାୟୁତ୍ୱ ଅଛି । ନଚେତ୍ ଆପଣ ମାନେ ସର୍ବଦା ରୋଗରେ ପୀଡ଼ିତ ହେବେ । ମୁଖ୍ୟତଃ ହଇଜା ବ୍ୟାପିବାର ସମସ୍ୟା ଅଧିକ । ତେଣୁ କୂପ ଖୋଳିବା ଆରମ୍ଭ ହୋଇଥିଲା । ଯୋଗକୁ କୂଅ ଖୋଳୁ ଥିବା ଲୋକଟିର ଛୋଟ ପିଲାଟି ହଇଜାରେ ମରିଗଲା । ତାପରେ ଦେହୁରୀ କହିଲା, ବୁଢ଼ୀ ଠାକୁରାଣୀ କୋପ କଲେଣି, କୂଅ ପୋତି ଦିଅ, ନଚେତ୍ ବୁଢ଼ୀ ଠାକୁରାଣୀ ତା ବଂଶ ଖାଇ ଯିବେ । ଶେଷରେ ସେଇଆ ହେଲା ,କୂଅ ପୋତି ଦିଆଗଲା ।


ଅଇଁଠୁର ମନ କିନ୍ତୁ ମାନି ନଥିଲା ସେଦିନ । ତା ଛାତିରେ ଦାଗ ହୋଇ ରହି ଯାଇଥିଲା ସ୍ବାସ୍ଥ୍ୟ କର୍ମୀ ମାନଙ୍କ କଥା ସବୁ । ଗୋଟି ଗୋଟି କରି । କାରଣ ପିଲାଟି ଦିନରୁ ବାପାଙ୍କୁ ଦେଖି ନାହିଁ । ଶୁଣିଛି ବାପା ତାର ଝାଢ଼ା ବାନ୍ତିରେ ମରି ଥିଲା । ତାକୁ ଯେତେବେଳେ ବାର ବର୍ଷ ହୋଇଥିଲା, ତା ମାଆ ମଧ୍ୟ ଚାଲି ଯାଇଥିଲା ଆର ପାରିକୁ । ସେହି ଝାଢା଼ ବାନ୍ତି କରି କରି । ସେତେବେଳେ ଦେହୁରୀ କହି ଥିଲା ଅଇଁଠୁର ମାଆକୁ ବାଢ଼ି ଖାଉଛି, ସିଏ ନିଶ୍ଚୟ ମରିବ, ତା ପାଖକୁ କେହି ଯାଅ ନାହିଁ । ଗଲେ ବୁଢ଼ୀ ଠାକୁରାଣୀ କୋପ କରିବେ । ତୁମକୁ ବି ସେଥିରେ ଖାଇ ଯିବେ । ତେଣୁ ସାହି ପଢ଼ିଶାର କେହିବି ଆସିଲେ ନାହିଁ । ଶେଷରେ ତା ମାଆ ମରିଯାଇଥିଲା ।ଏ ସବୁକୁ ଦେଖିଛି ଅଇଁଠୁ ତା ନିଜ ଆକ୍ଷି ଆଗରେ ।

           ମାଆ-ବାପାଙ୍କୁ ହରେଇ ଅପର୍ତିଆ ହୋଇଛି ଅଇଁଠୁ । ଭୋକ ଉପାସରେ ଦିନ କାଟିଛି । ଆ-ଘର , ତା-ଘର ବୋଲ କରି କିଛି କିଛି ମାଗି ଖାଇ ବଞ୍ଚି ଯାଇଛି । ଧିର ଧିରେ ବଢ ହୋଇଛି । କାମ-ଦାମ କରିବାର ବୟସ ହୋଇଛି । ତାପରେ ଲୋକଙ୍କ ବିଲ-ବାଢିରେ ମୂଲ ଲାଗିଛି । ଗାଁ ଲୋକ ମାନଙ୍କ କଥାରେ ବାହା ହୋଇଛି । ପାଖ ଗାଁ ର ଗୁରୁବାରୀ ସହିତ ।ଗୁରୁବାରୀ ସୁନ୍ଦର ନ ଥିଲେ ବି ମଧୁର ଥିଲା । ଅଇଁଠୁକୁ ବହୁତ ଭଲପାଏ । ତାକୁ ଛାଡ଼ି ଦଣ୍ଡେ ଏକୁଟିଆ ରହେ ନାହିଁ । ମୂଲ କୁ ଦୁଇ ଜଣ ଏକାଠି ଯାଆନ୍ତି । ଇଏ ତା ମୁଣ୍ଡକୁ ଟେକି ଦିଏ, ତ ସିଏ ତା ମୁଣ୍ଡକୁ ଟେକି ଦିଏ ବୋଝ । ଏକାଠି ଖାଆନ୍ତି । ଏକାଠି ଫେରନ୍ତି । ଏଇମିତି ହସ ଖୁସିରେ ଦିନ ବିତି ଯାଏ ଅଇଁଠୁର । ସେଥି ପାଇଁ ଅଇଁଠୁ ଭୁଲି ଯାଇଥିଲା ହଜେଇ ଥିବା ତାର ବାପା-ମାଆ ଙ୍କୁ । ଭୁଲି ଯାଇଥିଲା ରହିଥିବା ଛାତିର ଦାଗକୁ ।

ବର୍ଷକ ପରେ ଗୁରୁବାରୀ କୋଳକୁ ନୁଆ ବନ୍ଧୁଟିଏ ଆସିଲା । ପୁଅ ରୂପରେ । ଅଇଁଠୁର ଆନନ୍ଦ କହିଲେ ନ ସରେ । ତା ସଂସାର ପୁରି ଯାଇଥିଲା । ଅଇଁଠୁ ଏକ୍ କରିଦେଲା ଦିନ ରାତି । ମାଆ ପୁଅ ପାଇଁ । ଗୁରୁବାରୀର ମୂଲ କୁ ଯିବା ବନ୍ଦ କରିଦେଇ , ନିଜେ ଦୁଇ ଗୁଣ କରିଛି । ସେବେଠୁ ଆନନ୍ଦର ଢେଉ ଖେଳୁ ଥିଲା ଅଇଁଠୁ ମନରେ ।

କିନ୍ତୁ ବିଧିର ବିଧାନ ଥିଲା ଅନ୍ୟ କିଛି । ମାସ କେତୋଟି ବିତିଚି କି ନାହିଁ, ଗୁରୁବାରୀକୁ ମାଡ଼ି ବସିଲା ହଇଜା । ଝାଢ଼ା ବାନ୍ତିରେ ଗୁରୁବାରୀ ଦୁର୍ବଳ ହୋଇଗଲା ,ପାଖରେ ପୁଣି କ୍ଷୀର ପିଆ ଛୋଟ ପିଲା । ତଥାପି କ୍ଷୀର ପିଆଏ ପିଲାଟିକୁ । ଧିରେ ଧିରେ ପିଲାଟିକୁ ମଧ୍ୟ ରୋଗ ମାଡ଼ି ବସିଲା । ଅଇଁଠୁକୁ ବୁଦ୍ଧି ବାଟ ଦିଶୁ ନ ଥାଏ । ବାଧ୍ୟ ହୋଇ ଦେହୁରୀ କଥାରେ ବୁଢ଼ୀ ଠାକୁରାଣୀଙ୍କ ପାଖରେ ପୁଜା କରିବା ବ୍ୟତିତ ଅନ୍ୟ ଚାରା ନଥିଲା । ଶେଷରେ ମାଆ ପୁଅ ଚାଲିଗଲେ ଆର ପାରିକୁ । ସେଦିନ ଅଇଁଠୁ ବହୁତ କାନ୍ଦିଛି , ଛୋଟ ପିଲା ପରି । ମନେ ମନେ ବୁଢ଼ୀ ଠାକୁରାଣୀଙ୍କୁ କେତେ ଗାଳି କରିଛି । ବିଦ୍ରୋହୀର ମନରେ ବିଦ୍ରୋହ ର ନିଆଁ ଲାଗି ଯାଇଛି । ସେଥିପାଇଁ ଦଶ ଦିନ ପର୍ଯ୍ୟନ୍ତ ବିନା ଖିଆ ପିଆରେ ରହିଛି । ଛାତିରେ ରହିଥିବା ଦୁଃଖ ପୁଣି ଦିକ୍ ଦିକ୍ ହୋଇ ଜଳି ଉଠିଛି ।ମନେ ପଡ଼ିଛି ସେଦିନର ସ୍ବାସ୍ଥ୍ୟ କର୍ମୀଙ୍କ କଥା । ପ୍ରତିଜ୍ଞା କରିଛି ଅଇଁଠୁ । ଗାଁ ପାଇଁ କୂଅଟିଏ ଖୋଳିବ। ହଇଜାରୁ ସମସ୍ତଙ୍କୁ ରକ୍ଷା କରିବ । ନେଇ ଗଲେ ନେଇ ଯାଆନ୍ତୁ ପଛେ ବୁଢ଼ୀ ଠାକୁରାଣୀ ମୋତେ ।


କରିଥିବା ଦୁଇ ବର୍ଷ ତଳର ପ୍ରତିଜ୍ଞା ଆଜି ତାର ପୂର୍ଣ୍ଣ ହୋଇଛି । ରାତି ରାତି ଉଜାଗର ରହି କୂଅ ଖୋଳିଛି । ନିଜ ଅଗଣାରେ । ଦିନରେ ମୂଲ ଲାଗିଛି । ନିଜ ପାଇଁଖାଦ୍ୟ ପ୍ରସ୍ତୁତ କରିଛି । ରାତିରେ ଖୋଳିଛି କୂଅ । ଆଜି ସେ କୂଅରୁ ଝର ଫିଟିଚି ।

ସେଥିପାଇଁ ଆନନ୍ଦ ତା ମନରେ,

ନାଚୁଛି ଖୁସିରେ ,

ହାତ ଯୋଡ଼ି କରେ ଜୁହାର,

ହେ ଠାକୁରାଣୀ ମୋତେ

ନେଇ ଗଲେ ନେଇ ପାର,

ଦୁଃଖ ନାହିଁ ସେଥିରେ ।

ମୁଁ ତ ଥୁଣ୍ଟା ଗଛଟିଏ,

ନା ମୋର ଆଗକୁ କିଏ ?

ନା ମୋର ପଛକୁ କିଏ ?

ଲାଗିଗଲା କାମରେ ଜୀବନ,

ମୋ ଗ୍ରାମବାସୀଙ୍କ ପାଇଁ,

ମୋ ଅନ୍ତ କାଳରେ ।

ଭାବନା ରାଜ୍ୟରୁ ଫେରି ଆସି ଦେଖେ,

ସୁରଜ ଦେବତା ତା ଅଗଣାରେ ,

ନାଚୁଛନ୍ତି ସକଳ ଗ୍ରାମବାସୀ

ତା ସମ୍ମୁଖରେ....।



Rate this content
Log in

Similar oriya story from Tragedy